Latest Odisha News

BREAKING NEWS

ବନ୍ଦ ‘ବନ୍ଦ’ ହେଉ…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ପଲିଟିକସ ଫଲିଟିକସ’…

କୌଣସି ଅର୍ଥନୈତିକ ପରିସଂଖ୍ୟାନ କି ପୂର୍ବ ମାମଲାର ରେକର୍ଡ଼ ନେଇ ଏ ଲେଖା ମୁଁ ଲେଖୁନି । ସଂପୂର୍ଣ୍ଣ ଭାବେ ମାନବିକ ଆବେଗ ଅନୁସାରେ ଏହାକୁ ଲେଖୁଛି । ଯେଉଁ ଭାବରେ ଗୋଟିଏ ବନ୍ଦ’ ଲୋକମାନଙ୍କୁ ସମାଗ୍ରିକ ଭାବେ ପ୍ରଭାବିତ କରେ, ତାହା ଉପରେ ଲେଖୁଛି ଯାହା ।
ଭାରତରେ କୌଣସି ବଡ଼ ରାଜନୈତିକ ଘଟଣା ଘଟିଲା, ତ ବନ୍ଦ ଡାକରା ଦେଇଦିଏ । ଭାରତ ବନ୍ଦ । ରାଜ୍ୟରେ ବି ସେମିତି ଓଡ଼ିଶା ବନ୍ଦ । ଜିଲ୍ଲାସ୍ତରରେ ଘଟିଲେ- କନ୍ଧମାଳ ବନ୍ଦ, ନବରଂଗପୁର ବନ୍ଦ । ଏହା ଏକ ରୀତିମତ ଧାରାରେ ପରିଣତ ହେଲାଣି । ଆଜିକାଲି ଏହା ସଂକ୍ରାମକ ଭାବେ ଆଉରି ତଳସ୍ତରକୁ ଗଲାଣି । ଯେମିତି ଟିଟିଲାଗଡ଼ ବନ୍ଦ, ଯାହାକୁ ଆପଣ ଉପଖଣ୍ଡସ୍ତରୀୟ ବନ୍ଦ କହି ପାରନ୍ତି । ଏହା ଜିଲ୍ଲାସ୍ତର ପରେ ଆସେ । ସେମିତି ଖବର ବି ଆସୁଛି ଯେ- ଅମୁକ ଦାବି ନେଇ ବ୍ଳକସ୍ତରରେ ବନ୍ଦ । ସେତିକି ନୁହେଁ, ବ୍ଲକ ନ ହୋଇ ଯଦି ସେହି ଇଲାକାର ବାଣିଜ୍ୟିକ ଅଞ୍ଚଳଟେ ବି ହେଉଛି, ସେଠି ବି ବନ୍ଦ ଡାକରା ଦିଆଯାଉଛି । କଥା କଥାକେ ବନ୍ଦ । ଚକଅଖ ବନ୍ଦ ରାଜନୀତି ।

ବନ୍ଦରେ କିଏ ପ୍ରଭାବିତ ହୁଏ, ତାହା ସମସ୍ତେ ଜାଣନ୍ତି । ଭୁବନେଶ୍ୱରରେ ରେଳରେ ଓହ୍ଲେଇ କେନ୍ଦ୍ରାପଡ଼ା ପରି ୧୦୦ କିଲୋମିଟର ଯିବାକୁ ଥିବା ଏକୁଟିଆ ମହିଳା ସେମିତି ଷ୍ଟେସନରେ ବସି ରହେ ସାରାଦିନ । ଯାଇ ପାରେନି ଆଗକୁ, ନିଜ ସ୍ଥାନକୁ ସେ । କେତେ ଯୋଜନା ପରେ ଏତେ ବାଟ ଯାତ୍ରା କରି ଆସିଥିବା ମହିଳା ଏକୁଟିଆ ପଡ଼ି ରହେ ଷ୍ଟେସନରେ କି ବରମୁଣ୍ଡା କି ବାଦାମବାଡ଼ି ବସଷ୍ଟାଣ୍ଡରେ । ହଜାର ହଜାର ଲୋକ ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡରେ ଅଟକି ରହନ୍ତି । ସେଦିନ ପାଇଁ ତାଙ୍କର ଯାତ୍ରାକୁ , ତାଙ୍କର କାମକୁ କିଛି ରାଜନୈତିକ ଉଦ୍ଦେଶ୍ୟ ପାଇଁ ଜବରଦସ୍ତ ବନ୍ଦ କରି ଦିଆଯାଏ । ଗାଁରୁ ସହରକୁ ନିଜର ଅତି ଜରୁରୀ କାମ ପାଇଁ ଆସୁଥିବା ମଣିଷ ୍ରଆସି ପରେନି । ଅଟକି ରହେ, ବାଧ୍ୟବାଧ୍ୟକତାରେ । ଡରରେ ।
ଔଷଧ ପାଇଁ ଯାଇ ପାରନ୍ତି ନାହିଁ । କ୍ଷୀର ଆଣି ପାରନ୍ତି ନାହିଁ । ନିଜର ନିତିଦିନିଆ ଜୀବନ ଅଟକି ରହେ । ସିଆଡ଼େ ଅଫିସ ଯିବା କଷ୍ଟସାଧ୍ୟ ହୋଇପଡ଼େ । ଗାଡ଼ି, ମଟର ମିଳେନି । ଅଫିସରରେ ଠିକଣା ସମୟରେ ନ ପହଞ୍ଚିଲେ, କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ମିଳେ । ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଏ । ଜୀବନଯାତ୍ରାର ପ୍ରବାହ, ସୁଅ- ଥମିଯାଏ । ଥମିଯାଏ ଅପେକ୍ଷା ଜବରଦସ୍ତ ବନ୍ଦ କରେଇ ଦିଆଯାଏ କହିଲେ ହିଁ ଠିକ ହେବ । ଏଠି ପୁଅକୁ ଡାକ୍ତରଖାନା ନେବା ମନା । ଏଠି ଝିଅକୁ ପରୀକ୍ଷା ଦେବା ମନା ।

ବନ୍ଦ ସମୟରେ ସରକାର ସ୍କୁଲ, କଲେଜ ବନ୍ଦ କରି ବନ୍ଦକୁ ଆହୁରି ସୁଗମ କରି ଦିଅନ୍ତି । ଯଦି ରାଜ୍ୟର ସବୁ ଅଫିସ ଖୋଲା ରହୁଛି, ସେଠି ଲୋକେ ଆସି କାମ କରୁଛନ୍ତି, ନ ଆସିଲେ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଉଛି, ସେମିତି ସମୟରେ ସ୍କୁଲ ଓ କଲେଜକୁ କାହିଁକି ବନ୍ଦ କରି ଦିଆଯିବ? ପିଲାମାନେ ସ୍କୁଲ ଆସିବେ ନାହିଁ, ସେଥିପାଇଁ ସରକାର ମନା କରି ଦିଅନ୍ତୁ । ଦିନକ ଆଗରୁ ସେ ସୁରକ୍ଷା ନିୟମାବଳୀ ସରକାର ଜାରି କରନ୍ତୁ, କିନ୍ତୁ ସଂପୂର୍ଣ୍ଣ ଭାବେ ସ୍କୁଲ କି କଲେଜ ଛୁଟି କରନ୍ତୁ ନାହିଁ । ଅଯଥାରେ ମେଞ୍ଚାଏ କର୍ମଚାରୀ ଆରାମରେ ଘରେ ବସି, ଟିଭି ଦେଖି, ବାଦାକ ଟୁଙ୍କି ବନ୍ଦକୁ ଉପଭୋଗ କରିବେ ଯାହା !

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି- ବନ୍ଦ ବେଳେ ହିଂସାକାଣ୍ଡ । ଲୋକଙ୍କୁ ଡରେଇ, ବାଡ଼ି ଧରି, ଠେଙ୍ଗା ଧରି, ମାରଣାସ୍ତ୍ର ଧରି ବନ୍ଦରେ ସାମିଲ ହେବାକୁ ବାଧ୍ୟ କରିବା । ଲୋକଙ୍କର ଜରୁରି କାମ ଅଛି, ସେମାନେ ଯିବେ । କିନ୍ତୁ ତାଙ୍କୁ ବାଡ଼େଇ, ଧମକେଇ ରାସ୍ତାରେ ଅଟକେଇ ଦିଆଯାଏ । ହଜାର ହଜାର ଗାଡ଼ିର ଭଙ୍ଗା କାଚ ବିଚ୍ଛୁରିତ ହୋଇ ରାସ୍ତା ଉପରେ ପଡ଼ି ରହେ । ରକ୍ତ ଛିଟା ରାସ୍ତାକୁ ନାଲି କରେ । ୨୦୧୮ରେ ପେଟ୍ରୋଲ ଧର ବୃଦ୍ଧି ବିରୋଧରେ ବିଜେଡ଼ି ପକ୍ଷରୁ ଛଅ ଘଣ୍ଟିଆ ହରତାଳ କରାଯାଇଥିଲା । ଏଥିରେ ଲୋକଙ୍କୁ ଜବରଦସ୍ତ ଆକ୍ରମଣ କରାଯାଇଥିଲା । ଏହା ବିରୋଧରେ ଜବରଦସ୍ତ ଜନମତ ବି ସୃଷ୍ଟି ହୋଇଥିଲା । କିନ୍ତୁ ରାଜନୈତିକ ଗୋଷ୍ଠୀ କି କେବେ ଜନମତ ଉପରେ ଗୁରୁତ୍ୱ ଦିଅନ୍ତି !
ସଂଜକୁ ବନ୍ଦ ପରେ ସେହି ରାଜନୈତିକ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡାକି କୁହାଯାଏ- ବନ୍ଦ ସଂପୂର୍ଣ୍ଣ ସଫଳ । ଶାନ୍ତିପୂର୍ଣ୍ଣ ରହିଲା ବନ୍ଦ ରହିଲା ।
ସତରେ ବନ୍ଦ ଶାନ୍ତିପୂର୍ଣ୍ଣ ରହେ କି? ଆପଣ ଯଦି ଟାୟାର ନ ଜାଳିବେ, ଲୋକଙ୍କୁ ନ ଅଟକାଇବେ, ଜବରଦସ୍ତି ଦୋକାନର ସଟର ନ ପକେଇବେ, ଲୋକେ ବନ୍ଦ କରିବେ କି ? ମୂଲିଆ, ମଜୁରିଆ ମଣିଷଟେ ପରା ସେଦିନ ଖଟିଲେ, ସେଇଦିନର ଚାଉଳ, ଲୁଣ, ତେଲ, ଡାଲି, ପିଆଜ, ଆଳୁ ଘରକୁ ଆଣେ । କୋଟି କୋଟି ମେହେନତି ମଣିଷ ସେଇ ଉପାୟରେ ବଞ୍ଚନ୍ତି । ଯାହାଙ୍କୁ ଆମର ତଥାକଥିତ ବଡ଼ବଡ଼ିଆ ଓ ସ୍ୱଘୋଷିତ ସମ୍ଭ୍ରାନ୍ତ ଗୋଷ୍ଠୀ ଆଡ଼ ଆଖିରେ ଅନେଇ ଯାଆନ୍ତିନି । ସେମାନେ ବା କୁଆଡ଼ୁ ବୁଝିବେ, ବନ୍ଦ ଦିନ ଚୂଲି ନ ଜଳିଲେ ଗୋଟିଏ ପରିବାର କେମିତି ବାଗରେ ଖାଡ଼ା ଉପାସ ରହେ । ପାଣି ପିଇ ଜୀଏଁ ହୁଏତ ।

ବାକି ରହିଲା- ଯେଉଁ କାରଣକୁ ନେଇ ବନ୍ଦ ଡାକରା ଦିଆଯାଇଥାଏ, ବା ଯାହା ବିରୋଧରେ ବନ୍ଦ ଡାକରା ଦିଆଯାଇଥାଏ ତାଙ୍କ ଉପରେ ପ୍ରଭାବ ପଡ଼େ କି? ସରକାର କେବେ ବନ୍ଦ ଚାପରେ ଆସି ନିଜର କୌଣସି ନିଷ୍ପତ୍ତି ପରିବର୍ତ୍ତନ କରିବା ଆପଣ ଦେଖିଛନ୍ତି କି? ସରକାରର ବଡ଼ ବଡ଼ ଲୋକେ କେବେ ବନ୍ଦ ଦ୍ୱାରା ପ୍ରଭାବିତ ହୋଇଛନ୍ତି କି? କି ସରକାରୀ ନିଷ୍ପତ୍ତି ବଦଳି ଯାଇଛି କି?
ଉତ୍ତର- କେବେ ନୁହେଁ ।

ଇନ୍ଦକୁ ଅଦାଲତ ବେଆଇନ କହି ସାରିଛନ୍ତି । ଏଥିପାଇଁ ଜରିମାନା ବି କରି ସାରିଛନ୍ତି । ତଥାପି ଲୋକଙ୍କ ସମର୍ଥନ ବାହାନା କରି ଏ ପାଲା ଚାଲେ । ବନ୍ଦ ନ ହେଲେ ‘ହରତାଳ’ ଶବ୍ଦ ବ୍ୟବହାର ହୁଏ ।

ବନ୍ଦ କେବଳ ନିଜର ପତିଆରା ଜାହିର କରିବାକୁ । ନିଜର ବୁଡ଼ି ଯାଉଥିବା ରାଜନୈତିକ ଡଙ୍ଗାକୁ, ନିଜର ଫୁଟା ଡଙ୍ଗାକୁ ମରାମତି କରିବାର ପୟାସ । ଲୋକଙ୍କ ପାଖରେ ଭଲ ଉପାୟରେ ନ ପହଞ୍ଚି ପାରି, ଏମିତି ଭାବେ ଜବରଦସ୍ତ ପହଞ୍ଚି ନିଜର ଫୁଟାଣି ଦେଖାଇବାର ଉପାୟ ।
ଏଥିରେ କ୍ଷତି ସାଧାରଣ ମଣିଷର । ଏଥିରେ କ୍ଷତି ମେହେନତି ମଣିଷର । ମୂଲିଆର । ଏଥିରେ କ୍ଷତି ମୋର, ତମର । ଏଥିରେ କ୍ଷତି ଆମର । ଅମ ସଭିଙ୍କର ।

(ଲେଖକ ସାମ୍ବାଦିକତା ବିଭାଗର ଜଣେ ଅଧ୍ୟାପକ)
Leave A Reply

Your email address will not be published.