Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା ଗାୟକ ମଞ୍ଜୁଳ ଅଲେଖ ଦାଶ

ଭୁବନେଶ୍ୱର: ପାଲା ଜଗତର ଅନନ୍ୟ କଳାକାର ଅଲେଖ ଦାଶ । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟପୂର୍ଣ୍ଣ ପାଲା ପରିବେଷଣ କରି ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୦ ମସିହା ଆଷାଢ ମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡା ଗ୍ରାମରେ ଅଲେଖ ଦାଶ ଜନ୍ମ ଗ୍ରହଣ କରିଥିଲେ । ବାପା ବନମାଳି ଦାଶ ଓ ମାଆ ଶୁକଦେବୀଙ୍କର ଦୁଇ ପୁଅ ଓ ଜଣେ ଝିଅଙ୍କ ଭିତରେ ସବୁଠୁ ସାନ ହେଉଛନ୍ତି ଅଲେଖ । ପିଲାଦିନରୁ ସାହିତ୍ୟ ଓ ସଙ୍ଗୀତ ପ୍ରତି ଥିଲା ଆକର୍ଷଣ । ବାପା ଜେଜେବାପା ଜଜମାନ ଥିବାରୁ ଘରେ ପୁରାଣ, ସାହିତ, ସଂସ୍କୃତର ଏକ ମାହୋଲ ରହିଥିଲା ।

ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଅଲେଖ ଦାଶ ନିକଟସ୍ଥ ଆଗରପଡା କୃଷ୍ଣଚରଣ ବିଦ୍ୟାମନ୍ଦିରରେ ହାଇସ୍କୁଲ ଶିକ୍ଷା ଗ୍ରହଣ କଲେ । ଏହି ହାଇସ୍କୁଲ ପ୍ରତିଷ୍ଠା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃୃଷ୍ଣ ମହତାବ । ଅଲେଖ ମାଟ୍ରିକରେ ପଢୁଥିବା ସମୟରେ ଥରେ ବିଦ୍ୟାଳୟକୁ ମହତାବ ଆସିବାର କାର୍ଯ୍ୟକ୍ରମ ହୋଇଥିଲା । ଏହି ଉପଲ୍ଲକ୍ଷେ ବିଦ୍ୟାଳୟର ଓଡିଆ ଶିକ୍ଷକ ଲାଲମୋହନ ପାଣିଗ୍ରାହୀ ପିଲାମାନଙ୍କୁ ନେଇ ଏକ ପାଲା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଅଲେଖ ଗାୟକ ହେଲେ ଏବଂ ସାଥୀ ପିଲାମାନେ ହେଲେ ପାଳିଆ । ଏହି ପିଲାମାନଙ୍କର ପାଲା ଦେଖି ହରେକୃଷ୍ଣ ମହତାବ ଖୁସି ହୋଇଯାଇଥିଲେ, ଭବିଷ୍ୟତରେ ପାଲା ଗାୟକ ହେଲେ ତାଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ଅଲେଖଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମହତାବ ।
୧୯୭୧ ମସିହାରେ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ସଂସ୍ପର୍ଶରେ ଆସିଥିଲେ ଅଲେଖ ଦାଶ । ନିରଞ୍ଜନ କରଙ୍କୁ ସେ ଗୁରୁ କରିବା ପାଇଁ ଅନୁରୋଧ କରିଥିଲେ, ତେବେ ଗୁରୁ ପ୍ରଥମରୁ ଶିଷ୍ୟ ଭାବେ ଗ୍ରହଣ କରିିବା ପାଇଁ ମନା କରିଦେଇଥିଲେ, ପ୍ରଥମେ କିଛି ଶିଖ ତାପରେ ଯାଇ ଶିଷ୍ୟ ଭାବେ ଗ୍ରହଣ କରିବି ବୋଲି କହିଥିଲେ ନିରଞ୍ଜନ ।

ଏହାପରେ ନିଜକୁ ନିଜେ ବିଭିନ୍ନ କାବ୍ୟ କବିତା ମୁଖସ୍ତ କରିବା ସହ ସେ ସମୟର ପ୍ରତିଷ୍ଠିତ ଗାୟକମାନଙ୍କୁ ଅନୁକରଣ କଲେ ଅଲେଖ । ଶେଷରେ ୧୯୮୦ ମସିହାରେ ନିରଞ୍ଜନ କର ଶିଷ୍ୟ ଭାବରେ ଅଲେଖଙ୍କୁ ଗ୍ରହଣ କରି ଚାମର ପ୍ରଦାନ କରିଥିଲେ । ମହତାବ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଅଲେଖଙ୍କ ଶିକ୍ଷାଦାନ ପାଇଁ ସମସ୍ତ ପାରିଶ୍ରମିକ ସେ ନିରଞ୍ଜନ କରଙ୍କୁ ଦେଉଥିଲେ । ପୂୂର୍ବ କାଳରେ ରାଜା ମହାରାଜାଙ୍କ ପରି ମହତାବ ମଧ୍ୟ ପାଲା ଏବଂ ପାଲା କଳାକାରଙ୍କୁ ପ୍ରୋତ୍ସାହନ ଦେଉଥିଲେ ।

ମାଟ୍ରିକ ପଢା ପରେ ଅଲେଖ ଚାହିଁଥିଲେ ଚାକିରି କରିପାରିଥାନ୍ତେ, କିନ୍ତୁ ବଡଭାଇ ଶିକ୍ଷକତା କରିବାରୁ ଜଜମାନ କାମ କିଏ କରିବ ବୋଲି ପ୍ରଶ୍ନ କରିଥିଲେ ବାପା । ବାପାଙ୍କ କଥା ରଖି ଅଲେଖ ଆଉ ଚାକିରି କରିବାକୁ ଇଛା ପ୍ରକାଶ କଲେ ନାହିଁ । ଜଜମାନ ଭାବରେ ପୂଜାର୍ଚ୍ଚନା କରିବା ସହ ସେ ସମ୍ପୂର୍ଣ୍ଣ ଭାବେ ପାଲା ପାଇଁ ସମର୍ପିତ ହୋଇଥିଲେ ।

ଅଲେଖ ଦାଶ ପାଲାରେ ପୁରାତନ ଶୈଳୀ ସହ ବର୍ତ୍ତମାନ ସମୟକୁ ଦେଖି ମଧ୍ୟ ପାଲା ପରିବେଷଣ କରିଥାନ୍ତି । ତେବେ ପୂବରୁ ଯେଭଳି ଛାନ୍ଦ, ଚଉପଦୀ, ରାଗ ରାଗିଣୀରେ ପାଲା ଗାୟନ ହେଉଥିଲା, ଆଜିର ପାଲାରେ ତାହା ନାହିଁ, ଏବେ କେବଳ ପ୍ରବଚନ ଭଳି ପାଲା ଚାଲିଛି ବୋଲି କହନ୍ତି ଅଲେଖ ଦାଶ ।

ତେବେ ସେ ଦର୍ଶକଙ୍କ ରୁଚିକୁ ଦେଖି ପାଲା ପରିବେଷଣ କରିଥାନ୍ତି, କିନ୍ତୁ ଆଧୁକିତା ଭିତରେ ସେ ପାରମ୍ପରିକତାକୁ କେବେ ଭୁଲିଯାଇନାହାନ୍ତି ।

Leave A Reply

Your email address will not be published.