ସୁନ୍ଦରଗଡ଼ : ଗତ କିଛି ଦିନ ହେଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କେତେକ ଗାଁରେ ଗୁଣି ଗାରେଡ଼ି ଓ ଡାହାଣୀ ସନ୍ଦେହରେ ଲୋକଙ୍କୁ ଆକ୍ରମଣ ଘଟଣା ଦିନକୁ ଦିନକୁ ଦିନ ବଢିଚାଲିଛି । ଏହି ସନ୍ଦେହରେ ଗାଁରୁ ଲୋକଙ୍କୁ ବାସନ୍ଦ ମଧ୍ୟ କରାଯାଉଛି । ତେବେ ଏ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଆଜିଠାରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।
ବୀରମିତ୍ରପୁର ଥାନା ପରିସରରେ ଏସ୍ପି ସାଗରିକା ନାଥ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଲୋକଙ୍କୁ ସଚେତନ କରିବା ପାଇଁ ଗାଁକୁ ଗାଁ ପରିକ୍ରମା କରିବ । ପ୍ରଶାସନର ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି । ଦେହ ଖରାପ ହେଲେ ଗୁଣି ଗାରେଡ଼ି କି ଡାହାଣୀ ସନ୍ଦେହ ନ କରି ଡାକ୍ତରଖାନା ଯାଇ ଚିକିତ୍ସା କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।
କାହାକୁ ଡାହାଣୀ ସନ୍ଦେହରେ ମାରପିଟ କଲେ, ତନ୍ତ୍ର ବିଦ୍ୟା ଉପରେ ଵିଶ୍ୱାସ କରି କୈଣସି ପ୍ରକାର ହିଂସା ଓ ଆଇନକୁ ହାତକୁ ନେଲେ ପୋଲିସ ପକ୍ଷରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚାଇ ଦିଆଯାଇଛି ।