Latest Odisha News

BREAKING NEWS

ସାମାଜିକ ଦୂରତା ଭିତରେ ମହାଦେବଙ୍କୁ ଜଳଲାଗି

କରୋନା କାଳ ଭିତରେ ଆଜି ଶ୍ରାବଣର ପ୍ରଥମ ସୋମବାର । ଶୈବପୀଠରେ ଭକ୍ତଙ୍କ ଭିଡ । ହର ହର ମହାଦେବ ଧ୍ୱନିରେ କମ୍ପୁଛି ଗଗନ ପବନ । ଓମ୍ କାରା ଶବ୍ଦରେ ଝଙ୍କୃତ ହେଉଛି ସାରା ପରିବେଶ । ଭୋଳାବାବାଙ୍କ ଆରତି କରୁଛନ୍ତି ଭକ୍ତ । ଜଳଲାଗି କରୁଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ମନ୍ଦିରରେ ସେମିତି ମାହୋଲ ନାହିଁ । ସବୁଠି ପୂଜାର୍ଚ୍ଚନା କଟକଣା ଭିତରେ କରାଯାଉଛି । ତଥାପି ଶ୍ରାବଣର ପହିଲି ସୋମବାରରେ ମହାଦେବଙ୍କୁ ପୂଜା ପାଇଁ ମନ୍ଦିର ଆସିଛି ଭକ୍ତ ।

ଆଜି ସକାଳୁ ସକାଳୁ ଦେଶର ବିଭିନ୍ନ ଶୈବପୀଠରେ ସାମାଜିକ ଦୂରତା ରଖି ଲୋକଙ୍କ ଲାଇନ୍ ଲାଗିଥିଲା । ଭଗବାନ ଶିବଙ୍କ ନଗରୀ କୁହାଯାଉଥିବା ବାରଣାସୀରୁ ଆରମ୍ଭ କରି ଉଜ୍ଜୟିନୀର ମହାକାଳ ମନ୍ଦିର ସମେତ ଦେଶର ପ୍ରମୁଖ ଶୈବପୀଠରେ ମହାଦେବଙ୍କୁ ଜଳଲାଗି କରିଛନ୍ତି ଭକ୍ତ ।

ଉଜ୍ଜୟିନୀ ମହାକାଳେଶ୍ୱର ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାରରେ ରୀତିନୀତିରେ ପୂଜାର୍ଚ୍ଚା କରାଯାଇଥିଲା । ଭକ୍ତ ଭଗବାନଙ୍କୁ ଜଳାଭିଷେକ କରିଛନ୍ତି । ମାନିଛନ୍ତି ସାମାଜିକ ଦୂରତା ନିୟମ ।

ସେହିପରି ବାରଣାସୀ କାଶୀବିଶ୍ୱନାଥ ମନ୍ଦିର ବାହାରେ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଭିଡ଼ । ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରିଛନ୍ତି । କୋଭିଡ ନିୟମ ପାଳନ ସହ ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ ।

ଗୋରଖପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ଶିବଙ୍କୁ ପୂଜିଥିଲେ । ମାନସରୋବର ମନ୍ଦିରରେ ସକାଳୁ ସକାଳୁ ପହଞ୍ଚି ପୂଜା କରିଥିଲେ ଯୋଗୀ ଆଦିତ୍ୟନାଥ ।
ଦିଲ୍ଲୀ ସମେତ ଦେଶର ବିଭିନ୍ନ ଶିବ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳଲାଗି ଉପରେ ଲାଗିଛି କଟକଣା । ଓଡ଼ିଶାରେ କୌଣସି ଶିବାଳୟରେ ଭକ୍ତ ପାଣି ଢ଼ାଳି ପାରିବେ ନାହିଁ ।

Leave A Reply

Your email address will not be published.