Latest Odisha News

BREAKING NEWS

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି ସଂଗ୍ରହ ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ କ୍ରିକେଟ୍ ସିରିଜ୍ ଅନୁଷ୍ଠିତ ହେଉ । ଉଭୟ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍ ଖେଳାଗଲେ କିଛି ଅର୍ଥ ସଂଗ୍ରହ ହୋଇପାରିବ ଏବଂ ଏହା କରୋନା ପାଣ୍ଠିକୁ ଯାଇ ଜନସାଧାରଣଙ୍କ ଚିକିତ୍ସାରେ ବ୍ୟବହୃତ ହୋଇପାରିବ ।

ସୋଏବଙ୍କ ଏହି ପ୍ରସ୍ତାବକୁ କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ କପିଳ ଦେବ ନାପସନ୍ଦ କରିଛନ୍ତି । କପିଲ୍ କହିଛନ୍ତି ଯେ, ଭାରତରେ କରୋନା ସହ ମୁକାବିଲା ଲାଗି ଯଥେଷ୍ଠ ଅର୍ଥ ରହିଛି । ଭାରତ-ପାକ ମଧ୍ୟରେ ମ୍ୟାଚ୍ କରାଇ ପାଣ୍ଠି ସଂଗ୍ରହ କରିବା ଏହି ସମୟରେ ଯଥାର୍ଥ ନୁହେଁ ।

ପିଟିଆଇକୁ ଏକ ସାକ୍ଷାତକାର ଦେଇ କପିଳ କହିଛନ୍ତି ଯେ, “ଏହା ତାଙ୍କର (ସୋଏବ ଅଖତାର) ନିଜସ୍ୱ ମତ ହୋଇପାରେ । ମାତ୍ର ଆମେ ଅର୍ଥ ଆବଶ୍ୟକ ଲାଗି ଏପରି ମ୍ୟାଚ ଆବଶ୍ୟକ କରୁନାହୁଁ । ଆମ ପାଖରେ ପ୍ରଚୁର ଅର୍ଥ ଅଛି । ଏବେ ଏପରି ଏକ ସମୟ ସରକାରୀ ବିଭାଗ ଗୁଡ଼ିକ କିପରି ଏହି ମହାମାରୀର ମୁକାବିଲା ସତର୍କତାର ସହିତ କରୁଛନ୍ତି ତାହାହିଁ ଗୁରୁତ୍ୱପୂର୍ଣ୍ଣ । ମୁଁ ଏବେ ଟିଭିରେ ଦେଖୁଛି ରାଜନୈତିକ ବ୍ୟକ୍ତି ବିଶେଷ ଏହି ପରିସ୍ଥିତିରେ ଅନ୍ୟକୁ ମିଛଟାରେ ଦୋଷାରୋପ କରିବାରେ ଲାଗିଛନ୍ତି । ଏପରି କରିବାରୁ ସେମାନେ କ୍ଷ୍ୟାନ୍ତ ରହିବା ଆବଶ୍ୟକ ।”

କପିଳ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମୁକାବିଲା ଲାଗି ବିସିସିଆଇ ଇତିମଧ୍ୟରେ ୫୧ କୋଟି ଟଙ୍କା ଅର୍ଥ ସାହାଯ୍ୟ କରିଛି । ଆବଶ୍ୟକ ପଡ଼ିଲେ ଆହୁରି ଅର୍ଥ ଦିଆଯିବ । ମାତ୍ର ଏବେ ଏପରି ମ୍ୟାଚର ଆବଶ୍ୟକତା ଠିକ୍ ନୁହେଁ ।

Leave A Reply

Your email address will not be published.