ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନେ ଆଜି ରତ୍ନସିଂହାସନରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ନିତିନିର୍ଘଣ୍ଟ:
ଆଜି ରାତି ୩ଟାରେ ଦ୍ବାରଫିଟା ହେବା ପରେ ପରେ ସାଢ଼େ ୩ଟାରେ ଭିତର ଶୋଧ, ଭୋର ୪ଟାରେ ମଙ୍ଗଳ ଆଳତି, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି, ୫ଟା ୧୫ରେ ଅବକାଶ, ୫ଟା ୪୫ରେ ରୋଷହୋମ, ୬ଟା ୧୫ରେ ସୂର୍ଯ୍ୟପୂଜା ଶେଷ ହୋଇ ସାଢ଼େ ୬ଟାରେ ଦ୍ବାରପାଳ ପୂଜା, ମହାପ୍ରଭୁଙ୍କ ସର୍ବାଙ୍ଗ ଓ ନୂଆଲୁଗା ଲାଗି ହୋଇଛି।
ଏହାପରେ ସକାଳ ୭ଟାରୁ ସାଢ଼େ ୭ଟା ଖଇକୋରା ଭୋଗ, ୭ଟା ୪୫ରେ ଭିତର ବେଢ଼ା ଶେଷ ହେବ। ପରେ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିଛନ୍ତି ।ସକାଳ ୮ଟାରୁ ସାଢ଼େ ୯ଟା ଭିତରେ ଶ୍ରୀଜୀଉଙ୍କ ରାଜଧିରାଜ ବେଶ ସରିବା ପରେ ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ହୋଇଛି।
ଏହାପରେ ଡି ୧୦ଟାରେ ବିମାନକୁ ଦିଅଁ ବିଜେ କରିବା ପରେ ବିମାନ ବେଢ଼ା, ଗୋପାଳବଲ୍ଲଭ ଓ ସକାଳଧୂପ, ଭୋଗମଣ୍ଡପ ଶେଷ ହୋଇ ରାତି ୯ଟାରେ ଦୋଳବେଦୀ ନୀତି ସାରି ଠାକୁର ବାହୁଡ଼ା ବିଜେ କରିବେ।
ରାତି ୧୦ଟାରେ ବେଢ଼ା ଶେଷ ପରେ ସରସ୍ବତୀ ମନ୍ଦିର ପାଖରେ ଭୋଗ, ବନ୍ଦାପନା, ବିମାନ ସହ ଭିତରକାଠକୁ ଦିଅଁ ବିଜେ, କର୍ପୁର ଆଳତି ଓ ଜଳ ଲାଗି, ଲକ୍ଷ୍ମୀ, ସରସ୍ବତୀ ସିଂହାସନକୁ ବିଜେ ଓ ଦୋଳଗୋବିନ୍ଦ ଦକ୍ଷିଣଘରକୁ ବିଜେ କରିବେ।
ଏହାପରେ ରାତି ୧୦ଟା ୩୫ରେ ରାଜାଧିରାଜ ବେଶ ମଇଲମ ଅନୁଷ୍ଠିତ ହେବ। ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ରାତି ୩ଟା ୧୫ରୁ ସାଢ଼େ ୩ଟା ଭିତରେ ବଡ଼ସିଂହାର ବେଶ ଓ ଭୋଗ ପରେ ରାତି ୩ଟା ୪୫ରେ ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।