Latest Odisha News

BREAKING NEWS

ଆସନ୍ତୁ ଜାଣିବା ଚକ୍ରତୀର୍ଥରେ ଥିବା ମହାଲକ୍ଷ୍ମୀଙ୍କ ବାପଘର ବିଷୟରେ

ଶ୍ରୀକ୍ଷେତ୍ର ପୁରୀ…ଏଠାରେ ପ୍ରତ୍ୟେକ ସ୍ଥାନର ଗୁରୁତ୍ୱ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏହାର ମହିମାକୁ ବଢ଼ାଇ ଦେଇଛି । ଏଥିରୁ କିପରି ମହାଲକ୍ଷ୍ମୀ ବାଦ୍ ପଡିବେ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର କେଉଁ ସ୍ଥାନକୁ ମହାଲକ୍ଷ୍ମୀଙ୍କ ବାପଘର ଭାବେ କଳ୍ପନା କରାଯାଇଛି । ଚକ୍ରତୀର୍ଥ ଅଂଚଳରେ ରହିଛି ଚକ୍ର ନୃସିଂହ ମନ୍ଦିର । ଏହାକୁ ହିଁ ମହାଲକ୍ଷ୍ମୀଙ୍କ ବାପଘର ଭାବେ ବର୍ଣ୍ଣନା କରାଯାଇଛି । ଚକ୍ରତୀର୍ଥ ସହିତ ଅନ୍ୟ କେତେଗୁଡିଏ କାରଣ ମଧ୍ୟ ଜଡିତ । ସେଗୁଡିକ ମଧ୍ୟରେ ସ୍କନ୍ଦ ପରାଣ ଅନୁସାରେ କୁହାଯାଇଛି ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳରେ ଅଶ୍ୱମେଧ ଯଜ୍ଞ ସମ୍ପନ୍ନ କରିବା ପୂର୍ବରୁ ବାଙ୍କୀ ମୁହାଣ ନିକଟ ସମୁଦ୍ର କୂଳରେ ଏକ ଦିବ୍ୟ ଦାରୁ ଆସି ପହଞ୍ଚିଛନ୍ତି ! ଏହି କ୍ଷେତ୍ରର ଅନ୍ୟ ଏକ ମାହାତ୍ମ୍ୟ ହେଉଛି ଶ୍ରୀମନ୍ଦିରରେ ଶ୍ରୀସମ୍ପ୍ରଦାୟର ପ୍ରଭାବରେ ଯେତେବେଳେ ଲକ୍ଷ୍ମୀଙ୍କ ପ୍ରଭାବ ଅନୁକୁଳ ହେଲା ସେତେବେଳେ ଏହି ପବିତ୍ର ବାଙ୍କୀ ମୁହାଣ ନିକଟ ଚକ୍ରତୀର୍ଥରେ ଲକ୍ଷ୍ମୀଙ୍କ ବାପଘର କଳ୍ପନା କରାଗଲା ! ଲକ୍ଷ୍ମୀଙ୍କ ପିତା ବରୁଣ ଦେବତା ବା ସମୁଦ୍ର ! ଏଣୁ ସମୁଦ୍ର ତୀରରେ ଲକ୍ଷ୍ମୀଙ୍କ ବାପଘର ହେଉଛନ୍ତି ଚକ୍ର ନୃସିଂହ ମନ୍ଦିର ! ଏହି ମନ୍ଦିରରେ ତନ୍ତ୍ରପୂଜା ବିଧି ଅନୁସାରେ ଚକ୍ରଯନ୍ତ୍ର ଉପରେ ନୃସିଂହ ତ୍ରିଧା ଅବସ୍ଥାନ କରିଅଛନ୍ତି ! ଏହି ତିନି ସ୍ଥାନରେ ତାଙ୍କର ନାମ ହେଉଛି ଅଭୟ ନୃସିଂହ, ଚକ୍ର ନୃସିଂହ, ଓ ଲକ୍ଷ୍ମୀ ନୃସିଂହ ! ଅଭୟ ନୃସିଂହ ହେଉଛନ୍ତି ବଳଭଦ୍ର, ଯେ କି ଅଭୟ ମୁଦ୍ରାରେ ଅବସ୍ଥାନ କରିଅଛନ୍ତି ! ଦୂର୍ଗା ମାଧବ ଅବସ୍ଥାନ ହୋଇଅଛନ୍ତି ଚକ୍ରନୃସିଂହ ଚକ୍ରରେ ! ଲକ୍ଷ୍ମୀନୃସିଂହ ଚକ୍ରରେ ପୂଜା ପାଆନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ ! ଏହି ନୃସିଂହ ବିଗ୍ରହ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ବିଗ୍ରହ ଅଟେ !

ଏହି ଚକ୍ରରେ ଲକ୍ଷ୍ମୀଙ୍କ ମୁର୍ତ୍ତି ନାହିଁ କିମ୍ବା ତାଙ୍କ ପୂଜାର ବ୍ୟବସ୍ଥା ମଧ୍ୟ ନାହିଁ ! କୁହାଯାଏ ବାଙ୍କୀ ମୁହାଣରେ ସ୍ୱୟଂ ଶ୍ରୀଜଗନ୍ନାଥ ଦାରୁ ରୂପେ ଭାସି ଆସି ଲାଗିବା ପୂର୍ବରୁ ନିଜର ଆୟୁଧ ଚକ୍ରରାଜଙ୍କୁ ଏଠାରେ ଅବସ୍ଥାନ କରିବାକୁ ଆଦେଶ ଦେଇଥିଲେ ! ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ପାଳନ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପଟୁଆରରେ ଏହି ଚକ୍ରତୀର୍ଥ ସ୍ଥିତ ନୃସିଂହ ମନ୍ଦିରକୁ ଆସିଥାଏ ! ଆଉ ଏକ କିମ୍ବଦନ୍ତି ଅନୁଯାୟୀ ଏଠାକାର ବାଙ୍କୀ ମୁହାଣ ସ୍ଥିତ ଘୋର ଜଳ ମଧ୍ୟରେ କୌଣସି ଏକ ଗଜକୁ ହିଂସ୍ର କୁମ୍ଭୀର ଆକ୍ରମଣ କରନ୍ତେ ସେ ଆତ୍ମରକ୍ଷା ପାଇଁ ମହାପ୍ରଭୁଙ୍କୁ ଆକୁଳରେ ନିବେଦନ କରିଥିଲେ , ମହାପ୍ରଭୁ ଚକ୍ର ପ୍ରେରଣ ପୂର୍ବକ କୁମ୍ଭୀରକୁ ବିନାଶ କରି ଗଜକୁ ଉଦ୍ଧାର କରିଥିଲେ ! ଚକ୍ରରାଜ ଆସି ଏଠାରେ ଗଜରାଜଙ୍କୁ ଗ୍ରାହ କବଳରୁ ରକ୍ଷା କରିଥିବାରୁ ବୋଧହୁଏ ଏହି ସ୍ଥାନର ନାମ ଚକ୍ରତୀର୍ଥ ହୋଇଅଛି !

Leave A Reply

Your email address will not be published.