Latest Odisha News

BREAKING NEWS

କରୋନା ମହାମାରୀ: ଏକାଠି ହେଲେ ୧୩ ବିରୋଧି ରାଜନୈତିକ ଦଳ, ଜୁନ୍ ୨୬ରେ ରାଜ୍ୟସ୍ତରୀୟ ପ୍ରତିବାଦ ସଭା

ଭୁବନେଶ୍ୱର: କରୋନା ମହାମାରୀ ପରିଚାଳନାରେ ବିଫଳତା ଏବଂ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ଦାବିନେଇ ଏକାଠି ହୋଇଛନ୍ତି ରାଜ୍ୟର ୧୩ଟି ବିରୋଧି ରାଜନୈତିକ ଦଳ । ଆସନ୍ତା ଜୁନ୍ ୨୬ ତାରିଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଉତ୍କଳମଣି ସଭାକକ୍ଷରେ ବୁଧବାର ଦିନ ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଜୁନ୍ ୨୬ ତାରିଖ ଦିନ ୧୧ ଟା ବେଳେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଠାରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରାଯିବ ।  ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ଦେବେ । ଏନେଇ ଏହି ଦଳ ଗୁଡ଼ିକ ପକ୍ଷରୁ ମିଳିତଭାବେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

ଆଜିର ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦିମ ପାର୍ଟି, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଦଳର ପ୍ରତିନିଧିମାନେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଆଶିଷ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରାମ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ ସାହୁ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ତୃଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ଯ୍ୟକ୍ରମର ପ୍ରତିବାଦ ଓ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ବିରୋଧି ରାଜନୈତିକ ଦଳମାନେ ଏକାଠି ହୋଇ ରାଜ୍ୟବାସୀଙ୍କୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏହି ୧୩ଟି ରାଜନୈତିକ ଦଳ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.