Latest Odisha News

BREAKING NEWS

ଆରତ ସୁରେ ବାରେ

ଆରତ ସୁରେ ବାରେ

ସୂର୍ଯ୍ୟ ଦେଓ

ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମହମ୍ମଦ ସିକନ୍ଦର ଆଲାମ୍ ଚଳଚ୍ଚିତ୍ର ଗାୟକ ଆରମ୍ଭ କରନ୍ତି । ଏହି ଏକମାତ୍ର ଗୀତ ଗାୟନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସଂଯୋଗକୁ ଆଉ ଏକ ଗୀତ ମଧ୍ୟ ତାଙ୍କ କଣ୍ଠରେ ରେକର୍ଡ କରାଯାଏ । ପ୍ରସିଦ୍ଧ ବଙ୍ଗଳା ଗାୟକ ତରୁଣ ବାନାର୍ଜୀଙ୍କ ଓଡ଼ିଆ ଗାୟନକୁ ପ୍ରତ୍ୟାଖ୍ୟାନ କରି ଜଣେ ନୂଆ ପ୍ରତିଭାଙ୍କ ଗାୟନକୁ ଚଳଚ୍ଚିତ୍ରରେ ସଂଲଗ୍ନ କରିବା କିଛି କମ୍ ଦୁଃସାହସ ନ ଥିଲା । ଏହା ସମ୍ଭବ ହୋଇଥିଲା ସଂଗୀତକାର ବାଳକୃଷ୍ଣ ଦାଶଙ୍କ ଜିଦ୍ ହେତୁରୁ । ଅବଶ୍ୟ ତରୁଣ ବାନାର୍ଜୀଙ୍କ ଆଉ ଏକ ଗୀତ ‘ମନେ ଭରି ଅଭିମାନ, ଯାଏ ଛାଡ଼ି ବୃନ୍ଦାବନ’ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରେ ସ୍ଥାନିତ ହୋଇଥିଲା । କିନ୍ତୁ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଯେବେ ତରୁଣ ବାନାର୍ଜୀ ଜାଣିଲେ ଯେ ତାଙ୍କ ଗାୟନକୁ ପ୍ରତ୍ୟାଖ୍ୟାନ କରି ଜଣେ ନବ ପ୍ରତିଭାର କଣ୍ଠରେ ଗୀତକୁ ଆଉ ଥରେ ରେକର୍ଡ କରାଯାଇଛି, ସେ ଆଉ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ନ ଗାଇବାର ଶପଥ କରିଥିଲେ ।

ଏଥର ‘ଗୀତ ପଛର ଗପ’ରେ ଅଛି ସେହି ସମୟର ନବ ପ୍ରତିଭା ମହମ୍ମଦ ସିକନ୍ଦର ଆଲାମଙ୍କ ଆତ୍ମକଥନ, ଯାହା ସେ ଅନେକ ବର୍ଷ ତଳେ କହିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କର ଚଳଚ୍ଚିତ୍ର ପ୍ରଚ୍ଛଦପଟ୍ଟ ଗାୟନ ଆରମ୍ଭ ହୋଇଥିଲା ଜଗନ୍ନାଥ ଜଣାଣରୁ ଏବଂ ସେହି ଜଣାଣ ହିଁ ତାଙ୍କୁୁ ପରିଚିତି ଦେଲା । ମୁସଲିମ୍ ହୋଇ ମଧ୍ୟ ଶ୍ରୀଜଗନ୍ନାଥ ଭକ୍ତିଗୀତ ଗାୟନରେ ତାଙ୍କ ଭାବ, ଭକ୍ତି , ଆବେଗ ଓ ଉଚ୍ଛ୍ୱାସ ପ୍ରମାଣିତ କଲାଯେ ସେ ଶୁଦ୍ଧ ଭକ୍ତ । ଆମ ସମୟର ସାଲବେଗ । ସ୍ଥାନିତ ଚିତ୍ରରେ ଗାୟକ ମହମ୍ମଦ ସିକନ୍ଦର ଆଲାମଙ୍କ ସହ ଅଛନ୍ତି ସଂଗୀତକାର ବାଳକୃଷ୍ଣ ଦାଶ, ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ଗୀତ ରେକର୍ଡିଂ ବେଳେ ।

ସିକନ୍ଦର ଆଲାମ୍ ଯାହା କହିଥିଲେ:

କଲିକତାର ଇଷ୍ଟର୍ଣ୍ଣ ଟକିଜ ଷ୍ଟୁଡିଓରେ ‘ଲକ୍ଷ୍ମୀ’ର ଗୀତ ରେକର୍ଡିଂ ହେଇଥିଲା । ଏହା ଥିଲା ମୋର ପ୍ରଥମ ଚଳଚ୍ଚିତ୍ର । ଷ୍ଟୁଡିଓରେ ୯ଥର ରିହରସଲ୍ କଲି ଆଉ ୧୦ ନମ୍ବରରେ ଟେକ୍ ନିଆଗଲା । ଗୋଟିଏ ଟେକ୍ ରେ ଓକେ । ଗୀତ ଗାଇ ଦେଇ ଚାଲି ଆସିଲି । କିଛିିଦିନ ପରେ ପ୍ରଭାତ ସିନେମାରେ ଏକ ପ୍ରେସ୍ ସୋ’ର ବ୍ୟବସ୍ଥା କରାହେଲା । ୬ଟି ଗୀତ ଶୁଣାହେଲା । କବିଚନ୍ଦ୍ର ବି ସେହି ସୋ’କୁ ଆସିଥିଲେ । ସବୁ ଗୀତ ଶୁଣିଲା ପରେ ସମସ୍ତେ କହିଲେ ‘ଆରତ ସୁରେ ବାରେ’ ସବୁଠାରୁ ଭଲ ହୋଇଛି । ଚଳଚ୍ଚିତ୍ର ରିଲିଜ୍ ହେଲା ପରେ ସେହି ଗୀତ, ପୁରୀରେ ଏମିତି ଚହଳ ପକାଇଲା ଯେ ଅଧିକାଂଶ ଭକ୍ତ ତାକୁ ଗାଇଲେ । ପୁରୁଖା ପୁରୁଖା ଲୋକ ପଚାରିଲେ ‘କିଏ ସେ ଏତେ ଭାବ ଦେଇ ଏ ଗୀତ ଗାଇଛି?’ ସତକଥା ହେଉଛି ଏ ଗୀତ ହିଁ ମୋତେ ଲାଇମ୍ ଲାଇଟକୁ ଆଣିଲା ଓ ମୁଁ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଚାନ୍ସ ପାଇଲି । ସେହି ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ଆଉ ଏକ ଉଲ୍ଲେଖନୀୟ ଘଟନା ଘଟିଲା । ତରୁଣ ବାନାର୍ଜୀଙ୍କ କଣ୍ଠରେ ଦୁଇଟି ଗୀତ ରେକର୍ଡିଂ କରାଯାଇଥିଲା: ‘ବାରିଦରେ ତୁ ଯା’ ନା, ଯା ନା ତୁ ନ ଯା’ରେ’ ଓ ‘ମନେ ଭରି ଅଭିମାନ’ । ପ୍ରଭାତ ସିନେମାରେ ଯେଉଁ ପ୍ରେସ୍ ସୋ ହୋଇଥିଲା ସେଠି ସମସ୍ତେ ‘ବାରିଦରେ ତୁ ଯା’ ନା, ଯା ନା ତୁ ନଯା’ରେ’କୁ ନାପସନ୍ଦ କଲେ । କହିଲେ ଏ ଗୀତରେ ଓଡ଼ିଆ ଉଚ୍ଚାରଣ ଠିକ୍ ହେଲା ନାହିଁ । ଏଣୁ ସେହି ଗୀତକୁ ଆଉଥରେ ମୋ ସ୍ୱରରେ ରେକର୍ଡିଂ କରିବା ଠିକ୍ ହେଲା । ମୁଁ ପୁଣି କଲିକତା ଗଲି ଓ ସେ ଗୀତକୁ ରେକର୍ଡ କଲି । ସେହି ଗୀତ ବି ବେଶ୍ ଲୋକପ୍ରିୟ ହୋଇଥିଲା । ଏହା ପରେ ତରୁଣ ବାନାର୍ଜୀ ଆଉ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଲେ ନାହିଁ । ଗାଇଲେ ନାହିଁ କ’ଣ? ଗାଇବାକୁ ମନା କରିଦେଲେ ।

ଗୀତ: ଆରତ ସୁରେ ବାରେ
ସିନେମା: ଲକ୍ଷ୍ମୀ, ୧୯୬୨
ପ୍ରଯୋଜନା: କଳିଙ୍ଗ ଫିଲ୍ମସ୍
ଗାୟକ: ମହମ୍ମଦ ସିକନ୍ଦର ଆଲାମ୍
ଗୀତିକାର: ସାରଦା ପ୍ରସନ୍ନ ନାୟକ
ସଂଗୀତକାର: ବାଳକୃଷ୍ଣ ଦାଶ

ଗୀତ:

ଆରତ ସୁରେ ବାରେ କରେ ମିନତିରେ
ଚକାନୟନ ଚାହାଁ ମାଗେ ମାଗୁଣିରେ

କଳା କଳା ଦୁଇ ଆଖି
ମନ କେତେ ଖୋଜିଲା
ଉଷା କାଳ ରବି ଛବି
ମନେ ମନେ ହଜିଲା
ଆଖି ନାହିଁ ସାକ୍ଷୀ ନାହିଁ
ସାଥୀ କାହିଁ ଝୁରେ ରେ
ଚକାନୟନ ଚାହାଁ ମାଗେ ମାଗୁଣିରେ

ନଦେଲେ ନ ଦିଅ ପଛେ
ଆଖିରେ ମୋ ପରଶ
ସବୁରି ପରାଣୁ ପ୍ରଭୁ
ନ ନିଭାଅ ହରଷ
ବିଲ ବନ ଗିରି ଶିରୀ
କେତେ ରଙ୍ଗେ ଭରାରେ
ଚକାନୟନ ଚାହାଁ ମାଗେ ମାଗୁଣିରେ

ସବୁଜ ପତରେ ଧୀରେ
ହାତ ତୁମେ ରଖିଲେ
ସବୁଜ ପଥରେ ଥରେ
ପାଦ ତୁମେ ଥାପିଲେ
ନଈ ନାଳ ତୋଟା ମାଳ
ଫୁଲେ ଫୁଲି ହସରେ
ଚକାନୟନ ଚାହାଁ ମାଗେ ମାଗୁଣିରେ

ଘର ଛାଡ଼ି ପରଦେଶେ
ପରଦେଶୀ ପଥିକ
ନ ଭାବ ଏ ଭବେ ଅଛି
ଜଣେ ଏକା ନାବିକ
ଭାଙ୍ଗେ ସେହି ଗଢେ଼ ସେହି
ନୀଳଗିରି କନ୍ଦରେ
ଚକାନୟନ ଚାହାଁ ମାଗେ ମାଗୁଣିରେ

…………………
ସୂର୍ଯ୍ୟ ଦେଓ ଓଡ଼ିଆ ସିନେମା ଓ ସଂଗୀତର ଜଣେ ଯଶସ୍ୱୀ ଗବେଷକ ଓ ଲେଖକ

Leave A Reply

Your email address will not be published.