Latest Odisha News

BREAKING NEWS

ବାତ୍ୟା ଅମ୍ଫାନ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୟୂରଭଞ୍ଜ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବାରିପଦା: ଆଉ କିଛି ଘଣ୍ଟା ପରେ ଓଡ଼ିଶା ପୁଣି ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛି । ବଙ୍ଗୋପସାଗରରେ ସୃୃଷ୍ଟ ‘ଅମ୍ଫାନ’ ବାତ୍ୟା ମାଡ଼ି ଆସୁଛି । ଏହି ମହାବାତ୍ୟାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳିବ । ଏହି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ସମସ୍ତ ପୂର୍ବ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଜିଲ୍ଲାର ୮ଟି ବ୍ଲକରେ ବହୁ ମାତ୍ରାରେ ପ୍ରଭାବିତ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦିଓ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପବନ ବେଗ ସମୁଦ୍ର ତଟ ଅପେକ୍ଷା କମ ରହିବ ତଥାପି ଏହାର ପ୍ରଭାବରେ ବର୍ଷା ପରିମାଣ ବହୁତ ଅଧିକ ହେବ ବୋଲି ଜଣାପଡିଛି । କଚ୍ଚା ଘର ଗୁଡିକରୁ ଲୋକଙ୍କୁ ପଳାଇ ଆସି ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ରହିବା ପାଇଁ ଉପକୂଳବର୍ତ୍ତୀ ବ୍ଲକ ଗୁଡିକରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଉଛି । ଏହା ସହ ଜିଲ୍ଲାରେ ସମସ୍ତ ବ୍ଲକ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ହୋଇ ରହିବା ପାଇଁ କୁହାଯାଇଛି ।

ବର୍ତ୍ତମାନ ପର‌୍ୟ୍ୟନ୍ତ ଜିଲ୍ଲାକୁ ୨ ଟି ଏନଡ଼ିଆରଏଫ ଟିମ ଓ ୪ଟି ଓଡ୍ରାଫଟ୍ ଟିମ୍ ପହଞ୍ଚି ସାରିଥିବା ବେଳେ ଜିଲ୍ଲାରେ ଥିବା ୨୫ ଟି ଅଗ୍ନିଶମ ବାହିନୀ ଏହି ଆମ୍ଫାନ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଥିବା କଥା କହିଛନ୍ତି ଜିଲ୍ଲା ଏମରଜେନସି ଅଫିସର ସୁଜୟ ପତି । ଗୋଟେ ପଟେ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା କରୁଥିବା ବେଳେ ବତ୍ୟା ଆମ୍ଫାନର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ବ୍ୟାପକ ବନ୍ଦୋବସ୍ତ ହୋଇସାରିଥିବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.