Latest Odisha News

BREAKING NEWS

କରୋନା ଯୋଦ୍ଧା : ପ୍ରବାସୀଙ୍କ ପାଇଁ ସାହାରା ପାଲଟିଲେ ଭିନ୍ନ ଜଣେ ଅଧିକାରୀ କଲ୍ୟାଣୀ

ଭୁବନେଶ୍ୱର : ବୁଧବାର ବାଲେଶ୍ୱର ବାଲିଆପାଳରୁ ଆସିଥିଲା ପ୍ରବାସୀ ଓଡିଆଙ୍କୁ ଅଧିକାରୀଙ୍କ ଦୁର୍ବ୍ୟବହାରର ଚିତ୍ର । ବିଡିଓ ଛବିରାଣୀ ସାହୁ ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ଉପରେ ରାଗ ତମ ତମ ହୋଇ ଚିଲାଉଥିଲେ । ପାଣି ମାଗିବାରୁ ରାଗିପାଚି କହିଥିଲେ ମୁଁ ଜଣେ ଓଏଏସ୍ ଅଫିସର ତମ ଭଳି ଦାଦନ ନୁହେଁ । ତମେ କଣ ତମ ଚଉଦ ପୁରୁଷ ବି ଏଇଠି ଠିଆହେବେ । ନିଜ ଔକାତରେ ରୁହ । …ଏମିତି କେତେ କଣ କହିଗଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ସାଧାରଣ ଲୋକ ଏହାକୁ ଭର୍ତ୍ସନା କରିଛନ୍ତି ।

ଏମିତି କିଛି ଅଧିକାରୀଙ୍କ ଆଚରଣ ଯୋଗୁଁ ଅନ୍ୟ ସମସ୍ତ ପ୍ରସାଶନିକ ଅଧିକାରୀଙ୍କୁ ଲୋକଙ୍କ ସମାଲୋଚନାର ଶିକାର ହେବାକୁ ପଡୁଛି ।

କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ରାତି ଦିନ ଅକ୍ଲାନ୍ତ ପରିଶ୍ରମ କରି କରୋନା ବିରୋଧରେ ଓଡିଶାର ସଂଗ୍ରାମରେ ଯୋଦ୍ଧା ସାଜିଥିବା ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରାଙ୍କ ଭଳି ଅନେକ ଅଧିକାରୀ ।

ନାଁ ଯେମିତି କାର୍ଯ୍ୟରେ ମଧ୍ୟ ସେମିତି କରି ଦେଖାଇଛନ୍ତି କଲ୍ୟାଣୀ । ଗତକାଲି ଝାଡଖଣ୍ଡରେ ଅଟକି ରହିଥିବା ୫୪ଜଣ ପ୍ରବାସୀଙ୍କୁ ନେଇ ତେଲେଙ୍ଗାନାର କରିମ୍ ନଗର ଯାଉଥଲା ଏକ ବସ୍ । ବସକୁ ଦେଖି ଅଟକାଇଥିଲେ ମୋହନା ପ୍ରଶାସନ ଟିମ୍ । ଏତେ ସଂଖ୍ୟକ ଛୋଟ ପିଲା ଓ ମହିଳା ବସରେ ରହିଥିବା ଦେଖି ତହସିଲଦାର କଲ୍ୟାଣୀ ନିଜ ମୋବାଇଲ ନମ୍ବର ସେମାନଙ୍କୁ ଦେଇଥିଲେ । ବାଟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କୁ କଲ କରିବାକୁ କହିଥିଲେ । ଏହା ପରେ ବସ୍‌ଟି ତେଲେଙ୍ଗାନା ଅଭିମୁଖେ ମୁହାଁଇଥିଲା ଏବଂ କଲ୍ୟାଣୀ ଅନ୍ୟ ଅଂଚଳକୁ ବାହାରିଥିଲେ ।

ତେବେ ସେଠାରୁ ପ୍ରାୟ ୧୦ରୁ ୧୫ କିଲୋମିଟର ଯିବା ପରେ ପ୍ରାୟ ଦିନ ସାଢେ ୧୨ଟାରେ ଅଚାନକ ଶୁଖିଲା ଆମ୍ବ ଓ ପଲ୍ଲୀ ଗଜପତି ଗାଁ ନିକଟରେ ଜଙ୍ଗଲ ମଝିରେ ବସ୍‌ଟି ଖରାପ ହୋଇଯାଇଥିଲା । ସେଠାରେ ନେଟୱାର୍କ ନ ଥିବାରୁ କିଛି ପ୍ରବାସୀ ଚାଲି ଚାଲି ନେଟୱାର୍କ ଆସୁଥିବା ଅଂଚଳକୁ ଆସି କଲ୍ୟାଣୀଙ୍କୁ ଫୋନ କରିଥିଲେ । ଯଦିଓ ସେମାନଙ୍କ ଭାଷା ବୁଝି ହେଉ ନ ଥିଲା ତେବେ କଥାବାର୍ତ୍ତାରୁ ସେମାନେ ସମସ୍ୟାରେ ପଡିଥିବା ଜାଣିପାରିଥିଲେ ସେ ।

ସଙ୍ଗେ ସଙ୍ଗେ ନିଜ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ ତହସିଲଦାର । ଖରାରେ ବ୍ୟତିବ୍ୟସ୍ତ ହୋଇପଡିଥିବା ଛୋଟ ପିଲା ଓ ଶ୍ରମିକମାନଙ୍କ ପାଇଁ ତୁରନ୍ତ ପାଣି, ଗ୍ଲୁକୋଜ ଓ ବିସ୍କୁଟ ବ୍ୟବସ୍ଥା କରିଥିଲେ । ମାଆଟିଏ ପିଲାଙ୍କ ଭୋକିଲା ପେଟକୁ ଠିକ୍ ଚିହ୍ନି ପାରିଥାଏ ସେହିପରି ପ୍ରବାସୀଙ୍କ ସହ ଥିବା ଛୋଟ ଛୋଟ ପିଲାଙ୍କ ହାତକୁ ସାନିଟାଇଜରରେ ପରିଷ୍କାର କରି ତାଙ୍କୁ ବିସ୍କୁଟ ବାଣ୍ଟିଥିଲେ ସେ ।

ନିକଟରେ ବସ୍ ମରାମତି ପାଇଁ କୌଣସି ଗ୍ୟାରେଜ ନ ଥିବାରୁ ସେ ଓ ତାଙ୍କ ଟିମ୍ ସ୍ଥାନୀୟ ଅଂଚଳରୁ ଗାଡି ମେକାନିକ ଖୋଜିବା ଆରମ୍ଭ କରିଥିଲେ । ବହୁ କଷ୍ଟ ପରେ ମୋହନା ଅଂଚଳରୁ ମିଳିଥିଲେ ବାଇକ, ଅଟୋ ଓ ଟ୍ରାକ୍ଟର ମରାମତି କରୁଥିବା ଦୁଇ ମେକାନିକ ମଙ୍ଗୁଳୁ ଓ ଆଦିଲ୍ । ସେମାନଙ୍କୁ ବୁଝାଇ ଆରମ୍ଭ ହୋଇଥିଲା ବସ୍ ମରାମତି କାମ ।

ଏମିତିରେ ସମୟ ଗଡୁଥିବା ବେଳେ ଅଧିକ ବିଳମ୍ବ ଆଶଙ୍କା କରି କଲ୍ୟାଣୀ ସ୍ଥାନୀୟ ଅଡବା ଗ୍ରାମବାସୀଙ୍କ ସହଯୋଗରେ ରୋଷେଇର ବ୍ୟବସ୍ଥା କରିଥିଲେ । ସେ ନିଜେ ଓ ତାଙ୍କ ଟିମ୍ ଏଥିରେ ସାହାଯ୍ୟ କଲେ । ସମସ୍ତଙ୍କ ପାଇଁ ଭାତ, ଡାଲମାର ବ୍ୟବସ୍ଥା ହେବା ପରେ ଟିକେ ଶାନ୍ତିରେ ନିଶ୍ୱାସ ମାରିଥିଲେ ଫସି ରହିଥିବା ଶ୍ରମିକ ଓ ତାଙ୍କ ପରିବାର ।

ମରାମତିରେ ପ୍ରାୟ ଛଅ ଘଣ୍ଟା ସମୟ ଲାଗିଥିବା ବେଳେ ଆବଶ୍ୟକ ଯନ୍ତ୍ରାଂଶ ପାଇଁ କଲ୍ୟାଣଙ୍କ ଟିମ୍ ବେଶ୍ ପରିଶ୍ରମ କରିଥିଲେ । ଶେଷରେ ସନ୍ଧ୍ୟା ସାଢେ ସାତଟାରେ ବସଟି ଠିକ୍ ହେବା ପରେ ତେଲେଙ୍ଗାନା ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଥିଲା ।

ସମସ୍ତ ଶ୍ରମିକ ଓ ସେମାନଙ୍କ ପରିବାର ତହସିଲଦାର କଲ୍ୟାଣ ଓ ତାଙ୍କ ଟିମ୍ ତଥା ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

ତେଲେଙ୍ଗାନାରେ କରିଥିବା ନିଜର ପ୍ରଥମ ଚାକିରୀ ଓ ପାଇଥିବା ପ୍ରଥମ ଦରମା କଥା ମନେ ପକାଇ ଏହି କାର୍ଯ୍ୟ ଦ୍ୱାରା ସେହି ଋଣରୁ କିଛି ଶୁଝି ପାରିବାର ଆତ୍ମସନ୍ତୋଷ ମିଳିଥିବା କହିଛନ୍ତି ମୋହନା ତହସିଲଦାର କଲ୍ୟାଣୀ ।

Leave A Reply

Your email address will not be published.