Latest Odisha News

ଲଗାଣ ବର୍ଷାର ପ୍ରଭାବ: ଖୋର୍ଦ୍ଧା ଓ କଟକ ଜିଲ୍ଲାର ସମସ୍ତ ସ୍କୁଲ/କଲେଜ ଆଜି ଛୁଟି ରହିଲା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଉପକୂଳ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଏଭଳି ପରିସ୍ଥିତି ତଥା ଲଗାଣ ବର୍ଷାକୁ ନଜରରେ ରଖି କଟକ ଓ ଖୋର୍ଦ୍ଧାର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଗୁଡିକୁ ଛୁଟି ଘୋଷଣା କରିଛନ୍ତି । ତେବେ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଦିନକ ଲାଗି ଛୁଟି ଘୋଷଣା କରାଯାଇଥିଲା ।

ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବର୍ଷା ଲାଗି ରହିଥିବାରୁ ରାଜଧାନୀ ଓ କଟକ ସମେତ ଅନ୍ୟ ଅଞ୍ଚଳଗୁଡିକ ପାଣି ଘେରରେ ଫସି ରହିଛି । ଫଳରେ ରାସ୍ତାଘାଟରେ ପାଣି ଜମିବା ସହ ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ ଜନଜୀବନ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଲାଗି ଛୁଟି ଘୋଷଣା କରାଯାଇଛି ।

ଏପରିକି ସ୍ଥାନେ ସ୍ଥାନେ ଲୋକଙ୍କ ଘରେ ପାଣି ପଶି ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଆଜି ମଧ୍ୟ ବସ-ଟ୍ରକ୍ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି, ଫଳରେ ଯାତ୍ରୀ ମାନଙ୍କ ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏହା ବ୍ୟତୀତ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି ।

Leave A Reply

Your email address will not be published.