ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ମୃତ୍ୟୁର ଭୟ ପାଖରେ ଆଉ ସବୁ ତୁଚ୍ଛ । କରୋନା ମହାମାରୀରେ ପାରିବାରିକ ଜୀବନ ସଂପୂର୍ଣ୍ଣ ବିଛିନ୍ନ ଓ ବିପନ୍ନ । ଏବେ ଜାତି, ଧର୍ମ, ବର୍ଣ୍ଣ ସବୁ ମିଛ । ଏମିତି ସମୟ ଆସିଛି – ପୁଅକୁ ମା’ ଘରେ ପୁରାଇ ଦେଉନି । ଭାଇକି ଭାଇ ମଧ୍ୟ ହତାଦାର କରୁଛି । ସାରା ବିଶ୍ୱର ଖବରରୁ ଆମେ କାଣିଚାଏ ଜାଣୁଛେ । ଆମ ଭାରତର ପ୍ରବାସୀଙ୍କ ହୃଦୟବିଦାରକ ଦୁଃଖଯନ୍ତ୍ରଣା, କରୁଣକ୍ରନ୍ଦନ ଭାଷାରେ ବର୍ଣ୍ଣନା କରାଯାଇପାରେନା ।

ଅଧିକ ପଢନ୍ତୁ: ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ଏଇ ବିଶ୍ୱରେ ଜୀବନଜୀବିକା ପାଇଁ କୋଟିକୋଟି ମଣିଷ ବିଭିନ୍ନ ଦେଶ ଓ ରାଜ୍ୟରେ ପ୍ରବାସୀ, ଶ୍ରମଜୀବି ଭାବେ କାର‌୍ୟ୍ୟରତ । ସବୁ ଠିକ୍‌ଠାକ୍ ଥିଲା । ହଠାତ୍ ଲକ୍‌ଡାଉନ୍ ଫଳରେ କେହି କୁଆଡେ ପଦାକୁ ବାହାରି ପାରିଲେନାହିଁ । ଲକ୍‌ଡାଉନ୍ ବଢିବା ସଂଗେ ସଂଗେ ପ୍ରବାସୀମାନଙ୍କ ଭୟ ବଢି ବଢି ଏଭଳି ଅବସ୍ଥାକୁ ଆସିଗଲା ଯେ ସେମାନେ ବିଭିନ୍ନ ଉପାୟରେ ଘରମୁହାଁ ହେଲେ । ଆମ ଭାରତରେ ବିଭିନ୍ନ ରାଜ୍ୟସରକାର ଅଟକି ରହିଥିବା ପ୍ରବାସୀମାନଙ୍କୁ ଖାଦ୍ୟପେୟ, ରହିବା ସବୁଧା ବାବଦରେ ଯାହା ଖର୍ଚ୍ଚ ହେବ ସେସବୁ ଦବାକୁ ଅନୁରୋଧ କଲେ । ବିଭିନ୍ନ ରାଜ୍ୟସରକାର ହଁ ହାଁ ମାରିଲେ । କିନ୍ତୁ ନିଜ କଥା ନିଜେ ରଖିପାରିଲେନାହିଁ । ଯାହାକିଛି କଲେ ସାମାନ୍ୟ ମାତ୍ର । କାରଣ ନିଜ ରାଜ୍ୟର ସ୍ଥିତି ଅସମ୍ଭାଳ । ଯେଉଁମାନେ ଦେଶବିଦେଶ ଓ ବିଭିନ୍ନ ରାଜ୍ୟର ବିଭିନ୍ନ କାର‌୍ୟ୍ୟରେ ନିୟୋଜିତ ଥିଲେ, ସେମାନେ ପ୍ରାଣବିକଳରେ ଭିଟାମାଟିକୁ ଫେରିଆସୁଥିବାରୁ ସେଠାକାର ଅର୍ଥନୈତିକ ଭିତିଭୂମି କେବଳ ଦୋହଲି ଯିବନି – ସମଗ୍ର ବିଶ୍ୱରେ ଭୟଙ୍କର ଆର୍ଥିକ ସଂକଟ ଦେଖାଦେବ ।

ଆମ ଭାରତରେ କରୋନା ମହାମାରୀରେ ଯେତେ ମରୁନାହାଁନ୍ତି, ଭୋକରେ, ଦୁର୍ଘଟଣାରେ, ଅବସାଦରେ, ଅର୍ଥକଷ୍ଟରେ, ହାଃହତାଶରେ ବେଶି ମରୁଛନ୍ତି । ପ୍ରବାସୀମାନଙ୍କୁ ନିଜ ମାତୃଭୂମିକୁ ଫେରାଇ ଆଣିବାପାଇଁ କାର‌୍ୟ୍ୟ ଆରମ୍ଭ ହେଲେ ମଧ୍ୟ ତାହା ସଂପୂର୍ଣ୍ଣ ହେବାକୁ ମାସେରୁ ଅଧିକ ସମୟ ଲାଗିଯିବ । ଲକ୍‌ଡାଉନ୍‌ର ଚତୁର୍ଥ ପର‌୍ୟ୍ୟାୟରେ ଅବସ୍ଥା ଆହୁରି ଭୟଙ୍କର ହେବ ।

ଅଧିକ ପଢନ୍ତୁ: ଅହେତୁକ ଅହଂକାର…

ବର୍ତମାନ ଟିଭିରେ ଦେଶର ବିଭିନ୍ନ ଅଂଚଳରୁ ପ୍ରବାସୀମାନଙ୍କ ଘରବାହୁଡା ଦୃଶ୍ୟ ଏତେ ହୃଦୟବିଦାରକ ଯେ, ବିବେକି ମଣିଷ ଆଖିରୁ ଲୁହ ଝରିପଡୁଛି । ସେ ସବୁ ଦୃଶ୍ୟର ବର୍ଣ୍ଣନା ଏଠାରେ ଦେଉନାହିଁ । ଆପଣମାନେ ଉଣାଅଧିକେ ସବୁ ଦେଖୁଛନ୍ତି । କେବଳ ମଣିଷ ନୁହେଁ, ପଶୁପକ୍ଷୀ ଓ ଜୀବଜଗତର ଜୀବନ ଅନିଶ୍ଚୟତା ଭିତରେ ଗତିକରୁଛି । “ଆପେ ବଂଚିଲେ ବାପର ନାଁ” ନିତିରେ ସମସ୍ତେ ବଂଚିବାପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଉଛନ୍ତି । ଅବସ୍ଥା ଏପରି ଅସମ୍ଭାଳ ହେଲାଣି ଯେ – ବିପଦ ଉପରେ ବିପଦ ମାଡିଆସୁଛି । ଭିଟାମାଟିର ମୋହଠାରୁ ଭୋକରୁ ଜ୍ୱାଳା ବଳିପଡୁଛି ।

ଆରମ୍ଭରୁ କହିଥିଲି – ଭୋକ ଓ ରୋଗ ଦୁଇଟି ଛୋଟ ଶଦ୍ଦକୁ ଏ ପର‌୍ୟ୍ୟନ୍ତ ବିଶ୍ୱରେ କେହି ପରାସ୍ତ କରିପାରିନାହାଁନ୍ତି । ଯାହାକିଛି କରିଛନ୍ତି – ତାହା ପର‌୍ୟ୍ୟାପ୍ତ ନୁହେଁ । ଆମ ପ୍ରବାସୀ ଭାଉଭଉଣୀମାନେ ରୋଗ ଭୟରେ କର୍ମସ୍ଥଳୀ ଛାଡି ବିପଦଜନକ ଉପାୟରେ ପଳାଇଆସୁଛନ୍ତି । ଯେଉଁମାନେ ପହଂଚିଲେଣି ଏବଂ ଯେଉଁମାନେ ଅଧାବାଟରେ – ଆସିବାକୁ ବିକଳ ହେଉଛନ୍ତି – ସେମାନଙ୍କୁ ଭୋକର ଭୟ ଆତଙ୍କିତ କରୁଛି । କରୋନା ମହାମାରୀରେ ଯେତେ ମରିବେ, ଭୋକ ଓ ଅବସାଦରେ ତାହାଠାରୁ ଅଧିକ ମରିବେ କି କମ୍ ମରିବେ – ତାହା ଏବେଠୁ କହିହେଉନାହିଁ । ଭବିଷ୍ୟତରେ କେବଳ ଇତିହାସ ହିଁ କହିବ ।

ଏହି କରୋନା ମହାମାରୀ ପୂର୍ବରୁ ଯିଏ ଯେଉଁ ସ୍ତରରେ ଥିଲେ, ଅହେତୁକ ଗର୍ବଅହଂକାରରେ ଫାଟି ପଡୁଥିଲେ । ଆଜି କିନ୍ତୁ ସେ ଅହଂକାର ପାଣିଫୋଟକା ପରି ମିଳେଇଯାଉଛି । ତଥାପି କିଛି ଲୋକଙ୍କ ଅହଂକାର ଏବେବି ରହିଛି । ବିଭିନ୍ନ ଦେଶର ଶାସକମାନେ କ୍ଷମତାକୁ ଜାବୁଡି ଧରିବାପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । କିଛି ଦେଶର ଶାସକ ନିଜର ଅପାରଗତାକୁ ଘୋଡାଇ ଅନ୍ୟ ଉପରେ ଦୋଷ ଲଦିବାକୁ ବ୍ୟସ୍ତ । କିଛି ଦେଶର ଶାସକଙ୍କ ମୁଣ୍ଡ କାମ କରୁନି । ସେମାନଙ୍କ ଅହେତୁକ ଅହଂକାର ମାନବସମାଜକୁ ବିପଦରେ ପକାଇଦେବାକୁ ଯାଉଛି । ସେମାନଙ୍କ ଦୋଷଦୁର୍ବଳତାକୁ ପଦାରେ ପକାଇଦେବାକୁ ଅଧିକାଂଶ ଦେଶର ଶାସକମାନେ ପଛଉଛନ୍ତି ।

ଅତୀତରେ ଆଖିରେ ଦେଖିଥିବା ଅନେକ ଦୁଃଖ, କଷ୍ଟ, ଶୋଷଣ, କଷଣ, ଅତ୍ୟାଚାର, ଗର୍ବ, ଅହଂକାର ଉପରେ ଅନେକ କାହାଣୀ ଉପନ୍ୟାସ ଲେଖିଛି । ବିକଳ୍ପ ତତ୍ୱ ମଧ୍ୟ ଉଦ୍‌ଭାବନ କରିଛି । ଏବେ ଯାହା ଦେଖୁଛି – ତାହା ପୂର୍ବ ଅପେକ୍ଷା ହଜାର ଗୁଣ ଅଧିକ । ପ୍ରତ୍ୟେକ ମଣିଷର ଜୀବନଜୀବିକା ଏକ ଏକ ହୃଦୟବିଦାରକ କାହାଣୀ । ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମହା ମହା ଲେଖକ କବି ଏ ବିଶ୍ୱରେ ବାହାରିଛନ୍ତି । କରୋନା ମହାମାରୀ ପରେ କେତେ ଯେ କାହାଣୀ ଲେଖାହେବ – ତାହା ଇତିହାସ ହିଁ କହିବ ।

ଏଠାରେ ଭାରତବର୍ଷର ଦୁଇଟି ରାଜ୍ୟ ଓଡିଶା ଓ ଗୁଜୁରାଟ ସଂପର୍କରେ ନଲେଖି ରହିପାରୁନି । ଆମ ଓଡିଶା ଉଦାରବାଦୀ, କଳାପ୍ରେମୀ, ମାନବତାବାଦୀ ଓ ସମ୍ବେଦନାଶୀଳ ଜାତି । ଏହି ମହାମାରୀ ବିପଦବେଳେ ରାଜଧାନୀ ଠାରୁ ଆରମ୍ଭ କରି ପଲ୍ଲୀ ପର‌୍ୟ୍ୟନ୍ତ ସବୁସ୍ତରର ଅନୁଷ୍ଠାନ, ସଂସ୍ଥା, ଜନସାଧାରଣ ପାରୁପର‌୍ୟ୍ୟନ୍ତ କର୍ତବ୍ୟ କରୁଛନ୍ତି । ଆମେ ଅନ୍ୟ ରାଜ୍ୟର ଶ୍ରମଜୀବିମାନଙ୍କୁ ସମସ୍ତପ୍ରକାର ସାହାଯ୍ୟସହଯୋଗ ଯୋଗାଇଦେଉଛୁ । ସବୁଠୁ ବେଶି ଦୁଃଖଦ ଘଟଣା ହେଉଛି – ଆମ ଓଡିଶାରୁ ବିଭିନ୍ନ ରାଜ୍ୟରେ ଜୀବିକା ଅନ୍ୱେଷଣରେ ପଡିରହିଥିଲେ । ବିଶେଷକରି ଗୁଜୁରାଟରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମଜୀବି ଆଜି ପ୍ରାଣବିକଳରେ ଘରମୁହାଁ । ଆମ ସରକାର ଗୁଜୁରାଟ ସରକାରଙ୍କୁ ସମସ୍ତପ୍ରକାର ସହଯୋଗ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା କାର‌୍ୟ୍ୟକାରୀ ହେଇପାରୁନି । ସେମାନେ ପ୍ରବାସୀମାନଙ୍କୁ କଦର୍ଯ୍ୟ ବ୍ୟବହାର ଏପରିକି ପିଟିପିଟି ମାରିଦେଉଛନ୍ତି । ଯେଉଁମାନେ ଦିନେ ସେ ରାଜ୍ୟର ସମ୍ପଦ ଥିଲେ – ଏ ମହାମାରୀବେଳେ ସେମାନେ ଅଲୋଡା ।

ଏଠାରେ ଗୁଜୁରାଟ ସରକାରଙ୍କୁ କହିବାକୁ ଚାହେଁ – ଯେତେବେଳେ ତମର ନିର୍ମାଣ ଦରକାର ଥିଲା, ତମର ଶିଳ୍ପ ଦରକାର ଥିଲା, କଳକାରଖାନାର କିର୍ତ୍ତୀସ୍ତମ୍ଭ ସ୍ଥାପନା କରିବାର ଦରକାର ଥିଲା – କୋଠାବାଡିରୁ କଂକ୍ରିଟ୍ ରାସ୍ତା ବିଛାଇବାର ଯୋଜନାକୁ ଫଳପ୍ରଶୁ କରାଇବାର ଦରକାର ଥିଲା – ସେତେବେଳେ ତମେ ଆମ ଓଡିଶାର କ୍ଷେତବାଡିର ଜଗୁଆଳିମାନଙ୍କୁ, ଦୁଖିଦୁର୍ଗତ ଚାଷୀ ଭାଇଭଉଣୀମାନଙ୍କୁ ତମ ମାଟିରେ ମଜଦୁର କରିବାପାଇଁ ମୋଟା ପଇସାମୁଣିକୁ ହଲାଇ ପାଛୋଟି ନେଲ । ଏ ପ୍ରଦେଶବାସୀ ତମ ପ୍ରଦେଶରେ ପରିଣତ ହେଲେ ପ୍ରଲୁବ୍ଧ୍ ପ୍ରବାସୀ । ସେମାନଙ୍କ ଅଜସ୍ର ହସ୍ତର ସ୍ପର୍ଶରେ ତମ ମାଟି, ଗୋଡି, ପଥରରୁ ଧୂଳିବାଲି ପର‌୍ୟ୍ୟନ୍ତ ସବୁ ସୁନା ପାଲଟିଗଲା । ମାତ୍ର ଆଜି କରୋନାର କରାଳତାରେ ବିପନ୍ନ ତମର ସରକାର ସେମାନଙ୍କୁ ବାତିଲ କରାଇଦେଲେ ବଂଚିବାର ଦାବିନାମାରୁ । ଆଜି ସେମାନେ ଫେରିଆସୁଛନ୍ତି – ପୁଣି ସେମାନଙ୍କ ଉଜୁଡାକ୍ଷେତର ଇଲାକାକୁ – ବହୁବର୍ଷ ତଳେ ଛାଡିଯାଇଥିବା ତାଙ୍କ ଭିଟାମାଟିର ଭଙ୍ଗାକୁଡିଆ ଆଡକୁ ।

ହେ… ଗୁଜୁରାଟ ସରକାର – ତୁମେ କ’ଣ ଲାଭ ଛଡା ଆଉ କିଛି ବୁଝନା । ଯେଉଁ ପ୍ରବାସୀମାନେ ହାଡର ହିଡରେ ରକ୍ତର ସିଆର କାଟି ଫଳାଇଲେ ସୁନାର ଫସଲ – ସେମାନଙ୍କୁ ତୁମେ ଏତେ ଶୀଘ୍ର ଭୁଲିଗଲ? ପ୍ରବଂଚିତ ପ୍ରବାସୀର ଏ ଲମ୍ବା ପଟୁଆରରେ କେବେ ଲକ୍ଷ୍ୟ କରିଛ କି – ସେମାନଙ୍କ କ୍ଷତବିକ୍ଷତ ପାଦର ଛିଣ୍ଡା ମାଂସ ଓ ରକ୍ତରେ ରାସ୍ତାସାରା କରୁଣକାତର । କେବେ ସେମାନଙ୍କ ଅସହାୟ ଆଖିକୁ ଅନାଇ ଲକ୍ଷ୍ୟ କରିଛ କି – କୋଷ କୋଷ ଲୁହର ଅମାପ ଶୂନ୍ୟତା । ଏବେ ଏହି ପ୍ରତ୍ୟାବର୍ତିତ ପ୍ରବଂଚିତ ପ୍ରବାସୀ ପ୍ରବାହ ଦୁଃସ୍ଥ, ଦୁର୍ଗତ, ରିକ୍ତ, ନିଶ୍ୱ, କଂକାଳସାର । ଏବେ ଗୋଟିଏ ପ୍ରଶ୍ନ – ଏଇ କ’ଣ ତମର ଗୁଜୁରାଟ ମଡେଲ? ଏଇ କ’ଣ ତମର ଅଚ୍ଛେଦିନର ଲମ୍ବାଚୌଡା ଇସ୍ତାହାର । ଆଂଚଳିକ ଜାତୀୟତାବାଦର ଭୂତାଣୁ ଅଦୂର ଭବିଷ୍ୟତରେ ଏ ଦେଶ ଓ ଜାତିର ଅନ୍ତରଆତ୍ମାକୁ ଯେ କଳୁଷିତ କରି କ୍ଷୟିଷ୍ଣୁ ଭୂମିକା ବିସ୍ତାରି ଚାଲୁଥିବ ଏଥିରେ ସନ୍ଦେହ ନାହିଁ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.