Latest Odisha News

BREAKING NEWS

ସାଂସଦ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ସାଂସଦ ପଦରୁ ଆଜି ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା । ଆଜି ସେ ତାଙ୍କର ଇସ୍ତଫାପତ୍ର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଠାଇଦେଇଛନ୍ତି ।

ତାଙ୍କର ଇସ୍ତଫା ଦେବା କଥା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା । ଟ୍ୱିଟ୍ ମାଧ୍ୟମରେ ସେ ଜଣାଇଛନ୍ତି ଯେ, “ବିଜେଡ଼ି ଛାଡ଼ିବାର ନେଇ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ପତ୍ରରେ ମୁଁ ଉଲ୍ଲେଖ କରିଥିଲି ଯେ ମୋ ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ମୁଁ ଲୋକସଭାରୁ ଇସ୍ତଫା ଦେବି । ଶୁଦ୍ଧିକ୍ରିୟା ଶେଷ ହେବାର ପରଦିନ, ନିୟମ ଅନୁଯାୟୀ ମୁଁ ସମ୍ମାନନୀୟ ବାଚସ୍ପତିଙ୍କୁ ସାକ୍ଷାତ କରିବା ଲାଗି ସମୟ ମାଗିଥିଲି । ଏହା ସମ୍ଭବ ହୋଇପାରିନଥିଲା….”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଗତ ମେ ୨୮ ତାରିଖ ଦିନ ବିଜେଡ଼ିରୁ ଇସ୍ତଫା ଦେବା ଲାଗି ଇସ୍ତଫାପତ୍ର ପଠାଇଥିଲେ । ପୂର୍ବରୁ ଦଳବିରୋଧି କାର୍ଯ୍ୟ ଲାଗି ବିଜେଡ଼ିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ତାଙ୍କ ବାପାଙ୍କ ମୃତ୍ୟୁ ହେବା ସମୟରେ ଦଳ ପକ୍ଷରୁ କେହି ଆସନଥିବା କଥା ତାଙ୍କୁ ଖୁବ୍ ବ୍ୟଥିତ କରିଥିବା କଥା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । ଏହି କାରଣରୁ ସେ ଦଳରୁ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀଯୁକ୍ତ ପଣ୍ଡା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ ମଧ୍ୟ କରିଥିଲେ ।

ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରାପଡ଼ା ଆସନରୁ ଲୋକସଭା ଲାଗି ବିଜେଡ଼ି ପକ୍ଷରୁ ନିର୍ବାଚନ ଲଢି ସାଂସଦ ଭାବେ କାର୍ଯ୍ୟ କରୁଥିଲେ । ଗତ ୪ ବର୍ଷ ଧରି ବିଭିନ୍ନ ସମୟରେ ଦଳର ବିଭିନ୍ନ ନେତା ତଥା ଦଳ ସହିତ ବିଭିନ୍ନ କାରଣ ନେଇ ମନୋମାଳିନ୍ୟ ଘଟିଥିଲା । ଦଳରୁ ଏବଂ ଲୋକସଭାରୁ ଇସ୍ତଫା ଦେବା ପରେ ତାଙ୍କର ଆଗାମୀ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

Leave A Reply

Your email address will not be published.