Latest Odisha News

BREAKING NEWS

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଏପରିକି ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି।

ହେଲେ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ନ ବାହାରିଛି, ସେ ଯାଏଁ ଏହି ମହାମାରୀ ବିରୁଦ୍ଧରେ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ।

ତେଣୁ ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ଅବସରରେ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନଲକ୍ ୧ ପରେ ଦେଶର ହଟସ୍ପଟ ଅଞ୍ଚଳରୁ ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି।

ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍ ହସ୍‌ପିଟାଲରେ କଟକର ଅଶ୍ବିନୀ ହସ୍‌ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ଆଇସିୟୁ ବେଡ୍ ରହିଛି।

ସେହିପରି ଏମକେସିଜି ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ଆଇସିୟୁ ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.