Latest Odisha News

BREAKING NEWS

ଗାୟକ ମହାରଥୀ ହରିବଲ୍ଲଭ ଦାଶ

ଭୁବନେଶ୍ୱର: ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

୧୯୫୦ ମସିହା ନଭେମ୍ବର ୪ ତାରିଖରେ ଯାଜପୁର ଜିଲ୍ଲା କୋରାଇ ବ୍ଲକ ରାମକୃଷ୍ଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ହରିବଲ୍ଲଭ ଦାଶ । ବାପା ଗୋବିନ୍ଦ ଚନ୍ଦ୍ର ଦାଶ ଓ ମାଆ ସତ୍ୟଭାମା । ପିଲାଟି ଦିନରୁ କଳା, ସାହିତ୍ୟ ପ୍ରତି ହରିବଲ୍ଲଭଙ୍କର ରୁଚି ରହିଥିଲା । ବାପା ବୈଠକୀ ପାଲା କରନ୍ତି, ଏହାସହ ପିଉସୀ ପୁଅ ଭାଇ ରତ୍ନାକର ମିଶ୍ର ଥିଲେ ଜଣେ ପ୍ରତିଷ୍ଠିତ ଗାୟକ, ଉଭୟଙ୍କର ପ୍ରଭାବ ପଡିଥିଲା ହରିବଲ୍ଲଭଙ୍କ ଉପରେ । ଦଶମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ୧୯୬୫ ମସିହାରେ ସେ ପାଲା ଗାଇବା ଆରମ୍ଭ କଲେ । ତତକ।ଳୀନ ପାଲା ଜଗତର ପ୍ରଚଣ୍ଡ ପ୍ରତିଭା ଗାୟକରତ୍ନ ହରିନାଥଙ୍କଠାରୁ ସେ ଚାମର ଗ୍ରହଣ କରିଥିଲେ । ହରିନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଲାରେ ପ୍ରବେଶ କରିଥିବାରୁ ହରିବଲ୍ଲଭଙ୍କ ପାଲାରେ ହରିନାଥଙ୍କର ଝଲକ ଦେଖିବାକୁ ମିଳେ ।

ବି.ଏ. ପାସ୍ କରିବା ପରେ ନିଜ ଗ୍ରାମ ନିକଟ ଅସନଝର ପାଲା ମଞ୍ଚରେ ଗାୟକ ପୀତାମ୍ବର ପଣ୍ଡାଙ୍କ ବିପକ୍ଷରେ ପ୍ରଥମ ବାଦୀପାଲା ଗାଇଥିଲେ ହରିବଲ୍ଲଭ ଦାସ । ପ୍ରଥମ ପ୍ରବେଶରୁ ହିଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଇଂରାଜୀ ସାହିତ୍ୟରେ ପ୍ରବେଶ ଥିବାରୁ ହରିବଲ୍ଲଭ ତାକୁ ପାଲା ଜଗତରେ ପ୍ରବେଶ କରାଇଥିଲେ, ସେ ସମୟରେ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସୁଧାକର ନିରଞ୍ଜନ ପଣ୍ଡାଙ୍କ ପରି ହାତଗଣତି କିଛି ଗାୟକ ପାଲାରେ ଇଂରାଜୀ ସାହିତ୍ୟର ଚର୍ଚ୍ଚା କରୁଥିଲେ । ତେବେ ହରିବଲ୍ଲଭ ଦାଶ ଇଂରାଜୀ କାବ୍ୟକୁ ନେଇ ପାଲା ପରିବେଷଣ କରି ନିଆରା ପରମ୍ପରା ସୃଷ୍ଟି କରିଥିଲେ । ବିଶେଷ କରି ସେ ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟକୁ ପାଲାରୂପ ଦେଇ ଜନମାନସରେ ବେଶ୍ ପ୍ରଶଂସା ଭାଜନ ହୋଇଥିଲେ । ଉଚ୍ଚଶିକ୍ଷା ସମାପ୍ତି ପରେ ଶିକ୍ଷକତାକୁ ନିଜର ପେଶା କରିଥିଲେ ସିନା ହେଲେ ନିଶା ଥିଲା ପାଲା ହରିବଲ୍ଲଭ ଦାଶଙ୍କର ।

ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ସେ ଯେପରି ପ୍ରତିଷ୍ଠିତ ସେହିପରି ପାଲା ଜଗତରେ ମଧ୍ୟ ଜଣେ ଆଦର୍ଶ ଗାୟକ ଭାବେ ପରିଗଣିତ । ପାଲାରେ ବ୍ୟକ୍ତିଗତ କୁତ୍ସରଟନାଠାରୁ ସେ ବହୁ ଦୂରରେ । ସେ ବାଦୀପାଲାରେ କେବେ ମଧ୍ୟ ପ୍ରତିପକ୍ଷ ଗାୟକଙ୍କୁ ବ୍ୟକ୍ତିଗତ ସମାଲୋଚନା କରନ୍ତି ନାହିଁ, ବରଂ ପ୍ରତିପକ୍ଷ ଗାୟକଙ୍କୁ ସେ ସ୍ନେହର ରଜୁରେ ବାନ୍ଧି ଦିଅନ୍ତି । ହରିବଲ୍ଲଭ ଦାଶଙ୍କ ପାଲା ଶୈଳୀ ଅନନ୍ୟ । ଓଡିଆ ହେଉ କି ସଂସ୍କୃତ ଅବା ଇଂରାଜୀ ସେ ତାର ସ୍ପଷ୍ଟ ଓ ନିର୍ଭୁଲ ବ୍ୟାଖ୍ୟା କରନ୍ତି । ତାଙ୍କ ପାଲାକୁ ସାଧାରଣଠାରୁ ବୁଦ୍ଧିଜୀବୀଙ୍କ ପର‌୍ୟ୍ୟନ୍ତ ସବୁ ବର୍ଗର ଦର୍ଶକ ଆନନ୍ଦର ସହ ଗ୍ରହଣ କରନ୍ତି । ପାଲା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ହରିବଲ୍ଲଭ ଦାଶଙ୍କୁ ରାଜ୍ୟର ବିଭିନ୍ନ ପାଲା ଅନୁଷ୍ଠାନ ପକ୍ଷରୁ ମିଳିଛି ଅନେକ ପୁରସ୍କାର, ମାନପତ୍ର, ସମ୍ବର୍ଦ୍ଧନା ଓ ଉପାଧି । ଗାୟକ ମହାରଥୀ, ଗାୟକ ଶ୍ରୀ, ଗାୟକ ମଣିରତ୍ନ ଆଦି ଅନେକ ଉପାଧିରେ ସେ ଭୂଷିତ । ୨୦୦୮ ମସିହାରେ ଶିକ୍ଷକତାରୁ ଅବସର ନେବା ପରେ ଏବେ ସେ ସମ୍ପୂର୍ଣ୍ଣ ସମୟ ପାଲା ପାଇଁ ବିନିଯୋଗ କରୁଛନ୍ତି । ପାଲା କିପରି ରାଜ୍ୟରୁ ଜାତୀୟ ସ୍ତରରେ ପହଞ୍ଚିବ, ଆଉ ଦେଶର ବାହାରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ ସେଥିପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି ହରିବଲ୍ଲଭ ଦାଶ ।

Leave A Reply

Your email address will not be published.