Latest Odisha News

BREAKING NEWS

ସ୍ୱାଭିମାନି ଓଡ଼ିଆ ଜାତିର ପ୍ରମୁଖ ମନ୍ତ୍ରଦାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ଜନ୍ମତିଥି

ଭୁବନେଶ୍ୱର: ଓଡିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ମଧୁସୂଦନ ଦାସ ଏକାଧାରରେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , ଲେଖକ ଓ କବି ଥିଲେ ।

ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ।

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।

ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ସୀମାହୀନ ଜାତିପ୍ରୀତି,ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକତା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ । ସତ୍ୟ, ନ୍ୟାୟ ଓ ସାଧୁତା ବଳରେ ସେ ସୃଷ୍ଟି କରିଥିଲେ ଓଡିଆ ଜାତି ପାଇଁ ଗୌରବମୟ ପରମ୍ପରା ।

ମହାତ୍ମା ଗାନ୍ଧି ଆନୁଷ୍ଠାନିକ ଭାବେ ‘ସ୍ୱଦେଶୀ ଆନ୍ଦୋଳନ’ ଆରମ୍ଭ କରିବା ବହୁ ପୂର୍ବରୁ ହିଁ ମଧୁସୂଦନ ଓଡିଶାରେ ଏହା ଆରମ୍ଭ କରି ଦେଇଥିଲେ । ତେବେ ସେ ଥିଲେ ଓଡିଆ ଜାତୀୟ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା ।

Leave A Reply

Your email address will not be published.