Latest Odisha News

BREAKING NEWS

କଟକ ‘ଆକାଶବାଣୀ’ ଓ ‘ଦୂରଦର୍ଶନ କେନ୍ଦ୍ର’ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି…

ଭୁବନେଶ୍ୱର: ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପି.ଭି କୃଷ୍ଣମୂର୍ତ୍ତିଙ୍କର ଚେନ୍ନାଇସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ଓଡ଼ିଆ ସଂସ୍କୃତିକୁ ଜନପ୍ରିୟ କରିବାରେ ତାଙ୍କର ମୁଖ୍ୟ ଭୁମିକା ରହିଥିଲା ।

ସ୍ୱର୍ଗତଃ କୃଷ୍ରମୂର୍ତ୍ତି ୧୯୨୧ ମସିହା ଏପ୍ରିଲ ୧ ତାରିଖରେ ମିଆଁମାରର ୟେଙ୍ଗୁନଠାରେ ଜନ୍ମ ଗ୍ରହଣ କରିଥିଲେ । ଇଂରାଜୀ ସାହିତ୍ୟରେ ସ୍ନାତକ ହାସଲ କରିବା ପରେ ସେ ‘ଅଲ୍ ଇଣ୍ଡିଆ ରେଡ଼ିଓ (ଏଆଇଆର୍)’ ରେ ଜଣେ ନ୍ୟୁଜ୍ ରିଡ଼ର୍ ଭାବେ ଯୋଗଦାନ କରିଥିଲେ । ୧୯୪୪ରେ ସଂଗଠିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ରେଡ଼ିଓରେ ଜଣେ ଆଙ୍କର୍ ଭାବେ ଜନପ୍ରିୟତା ହାସଲ କରିପାରିଥିଲେ । ପରବର୍ତ୍ତୀ ସମୟରେ ସେ ମାଡ୍ରାସ ଓ କଲିକତା ଏଆଇଆର୍ ଷ୍ଟେସନରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦିଲ୍ଲୀ ଏବଂ ବମ୍ବେ ରେଡ଼ିଓ ଷ୍ଟେସନରେ କାର୍ଯ୍ୟ କରିଥିଲେ ।

ସ୍ୱର୍ଗତଃ କୃଷ୍ଣମୂର୍ତ୍ତି ପିଭିକେ ନାମରେ ଲୋକପ୍ରିୟତା ଅର୍ଜନ କରିଥିଲେ । ପିଭିକେ ୨୪ ମଇ, ୧୯୫୮ ମସିହାରୁ ୧୮ ଅକ୍ଟୋବର ୧୯୬୦ ପର୍ଯ୍ୟନ୍ତ କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଯୋଗଦାନ କରିଥିଲେ । ପ୍ରକୃତରେ ଏହି ସମୟ ହିଁ ଥିଲା ଓଡ଼ିଶା ସାଂସ୍କୃତିକ ଜୀବନର ଏକ ସ୍ୱର୍ଣ୍ଣିମ ସମୟ । ପିଭିକେ ଓଡ଼ିଶା ଓ ଓଡ଼ିଶୀକୁ ବହୁମାତ୍ରାରେ ଭଲ ପାଉଥିଲେ । କଟକ ଆକାଶବାଣୀ ମାଧ୍ୟମରେ ହିଁ ସେ ଓଡ଼ିଆ ସଙ୍ଗୀତ, ନାଟକ, ନୃତ୍ୟ ଏବଂ ଗୀତିନାଟ୍ୟ ପରମ୍ପରା ସୃଷ୍ଟି କରିଥିଲେ । ରେଡ଼ିଓ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଓଡ଼ିଶାର ପରମ୍ପରା, ସଂସ୍କୃତି ତଥା ଐତିହ୍ୟକୁ ଜାଣିପାରିଥିଲେ । ଧିରେ ଧିରେ ସମଗ୍ର ଭାରତରେ ଓଡ଼ିଶାର ସାଂସ୍କୃତିକ ଉତଥାନ ଆରମ୍ଭ ହେଲା । ଏହା କ୍ରମେ ଜନାଦୃତି ଲାଭ କରିପାରିଥିଲା ।

ଓଡ଼ିଶାର ବହୁ ନାମୀ କଳାକାରମାନଙ୍କୁ ପିଭିକେ ହିଁ ସେମାନଙ୍କର କଳା ପାରଦର୍ଶିତାକୁ ଚିହ୍ନିପାରି ବେତାର ଏବଂ ଦୂରଦର୍ଶନ ଦ୍ୱାରା ଲୋକଲୋଚନକୁ ଆଣିପାରିଥିଲେ ।

ପିଭିକେଙ୍କ ଯୋଗୁଁ ହିଁ ଅନେକ ଲୁକ୍କାୟିତ ପ୍ରତିଭା ସେମାନଙ୍କର କଳା କୁଶଳତା ହଜାର ହଜାର ଶ୍ରୋତା ଓ ଦର୍ଶକଙ୍କ ସମ୍ମୁଖରେ ପ୍ରକାଶ କରି ପାରିଥିଲେ । ବିଶିଷ୍ଟ ଓଡ଼ିଆ କଳାକାର ତଥା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ପଣ୍ଡିତ ଭୁବନେଶ୍ୱର ମିଶ୍ର, ଖ୍ୟାତନାମା ବଂଶୀବାଦକ ହରି ପ୍ରସାଦ ଚୌରାସିଆ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ ପ୍ରମୁଖ ବହୁ କାଳଜୟୀ ସୃଷ୍ଟି ପିଭିକେଙ୍କ ସହଯୋଗରେ ହୋଇଥିବା ଓଡ଼ିଶାର ବୁଦ୍ଧୀଜୀବୀ ମାନେ ମଧ୍ୟ ଆଜି ସ୍ୱୀକାର କରନ୍ତି ।

ଏହାବ୍ୟତୀତ, ଓଡ଼ିଶୀ ନୃତ୍ୟର ଜଣେ ଉଚ୍ଚ ପ୍ରଶଂସକ ଥିଲେ । ସେ ଓଡ଼ିଶୀ ନୃତ୍ୟକୁ ଅତ୍ୟନ୍ତ ଭଲ ପାଉଥିଲେ । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କୁ ଲୋକଲୋଚନକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

Leave A Reply

Your email address will not be published.