Latest Odisha News

BREAKING NEWS

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର

କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ ହୋଇଥିବା ଏହି ଘାତକ ମହାମାରୀ ଇଟାଲୀ ଓ ସ୍ପେନ୍‌ରେ ସର୍ବାଧିକ ତାଣ୍ଡବ ଖେଳାଇ ସାରିବା ପରେ ବର୍ତମାନ ଆମେରିକା ଓ ବ୍ରିଟେନ୍‌ରେ ତାର ଉଗ୍ର ରୁପ ଦେଖାଉଛି । ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି ଓ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତର ଶିକାର ହେଉଛନ୍ତି । ସେହିପରି ଆମ ଦେଶ ଓ ରାଜ୍ୟ ବି କୋଭିଡ଼ ୧୯ ସଂକ୍ରମଣରେ ପଛରେ ନାହିଁ ।

ଆମ ଦେଶରେ ସରକାର କୋଭିଡ଼୍‌-୧୯କୁ ମୁକାବିଲା କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି । କିନ୍ତୁ ତଥାପି ବି ଆହୁରି ପୂର୍ବରୁ ଆହୁୂରି ଲୋକାଭିମୂଖୀ ଭାବେ ପଦକ୍ଷେପ ନିଆଯାଇପାରିଥାନ୍ତା । କୋଭିଡ଼୍‌-୧୯ର ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାର ପ୍ରଥମ ପଦକ୍ଷେପ ସ୍ୱରୁପ ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ଘୋଷଣା କଲେ । ଏଥିସହିତ କରୋନାର ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ଗୁଡ଼ିଏ ସଚେତନତା ବାର୍ତା ବି ପ୍ରଚାର କଲେ । ପରବର୍ତୀ ପଦକ୍ଷେପ ସ୍ୱରୁପ ମାର୍ଚ୍ଚ ୨୩ ତାରିଖ ରାତି ଆଠଟା ବେଳେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ ତାରିଖ ଠାରୁ ସାରା ଭାରତକୁ ଲକ୍ ଡାଉନ୍ ଘୋଷଣା କଲେ । କରୋନା ସଂକ୍ରମଣକୁ ରୋକିବା ପାଇଁ ବା କରୋନାର ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍ ଡାଉନ୍ ଏକ ଭଲ ପଦକ୍ଷେପ । କିନ୍ତୁ ଏହାକୁ ଯେପରି ଭାବେ ସର୍ଜିକାଲ୍ ଷ୍ଟ୍ରାଇକ୍ ଢ଼ାଂଚାରେ ଘୋଷଣା କରାଗଲା, ଫଳସ୍ୱରୁପ କରୋନାର ସଂକ୍ରମଣ ଠାରୁ ଆହୁରି ଅଧିକ ବିପଦ ସାରା ଦେଶରେ ଦେଖାଦେଲା । ଲକ୍ ଡାଉନ୍‌କୁ ବିରୋଧ କରିବା ଆମ୍ଭର ଉଦ୍ଦେଶ୍ୟ ନୁହେଁ କିନ୍ତୁ ଏହାକୁ ଯେପରି ଭାବେ ଘୋଷଣା କରାଗଲା, ତାହା ଆମ ଦେଶର ଲକ୍ଷ ଲକ୍ଷ ଦିନ ମଜୁରିଆ ଓ ଗରିବ ଲୋକଙ୍କୁ ଉପାସ୍ ରହିବାକୁ ବାଧ୍ୟ କରିଛି । ପ୍ରବାସୀ ଶ୍ରମିକ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହଠାତ୍ ଲକ୍ ଡାଉନ୍ ଘୋଷଣା ହୋଇଯିବା ଯୋଗୁ ଓ ରେଳ ଚଳାଚଳ ଆଦି ବନ୍ଦ ହୋଇଯିବା ଯୋଗୁ ଅନେକ ପ୍ରବାସୀ ଶ୍ରମିକ ନିଜ ଘରକୁ ଓ ଆତ୍ମୀୟ ସ୍ୱଜନଙ୍କ ପାଖକୁ ଫେରି ପାରିଲେ ନାହିଁ ।

ଏଇ କେଇଦିନ ତଲେ ଭିନ୍ନ ଭିନ୍ନ ରାଜ୍ୟରୁ ଶ୍ରମିକ ମାନେ ନିଜ ଘରକୁ ହଜାର ହଜାର କିଲୋମିଟର ଚାଲି ଚାଲି ଯାଉଥିବାର ଦୃଶ୍ୟ ଗଣମାଧ୍ୟମ ମାନଙ୍କରେ ଲଗାତାର ଦେଖାଉଛି । ଦିଲ୍ଲୀରେ ଶ୍ରମିକ ମାନଙ୍କର ପରିସ୍ଥିତି ଆମେ ଦେଖିଲେ । ଆମ ରାଜ୍ୟର ବି ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟରେ ବନ୍ଦୀ ପରି ଅବସ୍ଥାରେ ଅଛନ୍ତି । ତାଙ୍କ ପାଖରେ ଖାଇବାକୁ ପିଇବାକୁ ନାହିଁ । ଏପଟେ ତାଙ୍କ ପରିବାରବର୍ଗ ମଧ୍ୟ ନାହିଁ ନଥିବା ଅସୁବିଧାରେ ଅଛନ୍ତି । ଆମେ ଜାଣିଛେ, ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ନିଜ ଘରଦ୍ୱାର ଛାଡ଼ି ଭିନ୍ନ ଭିନ୍ନ ରାଜ୍ୟରେ କାମ କରୁଛନ୍ତି । କୌଣସି ବିପତି ପଡ଼ିଲେ ସେମାନେ ଘରକୁ ନିଶ୍ଚିତ ଫେରିବେ । ଏହା ପ୍ରତ୍ୟେକ ମଣିଷର ଲକ୍ଷଣ । ବିପତି ସମୟରେ ସେ ନିଶ୍ଚିତ ଭାବେ ନିଜ ପରିବାର ପାଖରେ ରହିବାକୁ ଚାହିଁବ । ତାକୁ ସରକାର ଯେତେ ଖାଇବାକୁ ପିଇବାକୁ ଦେଲେ ମଧ୍ୟ ସେ ନିଜ ପରିବାରକୁ ଛାଡ଼ି ରହିପାରିବ ନାହିଁ । ପରିବାର ଲୋକ ଅସୁବିଧାରେ ବା ଭୟରେ ଥିଲେ, ଜଣେ ଲୋକ କେମିତି ଶାନ୍ତିରେ ଖାଇ ରହିପାରିବ! ଏହିପରି କୋଟି କୋଟି ଲୋକଙ୍କ ପାଇଁ ଲକ୍ ଡାଉନ୍ ଏକ ଦୁଃସ୍ୱପ୍ନ ହୋଇଯାଇଛି । ପରିସ୍ଥିତି ଏମିତି ହେଲା ଯେ, ଦେଶ ବିଭାଜନ ସମୟରେ ଲୋକମାନେ ଯେପରି ଜିନିଷ ପତ୍ର ମୁଣ୍ଡେଇ ରାସ୍ତାରେ ଚାଲି ଚାଲି ଯାଉଥିଲେ, ଏହି ଲକ୍ ଡାଉନ୍ ସମୟରେ ସେମିତି ଦୃଶ୍ୟ ଦେଖିବାକୁ ମିଳିଲା । ଏହା ନିଶ୍ଚିତି ଯେ, କରୋନା ଭାଇରସ୍‌କୁ ରୋକିବା ପାଇଁ ଲକ୍ ଡାଉନ୍ ଏକ ଭଲ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଯେପରି ଭାବେ ରାତି ଆଠଟା ଭାଷଣରେ ହଠାତ୍ ଲକ୍ ଡାଉନ୍ ଘୋଷଣା କରିଦେଲେ, ସେପରି ନକରି ଯଦି ଆଉ ଚାରି ପାଂଚ ଦିନ ସମୟ ଦେଇଥାନ୍ତେ, ତେବେ ସଂକ୍ରମଣ ବି ରୋକିଥାନ୍ତା ଓ ଦେଶର ଏକ ବଡ଼ ଭାଗ ଜନସାଧାରଣ ବି ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତେ । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ସମୟ ପାଇଥାନ୍ତେ । ଭୂଲିଯିବା ଉଚିତ୍ ନୁହେଁ ଯେ, ଆମ ଦେଶ ୟୁରୋପ୍‌ର ଦେଶ ମାନଙ୍କ ପରି ଛୋଟ ନୁହେଁ । ଆମର ଏକ ବିରାଟ ଦେଶ ।

ଲୋକମାନେ ହଜାର ହଜାର କିଲୋମିଟର ଦୂରରେ କାମ କରନ୍ତି ଓ ଅଧିକାଂଶ ଗରିବ ଶ୍ରେଣୀୟ ଲୋକ । ଯେପରି ଭାବେ ହଠାତ୍ ଲକ୍ ଡାଉନ୍ ଘୋଷଣା କରିଦିଆଗଲା, ଏପରି ପରିସ୍ଥିତିରେ ମାର୍ଚ୍ଚ ମାସର ଶେଷ ସପ୍ତାହରେ ସବୁ ଲୋକମାନେ କ’ଣ କିଛି ଦିନ ପାଇଁ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିପାରିବେ! ସମସ୍ତଙ୍କ ପାଖରେ କ’ଣ ସେ ସମୟରେ ପଇସା ଥିବ! ଏହା ସହିତ ଆମେ ଏବେ ବି ଦେଖୁଛେ ଯେ, ଅନେକ ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ ବି ଆବଶ୍ୟକୀୟ ସଂକ୍ରମଣ ନିରୋଧୀ ସାମଗ୍ରୀ ନାହିଁ । ଏସବୁ ବ୍ୟବସ୍ଥା ନକରି ଗରିବ ଲୋକମାନଙ୍କ ପାଇଁ ବ୍ୟବସ୍ଥା ନକରି ହଠାତ୍ ଲକ୍ ଡାଉନ୍ କରିଦେବା ଅନେକ ଲୋକଙ୍କ ପାଇଁ ବହୁତ ଯନ୍ତ୍ରଣା ଆଣି ଦେଇଛି । ସରକାର ବୁଝିବା ଉଚିତ୍ ଯେ, ସବୁ ସମସ୍ୟାର ସମାଧାନ ସର୍ଜିକାଲ୍ ଷ୍ଟ୍ରାଇକ୍ ଢ଼ାଂଚାରେ ହୋଇପାରିବ ନାହିଁ । ଲକ୍ ଡାଉନ୍ ଘୋଷଣା କରି ଟିଭିରେ ରାମାୟଣ, ମହାଭାରତ ଚଲେଇବାର ବ୍ୟବସ୍ଥା କରେଇଦେଲେ, ଶ୍ରମିକ ମାନେ କ’ଣ ନିଜ ଘର ପରିବାର ଠାରୁ ଦୂରରେ ରହି ନଖାଇ ନପିଇ କେବଳ ମହାଭାରତ ଦେଖିବେ! ଆମେ ଦେଖିଲେ ଯେ, ସିଙ୍ଗାପୁରରେ ଲକ୍ ଡାଉନ୍ ଘୋଷଣା ହେବା ପୂର୍ବରୁ ଛଅ ଦିନ ପୂର୍ବରୁ ସୂଚନା ଦିଆଗଲା ।କିଛି ଲୋକ କହିପାରନ୍ତି ଯେ, ସରକାର ତ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଆର୍ଥିକ ସାହାଯ୍ୟର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏଠାରେ ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ବି ସବୁକିଛି କେବଳ ଘୋଷଣାରେ ଅଛି । କେନ୍ଦ୍ର ସରକାରଙ୍କ ତରଫରୁ ଲୋକଙ୍କୁ କିଛି ବି ମିଳିନାହିଁ । କରୋନା ଏକ ଜନସ୍ୱାସ୍ଥ୍ୟ ସମସ୍ୟା । ଏହାକୁ ମିଲିଟାରୀ ଢ଼ାଂଚାରେ ସମାଧାନ କରାଯାଇପାରିବ ନାହିଁ । କେନ୍ଦ୍ର ସରକାର ଯଦି ସତରେ କରୋନା ସଂକ୍ରମଣ ରୋକିବା ପାଇଁ ଏତେ ବ୍ୟସ୍ତ ତେବେ ଲକ୍ ଡାଉନ୍ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ବି କରିବା କଥା । ଯେମିତି କି ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ ଆବଶ୍ୟକୀୟ ସାମଗ୍ରୀ ଓ ଯଥେଷ୍ଟ ପରିମାଣର ଚିକିତ୍ସାର ସୁବିଧା କରେଇବା କଥା । କିନ୍ତୁ ଏସବୁ ନକରି ସରକାର ଯେମିତି କେବଳ ଲକ୍ ଡାଉନ୍ ପଛରେ ପଡ଼ିଛନ୍ତି, ଯେମିତି ପୋଲିସ୍ ବାକି କାମ ଛାଡ଼ି କେବଳ ହେଲ୍‌ମେଟ୍ ଚେକିଙ୍ଗ ପଛରେ ପଡ଼ିଥାଏ ।

ଆମେ ଜାଣିଛେ ଯେ, କରୋନା କେବଳ ନାକ ଓ ପାଟି ବାଟେ ହିଁ ବ୍ୟାପେ । ଯାହାକୁ ରୋକିବା ପାଇଁ ମାସ୍କ ତଥା ମୁଖା ଏକ ମୂଖ୍ୟ ଉପକରଣ । ସରକାର ଏପର୍ଯ୍ୟନ୍ତ କାହିଁକି ସବୁ ଲୋକଙ୍କ ପାଖରେ ମାସ୍କ ପହଂଚେଇବାର ବ୍ୟବସ୍ଥା କରୁନାହାନ୍ତି? ସବୁ ଲୋକ ଯଦି ମାସ୍କ ପିନ୍ଧିବେ ତେବେ ସଂକ୍ରମଣ ନବେ ପ୍ରତିଶତ ରୋକିଯିବ । ନିର୍ବାଚନ ସମୟରେ ଯେମିତି ବୁଥ୍ ସ୍ତରରେ ଲୋକଙ୍କ ପାଖରେ ଭୋଟ୍ ଚିରୁକୁଟି ରାତାରାତି ପହଂଚି ଯାଉଛି, ସେମିତି ଲୋକଙ୍କ ପାଖରେ ମାସ୍କ ପହଂଚିବନି କାହିଁକି? ସରକାର ତାଙ୍କର ସମସ୍ତ କଳ କୌଶଳ ଲଗେଇଲେ ଦଶ ଦିନ ମଧ୍ୟରେ ମାସ୍କ ତିଆରି ହୋଇ ଲୋକଙ୍କ ପାଖରେ ପହଂଚି ପାରନ୍ତା । ଯେମିତି ନିର୍ବାଚନ ସମୟରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ କାମରେ ଲଗେଇ ଦିଆଯାଏ, ଏପରି ବିପତି ସମୟରେ ସେପରି ଭାବେ ସରକାର କାମ କରିବେନି କାହିଁକି? କରୋନାର ସଂକ୍ରମଣ ରୋକିବା ପାଇଁ ସରକାର ସବୁ ପଟରୁ ଯଦି ଏପରି ମନୋଭାବ ଦେଖାନ୍ତେ, ତେବେ ପ୍ରକୃତ ଅର୍ଥରେ କରୋନାର ସଂକ୍ରମଣ ରୋକିପାରନ୍ତା ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

 

Leave A Reply

Your email address will not be published.