Latest Odisha News

BREAKING NEWS

କରୋନା ପାଇଁ ସପ୍ତପଦୀ…

କୋଭିଡ-୧୯ ମହାମାରୀର ପ୍ରକୋପକୁ କମାଇବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ଦିନିଆ ଲକ୍ ଡାଉନ୍ ର ଅବଧିକୁ କେନ୍ଦ୍ର ସରକାର ଶେଷରେ ପୁଣି ୧୯ ଦିନ ବୃଦ୍ଧିକରିଛନ୍ତି| ଏହି ମର୍ମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟେଲିଭିଜନ ଜରିଆରେ ସମ୍ବୋଧନ କରି ଏହାର ମହତ୍ତ୍ବ ଓ ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ|

କଠୋର ପ୍ରତିବନ୍ଧକ ଲାଗି ପ୍ରଣୀତ ନିୟମ ପାଳନକରି ସେମାନେ ଯେଉଁ କଷ୍ଟବରଣ କରିଛନ୍ତି ସେଥିଲାଗି ସେ ସଭିଙ୍କୁ ବଧାଇ ଜଣାଇବା ସହିତ କରୋନାକୁ ସମ୍ପୂର୍ଣ୍ଣ ପରାସ୍ତକରିବା ସକାଶେ ଆଉ କିଛିକାଳ ଏକାନ୍ତବାସ ସହ୍ୟକରିବା ଲାଗି ଧୈର୍ଯ୍ୟ ଧରିବାକୁ ନିବେଦନ କରିଥିଲେ| କାରଣ ଧନୀ, ଶକ୍ତିଶାଳୀ, ବିଜ୍ଞାନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବେଶ୍ ଆଗୁଆ ଦେଶମାନେ ଏବେ ଯେଉଁ ଭୀଷଣ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ତାହା ସାମାଜିକ ଦୂରତା ରକ୍ଷା ଓ ଏକାନ୍ତବାସ ଭଳି କଠୋର ସ୍ବାସ୍ଥ୍ୟସମ୍ମତ ପରାମର୍ଶକୁ ବେଖାତିର କରିବା ଯୋଗୁ ଘଟିଥିବା ଜଣାପଡ଼ିସାରିଲାଣି|

ଏହି ରୋଗର ଉପଶମ ଲାଗି କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ନଥିବା ଯୋଗୁ ସଂଯମ ଆଚରଣକରିବା ବ୍ୟତୀତ ଅନ୍ୟବାଟ ନାହିଁ| ତେଣୁ ଆଗାମୀ ଲକ୍ ଡାଉନର ସମୟ ଆମ ସମସ୍ତଙ୍କ ପାଇଁ ଅଗ୍ନି ପରୀକ୍ଷାର ସମୟ| ଏହି ଆହ୍ବାନର ମୁକାବିଲା କରିପାରିଲେ ଆମେ ବିଜୟୀ ହେବା ଏବଂ ବିଶ୍ୱ ଲାଗି ଏକ ବଳିଷ୍ଠ ଦୃଷ୍ଟାନ୍ତ ସୃଷ୍ଟିକରି ପାରିବା| ଏହି ପ୍ରେରଣାଦାୟୀ ଭାଷଣ ପରେ ମଇ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ପଦକ୍ଷେପକୁ ବଳବତ୍ତର କରାଯାଇଥିବା ସ୍ପଷ୍ଟ ହୋଇଛି| ତେବେ ଏହି ଘୋଷଣା ପୂର୍ବରୁ ପରିସ୍ଥିତି ଗମ୍ଭୀର ହେଉଥିବା ନେଇ ଆକଳନ କରିଥିବା ଓଡ଼ିଶା, ମହାରାଷ୍ଟ୍ର, ତେଲେଙ୍ଗାନା ଓ ତାମିଲନାଡୁ ସରକାର ଏହି ଗୃହବନ୍ଦୀ ସମୟକୁ ଏପ୍ରିଲ ଶେଷ ଯାଏଁ ବଢ଼ାଇ ଦେଇଥିଲେ ଏବଂ ଅନେକ ରାଜ୍ୟ ଏହି ଅବଧି ବଢ଼ାଇବାର ଆବଶ୍ୟକତା ଉପରେ ମତ ପ୍ରଦାନ କରିଥିଲେ| ଏସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏପ୍ରିଲ ୧୩ ତାରିଖରେ ସବୁରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଏହି ବିଷୟରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି|

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭାରତର ଏହି ପଦକ୍ଷେପକୁ ପ୍ରଶଂସାକରିବା ସହ ରୋଗୀର ପୃଥକବାସ ତଥା ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ଏହା ଯଥାର୍ଥ ବୋଲି କହିଛି| ସମୁଦାୟ ୬ସପ୍ତାହର ଲକ୍ ଡାଉନ୍ ସମେତ ଭାରତ ସରକାର ଯୋଜନାବଦ୍ଧ ଭାବେ ମୌଳିକ ଜନ ସ୍ୱାସ୍ଥ୍ୟର ସୋପାନଗୁଡ଼ିକ ଉପରେ କାର୍ଯ୍ୟକରୁଛନ୍ତି| ରୋଗୀକୁ ଚିହ୍ନଟକରିବା, ଅଲଗା ରଖି ଚିକିତ୍ସାକରିବା ଏବଂ ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଖୋଜି ବାହାରକରିବା କାମ ଚିକିତ୍ସା ବିଧି ମୁତାବକ କରାଯାଉଥିବାରୁ ବିଶ୍ୱ ସଙ୍ଗଠନ ସନ୍ତୋଷ ପ୍ରକାଶ କରିଛି| ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଗୋଟିଏ ବିଶେଷକଥା କହିଥିଲେ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ| ସେ କହିଥିଲେ, ପୂର୍ବରୁ ସରକାରଙ୍କ ଦୃଷ୍ଟିକୋଣ ଥିଲା, ଜାନ୍ ହାଏ ତୋ ଜାହାନ ହାଏ ଅର୍ଥାତ୍ ଜୀବନ ଥିଲେ ଜୀବିକା ରହିବ| ମାତ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାକୁ ପରିବର୍ତ୍ତନକରି ଜାନ୍ ଭି ଜାହାନ୍ ଭି ନୀତିକୁ ଦିଗଦର୍ଶନ ଭାବେ ଗ୍ରହଣ କରାଯିବ| ଦେଶର ବିଶାଳ କର୍ମଜୀବୀ ବର୍ଗଙ୍କ ଆର୍ଥିକ ଦୁରବସ୍ଥାକୁ ବିଚାରକରି ପ୍ରଧାନମନ୍ତ୍ରୀ ଏହି ସଙ୍କେତ ପ୍ରଦାନ କରିଛନ୍ତି|

ଅର୍ଥାତ୍ କେତେକ କାର୍ଯ୍ୟକ୍ଷେତ୍ରରେ କୋହଳ ବ୍ୟବସ୍ଥା ଲାଗୁକରାଯିବ, ଯାହା ଫଳରେ କର୍ମଜୀବୀମାନେ ଦୈନନ୍ଦିନ ଉପାର୍ଜ୍ଜନର ସୁଯୋଗ ଲାଭକରିବେ ଏବଂ କଠିନ ସମୟର ମୁକାବିଲା କରିବା ଲାଗି ସମର୍ଥ ହେବେ| ସେହିପରି କିଛି ଉଦ୍ୟୋଗ ଏବଂ ବ୍ୟାବସାୟିକ ସଂସ୍ଥାରେ ସତର୍କତା ବିଧି ପାଳନକରି କିଭଳି କାର୍ଯ୍ୟ କରାଯାଇପାରିବ ତାହା ହୁଏତ ସ୍ପଷ୍ଟ ହୋଇପାରେ| ଏ ନେଇ ଗାଇଡଲାଇନ ଆସିବା ପରେ ଅର୍ଥନୈତିକ କ୍ଷେତ୍ରକୁ ପୁନଃସଙ୍ଗଠିତ କରିବା ଦିଗରେ ପରୀକ୍ଷା ନୀରିକ୍ଷା ହୋଇପାରିବ ବୋଲି ଆଶା ରହିଛି| ଏହି ପ୍ରେକ୍ଷାପଟ୍ଟରେ ଗତ ମାସରେ କେନ୍ଦ୍ର ସରକାରଙ୍କ ୧.୭ଟ୍ରିଲିଅନ ବା ୧ଲକ୍ଷ ୭୦ହଜାର କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଯଥେଷ୍ଟ ନୁହେଁ ବୋଲି ଅର୍ଥନୈତିକ ବିଶାରଦମାନେ ମତ ପୋଷଣ କରିଛନ୍ତି| ଆର୍ଥିକ କ୍ଷେତ୍ରର ଅନେକ ବିଶେଷଜ୍ଞ ଓ ଶିଳ୍ପୋଦ୍ୟୋଗର ନେତୃବୃନ୍ଦ କହିଛନ୍ତି, ଯେଉଁ ବିଶାଳ ଲୋକଶକ୍ତି କର୍ମସଂସ୍ଥାନ ହରାଇଛନ୍ତି ଏବଂ ବ୍ୟବସାୟ ବୁଡ଼ିଯିବାକୁ ବସିଛି ସେମାନଙ୍କୁ ଜରୁରୀ ସହାୟତା ଲାଗି ଅତ୍ୟନ୍ତ ୧୦ଟ୍ରିଲିଅନ ବା ୧୦ଲକ୍ଷ କୋଟି ଟଙ୍କାର ଅର୍ଥରାଶି ଲୋଡ଼ା ପଡ଼ିବ|

ପ୍ରାୟ ୨୦ମିନିଟରେ ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା-ବିରୋଧି ଲଢ଼େଇରେ ଦେଶବାସୀଙ୍କ ସହ ସେ ସାତଟି କଥାରେ ଏକମତ ଅଛନ୍ତି| ଜନସାଧାରଣଙ୍କ ଏହି କାର୍ଯ୍ୟରେ ତାଙ୍କର ଆନ୍ତରିକ ସଦ୍ଦିଛା ରହିବ| ଏହା ହେଉଛି କରୋନା ମୁକାବିଲା ପାଇଁ ସପ୍ତପଦୀ, ପ୍ରଭାବଶାଳୀ ସାତଟି ବୀଜମନ୍ତ୍ର|

ପ୍ରଥମଟି ହେଲା, ପରିବାରରେ ଥିବା ବୟସ୍କ ବ୍ୟକ୍ତି ବିଶେଷକରି ଗୁରୁତର ରୋଗରେ ପୀଡ଼ିତଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ଓ ଉପଯୁକ୍ତ ଯତ୍ନନେବା, ସାମାଜିକ ଦୂରତା ରକ୍ଷାକରିବା ପାଇଁ ଲକ୍ ଡାଉନକୁ ଲକ୍ଷଣରେଖା ପରି ମାନିବା ଓ ଘରେ ତିଆରି ମାସ୍କ ହେଉ ପଛେ ତାହାକୁ ମୁହଁରେ ବାନ୍ଧିବା, ରୋଗ ପ୍ରତିରୋଧ-କ୍ଷମତା ବଢ଼ାଇବା ଲାଗି ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଉଥିବା ଉପଦେଶ ମାନି ଉଷୁମପାଣି ଓ ଚେରମୂଳି ପ୍ରସ୍ତୁତ ସିଝାପାଣି ପିଇବା, ନିଜର ସଂକ୍ରମଣ ସମ୍ପର୍କରେ ଆକଳନ ପାଇଁ ସରକାରଙ୍କ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍ ରେ ନାମକୁ ନିଶ୍ଚିତ ପଞ୍ଜିକୃତ କରିବା ସହିତ ଅନ୍ୟମାନଙ୍କୁ ଏହି ଆପ୍ ସହ ଯୋଡ଼ିବା, ଯାହାର ଯାହା ସାମର୍ଥ୍ୟ ଅଛି ତଦନୁଯାୟୀ ଗରିବଙ୍କୁ ଖାଦ୍ୟଦେବା ଓ ସେମାନଙ୍କୁ ସହାନୁଭୂତି ପ୍ରଦର୍ଶନ କରିବା , ଶିଳ୍ପୋଦ୍ୟୋଗୀ ତଥା ବ୍ୟବସାୟୀମାନେ ନିଯୁକ୍ତ କରିଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର ନକରିବା ଏବଂ ସର୍ବୋପରି ବିପଜ୍ଜନକ କରୋନା ଯୁଦ୍ଧରେ ଜୀବନକୁ ବାଜି ଲଗାଇ ସମ୍ମୁଖ ସେନାନୀ ଭାବେ କାର୍ଯ୍ୟକରୁଥିବା ଡାକ୍ତର,ନର୍ସ, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା|

ଏହି ସାତଟି ମାନବୀୟ କର୍ତ୍ତବ୍ୟ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେବା ଅବସରରେ ସେ କହିଛନ୍ତି ଯେ, ଉକ୍ତ ଆଚରଣ ସାମଗ୍ରିକ ଭାବରେ ରୋଗ ଏବଂ ତହିଁରୁ ଉଦ୍ଭୁତ ଭୟ, ଅନ୍ଧବିଶ୍ବାସ ତଥା ବିଭ୍ରାନ୍ତି ଦୂରକରିପାରିବ|

ମୋଦିଜୀଙ୍କ ଭାଷଣରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ବିନ୍ଦୁ ହେଲା, କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥେଷ୍ଟ ଯାଞ୍ଚ ଓ ଅନୁଶୀଳନ କରାଯିବା ପରେ ୨୦ ଏପ୍ରିଲରୁ କେତେକ ଅଞ୍ଚଳରେ ଲକ୍ ଡାଉନକୁ ସର୍ତ୍ତମୂଳକ କୋହଳ କରାଯାଇପାରେ| ଯେଉଁଠାରେ ସମସ୍ତ ରୋଗୀ ଆରୋଗ୍ୟ ହୋଇସାରିଛନ୍ତି କିମ୍ବା ରୋଗ ନିୟନ୍ତ୍ରିତ ହୋଇପାରିଛି ସେହି ସ୍ଥାନଗୁଡ଼ିକରେ ଏପରି କରାଯିବ| ଏହି ତାରିଖ ସୁଦ୍ଧା ସମଗ୍ର ଦେଶରେ ରୋଗୀମାନଙ୍କ ଯାଞ୍ଚ ତ୍ବରାନ୍ବିତ ତଥା ବ୍ୟାପକ କରାଯିବାକୁ ଯୋଜନା କରାଯାଇଛି| ସବୁ ହଟ୍ ସ୍ପଟ୍ ର ନିବାସୀମାନଙ୍କୁ ଗୋଟିଗୋଟି କରି ଡାକ୍ତରୀ ଦଳ ଦ୍ୱାରା ପରୀକ୍ଷା କରାଯିବାକୁ ବନ୍ଦୋବସ୍ତ ହୋଇଛି| |

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.