Latest Odisha News

ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣରେ ସମଗ୍ର ବିଶ୍ୱ ଥରହର । ଏହି ଅଦୃଶ୍ୟ ଶତ୍ରୁକୁ ନିପାତ କରିବାପାଇଁ ସବୁଦେଶରେ ଗବେଷକମାନେ ଆପ୍ରାଣ ଉଦ୍ୟମ ଚଳାଇ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମହାମାରୀ ଭୂତାଣୁର ନିଦାନ ପାଇଁ କୌଣସି ମେଡିସିନ୍ ବାହାରିପାରିନାହିଁ । ମେଡିସିନ୍ ବାହାରିବାପାଇଁ ଯେତେ ଡେରି ହେଉଛି, ବିଭିନ୍ନ ଦେଶରେ ମଣିଷ ମାଳମାଳ ମୃତ୍ୟୁବରଣ କରୁଛନ୍ତି । ଏହି ମହାମାରୀ ସବୁଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି । ପୃଥିବୀରେ ପ୍ରାୟ ଅଧା ଅଧିବାସୀ ରୋଗ ଓ ଭୋକରେ ଛଟପଟ ହେବାରେ ଲାଗିଛନ୍ତି । ସବୁଠୁ ବେଶି ଶ୍ରମଜୀବୀଶ୍ରେଣୀ ଉପାର୍ଜନ କ୍ଷମତା ହରାଇ ଭୟଙ୍କର ଅଭାବ ଅନାଟନରେ ଚଳୁଛନ୍ତି । ବିଶେଷକରି ଶ୍ରମଜୀବୀଶ୍ରେଣୀ ଯେଉଁମାନେ ଖଟୁଥିଲେ ଖାଉଥିଲେ ସେମାନଙ୍କ ଅବସ୍ଥା ସବୁଠୁ ସାଂଘାତିକ ହୋଇପଡିଛି । ଅଧିକାଂଶ ଚାକିରୀ ହରାଇ ସାରିଲେଣି । ବାକି ଶ୍ରମଜୀବିମାନେ ପୁନଃଶ୍ଚ ଚାକିରୀ ପାଇବା ନେଇ ସନ୍ଦିୟାନ ।
ଏବେ ସପ୍ତମହାଦେଶରେ କରୋନା ଭୂତାଣୁର କରାଳ ମାଡିଚାଲିଛି । ବିଶ୍ୱ ଶ୍ରମସଂସ୍ଥା ପକ୍ଷରୁ କୁହାଯାଇଛି ଯେ – ଶ୍ରମଶକ୍ତି ଦିଶାହରା । ଉତ୍ପାଦନକ୍ଷେତ୍ର ଏକରକମ ଅଚଳ ହୋଇପଡିଛି । ସବୁଦେଶରେ ଲକ୍ଷଲକ୍ଷ କୋଟିକୋଟି ଶ୍ରମଜୀବି ଜୀବନ-ଜୀବିକା ହରାଇବାରେ ଲାଗିଛନ୍ତି ।

ଅଧିକ ପଢନ୍ତୁ: ଅହେତୁକ ଅହଂକାର…

ଶ୍ରମଜୀବିଙ୍କ ବିକଳ କ୍ରନ୍ଦନ, ଆଖିର ଲୁହ ହୃଦୟ ବିଦାରକ । କରୋନା ମହାମାରୀ ବେଶିଦିନ ଲାଗିରହିଲେ ସମଗ୍ର ବିଶ୍ୱ ଓଲଟପାଲଟ ହୋଇଯିବ । ୧୯୧୧ ପ୍ଲେଗ୍ ମହାମାରୀ ଠାରୁ ଏବେକାର କରୋନା ମହାମାରୀ ଶହେଗୁଣ ଭୟଙ୍କର । ସବୁବେଳେ ମୃତ୍ୟୁ ହାତଠାରି ଡାକୁଛି ।

ସମୟ ଥିଲା – ଯେତେବେଳେ ଆଦିମ ସାମ୍ୟବାଦୀ ସମାଜବିଜ୍ଞାନର ଅଗ୍ରଗତି ହୋଇନଥିଲା – ମଣିଷ ବଂଚିବାପାଇଁ ଯାହା କିଛି ସଂଗ୍ରହ କରୁଥିଲା – କେହି ମାଲିକ କି ଶ୍ରମିକ ନଥିଲେ, ସମସ୍ତେ ସମାନ ଥିଲେ । ଯୁଗ ପରେ ଯୁଗ ସାମନ୍ତବାଦର ଆରମ୍ଭରୁ କ୍ରିତଦାସ, ପ୍ରଜା – ଶ୍ରମିକମୂଲିଆ – ମେହନତୀ ଜନଗଣଙ୍କୁ ଏକ ଶ୍ରେଣୀ ଭାବେ ଚିହ୍ନଟ କରାଗଲା – ହଜାର ହଜାର ବର୍ଷ ପରେ ପୁଞ୍ଜିବାଦ – ସାମ୍ରାଜ୍ୟବାଦ ଏବଂ ଅଧିକାଂଶ ଦେଶରେ ସମାଜବାଦ ବ୍ୟବସ୍ଥା ପ୍ରବର୍ତନ ହେଲା । ଆରମ୍ଭରୁ ଯେଭଳି ଶ୍ରମିକଶ୍ରେଣୀ ଶୋଷିତ, ନିର୍ଯ୍ୟାତିତ, ଅତ୍ୟାଚାରିତ ହୋଇଆସୁଥିଲା, ଆଜିବି ସେଇ ଅବସ୍ଥାର ପରିବର୍ତନ ଘଟିନି । ବଂର ନୂତନ ଢାଂଚାରେ ଶୋଷଣ ବଢିଚାଲିଛି । ପୃଥିବୀରେ ସବୁ କୋଣରେ ମାଲିକମାନେ ସ୍ୱପ୍ନ ଦେଖୁଥିଲେ ତାଙ୍କର ରାଜୁତି ଚିରଦିନ ଅମ୍ଳାନ ରହିବ, ତାଙ୍କ ଶୋଷଣ, ଅତ୍ୟାଚାରରେ ଧୂଳିମଳି ଲାଗିବନାହିଁ । ଆଜି କିନ୍ତୁ ସେମାନଙ୍କ ସ୍ୱପ୍ନର ତାସ୍ ଘର ଭାଙ୍ଗି ଭାଙ୍ଗି ଯାଉଛି ।
ଏହା ମଧ୍ୟରେ ଆର୍ନ୍ତଜାତୀୟ ଓ ଜାତୀୟ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଘଟଣା ଘଟିଯାଇଛି । ଯାହାଫଳରେ ଶ୍ରମିକ ଆନ୍ଦୋଳନ ଓ ସମସ୍ତ ପ୍ରକାର ଶୋଷଣରୁ ମୁକ୍ତିପାଇଁ ଶ୍ରମଜୀବୀ ଜନଗଣଙ୍କ ସଂଗ୍ରାମ ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ହୋଇପଡିଛି । ଏକ ପରିବର୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସହସ ମୁହଁରେ ଛଦ୍ମବେଶୀ ଶତ୍ରୁ … ବନ୍ଧୁତ୍ୱରେ ବେଶଭୁଷାରେ ବିପଦଜନକ ବୈରୀ । ଅତିତରେ ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ ବଂଧୁକର ସଂଗୀନ ମୂନରେ, ସୁରକ୍ଷାବଳୟର ଗୃହ ମଧ୍ୟରେ – ସେ ପୁଞ୍ଜିବାଦ ତା’ର ପୁରୁଣା ଚରିତ୍ର ବଦଳାଇସାରି, ବସିସାରିଲାଣି ଆମ ବୈଠକଖାନାର ଟେବୁଲ ଆରପଟେ । ସେ ଆମକୁ ଖତମ କରିବାକୁ ଚାହୁଁଛି ଖେଳେଇଖେଳେଇ, ଜଖମ କରିବାକୁ ଚାହୁଁଛି ଜବରଦସ୍ତ । କୁବେରମାନେ ଦଖଲ କରିସାରିଛନ୍ତି କୁର୍ସି । ସେମାନଙ୍କ ହାତରେ ପ୍ରଶାସନ । ସେମାନଙ୍କ କମ୍ପାନୀର କଳାଧୂଆଁ ଆଜି ଗୋଟାପଣେ ଗିଳିଦେବାକୁ ବସିଛି ଆମ ନୀଳଆକାଶ ତଳର ଧୂସର ପର୍ବତ, ସବୁଜ ପ୍ରାନ୍ତର, ହଳଦିଆ ହିଡମାଟି ।
ଖାଲି କ’ଣ ମାଟି ଆଉ ଭାଟି – ପରିବର୍ତିତ ପୁଞ୍ଜିବାଦ ଆଜି ତା’ର ଆସୁରିକ ଆମିଷ ଆଁ ମେଲାଇ ଚଳୁ କରିଦେବାକୁ ବସିଛି ଆମର ଜଳ, ଜମି, ଜଙ୍ଗଲ, ଖଣିଖାଦାନ – ବାଗାନ୍‌…. ସବୁକିଛି । ଆଜିର ଏହି ପୁଞ୍ଜିବାଦର ହିସାବଜୋରସ୍ତ ହସ କାଲି ଡାକିଆଣିବ ସର୍ବହରାର ହାଃହାଃକାର । ବିସ୍ଥାପିତ ହେବେ ଆମ ବଂଶଧରବର୍ଗ । ମୁନାଫାପାଇଁ ସେମାନେ – ସେଇ ସଇତାନୀ ସଇଶମାନେ ଆମ କବରଉପରେ ଠିଆ କରାଇବେ ସେମାନଙ୍କ ଷ୍ଟିଲ୍ ଘୋଡାର ଷ୍ଟାଚ୍ୟୁ ! ପୁଞ୍ଜିର ପାହାଡତଳେ ଦିନେ ଆମର ଉତରଦାୟଦ ଚାପିହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟହେବେ? ପ୍ରଚୂର ପୁଞ୍ଜି ତଳେ ଗୁଞ୍ଜିହୋଇ ରହିଛି ସଇତାନର କ୍ଷୁଧା । ସେହି କ୍ଷୁଧାର ଅଜଗର ଦିନେ ବନ୍ଦି କରିନେବ ଆମର ବିବେକ, ବିଶ୍ୱାସ, ବିଚାର ଓ ବିଧାନ – ସବୁକିଛି । ମଣିଷର ହୃଦୟକୁ ସେ ପରିଣତ କରିଦେବ ଯନ୍ତ୍ରରେ କେବଳ । ତା’ର ମନ୍ତ୍ର ମଣିଷକୁ ମଇଁଷି, ଭେଣ୍ଡାକୁ ମେଣ୍ଢା, ପୁରୁଷକୁ ପଶୁ ଓ ନାରୀକି ନାରକୀୟ ମୁଲାୟନ୍ କରିବାର ମାରାତ୍ମକ ମୋଲାୟମମନ୍ତ୍ର । ମୁହଁରେ ହସ ସିହ୍ନା, ଭିତରେ ଭୟଙ୍କର ବିଷର ଭଉଁରୀ । ହୁସିଆର… ଏ ପୁଞ୍ଜିବାଦ ଆସୁଛି ପରିବର୍ତିତ ପର୍ଯ୍ୟାୟରେ ଆତଙ୍କବାଦୀ ଆକ୍ରମଣକାରୀର ଅତୃପ୍ତି ନେଇ । ଏହାସହିତ ସଂଗ୍ରାମ ତେଣୁ ସୁରୁହେବ ସ୍ୱତନ୍ତ୍ରଶୈଳୀର ରଣନୀତିରେ ।
ମୋର ଏ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସବିନୟ ଅନୁରୋଧ ଯେ – ବର୍ତମାନର କରୋନା ସଂକଟ ପରିପ୍ରେକ୍ଷୀରେ ସେ ଯେଉଁ ୨୦ଲକ୍ଷ କୋଟି ଟଙ୍କା ଆତ୍ମନିର୍ଭରଶୀଳ ଯୋଜନାର ଜରୁରୀ ଘୋଷଣା ଗଣମାଧ୍ୟମ ଜରିଆରେ ଆମକୁ ଅବଗତ କରାଇଲେ, ଯେପରି ଏ ଅନୁଦାନରୁ ପଇସାଟିଏ ମଧ୍ୟ କୌଣସି ସରକାରୀ କାର୍ଯ୍ୟକର୍ତାମାନଙ୍କ ଦୁର୍ନିତୀମୁଣିର ପାଣ୍ଠି ବୃଦ୍ଧି ନକରେ । କାରଣ – ଏ ୨୦ଲକ୍ଷ କୋଟି ଟଙ୍କାର ପ୍ରତ୍ୟେକ ଅଂଶ ଆଜି ସେଇମାନଙ୍କର ଭରଣପୋଷଣ ପାଇଁ ବେୟିତ ହେବାର ମହତର ଲକ୍ଷ୍ୟ ନିମନ୍ତେ ଉଦ୍ଦିଷ୍ଟ – ଯେଉଁମାନଙ୍କ ହାତ ଏ ଦେଶର ସଭ୍ୟତା, ସୌଧ ଓ ମୂଳଭିତି ଗଢିବାରେ ନିକଟତମ ଅତୀତ ପର୍ଯ୍ୟନ୍ତ ସଦାସକ୍ରିୟ ରହିଆସିଥିଲା । ମୋର ଏଥିନିମନ୍ତେ ପ୍ରବଳ ଆଶଙ୍କା ଯେ – ସରକାର ଯେଉଁ ମୃଷ୍ଟିମେୟଙ୍କୁ ମୁଖପାତ୍ର ଓ କାର୍ଯ୍ୟକର୍ତା ଭୂମିକାରେ ବାହାର କରିଛନ୍ତି – ସେମାନେ ଜନସ୍ୱାର୍ଥ ପାଇଁ କେତେଦୂର ଜାଗତିଆର ଏ ସଂକ୍ରାନ୍ତରେ କୌଣସି ପ୍ରକାର ଗ୍ୟାରେଂଟି ଆଖିବୁଜି ଦେଇହେଉନାହିଁ । ଏହାର ଏକମାତ୍ର କାରଣ ହେଉଛି – ଏ ମୁଖପାତ୍ରମାନେ ନା ଶ୍ରମସଂସ୍କୃତି ସହିତ ଜଡିତ, ନା ସ୍ୱଂୟ ଜଣେ ସଚ୍ଚା ଶ୍ରମଜୀବୀ? ଯଦି ମୂଳଭିତି ପ୍ରସ୍ତୁତିରୁ ସଂପୂର୍ଣ୍ଣ ସଜାଗତା ଓ ସତର୍କତା ରକ୍ଷା କରାନଯାଏ ତା ହେଲେ କରୋନାର କରାଳତା ଅପେକ୍ଷା ଆଗକୁ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡିବ । କରୋନାକୁ ତ ଲଢୁଛେ – ଲଢିବା, ସେ ମୁକାବିଲାର ମୂହୁର୍ତ ଏବେବି ବଳବତର । ମାତ୍ର ବାରମ୍ବାର ଏ ଦେଶବାସୀ ଓ ମହାଜାତିର ଭବିଷ୍ୟତର ସ୍ୱପ୍ନ ମହାଦୁର୍ନିତୀର ମୁକାବିଲାରେ ବରାବର ହାରି ଆସୁଥିବାର ନଗ୍ନ ନମୁନା କାହାରିକୁ ଅଛପା ନୁହେଁ ।
ଆଗକୁ ମୁକାବିଲାର ମଇଦାନ । ଆଜି ଯାହା ଥିଲା, ସବୁ ଓଲଟପାଲଟ ହେଇଯାଉଛି । ଉତ୍ପାଦନ କ୍ଷେତ୍ର ବିଯର୍ପ୍ୟସ୍ତ । ରୋଗ, ଭୋକ ଅସମ୍ଭାଳ । ଯେଉଁ ଶ୍ରମିକକର୍ମଚାରୀମାନେ ଦାନାକନା ପାଇଁ କର୍ମକ୍ଷେତ୍ରରେ ପଡିରହିଥିଲେ, କରୋନାର କରାଳ ମାଡରେ ସବୁ ଓଲଟପାଲଟ ହୋଇଯାଇଛି । ଗାଁ ଗଣ୍ଡାଠୁ ଆରମ୍ଭକରି ସହରବଜାରରେ ବେକାରଙ୍କ ସଂଖ୍ୟା ହୁଃ..ହୁଃ.. ହୋଇ ବଢିଚାଲିଛି । ପରବର୍ତୀ ଅବସ୍ଥାରେ ଭୟଙ୍କର ଦଙ୍ଗା ଲାଗିଯାଇପାରେ! ଆମର ପହିଲା ନମ୍ବର ଦୁଷ୍ମନ ପୁଞ୍ଜବାଦ ସହିତ ଲଢିବା ପୂର୍ବରୁ ଆମକୁ ପ୍ରଥମେ କିନ୍ତୁ ଲଢିବାକୁ ପଡିବ ଆମ ନିଜ ଭିତରର ଦ୍ୱନ୍ଦ, ଦ୍ୱିଗ୍ଧା ଓ ଦ୍ୱିଖଣ୍ଡିତ ଦର୍ଶନ ସହିତ । କାରଣ, ଭବିଷ୍ୟତର ମହାସଂଗ୍ରାମ ପୂର୍ବରୁ ଆମର ପୂର୍ବପ୍ରସ୍ତୁତି ଆରମ୍ଭ ହେବ ଆମ ନିଜର ଅଟଳ ନିଷ୍ଠା ଓ ଅସଲ ଅଙ୍ଗିକାରକୁ ସମ୍ବଳ କରି । ଆମକୁ ସଂକଳ୍ପ ନେବାକୁ ପଡିବ ନିଜ ରକ୍ତାକ୍ଷରରେ । ଆମ ଭିତରର ଭୟକୁ ଜୟ କଲେ ହିଁ ବିଜୟ ଆମର ହାତପାଆନ୍ତାରେ । ଜାତି-ବର୍ଣ୍ଣ-ଧର୍ମ-ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ହେବା କାୟୋମନୋବାକ୍ୟରେ କାନ୍ତିଗାମୀ-ଅର୍ନ୍ତଗାମୀ । ଆମ ଅଗ୍ରଗତିର ପଥ ଯେତେ ଦୁର୍ଗମ ହେଉ ପଛେ, ସେ ପଥ ହେଉ ବଜ୍ରଶପଥର ବଡ ପଥ । ଆମ ମହାସଂଗ୍ରାମର ପାନିପଥ । ଆନ୍ଦୋଳନର ଆବର୍ତ ପରେ ଆମେ ବିପ୍ଳବର ବିଜୟପତାକା ଉଡାଇବା ଦଳିତ-ଶୋଷିତ-ନିଷ୍ପେସିତର ନବନିର୍ମିତ ରାଜଧାନୀରେ ।

ଯାଜପୁର ରୋଡ, ଯାଜପୁର – ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Leave A Reply

Your email address will not be published.