Latest Odisha News

BREAKING NEWS

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୨୦ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨ୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି।

ଏହି ୨ୟ ପର୍ଯ୍ୟାୟରେ ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେଥି ମଧ୍ୟରେ ରହିଛି- ବହରାଗୋଡା, ଘାଟଶୀଳା, ପୋଟକା, ଜୁଗସଲାଇ, ଜମସେଦପୁର (ପୁର୍ବ), ଜମସେଦପୁର (ପଶ୍ଚିମ), ଷଡେଇକଳା, ଖରସୁଆଁ, ଚାଇଁବସା, ମଝଗାଁଓ, ଜଗରନାଥପୁର, ମନୋହରପୁର, ଚକ୍ରଧରପୁର, ତମାଡ, ସିସଇ, ମାଣ୍ଡର, ତୋରପ, ଖୁଣ୍ଟି, ସିମଡେଗା ଓ କୋଲେବିରା ନିର୍ବାଚନ ମଣ୍ଡଳୀ ।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ଏହି ୨ୟ ପର୍ଯ୍ୟାୟ ନିର୍ବାଚନରେ ୨୦ଟି ବିଧାନସଭା ଆସନ ପାଇଁ ପ୍ରାୟ ୨୬୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏହାବ୍ୟତିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି, “ଆଜି ହେଉଥିବା ୨୦ଟି ଆସନ ଲାଗି ମୋଟ୍ ୪୮,୨୫,୦୩୮ ଜଣ ଭୋଟର ରହିଛନ୍ତି । ମତଦାତାମାନେ ୬୦୬୬ଟି ବୁଥରେ ଭୋଟ୍ ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୧୦୧୬ଟି ବୁଥ୍ ସହରାଞ୍ଚଳରେ କରାଯାଇଛି ।

ତେବେ ଉକ୍ତ ଅଞ୍ଚଳ ଗୁଡିକରେ ସୁରକ୍ଷା ଦୃଷ୍ଟିକୋଣରୁ ଯବାନ ଓ ଅର୍ଦ୍ଧ ସାମରିକ ଦଳ ନିୟୋଜିତ ହୋଇଛନ୍ତି । ଏହାବ୍ୟତିତ ମାଓବାଦୀଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର‌୍ୟ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.