ଭାବର ଠାକୁର ମହାବାହୁ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ

ଦିନେ ଦାସେ କହିଲେ ବିପ୍ରବର କଥାଏ ଶୁଣିବ କି ମୋର

“ ଏହି ମୋ ଶ୍ରୀ ଫଳ (ନଡିଆ) ଗୋଟି ଧରି, ଗରୁଡ ପଛେ ରହିକରି। ବୋଲିବୋ ବାଲି ଗ୍ରାମ ଦାସ, ଦେଇଛି ନିଅ ପୀତବାସ।
ସେ ଯେବେ ଶ୍ରୀହସ୍ତ ବଢାଇ, ତୁମ୍ଭର ହସ୍ତରୁ ଛଡ଼ାଇ।
ଘେନିବ ଯେବେ ତାକୁ ଦେବ, ନୋହିଲେ ଆଣି ମୋତେ ଦେବ। “

ଦାସିଆ ବାଉରୀଙ୍କ ଲିଖିତ ଉକ୍ତ ପଦଟି ପଢିଲା ବେଳକୁ ଦୁଃଖ ଆଉ ଅଭିମାନରେ ଦୁଇ ଧାର ଲୁହ ଆଖିରୁ ଗଡ଼ିଗଲା, ହେ ମଣିମା ତମେ ତ ସର୍ବ ଘଟ ରେ ବିଦ୍ୟମାନ। ତୁମକୁ ଯିଏ ଭଲ ପାଇଛି ତା ଜୀବନରେ ଆଉ କାହାର ଭଲ ପାଇବା ଦରକାର ପଡିନି। ତୁମକୁ ଯିଏ ବିଶ୍ୱାସ କରିଛି ଆଉ କାହା ସାହାରାର ଲୋଡା ହେଇନି ତା ପାଇଁ। ଭକ୍ତ ଦାସିଆର କେତେ ଦୃଢ଼ ବିଶ୍ୱାସ, ତାଙ୍କର ବିଶ୍ୱାସ ଥିଲା ନିଳାଦ୍ରୀ ବିହାରୀ ଶ୍ରୀଜଗନ୍ନାଥ ହାତ ବଢାଇ ଭକ୍ତ ଦେଇଥିବା ନଡ଼ିଆକୁ ଗ୍ରହଣ କରିବେ, ଯଦି ଗ୍ରହଣ ନ କରିବେ ତେବେ ଶ୍ରୀ ଫଳ ତାଙ୍କ ପାଖକୁ ଫେରି ଆସିବା ଉଚିତ୍।

ଅଧିକ ପଢନ୍ତୁ: ଏକ ବିସ୍ମୟକର ଘଟଣା

ପାପ ପଙ୍କର ଏ ଶରୀରରେ ମୋର ଦାସିଆଙ୍କ ଭଳି ବିଶ୍ୱାସ ନ ଥାଇ ପାରେ କିନ୍ତୁ ମହାପ୍ରଭୁ ତୁମକୁ ଛାଡ଼ି ମୁଁ ତା ଆଉ କେବେ କିଛି ଚିନ୍ତା ବି କରିନି କେବେ, ତାହେଲେ ମୋ ପାଇଁ ଏତେ ପକ୍ଷପାତ କଣ ପାଇଁ। ଉଚ୍ଚ ନୀଚ୍ଚର ଭେଦ ଭାବ ମଣିଷ ଦେଖେ କିନ୍ତୁ ତୁମେ ତ ସବୁ ଚିନ୍ତା ଆଉ ଚେତନାରୁ ଉର୍ଦ୍ଧ୍ୱରେ ତାହେଲେ କଣ ମୋ ଭିତରେ ଆଉ ଦାସିଆଙ୍କ ଭିତରେ ପ୍ରଭେଦ କରୁଛ।

ଗତ କିଛି ଦିନ ହେବ ରଥ ନିର୍ମାଣକୁ ନେଇ ଯେଉଁ ଜୋର୍ ସୋର୍ ଆଲୋଚନା ପର୍ଯ୍ୟାଲୋଚନାକୁ ନେଇକି ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ ମଧ୍ୟ ମନ ଭିତରେ ଗୋଟିଏ ବିଶ୍ୱାସର ଦୀପ ଦିକି ଦିକି ହୋଇ ଜଳୁଛି ମନ ମାନିବାକୁ ନାରାଜ ଯେ ବିଶ୍ଵ ବ୍ରହ୍ମାଣ୍ଡର ଠାକୁରଙ୍କ ରଥ ଯାତ୍ରାରେ କିଛି ଅନିୟମିତତା ହେବ ବୋଲି। ସକାଳୁ ଶୁଣିବାକୁ ମିଳିଲା ଯେ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି ରଥ ନିର୍ମାଣ କାର୍ଯ୍ୟ ହେବ। ଉଦୁ ଉଦିଆ ଖରା ବେଳଟାରେ ଦୋଉଡିକି ଗଲି ଦେଖିବା ପାଇଁ ରଥ ନିର୍ମାଣ କାର୍ଯ୍ୟ ସତରେ ଆରମ୍ଭ ହେଲା ନା ନାହିଁ ବୋଲି। ସାମାଜିକ ଦୁରତ୍ଵକୁ ଆଖି ଆଗରେ ରଖି ରଥ ଖଳା ତିଆରି ହୋଇଛି। ବ୍ୟାରିକେଡ଼ ଭିତରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ ଭିତରୁ ସବୁ ଦୁଃଖ, ଅଭିମାନ ଯେମିତି ଗୋଟେ ମୁହୂର୍ତ୍ତ ଭିତରେ ଅନ୍ତର୍ଦ୍ଧାନ ହୋଇଗଲା। ଦେଖିବାକୁ ଇଚ୍ଛା ହେଲା ସେଇ କଳା କଳା ଆଖି ଦୁଇଟିକୁ, ପତିତପାବନ ଦର୍ଶନ କଲା ପରେ ମନ ଯେମିତି ଗୋଟେ ଅଜଣା ପୁଲକ ରେ ଭରିଗଲା, ତମେ ଯଦି ଅଛ ଆଉ କିଛି ଦରକାର ନାହିଁ ପ୍ରଭୁ, ସେମିତି ନାଲି ଓଠରେ ହସୁ ଥାଅ। ହେ ଅଦ୍ୱିତୀୟ ତମ ଭଳି ଆଉ କେହି ନାହିଁ। ହେ ଅମୃତମୟ ସଂସାର ଉପରେ ଅମୃତ ବର୍ଷା କରୁ ଥାଅ। ହେ ଅବର୍ଣ୍ଣନୀୟ ତମକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟକର, ତମେ ସବୁ ଭାଷାରୁ ଉର୍ଦ୍ଧ୍ୱରେ। ହେ ଅପ୍ରତିମ ତୁମେ ସମ୍ପୂର୍ଣ୍ଣ ବିଶ୍ଵର ସୌନ୍ଦର୍ଯ୍ୟ ଠାରୁ ମଧ୍ୟ ଆହୁରି ସୌନ୍ଦର୍ଯ୍ୟବନ୍ତ। ହେ ଅନ୍ତର୍ଯ୍ୟାମୀ ତୁମେ ସବୁରି ଅନ୍ତରରେ ବିଦ୍ୟମାନ ଏବଂ ସବୁ ଅନ୍ତରର ଭାଷାକୁ ଜାଣି ପାର। ହେ ଅପ୍ରେମୟ ତମକୁ ଭଲ ପାଇଲେ ଆଉ କାହା ପ୍ରେମର ଆବଶ୍ୟକତା ନା ଥାଏ ଜୀବନରେ, ଅନୀର୍ବଚନୀୟ, ଅନନ୍ତ, ଅସୀମ, ଅନନ୍ୟ, ଅନାମ କେଉଁ ନାମ ଧରି ତୁମକୁ ଡାକିବି ସହସ୍ର ନାମର ଅଧିକାରୀ ତୁମେ। ତୁମ ଘୋଷ ଯାତ୍ରା ତୁମ ଇଚ୍ଛାରେ ହେବ, ଏ ମନୁଷ୍ୟ ନିଜକୁ ସର୍ବ ଶକ୍ତିମାନ ଭାବୁଚି ମାତ୍ର ହେ, ଅଦୃଶ୍ୟ ଶକ୍ତି ତୁମେ ତ ସବୁ ଭାବନା, ଇଚ୍ଛା, ଆକାଂକ୍ଷାରୁ ଉର୍ଦ୍ଧ୍ୱରେ। ଦୁଃଖର ରାତିରେ ତୁମେ ଚନ୍ଦ୍ରକିରଣ କରି ଶୀତଳତା ଦେଇଛ। ସୁଖର ବେଳରେ ମନକୁ ମୋର ଗଭୀର ଜଳ ରାଶି ପରି ସ୍ଥିର ଆଉ ଶାନ୍ତ କରିଛ। ଏ ପୁର ରେ ହେଉ କି ସେ ପୁରରେ ହେଉ ତୁମକୁ ପାଇବା ଛଡ଼ା ଆଉ କିଛି କାମନା ନ ରହୁ। ହେ ଜଗନ୍ନାଥ, ହେ କାଳିଆ ସାମନ୍ତ, ହେ କୋଟି ଓଡ଼ିଆ ପ୍ରାଣର କେନ୍ଦ୍ରବିନ୍ଦୁ ଏତିକି ମାଗୁଣି ତୁମ ଅଦୃଶ୍ୟ ପୟରରେ।
ଜୟ ଜଗନ୍ନାଥ

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.