Latest Odisha News

BREAKING NEWS

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ

ଜ୍ୟୋତି ନନ୍ଦ

ଗଣିଲେ ସଂଖ୍ୟାରେ ତାହା ହେବ ସାତୋଟି ଫରୁଆ । ଫରୁଆଗୁଡିକ ତିଆରି ହୋଇଛି ଆଉଟା ସୁନାରେ ଆଉ ଧଉଳା ରୁପାରେ । ଗୋଟିକୁ ସିନା ଆମେ ଦେଖିପାରିବୁ ହେଲେ ସେଇ ଗୋଟିକ ଭିତରେ ରହିଛି ଆଉ ଗୋଟିଏ ଆଉ ତାହା ଭିତରେ ପୁଣି ଆଉ ଗୋଟିଏ, ଏମିତି ହୋଇ ରହିଛନ୍ତି ଯୋଡିଯାଉଁଳି ହୋଇ ସେଇ ସାତୋଟିଯାକ ଫରୁଆ । ସବୁଠୁ ବେଶି ଅଂଧାରରେ ଥିବା ଆଉ ଏମିତିରେ ସବୁଠୁ ଯେଉଁ ଫରୁଆଟି ଆକାରରେ ଛୋଟ ତାହାରି ଭିତରେ ରହିଛି ଆଜିର କୁହୁକ । ଏକ ଶରୀରାଂଶ । ଆମେ ଆମର ରୂପକଥାରେ ଜାଣିଛୁ ଯେ ସେଇମିତି ସ୍ଥାନରେ ସୁରକ୍ଷିତ ହୋଇ ରହିଥାଏ ଆମର ଦୁର୍ଦ୍ଧଷ ରାକ୍ଷସର ଜୀବନ ନାଟିକା । ଏହିଭଳି ଅଗମ୍ୟ ଆଉ ଅପହଂଚ ସୁରକ୍ଷାରେ ରହିଥିବା କାରଣରୁ ରାକ୍ଷସମାନେ ଅତ୍ୟନ୍ତ ନିଷ୍ଠୁର । ସେ ଯାହାହେଉ ଆମ କାହାଣୀର ନାୟକ ସମସ୍ତ ଅସାଧ୍ୟସାଧନ କରି ପରିଶେଷରେ ସାତତାଳ ପାଣି ଆଉ ତାହା ତଳର ସାତତାଳ ପଙ୍କ ଓ ତାହାତଳରେ ସାତଫରୁଆ ଭିତରୁ ସେହି ରାକ୍ଷସର ଜୀବନନାଟିକା ବୋଲି କୁହାଯାଉଥିବା ଗୁଂଜରାପୋକକୁ ଚିପି ମାରିବା ସହ ଆମକୁ ରାକ୍ଷସ କବଳରୁ ଉଦ୍ଧାର କରିବାକୁ ସମର୍ଥ ହୋଇଥାଏ । ମାତ୍ର ଆଜିର ପ୍ରସଂଗରେ ସାତଟି ଫରୁଆ ର ଆଢୁଆଳ ରହିଥିଲେହେଁ ତାହା ଭିତରେ ଅର୍ଥାତ୍ ସବୁଠୁ ଶେଷ ଅଭ୍ୟନ୍ତରରେ ରାକ୍ଷସବୃତାନ୍ତ ଜମା ନାହିଁ । ସେଇଠି ଯାହା ରହିଛି ତାହା ହେଉଛି ଏକ କୁହୁକ ।ସେହି କୁହୁକଟି ଅଲୌକିକ ଆଲୁଅର ଛାଉଣୀରେ ସର୍ବଦା ଜହ୍ନମୟ । ସେଇଟି ପାଖରେ ଅଛି ବୋଲି ସେ ଅଂଚଳ ସମସ୍ତ ଆପଦ ଆଉ ବିପଦରୁ ପରିତ୍ରାଣ ପାଇପାରିବେ ବୋଲି ଦୃଢ ବିଶ୍ୱାସ ପୋଷଣ କରିଆସୁଅଛନ୍ତି । ପ୍ରାଚୀନ କାଳରେ ଆଦିମ ମାନବ ଅନୁଭବ କରୁଥିଲା ଯେ ସେ ଯେଉଁ ଅଂଚଳରେ ବସବାସ କରେ ସେଇ ଅଂଚଳର କିଛି ଗଛବୃଛ,ପଥର,ପଶୁପକ୍ଷୀଙ୍କ ଦେହାବଶେଷଆଦି ତାହାକୁ ତଥା ତାହାର ଗୋଷ୍ଠୀକୁ ସମସ୍ତ ଅନାଗତ ବିପଦରୁ ସୁରକ୍ଷିତ କରି ରଖିଥାଆନ୍ତି । ଆଧୁନିକ ନୃତତ୍ୱର ପରିଭାଷାରେ ତାହାକୁ ‘ଟୋଟେମ’ ବୋଲି କୁହାଯାଏ ।ଏବଂ ମଣିଷ ଭିତରେ ସର୍ବଦା ନିଜ ନିଜର ‘ଟୋଟେମ’କୁ ଯତ୍ନର ସହ ସଂରକ୍ଷିତ କରି ରଖିବାଭଳି ଏକପ୍ରକାର ଦୈବଅନୁକମ୍ପାମୂଳକ ଆତ୍ମରକ୍ଷାର ଆଦିମପ୍ରବୃତି ନିହିତ ହୋଇ ରହିଅଛି ।ଆଜିର ସାତସାତୋଟି ସୁନେଲି ଆଉ ରୁପେଲି ଫରୁଆ ଭିତରେ ଥିବା କୁହୁକ ଟି ସେମିତି ଏକ ଟୋଟେମ୍ ।କହିବାକୁଗଲେ ଟୋଟେମ୍ ହେଉଛି ଏକ ବିଶ୍ୱାସର ନିର୍ମାଣ । ତେଣୁ ଏଠାରେ ବିଶ୍ୱାସଟି ମୂଳ ଅବଧାରଣା ହୋଇଥିବା କାରଣରୁ ଏହି ପ୍ରସଂଗପଛରେ ଐତିହାସିକ ପ୍ରାମାଣିକତା ଯେତିକି ରହିଥିବ ତାହାଠାରୁ ଅଧିକ ଅଛି କୁହୁକର ରୂପକଥା ।

ସାତସାତୋଟି ଫରୁଆ ତଳେ ବସିଥିବା ଏହି ବସ୍ତୁଟି କ‘ଣ ? ଏଠାରେ ଏହା ଏକ ଶରୀରାଂଶ । କଥାଟିକୁ ଟିକିଏ ସ୍ଫଷ୍ଟ ଭାବରେ କହିଲେ, ଆମର ସାଧାରଣତଃ ଏକ ଦୃଢ ବିଶ୍ୱାସ ରହିଥାଏ ଯେ, ଯେଉଁ ମଣିଷମାନେ ସାଧାରଣ ଅର୍ଥରେ ଅସାଧାରଣ ସେମାନଙ୍କର ଅନେକ କଛି ଅସାଧାରଣତ୍ୱ ସହ ଜନ୍ମଗ୍ରହଣ କରିଥାନ୍ତି ଯାହାକୁ ଆଉ ପାଂଚଜଣଙ୍କ ସହ ଏକାଠି ତୁଳନା କରାଯାଇପାରିବ ନାହିଁ ।ସେହି ବିଚକ୍ଷଣମାନଙ୍କର ଶରୀର ବି ଆମ ମାନଙ୍କ ଭଳି ସାଧାରଣ ଦିଶୁଥିଲେ ବି ତାହା ସେମିତି ଅବିକଳ ନୁହଁ । ସେମାନଙ୍କର ଜ୍ଞାନକୁ ନେଇ,ସେମାନଙ୍କର ଅଲୌକିକ କାର୍ଯ୍ୟକଳାପକୁ ନେଇ ଆମର କୌତୁହଳର ଶେଷ ନଥାଏ ଏବଂ ଆମେ ଆମର ସମସ୍ତ କୌତୁହଳକୁ ସେହି ଉପସ୍ଥିତ ମହାମନୀଷୀଙ୍କ ଶରୀରରୁ ଖୋଜିବାକୁ ବେଳେବେଳେ ପ୍ରୟାସ କରିଥାଉ । ଆଇନଷ୍ଟାଇନଙ୍କ ମସ୍ତିଷ୍କ ସାଧାରଣ ମସ୍ତିଷ୍କ ଠାରୁ ଭିନ୍ନ ଏହିଭଳି ଏକ ଧାରଣା ଆମ ଭିତରେ ରହିଥିବା କାରଣରୁ ଆମେ ଆଇନଷ୍ଟାଇନଙ୍କ ମସ୍ତିଷ୍କକୁ ତାଙ୍କର ଶରୀରରୁ ବିଚ୍ୟୁତ କରି ତାହାକୁ ପରୀକ୍ଷାଗାରରେ ପରୀକ୍ଷାକରି ଏକ ନିଶ୍ଚିତ ସିଦ୍ଧାନ୍ତରେ ପହଂଚିବାକୁ ଚାହୁଁ । ଏଇଟି ହେଉଛି ଗୋଟିଏ ଉଦାହାରଣ । ଠିକ୍ ସେହିପରି ଯେଉଁମାନେ ସାଧୁସନ୍ଥ ଅବା ଦେବପୁରୁଷ ସେମାନଙ୍କର ଶରୀରାଂଶରେ ସମସ୍ତ ଅଲୌକିକତା ରହିଛି ବୋଲି ଆମର ବିଶ୍ୱାସ ରହଥିିବା କାରଣରୁ ଆମେ ତାହାକୁ ସଂଗ୍ରହ କରି ତାହାକୁ ଆମର ସାନ୍ନିଧ୍ୟରେ ସଦାସର୍ବଦା ରଖିଥାଉ ଏକ ଟୋଟେମ୍ ହିସାବରେ । ଏଇଠି ଗୋଟିଏ ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ କରିବାକୁ ଚାହିଁବି । କବିଗୁରୁ ରବୀନ୍ଦ୍ରନାଥଙ୍କ ଶରୀର ଚିତାରେ ଉଠିଲାବେଳକୁ ତାଙ୍କ ମୁହଁରେ ଟିକିଏ ବୋଲି ଦାଢୀ ରହିନଥିଲା କାରଣ ତାଙ୍କର ଶବାଧାର ପଛରେ ଯେଉଁ ଅଭୂତପୂର୍ବ ତଥା ବିପୁଳ ଜନସ୍ରୋତ ଚାଲିଥିଲେ ସେମାନଙ୍କ ଭିତରୁ ଅନେକ କବିଗୁରୁଙ୍କର ଦେହାବଶେଷରୁ କିଛି ସଂଗ୍ରହ କରି ନିଜ ପାଖରେ ରଖିଲେ ତାହା ଶୁଭଙ୍କର ହେବ ବୋଲି ନିଶ୍ଚିତ ଥିଲେ । ତେଣୁ ରବୀନ୍ଦ୍ରନାଥଙ୍କ ଶରୀରର ଶେଷାବସ୍ଥା ଏହିପରି କରୁଣ ଥିଲା ।

ଏଠାରେ ଯେଉଁ ଶରୀରାଂଶର କଥା ରହିଛି ତାହା ହେଉଛି ମହାତ୍ମା ଗୌତମ ବୁଦ୍ଧଙ୍କର ଶରୀରାଂଶ । ଗୌତମ ବୁଦ୍ଧଙ୍କର ମାତ୍ରାଧିକ ପ୍ରସିଦ୍ଧିର କାରଣରୁ ତାଙ୍କର ମହାପରିନିର୍ବାଣ ପରେ ତାଙ୍କର ଶରୀରାଂଶ ପ୍ରତି ଲୋକଙ୍କର କୌତୁହଳ କେଉଁପରି ଅଧିକ ରହିଥାଇପାରେ ତାହା ଉପରୋକ୍ତ କବିଗୁରୁ ରବୀନ୍ଦ୍ରନାଥଙ୍କ ଉଦାହାରଣରୁ ବୁଝିବା ସହଜ ହେବ । ଗୌତମ ବୁଦ୍ଧଙ୍କ ସମୟ ହେଉଛି ଖ୍ରୀପୂ ୫୬୩ ରୁ ଖ୍ରୀପୁ ୪୮୩ । ସେହି ସମୟର ପ୍ରଚଳିତ ବ୍ରାହ୍ମଣ୍ୟ ଧର୍ମର ବିଧିବିଧାନ ପ୍ରମୁଖତାକୁ ସେ ବିରୋଧ କରି ଏକ ପ୍ରତିବାଦୀ ଧାର୍ମିକ ବ୍ୟବସ୍ଥାର ସୂତ୍ରପାତ କରିଥିଲେ । ସେହି ସମୟର ଭାରତ ରାଜନୈତିକ ଦୃଷ୍ଟିରୁ ଦୁଇଟି ଏକକର ଭୂ-ଦେଶରେ ବିଭାଜିତ ହୋଇଯାଇଥିଲା । ଗୋଟିଏ ହେଉଛି ବୃହତର ସମତଳ ଅଂଚଳ ଯେଉଁଠି ରାଜତନ୍ତ୍ର ପ୍ରଚଳିତ ଥିଲା ଏବଂ ସେହି ଅଂଚଳରେ ଧର୍ମାଚାର ଓ ସମସ୍ତ ରକ୍ଷଣଶୀଳତା ସହିତ ବ୍ରାହ୍ମଣ୍ୟଧର୍ମର ପ୍ରାଧାନ୍ୟ ରହିଥିଲା । ଭୌଗଳିକ ଦୃଷ୍ଟିରୁ ଆର ଏକକଟି ଅରଣ୍ୟ ତଥା ଅନୁର୍ବର ଅଂଚଳ ଯେଉଁଠି ଗଣତନ୍ତ୍ରର ଭିତିଭୂମିଟି ସୁଦୃଢ ଥିଲା । କହିବାକୁଗଲେ ଏହି ଗଣତାନ୍ତ୍ରୀକ ଅନୁର୍ବର ଅଂଚଳ ସାଧାରଣଭାବରେ ଯେଉଁମାନେ ରାଜତନ୍ତ୍ରଦ୍ୱାରା ଉପେକ୍ଷିତ ବା ଯେଉଁମାନେ ରାଜତନ୍ତ୍ରକୁ ପ୍ରତ୍ୟାଖ୍ୟାନ କରୁଥିଲେ ସେଇମାନଙ୍କର ଏକ ସ୍ୱପ୍ନର ବସତି ଥିଲା । ତେଣୁ ଏହି ଅଂଚଳ ବିଚାରଗତ ଦୃଷ୍ଟିରୁ ଭାରତର ସେସମୟର ବିସ୍ତୃତଅଂଚଳର ତୁଳନାରେ ଯଥେଷ୍ଟ ପ୍ରଗତିଶୀଳ ,ଉଦାରବାଦୀ ଓ ପ୍ରତିବାଦୀ ଥିଲା । କପିଳବାସ୍ତୁ ଓ କୁନ୍ଦଗ୍ରାମ ଭଳି ଦୁଇଟି ସେଇଭଳି ଭୌଗଳିକ କ୍ଷୁଦ୍ରାଂଶରୁ ଉପଜାତ ହୋଇଥିଲେ ଯଥାକ୍ରମେ ଗୌତମ ବୁଦ୍ଧ ଓ ମହାବୀର ବର୍ଦ୍ଧମାନ । ନିରବଚ୍ଛିନ୍ନ ପରିଚାଳନାରେ ବ୍ରାହ୍ମଣ୍ୟଧର୍ମକୁ ପ୍ରତିହତ କରିବା ସହିତ ଗୌତମ ବୁଦ୍ଧ ତାଙ୍କର ଧର୍ମୀୟ ବିଚାରଧାରାକୁ ଭାରତ ବର୍ଷର ମୂଖ୍ୟ ଧର୍ମଧାରାରେ ପରିଣତ କରିପାରିଥିଲେ । ଇତିହାସ ତଥା ପରଂପରା, ପ୍ରାକୃତିକ ନିୟମର ମର୍ଯ୍ୟାଦା, ମାନବିକ ସମସ୍ୟା,ଚେତନାମଗ୍ନତା,ପାର୍ଥୀବ ସମସ୍ୟା,କର୍ମ ସଂସ୍କାର,ଶୃଙ୍ଖଳା,ନୀତିବୋଧ, ଆଧିଭୌତିକ ତଥା ମରଣୋପରାନ୍ତ ଜୀବନ ଉପରେ ଆଧାରିତ ଗୌତମ ବୁଦ୍ଧଙ୍କ ଧର୍ମମାର୍ଗୀୟ ମଧ୍ୟମପଂଥା ସେ ସମୟରେ ବିଶେଷ ଭାବରେ ଲୋକାଭିମୁଖୀ ହୋଇପାରିଥିଲା । ଏମିତିରେ କହିବାକୁ ଗଲେ ଗୌତମ ବୁଦ୍ଧ କୌଣସି ପ୍ରକାର ଅଲୌକିକତା ପ୍ରଦର୍ଶନ କରିବାରେ ସର୍ବଦା ଅନାଗ୍ରହୀ ଥିଲେ । ମୂଖ୍ୟତଃ ତିନି ପ୍ରକାରର ଅଲୌକିକତା ତାଙ୍କର ଆୟତରେ ଥିଲା ।ସେଗୁଡିକ ହେଲା, ଶୁନ୍ୟରେ ଭାସମାନ ହେବା,କୌଣସି ଆଗନ୍ତୁକର ମନକୁ ପଢିପାରିବା ଏବଂ ସମସ୍ତେ ଯେଉଁ କଥାକୁ ଶୁଣି ପାରୁ ନାହାଁନ୍ତି ସେଇକଥାକୁ ଶୁଣି ପାରିବା । ଗୌତମ ବୁଦ୍ଧ ଏହି ଅଲୌକିକ କାମଗୁଡିକୁ କେବଳତାଙ୍କ ଉପରେ ଅବିଶ୍ୱାସ ପ୍ରକଟ କରୁଥିବା ସଂଶୟୀ ବ୍ୟକ୍ତିମାନଙ୍କ ଉପରେ ପ୍ରୟୋଗ କରୁଥିଲେ, ତାହା ପୁଣି ଖୁବ୍ କ୍ୱଚିତ୍ । ଖ୍ରୀପୂ ୪୬୩ରେ ଗୌତମ ବୁଦ୍ଧଙ୍କର ବର୍ତମାନର ବିହାରର କୂଶୀନଗର ନାମକ ସ୍ଥାନରେ ରାଜା ମଲ୍ଲଙ୍କର ଏକ ଶାଳ ଉଦ୍ୟାନରେ ଦେହାବସାନ ଘଟିଥିଲା । ପ୍ରକୃତରେ ଗୌତମ ବୁଦ୍ଧଙ୍କର ଦେହାବସାନ ପରେ ପ୍ରକୃତ ଅର୍ଥରେ କହିବାକୁଗଲେ ଯାହାକିଛି ଅଲୌକିକ କାର୍ଯ୍ୟ ଦେଖିବାକୁ ମିଳିଥିଲା । ତାଙ୍କର ଦେହ ଚିତାରେ ଭସ୍ମିଭୂତ ହୋଇଥିଲେ ହେଁ ତାଙ୍କର ସାତଗୋଟି ଶରୀରାଂଶ ଅକ୍ଷତ ରହିଥିଲା । ସେହି ସାତଟି ହେଉଛି ତାଙ୍କର କପାଳର ଖଣ୍ଡିଏ ଅସ୍ଥି,ଦୁଇଟି କଲାର୍ ବୋନ୍ ବା ବେକ ତଳକୁ ଅସ୍ଥି ଏବଂ ଚାରୋଟି ଛାମୁଦାନ୍ତ ।ଏହି ସାତୋଟି ଅବଶେଷାଂଶକୁ ସଂରକ୍ଷିତ କରି ରଖିବାର ଆୟୋଜନ ଚାଲିଲା । ଆଗରୁ ଗୌତମ ବୁଦ୍ଧ ତାଙ୍କର ଶିଷ୍ୟ ମାନଙ୍କୁ କହିଥିଲେ ଯେ, ମଣିଷର ଯେଉଁ ଅବଶେଷ ରହିଥାଏ ତାହାକୁ ଯତ୍ନର ସହ ରଖିବା ଆବଶ୍ୟକ,ଯାହାଫଳରେ ଏହି ଅବଶେଷାଂଶ ସବୁବେଳେ ମନେ ପକାଇଦେବ ଯେ, ମଣିଷର ସୁନ୍ଦର ଶରୀର ହେଉଛି ଅନିତ୍ୟ ।ତେଣୁ ବୁଦ୍ଧଙ୍କ ଅନୁଗାମୀ ମାନଙ୍କ ଭିତରେ ତାଙ୍କର ଏହି ଅବଶେଷକୁ ନେବାପାଇଁ ତୁମୁଳ କନ୍ଦଳ ଲାଗି ରହିଥିଲା । ଗୌତମ ବୁଦ୍ଧଙ୍କ ଦେହର ଏହି ଅବଶେଷମାନ ସେତେବେଳକୁ ତାଙ୍କର ଅନୁଗାମୀ ରାଜାମାନଙ୍କ ବିଚାରରେ ଏକ ଟୋଟେମ୍ ଭଳି ଅଲୌକିକତା ସଂପନ୍ନ ହୋଇ ସମସ୍ତ ଆପଦବିପଦରୁ ସେମାନଙ୍କୁ ରକ୍ଷା କରିପାରିବାର ବିଶ୍ୱାସ ସୃଷ୍ଟି କରିଥିଲା । ଶେଷରେ ତାଙ୍କର ଦେହାବଶେଷର ଏକ ସୁଷମବଂଟନ କରାଯାଇଥିଲା । ତାଙ୍କର ଶରୀରର ତିନୋଟି ଅସ୍ଥି ଯଥା ତାଙ୍କର କପାଳର ଅସ୍ଥି ଓ ଦୁଇଟି କଲାର ବୋନ୍କୁ ତାଙ୍କର ପ୍ରିୟ ଶିଷ୍ୟ ‘ଅରହନ୍ତ’ ମାନେ ନେଇଥିଲେ । ସେମାନେ ତାହାକୁ ନେଇ ଶ୍ରୀଲଙ୍କାର ତ୍ରିଙ୍କୋମାଳି ଓ ଅନୁରାଧାପୂରମ୍ଠାରେ ମନ୍ଦିର ନିର୍ମାଣ କରି ସେଥିରେ ରଖିଥିଲେ । ଗୌତମ ବୁଦ୍ଧଙ୍କ ସେହି ଚାରିଗୋଟି ଛାମୁଦାନ୍ତରୁ ଗୋଟିଏକୁ ଅରହନ୍ତ ଖେମା ବୋଲି ଜଣେ ବୌଦ୍ଧ ଭିକ୍ଷୁ ନିଜ ପାଖରେ ରଖି ତାହାକୁ ନିଜ ମସ୍ତକ ଉପରେ ରଖି ଭିନ୍ନଭିନ୍ନ ଦେଶ ପର୍ଯ୍ୟଟନରେ ବାହାରିଗଲେ ।ଆଉ ଗୋଟିଏ ନାଗଲୋକକୁ ଗଲା । ତୃତୀୟଟି ସୋମାବତୀ ଚେତିୟା ବୋଲି ଶ୍ରୀଲଙ୍କାର ପୋଲୋନୁରୁଭର ଜଣେ ରାଜାଙ୍କ ପାଖରେ ରହିଲା । ଶେଷ ଏବଂ ଚତୁର୍ଥ ଦାନ୍ତଟିର କାହାଣୀ ବଡ ବିଚିତ୍ର ଓ ତାତ୍ପର୍ଯ୍ୟପୂର୍ଣ୍ଣ ।ଏହାକୁ ଦ୍ରୋଣ ବୋଲି ଜଣେ ବ୍ରାହ୍ମଣ ନିଜର ପଗଡି ଭିତରେ ଲୁଚାଇ ନେଇଯାଇଥିଲେ ।

ଦ୍ରୋଣ ଏହି ଚତୁର୍ଥ ଦାନ୍ତଟିକୁ ଅପହରଣ କରି ନେବା ପଛରେ ତାଙ୍କର କୌଣସି ଦୂରଭିସନ୍ଧି ନଥିଲା । ସେ ବିଶ୍ୱାସ କରୁଥିଲେ ଯେ ଧଳା ଆଉ ଇଷତ ବାଦାମୀ ରଂଗର ସାଧାରଣ ମଣିଷର ଦାନ୍ତଠାରୁ ଟିକିଏ ବଡ ପ୍ରାୟତଃ ଆକାରରେ ଦେଢଇଂଚ ହେବ ଏହି ଦାନ୍ତ ପଛରେ ଦୈବିକ ଆସ୍ଥା ଓ ଅଲୌକିକତା ରହିଛି ଏବଂ ଏହା ରାଜ୍ୟରେ ରହିଛିମାନେ ରାଜ୍ୟର ସବୁକିଛି କୁଶଳମଙ୍ଗଳ ଓ ରାଜ୍ୟ ନିରାପଦ । ତେଣୁ ସେ ଏହି ଦାନ୍ତକୁ ତାଙ୍କର ରାଜା ଅନନ୍ତପିଡିକାଙ୍କୁ ପ୍ରଦାନ କଲେ । ରାଜା କିନ୍ତୁ ଅବିଶ୍ୱାସୀ ଥିଲେ । ସେ ତେଣୁ ଗୋଟିଏ ହାତୁଡିରେ ଏହି ଦାନ୍ତକୁ ପ୍ରହାର କରିଥିଲେ । ଆଶ୍ଚର୍ଯ୍ୟର କତା ଏହି ଦାନ୍ତଟିର କୌଣସିକ୍ଷତି ହେଲା ନାହିଁ ଆଉ ଏହା ସେହି ହାତୁଡି ଦେହରେ ଲାଗିରହିଗଲା ।ଯେତେ ଯାହାକଲେ ବି ଏହା ହାତୁଡି ଅଗରୁ ଛାଡିଲା ନାହିଁ । ରାଜା ତେଣୁ ପ୍ରାର୍ଥନା କଲେ ଓ ହଠାତ୍ ଏହି ଦାନ୍ତଟି ଆକାଶକୁ ଉଡିଯାଇ ଇନ୍ଦ୍ରଧନୁ ହୋଇଗଲା । ତାହାପରେ ରାଜା ହାତରେ ଗୋଟିଏ ପଦ୍ମଫୁଲ ଧରି ଅତ୍ୟନ୍ତ ନିଉଛାଳି ହେବାରୁ ସେଇ ଦାନ୍ତଟି ହଠାତ୍ ଆସି ସେଇ ପଦ୍ମଫୁଲ ଉପରେ ବସିଗଲା । ଏହିଭଳି ହାତୁଡି ଓ ପଦ୍ମଫୁଲର କାହାଣୀ ଏହି ଦାନ୍ତ ସହିତ ଆଉ ଥରେ ଅଧେ ଜଡୀତ ହୋଇ ରହିଛି । ସେ ଯାହାହେଉ ତାହା ପରଠାରୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ଯାଏଁ ଏହି ଦାନ୍ତ ଟି ଜଣେ ରାଜା ଠାରୁ ଆଉ ଜଣେ ରାଜା ହାତକୁ ଯାଇଥାଏ ଆଉ ଆସୁଥାଏ । ସମସ୍ତେ ପ୍ରତିବର୍ଷ ସେହି ଦାନ୍ତକୁ ହାତୀପିଠିରେ ବସାଇ ନିଜର ରାଜ୍ୟସାରା ପରଭ୍ରମଣ କରାଉଥିଲେ । ଏହି ଦାନ୍ତକୁ କେନ୍ଦ୍ରକରି ବାର୍ଷିକ ଉତ୍ସବଟି ଅତ୍ୟନ୍ତ ଲୋକପ୍ରିୟ ହେଉଥିଲା । ସବୁଥର ସେଇ ଦାନ୍ତଟି ଫରୁଆ ଭିତରେ ଫରୁଆ ଆଉ ତାହା ଭିତରେ ଫରୁଆ ଏମିତିକରି ସୁନାରୂପାର ସାତଟି ଫରୁଆର ସବା ଶେଷ ଫରୁଆରେ ରହିଥାଏ ।ଏବଂ ତାହା ଚାରିପଟରେ ତାହାକୁ ଘେରି ରହିଥାଏ ବିଶ୍ୱାସ ଆଉ ଅବିଶ୍ୱାସର ମନମୋହକ କୁହୁକ ।

୧୮୬୧ ଖ୍ରୀଷ୍ଟାବ୍ଦରେ ଆଲେକଜାଣ୍ଡର କନିଙ୍ଗହାମ୍ ଭାରତରେ ନବଗଠିତ ଭାରତୀୟ ପୂରାତତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧ୍ୟକ୍ଷ ହେଲେ । ସେ ଏହି ସଂସ୍ଥାର ଅଧ୍ୟକ୍ଷ ହେବାପରେ ଗୌତମ ବୁଦ୍ଧଙ୍କର ସେହି ଚତୁର୍ଥ ଛାମୁଦାନ୍ତର କାହାଣୀ ଏକ ଭିନ୍ନ ମୋଡ ନେଇଥିଲା । କନିଙ୍ଗହାମ୍ ବିଶ୍ୱାସ କରୁଥିଲେ ଯେ ଓଡିଶାର ଜଗନ୍ନାଥ ପୁରୀ ହେଉଛି ଅସଲରେ ଦନ୍ତପୂର । ଜଗନ୍ନାଥଙ୍କ ସହିତ ବୌଦ୍ଧ ଧର୍ମକୁ ଯୋଡି ସେ ନିଜର ଏହପରି ନିଷ୍କର୍ଷ ନିର୍ଣ୍ଣୟ କରିଥିଲେ । ଏକରେ, ବୌଦ୍ଧଧର୍ମରେ ଥିବା ବୁଦ୍ଧ,ଧର୍ମ ଆଉ ସଂଘ ରୂପରେ ଯେଉଁ ତ୍ରିରତ୍ନ ସେହିଭଳି ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ତିନିମୂର୍ତୀର ପୂଜା,ଦ୍ୱିତୀୟରେ,ଜଗନ୍ନାଥଙ୍କ ର ନିର୍ମାଣ ପାଇଁ ଯେଉଁ ଦାରୁ ତାହା ଅସଲରେ ଶ୍ରୀକୃଷ୍ଣଙ୍କ ଅସ୍ଥି, ତୃତୀୟରେ, ଶ୍ରୀଲଙ୍କାରେ ବୁଦ୍ଧଙ୍କର ଦେହାବଶେଷକୁ ନେଇ ପ୍ରତିବର୍ଷ ଯାତ୍ରା ଭଳି ପୂରୀରେ ଜଗନ୍ନାଥଙ୍କ ରଥଯାତ୍ରା, ଏହିଭଳି ତିନୋଟି ପ୍ରମାଣର ଆଧାରରେ ସେ ପୁରୀକୁ ଦନ୍ତପୁର ବୋଲି ବିଚାର କଲେ ଏବଂ ଗୌତମବୁଦ୍ଧଙ୍କ ଚତୁର୍ଥ ଦାନ୍ତ ତାହା ପରଠାରୁ ପୂରୀ ସହ ଜଡିତ ହୋଇଗଲା ।

ଆଲେକଜାଣ୍ଡର କନିଙ୍ଗହାମ୍ ଏହିଭଳି ଅନୁମାନ ପାଇଁ ତାଙ୍କ ପୂର୍ବରୁ ଭାରତତତ୍ୱବିତ୍ ଜେମସ୍ ପ୍ରିନସେପ୍ (୧୮୩୭ ଖ୍ରୀଅ)ଙ୍କ ଅଧ୍ୟୟନ ଉପରେ ବିଶ୍ୱାସ କରିଥିଲେ । ଜେମସ୍ ପ୍ରିନସେପ୍ ସେହି ସମୟର ଜଣେ ଶ୍ରୀଲଙ୍କାରେ ଅବସ୍ଥାପିତ ଜଣେ ସିଭିଲ୍ ସର୍ଭାଂଟ୍ ଜର୍ଜ ଟର୍ନଆଉଆର୍ଙ୍କର ଏକ ଅଧ୍ୟୟନକୁ ଉଲ୍ଲେଖ କରିଥିଲେ । ଜର୍ଜ ଟର୍ନଆଉଆର୍ ଯେଉଁ ପୁସ୍ତକକୁ ପଢିବାରେ ବିଶେଷ ଋଚି ରଖିଥିଲେ ତାହାର ନାଆଁ ହେଉଛି ‘ଦାଲଦାବଂଶ’ ବା ‘ଦାତବଂଶ’ ବା ‘ଗୋଟିଏ ଦାନ୍ତର ବିବରଣୀ’ । ସେଥିରୁ ରାଜା ସୋମଦତଙ୍କ କଥା ଉଠିଲା, ତାଙ୍କର ବଂଶଧର ରାଜା ଗୁହଶିବ ଙ୍କ କଥା ପ୍ରସଂଗକୁ ଆସିଲା । ଊଭୟେ ସୋମଦତ ଓ ଗୁହଶିବ ହେଉଛନ୍ତି କଳିଙ୍ଗର ରାଜା । ଗୌତମ ବୁଦ୍ଧଙ୍କ ର ଚତୁର୍ଥ ଛାମୁଦାନ୍ତ ଟି ଏମାନଙ୍କର ଅଧୀକାରରେ ଥିଲା । ରାଜା ଗୁହଶିବଙ୍କ ସହିତ ବୁଦ୍ଧଙ୍କ ଦାନ୍ତର କହିବାକୁ ଗଲେ ତାହା ହେଉଛି ଅନ୍ତିମ ଅଲୌକିକ କାହାଣୀ ।

ଏହା ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର କଥା । କଳିଙ୍ଗର ବୌଦ୍ଧ ରାଜା ଗୁହଶିବ ତାଙ୍କର ବ୍ରାହ୍ମଣ ମନ୍ତ୍ରୀ ମାନଙ୍କ ଉପରେ କୌଣସି କାରଣବଶତଃ ରୁଷ୍ଟ ହୋଇ ସେମାନଙ୍କୁ ନିଜ କାମରୁ ବହିଷ୍କାର କରିଥିଲେ ।ଫଳରେ ତାଙ୍କର ସେହି ବ୍ରାହ୍ମଣ ମନ୍ତ୍ରୀ ମାନେ ଆଉ କୌଣସି ଉପାୟ ନଦେଖି ସେତେବେଳେ କଳିଙ୍ଗ ଯାହାର ଏକ କରଦ ରାଜ୍ୟ ଥିଲା ସେହି ମୂଖ୍ୟ ରାଜା ପାଣ୍ଡୁଙ୍କୁ ନିଜର ଦୁଃଖ ନିବେଦନ କରିବା ସହ ଏହି ସବୁ କଥା କହିଥିଲେ । ରାଜା ଗୁହଶିବ କୌଣସି ମଣିଷଶରୀରର ଏକ ଦାନ୍ତକୁ ରଖି ମହାସମାରୋହରେ ପୂଜା କରୁଛି । ଏହି ଦାନ୍ତକୁ ସେ ବର୍ଷରେ ଥରେ ଗୋଟିଏ ରଥରେ ବସାଇ ରାଜ୍ୟସାରା ବୁଲାଇବା ଭଳି ଏକ ବିପୁଳ ଉତ୍ସବ କରୁଛି । ଏହି ଦାନ୍ତଟି ରାଜା ଗୁହଶିବକୁ ସମସ୍ତ ଅସୁବିଧାରୁ ରକ୍ଷା କରୁଛି । ଏହା ଶୁଣିବା ପରେ ଲୋଭର ବଶବର୍ତି ହୋଇ ରାଜା ପାଣ୍ଡୁ ନିଜର କରଦ ରାଜ୍ୟ କଳିଙ୍ଗ ବିରୁଦ୍ଧରେ ଦନ୍ତୋଦ୍ଧାର ପାଇଁ ଯୁଦ୍ଧ ଘୋଷଣା କଲେ । ରାଜା ଗୁହଶିବ ସଂଭାବ୍ୟ ଯୁଦ୍ଧରେ ନିଜର ପରାଜୟ ସୁନିଶ୍ଚିତ ବୋଲି ଜାଣି ନିଜର ହାତରୁ ଗୌତମ ବୁଦ୍ଧଙ୍କ ପବିତ୍ର ଦାନ୍ତଟି ଜଣେ ବିଧର୍ମୀ ହାତକୁ ଚାଲିଯିବ ବୋଲି ତାହାକୁ ସୁରକ୍ଷିତ ରଖିବା ପାଇଁ ନିଜର କନ୍ୟା ହେମମାଳା ଆଉ ଜାମାତା ଦନ୍ତଙ୍କ ମାଧ୍ୟମରେ ଶ୍ରୀଲଙ୍କାର ରାଜା କିତିଶ୍ରୀ ମେଘଙ୍କ ନିକଟକୁ ପଠାଇଦେଇଥିଲେ । ରାଜକନ୍ୟା ହେମମାଳା ଆଉ ତାଙ୍କର ସ୍ୱାମୀ ଦନ୍ତ ଛଦ୍ମବେଶରେ ତାମ୍ରଲିପ୍ତି ବନ୍ଦରରୁ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହା ଯେମିତି ବହୁପୂର୍ବରୁ ଘଟିତ ରାଜା ଅଶୋକଙ୍କର ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ଶ୍ରୀଲଙ୍କା ପ୍ରେରଣଇତିହାସର ର ଏକ ପରିମାର୍ଜିତ କାହାଣୀ । ସେ ଯାହାହେଉ ବୁଦ୍ଧଙ୍କ ଦାନ୍ତର ଅଲୌକିକ ପ୍ରଭାବରେ ସେ ଦିଜଣ ସମସ୍ତ ସାମୁଦ୍ରିକ ଝଡଝଂଜା ଅତିକ୍ରମ କରି ଶେଷରେ ରାଜା କିତିଶ୍ରୀମେଘଙ୍କୁ ଏହି ପବିତ୍ର ଦେହାବଶେଷ ପ୍ରଦାନ କରିବାକୁ ସକ୍ଷମ ହୋଇଥିଲେ । ଏହା ୩୧୧ ଖ୍ରୀଅର କଥା । ତାହାପରଠାରୁ ଶ୍ରୀଲଙ୍କାର ଅନୁରାଧାପୁର ଠାରେ ଏକ ମନ୍ଦିର ତିଆରି କରି ସେଥିରେ ଏହାକୁ ସାତଟି ଫରୁଆ ଭିତରେ ରଖି ପୂ ଜାର୍ଚ୍ଚନା କରାଯାଉଥିଲା ।

ଏହି ଘଟଣାର ବହୁ ବର୍ଷ ପରେ ଊନବିଂଶ ଶତାବ୍ଦୀରେ ବ୍ରିଟିଶ ମାନଙ୍କ ତରଫରୁ ରବର୍ଟ ବ୍ରାଉନହିଗ୍ ଶ୍ରୀଲଙ୍କାର ତକ୍ରାଳୀନ ରାଜାଙ୍କ ସହ ଏକ ଚୁକ୍ତି କରିଥିଲେ । ଏହି ବ୍ରାଉନହିଗ୍-ଚୁକ୍ତି ଅନୁସାରେ ବ୍ରିଟିଶ ସରକାର ଶ୍ରୀଲଙ୍କାର ସମସ୍ତ ଅଧିବାସୀଙ୍କ ସହିତ ଗୌତମ ବୁଦ୍ଧଙ୍କର ଏହି ପବିତ୍ର ଦାନ୍ତକୁ ସୁରକ୍ଷିତ କରି ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତାହାର ପୂର୍ବରୁ କିନ୍ତୁ ୧୬୦୦ ଖ୍ରୀଅରେ ତକ୍ରାଳୀନ ରାଜା ବିମଳଧର୍ମ ସୂର୍ଯ୍ୟ ସେତେବେଳର ଭାରତୀୟ ମହାସାଗରରେ ପ୍ରବଳପ୍ରତାପୀ ପର୍ତୁଗୀଜ୍ ମାନଙ୍କ କବଳରୁ ଏହାକୁ ରକ୍ଷାକରିବା ପାଇଁ ଅସମର୍ଥ ହୋଇ ନିଜ ଉଆସରେ ତାହାକୁ ଗୁପ୍ତ ଭାବରେ ରଖିଥିଲେ । ବ୍ରାଉନହିଗ୍-ଚୁକ୍ତି ଅନୁଯାୟୀ ଅନୁରାଧାପୂରମ୍ ଠାରେ ଏକ ମନ୍ଦିର କରାଯାଇ ଏହାକୁ ଅଧିଷ୍ଠାନପୂର୍ବକ ଯଥାବିଧି ଆରାଧନା କରାଯାଇଆସୁଛି ।

ଏହି ବିଶେଷ ଅଲୌକିକ ଦେହାବଶେଷ ସଂପର୍କରେ ଏହାହିଁ ହେଉଛି ସବାଶେଷ କଥା ଆଉ ତାହାର ସମୟକାଳ ୧୮୧୫ ଖ୍ରୀଅ ।

Leave A Reply

Your email address will not be published.