Latest Odisha News

BREAKING NEWS

ଆସନ୍ତାକାଲି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବେ !

ଭୁବନେଶ୍ୱର: ବିଜେପିର ଅନ୍ତର୍ଦଳୀୟ କନ୍ଦଳ ଏବେ ପଦାକୁ ଆସିଛି, କାରଣ ଦୁଇଜଣ ବରିଷ୍ଠ ଦଳୀୟ ନେତା ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇପାରନ୍ତି ।

ଦଳର ପ୍ରାଥମିକ ସଦସ୍ୟତା ପଦରୁ ଦିଲ୍ଲୀପ ରାୟ ଇସ୍ତଫା ଦେବା କଥା ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟ କରିଥିବା ବେଳେ ଅନ୍ୟପକ୍ଷରେ ତାଙ୍କର ସହଯୋଗୀ ବିଜୟ ମହାପାତ୍ର ମଧ୍ୟ ବିଜେପିରୁ ଇସ୍ତଫା ଦେବା ନେଇ ଇଙ୍ଗିତ ପ୍ରଦାନ କରିଛନ୍ତି ।

ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ନେଇ ସେପରି କିଛି ସ୍ପଷ୍ଟ କାରଣ ଦର୍ଶାଇ ନ’ଥିଲେ ମଧ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ରାଉରକେଲା ବିଧାୟକ ତାଙ୍କର ୨ଟି ଦାବି ନେଇ ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି – ୨ୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ନବୀକରଣ କରି ଏକ ସୁପରସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବାର ଦାବି । ରାଜ୍ୟ ନେତୃତ୍ୱ ତଥା କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ବହୁବାର ଅନୁରୋଧ କରିଥିଲେ ମଧ୍ୟ ଦାବି ପୂରଣ ହେଲା ନାହିଁ ।

ଏହି ପ୍ରସଙ୍ଗରେ ଟିପ୍ପଣୀ ଦେଇ ବିଜେପି ନେତା ରବି ନାୟକ କହିଛନ୍ତି, ଶ୍ରୀଯୁକ୍ତ ରାୟ ଏହି ଦାବି ସମ୍ପର୍କରେ ବହୁବାର କେନ୍ଦ୍ର ତଥା ରାଜ୍ୟ ନେତୃତ୍ୱଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏହି ସମସ୍ତ କଥା ସମଗ୍ର ରାଜ୍ୟବାସୀ ଜାଣନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ତା’ର କୌଣସି ନେତାଙ୍କୁ ଅସନ୍ତୁଷ୍ଟ ରଖିବାର ଉଦ୍ଦେଶ୍ୟ ରଖିନାହିଁ ।

ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଦଳରେ ରହିବା ନରହିବା ନେଇ ନେତାଙ୍କ ଉପରେ ନିର୍ଭର କରେ ।

ଶ୍ରୀଯୁକ୍ତ ରାୟଙ୍କ ଦାବି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବ୍ରାହ୍ମଣୀ ନଦୀ ଉପରେ ୨ୟ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ନବୀକରଣ ତଥା ଏହାକୁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ନେଇ ପ୍ରଧାନମନ୍ତ୍ରୀ ଘୋଣଣା କରିଛନ୍ତି । ଏହି ଦୁଇଟି ଦାବି ନିଶ୍ଚିତ ରୂପେ ପୂରଣ ହେବ ।

ଏନେଇ ଦିଲ୍ଲୀପ ରାୟଙ୍କ ସହିତ କିଛି ଆଲୋଚନା ହୋଇଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି କହିଲେ ଏନେଇ ତାଙ୍କ ସହିତ କୌଣସି ବୈଠକ ହୋଇନାହିଁ । “ତାଙ୍କର ଏପରି ନିଷ୍ପତ୍ତି ନେବା କଥା ମୁଁ ଗଣମାଧ୍ୟମରୁ ହିଁ ଜାଣିଲି” ବୋଲି କହିଛନ୍ତି ବସନ୍ତ ପଣ୍ଡା ।

ତେବେ ଯାହାବି ହେଉ ଶ୍ରୀଯୁକ୍ତ ରାୟଙ୍କ ପ୍ରତି ତାଙ୍କ ଦଳର ସମ୍ମାନ ରହିଛି, ବୋଲି କହିଛନ୍ତି ସଭାପତି ବସନ୍ତ ପଣ୍ଡା ।

ବସନ୍ତ ପଣ୍ଡାଙ୍କ ଏହି ବକ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଦିଲ୍ଲୀପଙ୍କ ସହିତ ଏନେଇ ବିଜେପି କୌଣସି ବୁଝାମଣା କରିବ ନାହିଁ ବୋଲି ଏହା ନିଶ୍ଚିତ ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି ।

ଯଦି ଦିଲ୍ଲୀପ ରାୟଙ୍କ ଇସ୍ତଫା ପ୍ରଦାନ ନିଶ୍ଚିତ ହୁଏ ତେବେ ଏହା ବିଜେପି ଲାଗି ବହୁତ ବଡ଼ ଧକ୍କା ସଦୃଶ ହେବ, କାରଣ ଦିଲ୍ଲୀପଙ୍କ ଯୋଗୁଁ ହିଁ ସମଗ୍ର ରାଜ୍ୟରେ ସୁନ୍ଦରଗଡ଼ ପରି ଏକମାତ୍ର ଲୋକସଭା ଆସନ ବିଜେପି ଜିତିପାରିଥିଲା । ଯେଉଁଠି ବିଜେଡ଼ିକୁ ୨୦ଟି ଆସନ ମିଳିଥିଲା ।

କୌଣସି ବିଜେପି ନେତାଙ୍କ ନାମ ନ’ନେଇ ନଭେମ୍ବର ୨୭ ତାରିଖ ଦିନ ଦିଲ୍ଲୀପ ରାୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ, ସେମାନେ ରାଉରକେଲାର ବିକାଶ ଚାହୁଁ ନାହାନ୍ତି । “ ଏସବୁ ବହୁତ ହୋଇଗଲାଣି, ରାଉରକେଲାର କିଛି ଉନ୍ନତି ହେଇ ଏମାନେ ଚାହୁଁନାହାନ୍ତି । ଗତଥର ନିର୍ବାଚନରେ ରାଉରକେଲା ଓ ସୁନ୍ଦରଗଡ଼ରେ ବିଜେପି ଯେଉଁ ଭୋଟ୍ ହାସଲ କରିପାରିଥିଲା ତାହା ଏଥର ଯେମିତି ନ’ହେବ ତାହା ମଧ୍ୟ ଜଣେ ପାୱାରଫୁଲ ନେତା ଚାହୁଁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ଏଥିରେ ମୁଁ କାଳେ ସବୁ କ୍ରେଡ଼ିଟ୍ ନେଇଯିବି ସେହି ଡ଼ର ତାଙ୍କର ରହୁଛି । ମୁଁ ଶେଷଥର ଲାଗି ଚେଷ୍ଟା କରିବି । ଯଦି କିଛି ନ’ହୁଏ ତେବେ ତିନି ଚାରି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି । ମୁଁ ହଟିଗଲେ ରାଉରକେଲାର ଯଦି ଉନ୍ନତି ହୋଇପାରିବ ତେବେ ଭଲ କଥା,” ବୋଲି କହିଥିଲେ ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ।

ସେ ଆହୁରି ମଧ୍ୟ ଅଭିଯୋଗ କରି କହିଥିଲେ, ରାଉରକେଲାରେ ୨ୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ଉନ୍ନୟନ ନିମେନ୍ତେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ, ସେ ରାଜ୍ୟର ଦଳୀୟ ନେତୃତ୍ୱ ତଥା କେନ୍ଦ୍ର ନେତୃତ୍ୱଙ୍କୁ ଏସମ୍ପର୍କରେ ବାରମ୍ଭାର ଅବଗତ କରି ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଥିଲାଗି କୌଣସି କାର୍ଯ୍ୟ।।ନୁଷ୍ଠାନ ଗ୍ରହଣ କରାଗଲା ନାହିଁ । “ ଯଦି ସେମାନଙ୍କର ରାଉରକେଲାର ବିକାଶ ଲାଗି ପ୍ରକୃତରେ ଇଚ୍ଛା ରହିଛି ତେବେ ମୋର କିଛି ହେଲେ କହିବାର ନାହିଁ, ପରିଶେଷରେ ଏହି ପ୍ରସଙ୍ଗରେ ମୁଁ କାହା ସହିତ ଝଗଡ଼ା କରିବାକୁ ଚାହେଁ ନାହିଁ,” ବୋଲି କହିଥିଲେ ଦିଲ୍ଲୀପ ରାୟ ।

ସେ ବିଜେପିର ଜଣେ ବିଧାୟକ ହୋଇଥିବା ସତ୍ତେ୍ୱ ତାଙ୍କୁ ଦଳୀୟ ସଭାସମିତି ବା ଦଳର କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି କ୍ୱଚିତ ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ତିକ୍ତ ସମ୍ପର୍କ ଅବଶ୍ୟ କାହାକୁ ଅଛପା ନୁହେଁ ।

ଦିଲ୍ଲୀପଙ୍କ ଦଳୀୟ ସହଯୋଗୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କର ଏହି ବୟାନକୁ ସମର୍ଥନ କରି ସୋମବାର ଦିନ କହିଥିଲେ, ଦିଲ୍ଲୀପ ରାୟ ଉଠାଇ ଥିବା ଏହି ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ସରକାର, କେନ୍ଦ୍ର, ରାଜ୍ୟ ବିଜେପି ତଥା ଓଡ଼ିଶାର ଜନସାଧାରଣଙ୍କ ସମେତ ସମସ୍ତେ ଅବଗତ ଅଛନ୍ତି ।

“ବିଜେପି ଏବଂ କେନ୍ଦ୍ର ସରକାର ତାଙ୍କର ଏହି ଦାବି ପ୍ରତି ବିଚାର କରିବା ଆବଶ୍ୟକ ରହିଥିଲା । ପ୍ରତ୍ୟେକ ନେତାଙ୍କର ବ୍ୟକ୍ତିଗତ ଭାବେ ନିଜର ରାଜନୈତିକ ନିର୍ଣ୍ଣୟ ନେବାର ଅଧିକାର ରହିଛି । ଯଦି କୌଣସି ବିଧାୟକଙ୍କ ପ୍ରତି ଉଦାସୀନତା ପରିଲକ୍ଷିତ ହୁଏ ବା ସେ ସମାଲୋଚିତ ହେଉଥାଆନ୍ତି ତେବେ ସେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାଆନ୍ତି । ଯଦି ଦିଲ୍ଲୀପ ରାୟ ଏହି ପ୍ରସଙ୍ଗ ଉଠାଇଛନ୍ତି ତେବେ ଏଥିପ୍ରତି ଆଶ୍ଚର୍ଯ୍ୟଚକିତ ହେବା ଉଚିତ,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀପ ରାୟ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ଆଲୋଚନା କରିଥାଆନ୍ତି । ତେବେ ଦିଲ୍ଲୀପ ରାୟ ଦେଇଥିବା ଏହି ବୟାନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଜୟ ମହାପାତ୍ର କହିଥିଲେ, “ଏକ ବୈଠକ ପରେ ଆମେ ଦୁହେଁ ଗୋଟିଏ ନିଷ୍ପତ୍ତି ନେବୁ ।”

ଦିଲ୍ଲୀପ ରାୟଙ୍କ ପରି ରାଜ୍ୟ ବିଜେପି ନେତୃବର୍ଗଙ୍କ ସହିତ ବିଜୟ ମହାପାତ୍ରଙ୍କର ମଧ୍ୟ ସେଭଳି ଭଲ ତାଳମେଳ ନାହିଁ ।

Leave A Reply

Your email address will not be published.