Latest Odisha News

BREAKING NEWS

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

କରୋନାର କରାଳ କାଳ ବଳୟରେ ସମଗ୍ର ବିଶ୍ୱ ଆଜି ଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁ ଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷ ମନରେ ନିଆଁ ଲାଗିଛି – ନିଆଁ ଲାଗିଛି ପ୍ରବଂଚିତ ଜନତାର ସଂଚିତ ସ୍ୱପ୍ନରେ! ସବୁଦେଶର ଦିଗନ୍ତରେ ଘନିଭୂତ ଅନ୍ଧକାର ରାତ୍ରୀ । ଯେଉଁଠି ଚାହିଁଲେ ବି କେବଳ ଗଦା ଗଦା ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ୱପ୍ନଭଙ୍ଗର କରୁଣ କ୍ରନ୍ଦନ ।

ଅଧିକ ପଢନ୍ତୁ: ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ହଠାତ୍ ଏକ ଅଦୃଶ୍ୟ ଭୂତାଣୁର ଆକ୍ରମଣରେ ସମଗ୍ର ବିଶ୍ୱରେ କୋକୁଆ ଭୟ ଦେଖାଦେଇଛି । ଏହି ଭୂତାଣୁକୁ ରୋକିବା ପାଇଁ କୌଣସି ଦେଶ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାଁନ୍ତି । କରୋନାର କରାଳକାଳବଳୟରେ ଏ ବିଶ୍ୱ ପ୍ରତିଦିନ ଧ୍ୱଂସ ଆଡକୁ ଗତିକରୁଛି । ସମଗ୍ର ଜୀବଜଗତ ଭବିଷ୍ୟତରେ କିଭଳି କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି ତାହା ଏବେଠୁ କଳନା କରିବା କଷ୍ଟକର ।
ସତ କଥା ଲେଖିବାକୁ ଗଲେ – କେବଳ ଭୟ, କଷ୍ଟ, ମୃତ୍ୟୁ ଛଡା ଆଉ କିଛି ଦେଖାଯାଉନି । ଏଭଳି ଏକ କାଳଖଣ୍ଡରେ ଆମେ ପହଂଚିଯାଇଛେ – ସତେ ଯେମିତି କଳିକାଳ ପରେ ମହାକଳିକାଳ ମାଡିଆସିଛି । ଆମେ ସବୁ କଳିଯୁଗର ମଣିଷ ।

ସତ୍ୟ, ତ୍ରେତୟା, ଦ୍ୱାପର ଯୁଗର କଥା ଶୁଣିଆସୁଛେ । ଏ ତିନିଯୁଗ ପରେ କଳିଯୁଗରେ କ’ଣ କ’ଣ ସବୁ ଘଟିବ, ସେସବୁ କଥା ମହାପୁରୁଷମାନେ କହିଯାଇଛନ୍ତି । ସେହି ମହାପୁରୁଷମାନଙ୍କ ବାଣୀ ଆମେ ଶୁଣି ମଧ୍ୟ ଅଶୁଣା ଥିଲୁ । ଏବେ କରୋନା ଆମକୁ ବାଧ୍ୟ କରୁଛି ଶୁଣିବାକୁ, ଭୋଗିବାକୁ ।

କଥାରେ ଅଛି – ସମ୍ପଦ ଯେତେବେଳେ ଆସେ ସାଙ୍ଗ ସାଥୀ ନେଇ ଆସେ – ସେଇଭଳି ବିପଦ ମଧ୍ୟ ଆସେ । ଏବେ କରୋନା ମହାମାରୀବେଳେ ବାତ୍ୟା, ମହାବାତ୍ୟା, ଖାଦ୍ୟାଭାବ, ପଙ୍ଗପାଳ ଆକ୍ରମଣ ସବୁ ଏକାସାଙ୍ଗରେ ମାଡିଆସୁଛି । ଏବେ କେତେକ ବୈଜ୍ଞାନିକ କହୁଛନ୍ତି କରୋନା ସହିତ ଅନ୍ୟ ଅଦୃଶ୍ୟ ଭୂତାଣୁମାନେ ମାଡିଆସିବେ । ସମଗ୍ର ବିଶ୍ୱରେ ଅଶି କୋଟିରୁ ଅଧିକ ମଣିଷ ଲୋପ ପାଇବେ! ଏ ତ ଭବିଷ୍ୟତ ବାଣୀ – ଅଶି କୋଟି କି ଆହୁରି ବେଶି ଏବେଠୁ କିଛି କହିହେବନି । ରୋଗ କେବଳ ଜୀବନ ନେବନି – ତା’ଠାରୁ ବେଶି ଭୋକରେ ମରିବେ । ଭୟଙ୍କର ଦୁର୍ଭିକ୍ଷ ମାଡିଆସିବ । କିଛି ଅବିବେକି ଦେଶ ଯଦି ଯୁଦ୍ଧରେ ମାତିଯାଆନ୍ତି – ତା’ହେଲେ ରୋଗ ଓ ଭୋଗ କବଳରେ ଆଉଟୁପାଉଟୁ ହେଉଥିବା ମଣିଷ ଓ ସୈନ୍ୟ ଯୁଦ୍ଧରେ ମଧ୍ୟ ମୃତ୍ୟୁବରଣ କରିବେ । ଏ ପୃଥିବୀ ବହୁଳାଂଶରେ ଜନ ମାନବ ଶୂନ୍ୟ ହୋଇଯିବ?
ସମ୍ପ୍ରତି କରୋନାର କରାଳକାଳବଳୟ ମଧ୍ୟରେ ସବୁଠାରୁ ବେଶି ପ୍ରୟୋଜନ ଖାଦ୍ୟ । ଭୂତାଣୁ ନାଶ ପାଇଁ ବିଶ୍ୱରେ ଏପର୍ଯ୍ୟନ୍ତ କୌଣସି ମେଡିସିନ୍ ଉଦ୍‌ଭାବନ ହୋଇପାରିନି । ହୁଏତ ମେଡିସିନ୍ ଉଦ୍‌ଭାବନ ହେଲାବେଳକୁ କରୋନା ତା’ର ରୂପ ବଦଳାଇ ଅନ୍ୟ ସହସ୍ର ଭୂତାଣୁ ଜନ୍ମ ନେଇସାରିଥିବ । ସମଗ୍ର ବିଶ୍ୱବାସୀ ଏ ଭୟଙ୍କର ମହାମାରୀ ବିରୁଦ୍ଧରେ ଲଢୁଥିବାବେଳେ ପ୍ରାୟତଃ ସବୁଦେଶର ଅର୍ଥନୀତି ଧ୍ୱଂସମୁଖୀ । ସବୁଦେଶରେ ଅର୍ଥନୀତିକୁ ବଂଚେଇ ରଖିବା ପାଇଁ ନାନାପ୍ରକାର କୌଶଳ ଅବଲମ୍ବନ କରାଯାଉଛି । ସବୁ କୌଶଳ କାମ ଦେଉନି । ଅର୍ଥନୀତି ସହିତ ଜଡିତ ଥିବା ମଣିଷ ଛିନ୍‌ଛତ୍ର ହୋଇଯାଇଛି । ଯିଏ ଯେଉଁଠି ଜୀବନଜୀବିକା ପାଇଁ ପଡିରହିଥିଲେ, ସେମାନେ ଆପଣା ଘରକୁ ବାହୁଡି ଆସୁଛନ୍ତି । ଏହାଦ୍ୱାରା ଏକ ଭୟଙ୍କର ଅର୍ଥନୈତିକ ସଂକଟ ଦେଖାଦେଲାଣି । ସେମାନେ ଯେଉଁ ଯେଉଁ କଳକାରାଖାନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ କର୍ମରତ ଥିଲେ ସେମାନଙ୍କ ଅନୁପସ୍ଥିତ ସେସବୁ ଅନୁଷ୍ଠାନରେ ଅଚଳାବସ୍ଥା ସୃଷ୍ଟିକରିଛି । ପୁନଃଶ୍ଚ ସେମାନେ ଭିଟାମାଟିକୁ ଫେରିଆସିଥିବାରୁ ଭୀଷଣ ଖାଦ୍ୟାଭାବ ଓ ନିଯୁକ୍ତିର ସାମ୍ନା କରୁଛନ୍ତି । ଉତ୍ପାଦନ କ୍ଷେତ୍ର ଭୀଷଣ ବାଧାପ୍ରାପ୍ତ । ଅଦୂର ଭବିଷ୍ୟତରେ ଅର୍ଥନୀତି ଭୟଙ୍କର କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଯେଉଁ ଦେଶର ଶାସକମାନେ ଯେତେ ବାହାସ୍ଫୋଟ ମାରନ୍ତୁନା କାହିଁକି, ସେମାନଙ୍କର ମୁଣ୍ଡ କାମ କରୁନଥିବାରୁ ସଠିକ୍ ନିଷ୍ପତି ନେଇପାରୁନାହାଁନ୍ତି । ଯାହାଫଳରେ ଗଚ୍ଛିତ ଥିବା ଧନ, ସମ୍ପଦ, ଖାଦ୍ୟ ସରି ସରି ଆସୁଛି । ସମୟ ଆସୁଛି ସରକାରମାନେ ହାତ ଟେକିଦେବେ । ସେତେବେଳେ କିଏ କାହାକୁ ରକ୍ଷା କରିବ? ଅର୍ଥନୀତି ପରେ ରାଜନୀତି, ସମାଜନୀତି, ସଂସ୍କୃତି ସବୁ ଯାହା ଚାଲିଥିଲା, ଆଉ ସେଭଳି ଚାଲିପାରିବନାହିଁ ।

ବର୍ତମାନ ମହାମାରୀ କରୋନା ଭୂତାଣୁକୁ ରୋକିବାକୁ ସମଗ୍ର ବିଶ୍ୱରେ କୌଣସି ନିଦାନ ବାହାରିନଥିବାରୁ ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସାରା ପୃଥିବୀରେ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସଂଗରୋଧ, ମାସ୍କ ପ୍ରଭୃତି ବ୍ୟବହାର ଓ ଚିକିତ୍ସା ପାଇଁ କିଛିକିଛି ଔଷଧ ବ୍ୟବହାର କରାଯାଉଛି । ଆମ ଭାରତ ସରକାର, ରାଜ୍ୟ ସରକାର ପ୍ରତିଦିନ ଭଗବାନଙ୍କୁ ଡାକୁଛନ୍ତି । ଲକ୍‌ଡାଉନ୍ ଆରମ୍ଭ ହେବା ଦିନଠୁ ଆଜି ପର୍ଯ୍ୟନ୍ତ କେବଳ ଆମ ଦେଶ ନୁହେଁ, ବିଶ୍ୱରେ ବିଭିନ୍ନ ଦେଶର ଅର୍ଥନୈତିକ ବ୍ୟବସ୍ଥା ଧ୍ୱଂସ ଆଡକୁ ଗତି କରୁଛି । ସାରା ବିଶ୍ୱକୁ ଏଭଳି ବିପଦ କେବେ ଦେଖାଦେଇନଥିଲା । ପ୍ରତ୍ୟେକ ବିପଦକୁ ମୁକାବିଲା କରିବାପାଇଁ କିଛି ନା କିଛି ଉପାୟ ନିଶ୍ଚୟ ଅଛି । କିନ୍ତୁ କରୋନା ମହାମାରୀକୁ ରୋକିବାପାଇଁ କେବଳ ଲକ୍‌ଡାଉନ୍ ସମ୍ଭବ ନୁହେଁ । ଏ ଅଦୃଶ୍ୟ ଭୂତାଣୁ ବିରୁଦ୍ଧରେ ସମସ୍ତେ ମହାଯୁଦ୍ଧ ଘୋଷଣା କରିଛନ୍ତି । ଯୁଦ୍ଧରେ ଶତ୍ରୁ ଅଦୃଶ୍ୟ । ବର୍ତମାନ ସାରା ପୃଥିବୀରେ ଯାହା କିଛି ଚାଲିଛି ସବୁ ଦେଶ ଓ ରାଜ୍ୟର ଶାସକମାନେ ହିଁ ତାଙ୍କ ବୁଦ୍ଧି ଅନୁସାରେ କାର୍ଯ୍ୟ କରୁଛନ୍ତି । କରୋନାର କରାଳକୁ ରୋକିବାକୁ ହେଲେ ଚିକିତ୍ସା ବିଜ୍ଞାନର ପରିକ୍ଷିତ ଅଭିଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ମୁକାବିଲାର ପଦ୍ଧତି ନିର୍ଦ୍ଧାରଣ କରିବା ଏକାନ୍ତ ଆବଶ୍ୟକ । କିନ୍ତୁ ବହୁଳାଂଶ ଅହଂକାରୀ ଶାସକମାନେ ଅନ୍ୟଠାରୁ ଉପଦେଶ ନେବାପାଇଁ ଅକ୍ଷମ । ଯାହାଫଳରେ ଦିନ ଯେତେ ବଢୁଛି, ବିପଦ ସେତେ ବଢୁଛି ।

ବିଭିନ୍ନ ଦେଶର ଅର୍ଥନୀତିବିତ୍‌, ବିଜ୍ଞଜନ, ବୈଜ୍ଞାନିକମାନେ ସତର୍କ କରିଦେଲେଣି ଯେ – କରୋନା ଭୂତାଣୁ ଠାରୁ ଲକ୍‌ଡାଉନ୍ ଅତ୍ୟନ୍ତ ଭୟାନକ । ୧୯୨୯ ମହାମାନ୍ଦାବସ୍ଥାକୁ ୨୦୨୦ ମାନ୍ଦାବସ୍ଥା ବହୁଗୁଣରେ ବଢିଯିବ । ୨୦୨୧-୨୨ ବେଳକୁ ଏ ଧରାରୁ କିଛି ଲୋକ ବିଦାୟ ନେଇଯାଇଥିବେ । ଘୋର ଆର୍ଥିକ ସଂକଟରେ କୋଟି କୋଟି ଲୋକ ସମ୍ମୁଖୀନ ହେବେ । ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବ । ରୋଗ ଆଉ ଭୋକରେ ଲୋକେ ଛଟପଟ ହେବେ । ଲୋକେ ମାଳମାଳ ହୋଇ ମୃତ୍ୟୁବରଣ କରିବେ ।

କରୋନାର କରାଳ କାଳ ବଳୟ ପରର ପୃଥିବୀରେ ଯେଉଁ ଇତିହାସ ଲେଖାଯିବ – ତାହା ବିଶ୍ୱ ଇତିହାସର ମାଳମାଳ ପୃଷ୍ଠାରେ ଭର୍ତ୍ତି ହୋଇଯାଇଥିବ । ନ’ଙ୍କ ଦୁର୍ଭିକ୍ଷ ବେଳର ଇତିହାସ ଲେଖିବା ପାଇଁ ଏତେ ଲେଖକ ନଥିଲେ । ଏବେ ଗଣ୍ଡା ଗଣ୍ଡା ଲେଖକ ପଣ୍ଡିତ ଅଛନ୍ତି । ଭିନ୍ନ ଭିନ୍ନ କଲମରୁ ନାନାପ୍ରକାର ଲେଖାରେ ଇତିହାସ ବଖାଣିବ ଭୟଙ୍କର ମହାମାରୀ କାହାଣୀ । ଆଜି ଯେଉଁମାନେ ବାହାଦୁରି ଦେଖାଉଛନ୍ତି, ହୁଏତ କାଲି ସେମାନେ ଇତିହାସର ଅଳିଆଗଦାରେ ପଡିଥିବେ । ଇତିହାସ ବଡ ନିଷ୍ଠୁର । ସେ କାହାକୁ କ୍ଷମା ଦିଏନି । ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ହତ୍ୟା କରାଯାଇପାରେନା ।

ତା’ହେଲେ ସତେ କ’ଣ ଏ ଜୀବଜଗତ ଜଡଜଗତରେ ଲୀନ ହୋଇଯିବ? ନା – ମଣିଷ ବଂଚିବ । ଏଇ ବିଶ୍ୱର ପାଖାପାଖି ଆଠ ଶହ କୋଟି ମଣିଷଙ୍କ ଭିତରୁ ହୁଏତ ଅଧାଅଧି ଲୋପ ପାଇଯାଇପାରେ । କିନ୍ତୁ ଯେଉଁମାନେ ବଂଚିବେ, ସେମାନେ ଏ ମହାବିପଦରୁ ଉତୀର୍ଣ୍ଣ ହୋଇ ସବୁ ଦୁର୍ଗୁଣ ଛାଡିବାକୁ ବାଧ୍ୟ ହେବେ । ହୁଏତ ସେତେବେଳକୁ ମହାକଳିକାଳ ଶେଷ ହୋଇ ପୁନଃଶ୍ଚ ସତ୍ୟ ଯୁଗ ଆରମ୍ଭ ହୋଇଯାଇଥିବ । ଏ ବିପଦ ସମୟରେ କଷ୍ଟ ଆଉ ମୃତ୍ୟୁକୁ ଆମେ ଭୟ କରିବାନି । ଯାହା ହେବାର ଥିବ ହେବ । ମୃତ୍ୟୁ ପୂର୍ବରୁ ଆମେ ଶହେଥର ମରିବା କାହିଁକି? ବେଳ ଆସିଯାଇଛି ଆମର ଯେତେସବୁ ଦୁର୍ଗୁଣକୁ ଛାଡି ସୁଗୁଣ ଆଦରି ନେବା, ତା’ହେଲେ ଆମେ ହେବା ଜଗତଜିତା ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.