Latest Odisha News

BREAKING NEWS

ସତରେ ଥିଲେ କର୍ମବୀର- ଗୌରୀ ଶଙ୍କର

(ଗୌରୀ ଶଙ୍କର ରାୟଙ୍କ ଜନ୍ମଦିନ ଅବସରରେ)

ଓଡ଼ିଆ ସାମ୍ବାଦିକତାର ଜନକ ଭାବେ କର୍ମବୀର ଗୌରୀ ଶଙ୍କର ରାୟ ପରିଚିତ । ସେ ଥିଲେ ଓଡ଼ିଶାର ପ୍ରଥବ ଖବରକାଗଜ- ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ । ଓଡ଼ିଆର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା, ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱାଧୀନତା ଆନ୍ଦୋଳନକୁ ସହଯୋଗ କରିବା ଦିଗରେ ନିଖୁଣ ଭୂମିକା ନିଭେଇ ଥିଲା- ଉତ୍କଳ ଦୀପିକା । ଆଉ ଏଥିରେ ମଙ୍ଗୁଆଳ ସାଜିଥିଲେ ଗୌରୀ ଶଙ୍କର ।

୧୮୩୮ ମସିହା ଜୁଲାଇ ୧୩ ତାରିଖରେ କଟକ ଜିଲ୍ଲାର ଅସୁରେଶ୍ୱର ନିକଟବର୍ତ୍ତୀ ଦୀକ୍ଷିତପଡ଼ାରେ ଗୌରୀ ଶଙ୍କରଙ୍କ ଜନ୍ମ । ୧୮୪୮ରେ ପ୍ରାଥମିକ ଶିକ୍ଷା ପରେ ସେ କଟକ ଆସିଥିଲେ ହାଇସ୍କୁଲରେ ପଢିବାକୁ । ସେତେବେଳେ ଓଡ଼ିଶାରେ ଉଚ୍ଚଶିକ୍ଷାର କିଛି ବି ବ୍ୟବସ୍ଥା ନଥିଲା । ତେଣୁ
ଗୌରୀ ଶଙ୍କର କଲିକତା ଯାଇଥିଲେ ପଢିବାକୁ ।

ହୁଗୁଳୀ କଲେଜରୁ ପାଠପଢା ସାରି ସେ ଆସି ବାଲେଶ୍ୱରରେ ଶିକ୍ଷକତା କରିଥିଲେ । ରାଧାନାଥ ରାୟ, ମଧୁସୂଦନ ଦାସ, ବୈକୁଣ୍ଠନାଥ ଦେ ପ୍ରମୁଖ ଥିଲେ ତାଙ୍କର ଛାତ୍ର । ୧୯୫୯ରେ ସେ କଟକର କମିଶନର ଅଫିସରେ ମନି ଅର୍ଡ଼ର ଏଜେଣ୍ଟ ଭାବେ କାମ ଆରମ୍ଭ କରିଥିଲେ ।

କଟକରେ ହିଁ ତାଙ୍କ ପ୍ରତିଭାର ବିକାଶ ପାଇଁ ମଉକା ମିଳିଥିଲେ । ଆଉ ସେଇଠୁ ସେ ଦେଶମାତୃକାର ସେବାରେ ବ୍ରତୀ ହୋଇ ଆଗେଇ ଯାଇଥିଲେ । କଟକରେ ଗୌରୀ ଶଙ୍କର ଗଠନ କରିଥିଲେ ୟଙ୍ଗ ମେନ୍‍ ଆସେିସିଏସନ୍‍ ନାମକ ଏକ ଯୁବ ସଙ୍ଗଠନ । ସାମାଜିକ ପରିବର୍ତ୍ତନ, ଶିକ୍ଷାର ପ୍ରସାର ଓ ସମାଜର ଅବହେଳିତ ବର୍ଗଙ୍କ ପାଇଁ ଏହି ଅନୁଷ୍ଠାନ ଅହରହ କାମ କରିୁଥିଲା ।

୧୮୬୪ ମସିହାରେ ସମବାୟ ଭିତ୍ତିରେ ସେ ପ୍ରତିଷ୍ଠା କରିଥିଲେ- କଟକ ପ୍ରିଣ୍ଟିଂ କଂପାନୀ । ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖରେ ସେଠାରୁ ପ୍ରକାଶିତ ହୋଇଥିଲା ରାଜ୍ୟର ପ୍ରଥମ ଖବରକାଗଜ- ଉତ୍କଳ ଦୀପିକା । ଦୀର୍ଘ ୪୯ ବର୍ଷ ଧରି ଗୌରୀ ଶଙ୍କର ଏହାର ସମ୍ପାଦକ ରହିଥିଲେ ।

ଉତ୍କଳ ଦୀପିକା ପ୍ରକାଶ ହେବାଠାରୁ ଓଡ଼ିଆ ଖବରକାଗଜ ଜଗତରେ ଏହା ମାର୍ଗଦର୍ଶକ ଭାବେ ଉଭା ହୋଇଥିଲା । ଯେଉଁ ବର୍ଷ ଏହା ଆରମ୍ଭ ହୋଇଥିଲା- ସେହି ବର୍ଷ ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାର ଲୋକେ ଭୋକ ଓ ତୀବ୍ର ଦାରିଦ୍ର‌୍ୟରେ ଆଉଟୁପାଉଟୁ ହୋଇଥିଲେ । କୁହାଯାଏ- ନଅଙ୍କ ଦୁର୍ଭିକ୍ଷ କାଳରେ ଖାଇବାକୁ ନ ପାଇ ୧୦ ଲକ୍ଷ ଲୋକ ମରି ଯାଇଥିଲେ । ଦୁର୍ଭିକ୍ଷ ଓ ପରବର୍ତ୍ତୀ ଭୟାବହତା ବିଷୟରେ ଉତ୍କଳ ଦୀପିକା ନିୟମିତ ଭାବେ ଲେଖା ପ୍ରକାଶ କରିଥିଲା । ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫଳରେ ସାରା ବିଶ୍ୱ ଏ ସଂପର୍କରେ ଜାଣିବାକୁ ପାଇଥିଲେ ।

ଗୌରୀ ଶଙ୍କର ଇଂରେଜ ସରକାରଙ୍କ ପାଖରେ ଚାକିରି କରୁଥିଲେ । କିନ୍ତୁ ଇଂରେଜ ସରକାରଙ୍କ ସମାଲୋଚନା ନିଜ ଖବରକାଗଜରେ କରୁଥିଲେ । ସେ ଆରମ୍ଭରୁ ହିଁ ଦେଖାଇ ଦେଇଥିଲେ ଶାଣିତ କଲମ ସତରେ ପରିବର୍ତ୍ତନ ଆଣିପାରେ ବୋଲି ଓ ନିରପେକ୍ଷ ହୋଇ ଖବର ଲେଖିବାର ବାଗ ସେ ଶିଖେଇ ଥିଲେ ।

ଗୌରୀ ଶଙ୍କର ଉତ୍କଳ ସଭା ଓ ଓଡ଼ିଶା ଆସୋସିଏସନ ଆରମ୍ଭ କରିଥିଲେ । ୩୦ ବର୍ଷ ଧରି ଏହାର ସଂପାଦକ ରହିଥିଲେ । ଉତ୍କଳ ଦୀପିକା ମାଧ୍ୟମରେ ସେ ବନ୍ୟା ନିୟନ୍ତ୍ରଣ, ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା, ଗମନାଗମନର ସୁବିଧା ବିଷୟରେ ଲେଖୁଥିଲେ ଓ ଜନ ସଚେତନତା ସୃଷ୍ଟି କରୁଥିଲେ । ୧୯୧୫ ମସିହାରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଗୌରୀ ଶଙ୍କର ଉତ୍କଳ ଦୀପିକାର ସଂପାଦନାରୁ ଅବ୍ୟାହତି ନେଇଥିଲେ । ଏହାର ଦୁଇ ବର୍ଷ ପରେ ୧୯୧୭ ମସିହା ସେପ୍ଟେମ୍ବର ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନିରଳସ ଯୋଗଦାନ ପାଇଁ ତାଙ୍କୁ ‘କର୍ମବୀର’ ଉପାଧି ଦିଆଯାଇଥିଲା । ଯେଉଁଦିନଟି ଉତ୍କଳ ଦୀପିକା ପ୍ରକାଶିତ ହୋଇଥିଲା, ତାହାକୁ ମନେ ରଖିବା ପାଇଁ ଅଗଷ୍ଟ ମାସ ୪ ତାରିଖକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ । ୨୦୧୩ ମସିହାରେ ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ଏହା ପ୍ରଥମ ଥର ପାଳନ କରଯାଇଥିଲା ।

(ଲେଖକ ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ସହକାରୀ ପ୍ରଫେସର )

Leave A Reply

Your email address will not be published.