Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ଭାଇରସ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଗିରଫ

କେନ୍ଦ୍ରାପଡ଼ା: କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିରଖିଛି | ଏଥିରେ ଦୈନିକ ସାରା ବିଶ୍ୱରେ ବହୁ ଲୋକ ଆକ୍ରାନ୍ତ ହୋଇଚାଲୁଥିବାବେଳେ ଭାରତ ବି ଏଥିରୁ ବାଦ ପଡିନି | ଆମ ରାଜ୍ୟରେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବେଳେ ଲୋକଙ୍କୁ ସତର୍କ ଏବଂ ସଚେତନ କରିବାକୁ ସବୁ ଦିଗରୁ ପ୍ରଚେଷ୍ଟା ଚଳାଇଛନ୍ତି । କରୋନାକୁ ନେଇ ଲୋକେ ଯେମିତି ଭୟ ନକରନ୍ତି, ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ସରକାର ସଜାଗ ରହିଛନ୍ତି ଆଉ କରୋନା ଉପରେ ଟିକନିକ ତଥ୍ୟ ଦେଉଛନ୍ତି । ଗୁଜବ ପ୍ରଚାର ନକରିବାକୁ ସମସ୍ତଙ୍କୁ ବାରଣ କରାଯାଇଛି |
ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଘରୋଇ ଟିଭି ଚ୍ୟାନେଲ ସାମ୍ବାଦିକ ସମେତ ୪ ଜଣ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଁ ରେ ସୋସିଆଲ ମିଡିଆରେ ଅପପ୍ରଚାର ଅଭିଯୋଗରେ ଗିରଫ ହୋଇଛନ୍ତି | ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କଂସାର ଗାଁର ନିରଞ୍ଜନ ପରିଡ଼ା (୫୯), ମାଧପୁର ଗାଁର ଧ୍ରୁତିରଂଜନ ବାରିକ, ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗାଁର ଶିବାଶିଷ ମହାନ୍ତି (୩୨) ଓ ମଡରପୁର ନିବାସୀ ପ୍ରଫୁଲ୍ଲ ଦାସ। ଅଭିଯୁକ୍ତମାନେ ହ୍ଵାଟ୍‌ସଅପରେ ଏକ ଗ୍ରୁପ କରି କରୋନା ସଂପର୍କିତ ମିଛ ଖବର ପ୍ରଚାର କରିଥିଲେ। ଶିବାଶିଷ ମହାନ୍ତି ଓ ଧ୍ରୁତିରଂଜନ ବାରିକ ଗ୍ରୁପର ଆଡମିନ ଥିଲେ।  ସୂଚନାଯୋଗ୍ୟ ଯେ ଏମାନଙ୍କ ମଧ୍ୟରେ ଜଣେ ଘରୋଇ ଟିଭି ଚ୍ୟାନେଲ ର ସାମ୍ବାଦିକ ଜଡିତ ଅଛନ୍ତି | ସେ ମଧ୍ୟ କେନ୍ଦ୍ରାପଡା ର ଜଣାଶୁଣା ଲୋକାଲ ୱେବ ଚ୍ୟାନେଲ ମଧ୍ୟ ଚଳାଉଛନ୍ତି | ସରକାରଙ୍କ ବାରଣ ସତ୍ତ୍ୱେ ଏଭଳି ଗୁଜବକୁ ପ୍ରଚାର କରି ଲୋକମାନଙ୍କୁ ଭୟଭୀତ କରିବା ଓ  ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୁଜବ ପ୍ରଚାର କରିବା କେତେ ମହଙ୍ଗା ପଡେ ତାହା ଏହି ଘଟଣାରୁ ଅନୁମେୟ କରାଯାଇପାରେ |
ପୂର୍ବରୁ କରୋନା ଭାଇରସ ସମ୍ପର୍କରେ ଗୁଜବ ପ୍ରଚାର କରି ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରୁ ଗିରଫ ହୋଇସାରିଛନ୍ତି |
Leave A Reply

Your email address will not be published.