(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)
ଶୀର୍ଷକଟି ଶୁଣିବାକୁ ଟିକେ ଅଲଗା ଲାଗୁଛି । ହେଲେ ଏହାର ମର୍ମକୁ ବୁଝିଲେ ଆପଣ ବି ଏଇ କଥାକୁ ଦୋହରାଇବେ । ପୂର୍ବରୁ ଆପଣଙ୍କ ଠାରେ ଚାଷୀର ମର୍ମବେଦନାକୁ ନିଜ ପାରୁ ପର୍ଯ୍ୟନ୍ତ ଉପସ୍ଥାପନ ବି କରିଛି । ତେବେ ଏଇ ହାକିମ , ବାବୁ କଥା ମୁଁ କହୁନି । ଏଇ ଚାଷୀର ଦରଦୀଭରା ସ୍ୱର ଇଏ । ପ୍ରକୃତ କଥାଟିକୁ ବୁଝିଲେ ଏହାର ଯଥାର୍ଥତାକୁ ଅବଲୋକନ କରିହେବ । ସତରେ ଚାଷୀଟିଏ ହିଁ ଏ ସମାଜର ପ୍ରମୁଖଅଙ୍ଗ । ତାରି ବିନା ଖାଦ୍ୟ ଏକ ସ୍ୱପ୍ନପ୍ରାୟ । ସବୁ ସମୟରେ ଚାଷୀର ଗୁରୁତ୍ୱକୁ ସମସ୍ତେ ଅନୁଭବ କରିଛନ୍ତି ।ସେଥିପାଇଁ ସରକାର ବି ଚାଷୀମାନଙ୍କ ପାଇଁ ବେଶ ଯତ୍ନଶୀଳ ।
ଏବେ ସମୟ ଆସି ଏପରି ସ୍ଥାନରେ ଉପନୀତ ଯେ ଆଉ କୃଷି ବୋଲି ଶବ୍ଦ ପିଲାଙ୍କୁ ପଚାରିଲେ ବି ଏହାର ସଂଜ୍ଞା କହିପାରିବେନି । କାରଣ ସବୁ ତ ଏବେ ପାଠପଢ଼ା ପରେ ଚାକିରୀ ନିଶାରେ ରିବୁଲିଲେ । ଆଉ ଶେଷରେ କିଛି ନହେଲେ ବାହାର ରାଜ୍ୟରେ ଦାଦନ ଖଟିବା ଟା ଥୟ । ଏଇଟା ତ ନିରାଟ ସତ କଥା । ଏହାର ଜ୍ୱଳନ୍ତ ଉଦାହରଣ ବି ଦେଖିବାକୁ ମିଳୁଛି । କୃଷିବିଜ୍ଞାନ ଶିକ୍ଷା ବା ପାଠ୍ୟକ୍ରମ ପାଇଁ କେହି ମଙ୍ଗୁ ନାହାନ୍ତି । ବୁଝିହୁଏନା ଏସବୁ ପାଇଁ ଆନ୍ତରିକତାର ଅଭାବ ନାଁ ଆଉ କିଛି କାରଣ ହୋଇପାରେ । ପିଲାଟିଏ ପରିବାରରୁ ହିଁ ପାଠପଢା ଆରମ୍ଭ କରେ । ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରେ । ‘ସା ବିଦ୍ୟା ଯା ବିମୁକ୍ତୟେ’ ର ମନ୍ତ୍ରରେ ମନ୍ତ୍ରିତ ହୁଏ । ଯେଉଁ ଶିକ୍ଷା ମଣିଷର ସକଳ ଦ୍ୱାରକୁ ଉନ୍ମୋଚନ କରିଥାଏ । ସେ ଶିକ୍ଷା କ’ଣ ସତରେ ଆଜି ଦେଖାଯାଉଛି? ଅର୍ଥ ସର୍ବସ୍ୱ ଶିକ୍ଷାଦାନ ଆଜିର ସମାଜରେ ଏକ ଭିନ୍ନ ମୋଡ ନେଇଛି । ବିଦ୍ୟାଳୟର ଶିକ୍ଷା ସମାପ୍ତ ପରେ ପିଲାଟିଏ କଲେଜ/ମହାବିଦ୍ୟାଳୟରେ ନିଜର ଶିକ୍ଷା ସମାପ୍ତ କରେ । ଆଉ ଏହା ପରେ ଆସିଯାଏ ଏକ ବିରାଟ ପ୍ରଶ୍ନବାଚୀ ।
ପ୍ରଶ୍ନ ଏଇଟା ଆସେ କି ପିଲା ଏହା ପରେ କ’ଣ କରିବ? ପରିବାରର ଅଭିଭାବକଙ୍କ ଠୁ ଆରମ୍ଭ କରି ଛୋଟପିଲା ଯାଏଁ ସମସ୍ତେ ନିଜର ମତ ରଖନ୍ତି । କିନ୍ତୁ ଏକବିଂଶ ଶତାବ୍ଦୀରେ ଆଜିର ଦିନରେ କହିବାକୁ ଗଲେ ଦୁଇଟି ସ୍ନାତକ ଶିକ୍ଷା ଉପରେ ଅଭିଭାବକ ମାନେ ଗୁରୁତ୍ୱ ଦେଉଛନ୍ତି ଯେ ଏକଥା କାହାକୁ ଅଛପା ନାହିଁ । ମୁଁ ଏହାକୁ ବିରୋଧ କରୁନି, ମୋ କହିବାର ଅଭିପ୍ରାୟ – ଯଦି ଜଣେ ପିଲା ଡାକ୍ତରୀ ଶିକ୍ଷା ପଢିବାକୁ ଅସମର୍ଥ, ଜଣେ ଯଦି ସଙ୍ଗୀତ କି ନାଚ କ୍ଷେତ୍ରରେ ପାରଙ୍ଗମ, ଜଣେ ଯଦି କଷୃ ି ଶିକ୍ଷା ପାଇଁ ଇଛୁକ ତେବେ ଏଥିପାଇଁ ପ୍ରତିରୋଧ କରାଯିବା କଣ ଠିକ୍? ବୋଧ ହୁଏ ସମସ୍ତେ ଜାଣିଥିବେ ଆଜି ଓଡିଶାର ସବୁ ଜାଗାରେ ମାଳ ମାଳ କୋଚିଙ୍ଗ ସେ ର, ରାସ୍ତା କଡେ କଡେ ପ୍ରସାର ପାଇଁ ବଡ ବଡ ହୋର୍ଡ଼ିଂଗ ବୋର୍ଡ଼, ଖବର କାଗଜରେ ରଙ୍ଗୀନ ବିଜ୍ଞାପନ । ହେଲେ ଯେଉଁ ପିଲା ପଢ଼ନ୍ତି ସେ ହିଁ ଜାଣେ । ସେ ଏଥିପାଇଁ ସମର୍ଥ କି ନୁହେଁ । ଏହାପରେ ପିଲାଟି ମନରେ ଏହାକୁ ପାଇବା ପାଇଁ ଏକ ଅସମ୍ଭବ ଆଶା ଜନ୍ମନିଏ ଆଉ ତାପରେ ଆରମ୍ଭ ହୋଇଯାଏ କୋଚିଂ ପରେ କୋଚିଂ ବର୍ଷ ।ସତରେ ମନରେ ପ୍ରଶ୍ନ ଆସେ କ’ଣ କେବଳ ତଥାକଥିତ ପାଠ୍ୟକ୍ରମ ଛଡା ଆଉ କିଛି ଏ ସମାଜରେ ଗ୍ରହଣ ଯୋଗ୍ୟ ନୁହେଁ? କ’ଣ ଆଉ କିଛି ପାଠ ପଢିଲେ ଆମକୁ ଯଥୋଚିତ ସମ୍ମାନ ମିଳିବନି? ଯାହାକୁ ନିଜ ହୃଦୟର ସହିତ ମଣିଷ ଗ୍ରହଣ କରେ ସେ ହିଁ ତ ‘ଶିକ୍ଷା’ ନା ତେବେ କ’ଣ ଆଉ କିଛି ପାଠ୍ୟକ୍ରମକୁ ଆଜିର ଯୁବ ସମାଜ ଗ୍ରହଣ କରିପାରିବେନି? ଭବିଷ୍ୟତରେ କ’ଣ ଏହା ସାହାଯ୍ୟ କରିବ? ଏହା ପରିବର୍ତ୍ତେ ଯଦି ନିଜ ଇଚ୍ଛା ଅନୁସାରେ ପାଠ୍ୟକ୍ରମକୁ ଚୟନ କରି ଶିକ୍ଷା ଗ୍ରହଣ କରନ୍ତେ ବୋଧହୁଏ ଭବିଷ୍ୟତରେ ଏହା ସାହାଯ୍ୟ କରିପାରିବ ।
କୃଷି ପାଠ୍ୟକ୍ରମକୁ ଅନାଦର ନକରି ଏହାର ସୁଯୋଗ ଦିଗରେ ଅନୁଧ୍ୟାନ କରନ୍ତୁ । ମନରୁ ପାରମ୍ପରିକ ଚିନ୍ତାକୁ କାଢନ୍ତୁ । ଲୋକଙ୍କ କଥାକୁ ନଶୁଣି ନିଜେ ନିଜ ଲକ୍ଷ୍ୟରେ ରୁହନ୍ତୁ । ଦେଖିବେ ସଫଳତା ନିଶ୍ଚୟ ଆପଣଙ୍କ ପାଦସ୍ପର୍ଶ କରିବ ।
ବାସୁଦେବପୁର, ଭଦ୍ରକ, ମୋ-୬୩୭୦୨୩୬୬୪୯, ଇମେଲ – dshuvam97@gmail.com
(କୃଷି ସ୍ନାତକ , ସେଂଚୁରିଆନ ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡି ଓ ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ (କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।