Latest Odisha News

BREAKING NEWS

ମହାପ୍ରଭୁଙ୍କ ପ୍ରିୟ ବନ୍ଧୁ – ଭକ୍ତ ବନ୍ଧୁ ମହାନ୍ତି

ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ଭଗବାନ । ଭକ୍ତର ପ୍ରଚୁର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି । ଦାରୁରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତମାନଙ୍କ ମଧ୍ୟରୁ ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧି କରିଥାଏ।
ଏହା ପ୍ରାୟ ୧୮୧୮ ମସିହାର କଥା । ସୁଦୂର ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି । ଘୋର ଆର୍ଥିକ-ଅନାଟନରେ ଥାଇ କାଳାତିପାତ କରୁଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁକଥାରେ ସେ ତାଙ୍କ ସ୍ତ୍ରୀଙ୍କୁ ପୁରୀରେ ତାଙ୍କର ଏକ ବନ୍ଧୁ ଅଛନ୍ତି ଏବଂ ସେ’ହିଁ ଆମର ସବୁକିଛି ଦୁଃଖ ଦୂର କରିପାରିବେ ବୋଲି କହନ୍ତି । ଏକଦା ଘରେ ଚାଉଳ ନ’ଥିବାରୁ ଚୂଲି ଜଳି ନ’ପାରି ଦୁଇ ସନ୍ତାନଙ୍କ ସହିତ ତାଙ୍କ ପରିବାର ଭୋକ ଉପବାସରେ ଦୁଇଦିନ ରହିଲେ ।
ଏପରି ଏକ ପରିସ୍ଥିତିରେ ତାଙ୍କ ସ୍ତ୍ରୀ ତାଙ୍କୁ ପୁରୀରେ ଥିବା ତାଙ୍କ ବନ୍ଧୁଙ୍କୁ ଦେଖା କରି ତାଙ୍କର ଦୁଃଖ ଦୂର କରିବାକୁ ଅନୁରୋଧ କଲେ । ଦୁଇ ସନ୍ତାନ ଓ ସ୍ତ୍ରୀ’ଙ୍କୁ ଧରି ବନ୍ଧୁ ମହାନ୍ତି ପୁରୀରେ ଥିବା ତାଙ୍କ ପରମ ବନ୍ଧୁ ଶ୍ରୀଜଗନ୍ନାଥଙ୍କୁ ଦେଖା କରିବାକୁ ଚାଲିଲେ ।
ପୁରୀରେ ପହଞ୍ଚିବା ପରେ ରାତି ହୋଇଯିବାରୁ ବନ୍ଧୁ ମହାନ୍ତି ଓ ତାଙ୍କର ପରିବାର ଅଖିଆ-ଅପିଆ ଅରୁଣ ସ୍ତମ୍ଭ ନିକଟ ବଡ଼ଦାଣ୍ଡରେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ରାତି-ଅଧ ବେଳରେ ବନ୍ଧୁ ମହାନ୍ତିଙ୍କୁ କେହି ଜଣେ ଡ଼ାକି ନିଦରୁ ଉଠାଇବାରୁ ତାଙ୍କର ନିଦ ଭାଙ୍ଗିଗଲା । ନିଦରୁ ଉଠି ସେ ଦେଖିଲେ ଜଣେ କଳା ରଙ୍ଗର ବ୍ରାହ୍ମଣଟିଏ ପ୍ରସାଦଭରା ବିରାଟ ଥାଳିଟିଏ ଧରି ଛିଡ଼ା ହୋଇଛି । ବନ୍ଧୁ ମହାନ୍ତିଙ୍କୁ ଖାଦ୍ୟଭରା ଥାଳିଟି ଧରାଇ ଦେଇ ବ୍ରାହ୍ମଣଟି ଜଲ୍ଦି ପିଲାମାନଙ୍କୁ ଖାଇନେବାକୁ କହି ସେଠୁ ଚାଲିଗଲେ । ସୁସ୍ୱାଦୁ ଅନ୍ନ ପ୍ରସାଦ ସହିତ ମହମହ ବାସୁଥିଲା ବିଭିନ୍ନ ତରକାରୀ ଓ ଅନେକ ରକମର ପିଠା ଏବଂ ମିଷ୍ଟାନ୍ନର ସମସ୍ତ ଖାଦ୍ୟ ସାମଗ୍ରୀ । ମନଭରି ତାଙ୍କ ସ୍ତ୍ରୀ ଓ ପିଲାମାନେ ଖାଇବା ପରେ ବନ୍ଧୁ ମହାନ୍ତି ମଧ୍ୟ ଅପୂର୍ବ ପ୍ରସାଦ ସେବନ କରି ପରିବାର ସହିତ ମହାନନ୍ଦରେ ଶୋଇପଡ଼ିଲେ ।
ସକାଳୁ ସେବାୟତମାନେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଗତରାତିରେ ପ୍ରଭୁଙ୍କୁ ଦିଆଯାଇଥିବା ରତ୍ନଥାଳୀଟି ନ’ଥିବାର ଦେଖି ରାଜାଙ୍କୁ ଚୋରୀ ହୋଇଥିବାର ଜଣାଇଲେ । ରାଜାଙ୍କ ସିପାହୀମାନେ ବନ୍ଧୁ ମହାନ୍ତି ଶୋଇଥିବା ସ୍ଥାନରୁ ରତ୍ନଥାଳିଟି ପାଇ ତାଙ୍କୁ ଚୋରି କରିଥିବା ଭାବି କାରାଗାରରେ ବନ୍ଦୀ କରିଦେଲେ।
କାରାଗାରରେ ବନ୍ଧୁ ମହାନ୍ତି ଖୁବ୍ କାନ୍ଦିଲେ ଓ ମହାପ୍ରଭୁଙ୍କୁ କହିଲେ ପ୍ରଭୁ ତୁମେ ପୁରୀକୁ ଡ଼କାଇ ଖାଇବାକୁ ଦେଲ, କି’ ଦୋଷ କରିଥିଲି ପ୍ରଭୁ ମିଥ୍ୟା ଚୋରୀ ମାମଲାରେ ମୋତେ ଫସାଇ କାରାଗାରର ଦଣ୍ଡ ଦେଉଛ? । ସେଦିନ ରାତିରେ ପୁରୀ ଗଜପତି ମହାରାଜାଙ୍କୁ ଶ୍ରୀଜଗନ୍ନାଥ ସ୍ୱପ୍ନରେ ଦେଖାଦେଇ କହିଲେ, “ ମୋ ରତ୍ନଥାଳି ଚୋରୀ ମାମଲାରେ କାରାଗାରରେ ଯେଉଁ ବ୍ୟକ୍ତିଙ୍କୁ ବାନ୍ଧିରଖିଛ ସେ ନିର୍ଦ୍ଦୋଷ ଏବଂ ମୋର ପରମ ବନ୍ଧୁ, ତାଙ୍କୁ ତୁରନ୍ତ ଖଲାସ କର ନଚେତ୍ ଶାସ୍ତି ଭୋଗିବ । ”
ମହାରାଜାଙ୍କ ଚାଉଁକିନା ନିଦ ଭାଙ୍ଗିଗଲା ଏବଂ ତୁରନ୍ତ ନିଜେ କାରାଗାରକୁ ଯାଇ ବନ୍ଧୁ ମହାନ୍ତିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଖଲାସ କଲେ । ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ କିପରି ସ୍ୱହସ୍ତରେ ଖାଦ୍ୟଭରା ରତ୍ନଥାଳି ଦେଇଥିଲେ ତାହାକୁ ସ୍ୱପ୍ନରେ ମଧ୍ୟ ଦେଖିଥିବା କଥା ରାଜା ବଖାଣିଲେ ।

 

ପରିଶେଷରେ ମହାରାଜା ବନ୍ଧୁ ମହାନ୍ତିଙ୍କୁ ନିଜ ଦରବାରରେ ସସମ୍ମାନରେ ଚାକିରି ପ୍ରଦାନ କରି ପୁରୀରେ ରହିବାର ବ୍ୟବସ୍ଥା ମଧ୍ୟ କରିଦେଲେ । ପ୍ରକୃତରେ କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’ । ଜୀବନରେ ସତ୍କାର୍ଯ୍ୟ କରୁଥିବା ସହିତ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୂହୁର୍ତ୍ତରୁ ତ୍ରାହି ମିଳିପାରିବ । ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’ । ଯୁଗେ-ଯୁଗେ ଭକ୍ତର ଦୃଢ ବିଶ୍ୱାସ ତଥା ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ସ୍ୱୟଂ ଭଗବାନ ।
Leave A Reply

Your email address will not be published.