Latest Odisha News

BREAKING NEWS

ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟିକଲେ ଚୀନକୁ ଏଥର ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଚୀନ ଏବେ ସାରା ବିଶ୍ୱରେ ସାମ୍ରାଜ୍ୟବାଦୀ ନୀତି ଜାହିର୍ କରିବାରେ ଲାଗିଛି । କେବଳ ଭାରତର ଲଦାଖ୍ ନୁହେଁ ବରଂ ହଂକଂ, ତାଇୱାନ, ଜାପାନ ଓ ଇଣ୍ଡୋନେସିଆ ପରି ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ଚୀନ ସରକାର ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ଚୀନ ଭାରତ ସୀମାନ୍ତ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରି ଭାରତୀୟ ସୀମା ଦଖଲ କରିବାକୁ ଚେଷ୍ଟା କରୁଥିଲେ ତାହାକୁ ଭାରତୀୟ ସେନା ପଣ୍ଡ କରିଦେଇଛନ୍ତି । ଏବେ ଚୀନ ସେନା ଉତ୍ତର ଲଦାଖ ସୀମାନ୍ତରେ ସୈନ୍ୟ ସହିତ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି । ଭାରତୀୟ ପ୍ରତିରକ୍ଷା ବିଶାରଦ ଚୀନର ଏପରି କାର୍ଯ୍ୟକଳାପକୁ ଲକ୍ଷ କରି କହିଛନ୍ତି ଯେ, ପୂର୍ବ ପରି ଚୀନ ଅନୁପ୍ରବେଶ କରିବାକୁ ଚାହିଁଲେ ଚୀନକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । କାରଣ ଭାରତୀୟ ସେନା ଏବେ ଚୀନ ସୀମାନ୍ତରେ ଚୀନକୁ ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ ହୋଇସାରିଛନ୍ତି ।

ଚୀନରୁ କରୋନା ଭୂତାଣୁ ସକ୍ରମିତ ହୋଇ ସାରା ବିଶ୍ୱକୁ ବ୍ୟାପିଯିବା ଫଳରେ ହଜାର ହଜାର ବିଶ୍ୱବାସୀଙ୍କ ପ୍ରାଣହାନୀ ଘଟିବାରେ ଲାଗିଛି । ଚୀନରୁ ଆସିଥିବା ଏହି କରୋନା ଭୂତାଣୁ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । କେବଳ ଆମେରିକା ନୁହେଁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ଯେପରିକି ଗ୍ରେଟ ବ୍ରିଟେନ, ଇଟାଲୀ, ସ୍ପେନ, ଫ୍ରାନ୍ସରେ କରୋନା ମହାମାରୀ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ଏବେ ୟୁରୋପୀୟ ସମୁଦାୟ ଚୀନ ସହିତ ସମସ୍ତ ପ୍ରକାର ବ୍ୟାବସାୟିକ ତଥା କୂଟନୈତିକ ସମ୍ପର୍କରେ ପୁନର୍ବିଚାର କରିବାକୁ ରଣନୀତି ପ୍ରସ୍ତୁତ କରିଲେଣି । ବିଶ୍ୱର ଅଧିକରୁ ଅଧିକ କମ୍ପାନୀ ଚୀନ୍ ଛାଡ଼ିବାକୁ ଶ୍ରେୟସ୍କର ମଣୁଛନ୍ତି । ଚୀନ ଓ ଆମେରିକା ପରି ଦୁଇ ମହାଶକ୍ତି ଗତ କିଛି ବର୍ଷ ଧରି ପରସ୍ପର ପ୍ରତି ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଦେଖାଉଥିଲେ ତାହା ଏବେ ଚରମରେ ପହଞ୍ଚିଛି । ସାରା ବିଶ୍ୱ ଏବେ ମରଣାନ୍ତକ କରୋନା ଭୂତାଣୁ ଜନିତ ସଂଘର୍ଷ କରୁଥିବା ବେଳେ ଚୀନ ଏବେ ଯୁଦ୍ଧଖୋର ମନୋବୃତ୍ତି ଦେଖାଇଛି ।

ପୂର୍ବତନ ଡ଼େପୁଟୀ ଚିଫ ଅଫ ଆର୍ମି ଷ୍ଟାଫ ଲେଫଟନାଣ୍ଟ ଜେନେରାଲ ଗୁରମିତ୍ ସିଂହ କହିଛନ୍ତି ଯେ, ଏବେ ସାରା ବିଶ୍ୱ କରୋନା ଜନିତ ଯନ୍ତ୍ରଣା ଭୋଗୁଥିବା ବେଳେ ୧୫ ଜୁନରେ ଚୀନ ଯେପରି ଲଦାଖରେ ଅଚାନକ ଆକ୍ରମଣ କଲା ତାହା କରି ବହୁତ ବଡ଼ ଭୁଲ କରିଛି । ଏବେ ପୁଣି ଯଦି ଚୀନ ସେନା ପୂର୍ବ ଲଦାଖରେ ଆକ୍ରମଣ ଆରମ୍ଭ କରନ୍ତି ତେବେ ଚୀନକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ । ଯାହାକି ଚୀନ ସରକାର କେବେବି ଚିନ୍ତା କରିନଥିବେ । ଏବେ କେବଳ ଭାରତ ନୁହେଁ ବିଶ୍ୱର ଅଧିକାଂଶ ରାଷ୍ଟ୍ରଠାରୁ ବିଶ୍ୱାସ ଓ ଆସ୍ଥା ହରାଇଛି ଚୀନ ।

ଆଗକୁ ଚୀନ ଯଦି ଏପରି କିଛି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତେବେ ତାହାର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ବିଗିଡ଼ିଯିବାର ସମ୍ଭାବନା ରହିଛି । କାରଣ କରୋନା ଭୂତାଣୁ ଯୋଗୁଁ ପୂର୍ବରୁ ବିଶ୍ୱାସ ହରାଇଥିବା ଚୀନ୍ ଏବେ ସାରା ବିଶ୍ୱରେ କୋଣଠେସା ହେବାକୁ ଯାଉଛି, ଏହା କହିଛନ୍ତି ପୂର୍ବତନ ଲେଫଟନାଣ୍ଟ ଜେନେରାଲ ଗୁରମିତ୍ ସିଂହ ।

Leave A Reply

Your email address will not be published.