Latest Odisha News

BREAKING NEWS

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗର ଉପବର୍ଗୀକରଣ ପ୍ରସଙ୍ଗ: ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୬ ମାସ ବା  ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

ନିଯୁକ୍ତି ସୃଷ୍ଟି ସମ୍ଭାବନା ସମେତ ପ୍ରଭାବ:

ଅନ୍ୟାନ୍ୟ ପଛୁଆ ବର୍ଗର ବର୍ତ୍ତମାନ ସୂଚୀରେ ସାମିଲ ଯେଉଁ ସମୁଦାୟର ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବୀରେ ନିଯୁକ୍ତି ଏବଂ କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବେଶ ଲାଗି ଓବିସିଙ୍କ ପାଇଁ ରହିଥିବା ସଂରକ୍ଷଣର ବିଶେଷ ଲାଭ ମିଳିପାରୁନାହିଁ, ସେମାନେ ଆୟୋଗଙ୍କ ସୁପାରିସ କାର୍ଯ୍ୟକାରୀ ହେବା ଦ୍ୱାରା ଲାଭ ପାଇପାରିବେ ବୋଲି ଅନୁମାନ କରାଯାଉଛି। କେନ୍ଦ୍ରୀୟ ଓବିସି ତାଲିକାରେ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ହୋଇରହିଥିବା ସମୁଦାୟ ଆୟୋଗଙ୍କ ସୁପାରିସ ଦ୍ୱାରା ଲାଭାନ୍ୱିତ ହେବେ ବୋଲି ଅନୁମାନ କରାଯାଉଛି।

ବ୍ୟୟ:

ଏହି ବ୍ୟୟରେ ଆୟୋଗଙ୍କ ପ୍ରତିଷ୍ଠା ଏବଂ ପ୍ରଶାସନିକ ମୂଲ୍ୟ ସାମିଲ ରହିଛି, ଯାହାକୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ବହନ କରିବ।
ଲାଭ:

କେନ୍ଦ୍ରୀୟ ଏସଇବିସି ତାଲିକାରେ ସାମିଲ ଜାତି/ସମୁଦାୟର ଯେଉଁସବୁ ଲୋକମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବୀରେ ଚାକିରି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଯୋଜନାର ବିଶେଷ ଲାଭ ପାଇପାରୁନାହାନ୍ତି ସେମାନେ ଆୟୋଗଙ୍କ ଦ୍ୱାରା ଲାଭବାନ ହୋଇପାରିବେ ବୋଲି ଆଶା କରାଯାଉଛି।

କାର୍ଯ୍ୟାନ୍ୱୟନ ସୂଚୀ:

ଆୟୋଗଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ଲାଗି ଆଦେଶ ଓ ବିଚାରଯୋଗ୍ୟ ବିଷୟକୁ ମାନନୀୟ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ରାଷ୍ଟ୍ରପତିଙ୍କ ଏକ ଆଦେଶ ରୂପରେ ଗେଜେଟ ବିଜ୍ଞପ୍ତି ଜରିଆରେ ଅଧିସୂଚିତ କରାଯିବ।

ସୂଚନାଯୋଗ୍ୟ ଯେ ୨ ଅକ୍ଟୋବର ୨୦୧୭ରେ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ସମ୍ବିଧାନର ଅନୁଚ୍ଛେଦ ୩୪୦ ଅନ୍ତର୍ଗତ ଏହି ଆୟୋଗର ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ଜୀ. ରୋହିଣୀଙ୍କ ଅଧ୍ୟକ୍ଷତାରେ ଆୟୋଗ ୧୧ ଅକ୍ଟୋବର, ୨୦୧୭ରେ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ବରୁ ୩୧ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲେ ମଧ୍ୟ କୋଭିଡ-୧୯ ମହାମାରୀ କାରଣରୁ ଜାରି ଲକଡାଉନ ଫଳରେ ଯାତାୟାତ ଉପରେ କଟକଣା ଲାଗୁ ହୋଇଥିଲା। ଫଳରେ ଆୟୋଗ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ଅସମର୍ଥ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ୩୧.୧.୨୦୨୧ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave A Reply

Your email address will not be published.