Latest Odisha News

BREAKING NEWS

ବିଷାଦ ବ୍ୟାଧିର ବଳୟରେ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

କରୋନା ମହାମାରୀ, ଭୋକର ଜ୍ୱାଳା ଭଳି ଏବେ ବିଷାଦର ବ୍ୟାଧି ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ମଣିଷ ମନରୁ ଶାନ୍ତି ଉଭେଇ ଯାଇଛି । ଧନସମ୍ପତି, କୋଠାବାଡି, ସୁନାରୂପା, ଗାଡିଘୋଡା ସବୁଥାଇ ମଣିଷ ମନରେ ସୁଖ ନାହିଁ । ଏବେ ସେ ପାଗଳ ଭଳି ଘୁରିବୁଲୁଛି । ଇଂଟରନେଟ୍ ପାଖରେ, ଟି.ଭି. ପାଖରେ ଘଂଟା ଘଂଟା ବିତେଇ ଦେଉଛି, ନହେଲେ ନିଶା ସେବନରେ ଦିନରାତି କଟେଇଦେଉଛି । କ୍ୟାନ୍‌ସର୍ ରୋଗ ହେଲେ ମଣିଷ ମୃତ୍ୟୁକୁ ଏକରକମ ଆଲିଙ୍ଗନ କରେ, କିନ୍ତୁ ବିଷାଦ, ଅବସାଦ, ରୋଗକୁ ଯିଏ ଜୟ କରିପାରିବ – ସେ ହିଁ ପ୍ରକୃତରେ ସୁଖୀ ।
ଜଣେ ସାଧାରଣ ମଣିଷ ଧନୀ ହେବାଟା ବଡ କଥା ନୁହେଁ । ସୁଖ ଓ ସ୍ୱାସ୍ଥ୍ୟର ଅଧିକାର ହିଁ ଏକାନ୍ତ ଆବଶ୍ୟକ । ଅଧିକାଂଶ ଅର୍ଥନୈତିକ ଉନ୍ନତି ହିଁ ସୁଖର ଚାବିକାଠି ବୋଲି ଧରିନେଇଛନ୍ତି । ଏହା ମଧ୍ୟ ସଂପୂର୍ଣ୍ଣ ସତ୍ୟ ନୁହେଁ ବୋଲି କେତେକ ଯୁକ୍ତି ବାଢନ୍ତି ।

ଅଧିକ ପଢନ୍ତୁ: ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ଅର୍ଥନୀତିକୁ ନେଇ ସମଗ୍ର ବିଶ୍ୱ ପ୍ରଥମେ ୩ ଭାଗରେ ବିଭକ୍ତ ହୋଇଯାଇଥିଲା । ପ୍ରଥମ ବିଶ୍ୱରେ ଧନଶାଳୀ ପୁଞ୍ଜିବାଦୀ ଦେଶ ସମୂହ, ଦ୍ୱିତୀୟ ବିଶ୍ୱରେ ସମାଜବାଦୀ ଅର୍ଥନୀତିର ପ୍ରବର୍ତକ ଦେଶ ସମୂହ ଏବଂ ତୃତୀୟ ବିଶ୍ୱରେ ଅନୁନ୍ନତ ବିକାଶଶୀଳ ଦେଶ ସମୂହ । ପ୍ରଥମ ବିଶ୍ୱର ମତରେ ଅର୍ଥନୈତିକ ଉନ୍ନତି ହିଁ ସୁଖ ଆଣିବ ଏବଂ ଦ୍ୱିତୀୟ ବିଶ୍ୱ ମତରେ ଅର୍ଥନୈତିକ ବୈଷମ ଦୂର କରିଲେ ହିଁ ପ୍ରକୃତ ସୁଖ ଆସିବ । ତୃତୀୟ ବିଶ୍ୱ ସମୂହ ଦେଶମାନେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱର ଦେଶମାନଙ୍କ ଠାରୁ ସାହାଯ୍ୟସହଯୋଗ ଆଣିବାପାଇଁ ବ୍ୟଗ୍ର ହୋଇପଡୁଥିଲେ । ଏବେ କିନ୍ତୁ ଦ୍ୱିତୀୟ ବିଶ୍ୱର ଦେଶମାନେ ସମାଜବାଦୀ ଅର୍ଥନୀତିରୁ ପୁଞ୍ଜିବାଦୀ ଅର୍ଥନୀତି ଆଡକୁ ମୁହାଁଇଥିବାରୁ ତାଙ୍କର ଚାରିତ୍ରିକ ଅସ୍ତିତ୍ୱ ଲୋପ ପାଇବାରେ ଲାଗିଛି । ସମଗ୍ର ବିଶ୍ୱପ୍ୟାପୀ ନୂତନ ଅର୍ଥନୈତିକ ବ୍ୟବସ୍ଥାରେ ପୃଥିକରଣ, ଉଦାରିକରଣ, ଘରୋଇକରଣ ପ୍ରବେଶ କରିବା ଫଳରେ ଅର୍ଥନୈତିକ ଭାରସାମ୍ୟ ଦୋହଲିଯାଇଛି ।

ସଂପ୍ରତି ଭାରତୀୟ ଅର୍ଥନୀତି ଭିଷଣ ଭାବରେ ରୋଗାକ୍ରାନ୍ତ । ପୁଣି କରୋନା ମହାମାରୀ ଅର୍ଥନୀତିକୁ ଧ୍ୱଂସମୁଖୀ କରୁଛି । ଏ ରୋଗାକ୍ରାନ୍ତ ଅର୍ଥନୀତିକୁ ଭଲ କରିବାପାଇଁ କେତେପ୍ରକାର ଉପାୟ ଚିନ୍ତା କରାଯାଉଛି ଏବଂ ପ୍ରୟୋଗ ମଧ୍ୟ କରାଯାଉଛି । ହେଲେ ରୋଗ କମିବାର ଲକ୍ଷଣ ଦେଖାଦେଉନି । ଅର୍ଥନୈତିକ ରୂପକ ରୋଗ ମହାମାରୀ ଆଡକୁ ଗତିକରୁଛି । ଉତ୍ପାଦନ କ୍ଷେତ୍ର ଧ୍ୱସ୍ତବିଧ୍ୱସ୍ତ । ଖୁଚୁରା ବଜାରରେ ଅଗ୍ନି ବର୍ଷୁଛି । ଏଭଳି ଅବସ୍ଥାରେ କିଛି ରତ୍ପାନକାରୀମାନଙ୍କର ପୁଷମାସ । ସେମାନେ ଭାରତୀୟ ଟଙ୍କାରେ ଜିନିଷ କିଣି ବିଦେଶକୁ ଚାଲାଣ କରି ଡଲାର୍ ପାଉଛନ୍ତି । ସେଥିପାଇଁ ସେୟାରବଜାର ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ବିଦେଶୀ ବ୍ୟବସାୟୀମାନେ ଭାରତରୁ ଧିରେ ଧିରେ ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି । ଏଭଳି ଅବସ୍ଥାରେ ଟଙ୍କାର ଅବମୂଲ୍ୟାୟନ ଏବଂ ଡଲାରର ଉର୍ଦ୍ଧ୍ୱଗତି ଯୋଗୁଁ ଦେଶ ଭୟଙ୍କର ଆର୍ଥିକ ସଂକଟରେ ଜର୍ଜରିତ । ରିଜର୍ଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତାହା କାମ ଦେଉନି ।

ସଂପ୍ରତି ଦେଶରେ ରାଜନୈତିକ ଅନିଶ୍ଚୟତା ଦେଖାଦେଇଛି । ଏଣେ ଦେଶରେ ଦୁର୍ନିତୀ, ବ୍ୟଭିଚାର ବଢିବାରେ ଲାଗିଛି । ରାଜକୋଷ ଲୁଟ୍ ହେଉଛି । ରାଜକୋଷ ଲୁଟେରାମାନେ କଳେବଳେକୌଶଳେ ଶାସନ କ୍ଷମତାକୁ ଜାବୁଡି ଧରି ଲୁଣ୍ଠନ କରିଚାଲିଛନ୍ତି । କେତେକ ଲୋକଙ୍କ ହାତରେ ଅମାପମାପ ସମ୍ପତି ଠୁଳ ହେଉଛି । କୋଟି କୋଟି ଏପରିକି ୯୫ ଭାଗ ଲୋକ ପରିଶ୍ରମର ଫଳ ନପାଇ ହତାଶ ପଙ୍କରେ ଘାଂଟି ହେଉଛନ୍ତି । ବିଷାଦରେ ସେମାନେ ଭାଙ୍ଗି ପଡୁଛନ୍ତି ।

ଅର୍ଥାଭାବରୁ ଯେତିକି ଦୁଃଖଦୁର୍ଦ୍ଦଶାର ଘଟଣା ଘଟେ, ତା ଠାରୁ ଅଧିକ ଘଟେ ଭଲପାଇବା ଅଭାବରୁ । ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ – କାହାର ବ୍ୟାଙ୍କରେ କେତେ ଅର୍ଥ ଅଛି – ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି କିମିଆ କରି କେହି ସଂଗେ ସଂଗେ ବିଶ୍ୱର ଦାରିଦ୍ର‌୍ୟ କମାଇଦିଏ, ତାହେଲେ ମଣିଷର ଦୁଃଖ ମାତ୍ର ଶତକଡା ୫ ଭାଗ କମିବ ଏବଂ ଆଉ ଯଦି କେହି ବିଷାଦ, ଉଦ୍‌ବେଗରୁ ମଣିଷକୁ ବିଛିନ୍ନ କରିଦିଏ – ତାହେଲେ ଦୁଃଖ କମିବ ମାତ୍ର ଶତକଡା ୨୫ ଭାଗ ।

ଅଧିକ ପଢନ୍ତୁ: କରୋନାର କରାଳ କାଳ ବଳୟ ପରର ପୃଥିବୀ

ବାକି ୭୫ ଭାଗ ଦୁଃଖ କେବଳ ମନଲାଖି ଉପଯୁକ୍ତ ବନ୍ଧୁ ପାଇଲେ ଦୂର ହୋଇଯାଇପାରେ । ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ ପାଇଁ ନିର୍ଦ୍ଧାରିତ ହୁଏ କି? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୁଷିତ ହୋଇଯାଏନା? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁମନୋଭାବାପନ୍ନ ହୋଇପଡନ୍ତି କି? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧାପ୍ରୀତି ପାଇଁ ଯେଉଁ ପରିମଣ୍ଡଳ ପ୍ରୟୋଜନ – ଅର୍ଥାଭାବରୁ ତାହା ନଷ୍ଟ ହୋଇଯାଉଛି କି?

 

ଧନୀଲୋକମାନେ ବରାବର ସମ୍ପତିର ପାହାଡ ଉପରେ ବସି ପୁଣି ଧନ ପାଇଁ ବିକଳ ହୁଅନ୍ତି – ନାନା ଉପାୟ, କଳକୌଶଳ, ଷଡଯନ୍ତ୍ର, ଅନ୍ୟାୟଅତ୍ୟାଚାର, କଷଣଶୋଷଣ କରି ତାଙ୍କ ଧନମ୍ପତିର ପାହାଡକୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବେଇ ଦେବାକୁ ଇଛାକରି ଶେଷରେ ରୋଗ, ନିରାଶା, ହତାଶା, ବିଷାଦର ହାଃହୁତାଶନରେ ସ୍ୱର୍ଗଧାମକୁ ଯାତ୍ରା କରନ୍ତି । ସେଇ ସମ୍ପତି ତାଙ୍କ ବଂଶପରିଜନମାନଙ୍କୁ ଖାଇ ଗୋଡାଏ । ସଂପର୍କ ଭାଙ୍ଗି ଛିନ୍‌ଛତ୍ର ହୋଇଯାଏ । ଧନଲୋଭ ମଣିଷକୁ ରସାତଳକୁ ଟାଣିନିଏ । ଟଲ୍‌ଷ୍ଟଏଙ୍କ ସେହି ସ୍ମରଣିୟ ଗଳ୍ପ “ମଣିଷ ପାଇଁ କେତେ ଜମି ଲୋଡା”କୁ ଟିକେ ହେଜନ୍ତୁ । ତେଣୁ ସଂପର୍କ ହିଁ ଏକମାତ୍ର ଅସଲ ସମ୍ପତି । ସଂପର୍କର ସଂସାର ହିଁ ସାର – ମନଲାଖି ମଣିଷସମାଜ ପାଇଁ ଶୁଖିଲା ସଭ୍ୟତାକୁ ଲୁହଭିଜା ସଂସ୍କୃତିର ଏହି ପ୍ରକୃତିର ଶୁଭସମାଚାର ।

ସମଗ୍ର ବିଶ୍ୱ ଯେପରି ବିଷାଦ ରୋଗାକ୍ରାନ୍ତ, ଭାରତ ସମେତ ବହୁ ଦେଶରେ ଅର୍ଥନୀତି ବ୍ୟାଧିଗ୍ରସ୍ତ । ଭାରତରେ ଭିକାରୀ ଠାରୁ ଆରମ୍ଭ କରି ଭି.ଆଇ.ପି ପର୍ଯ୍ୟନ୍ତ ସମସ୍ତେ ଧନ ପଛରେ ଗୋଡାଇଛନ୍ତି । କେବଳ ଧନ ନୁହେଁ, ପ୍ରତ୍ୟେକ ମଣିଷର ମନ ମଧ୍ୟ ବୋଲ ମାନୁନି । ପରିବାର ରକ୍ତସଂପର୍କ ମଧ୍ୟରେ ମଧ୍ୟ ମନୋମାଳିନ୍ୟ ଯୋଗୁଁ ସମସ୍ତେ ବିଷାଦଗ୍ରସ୍ତ । ଶରୀରରେ ରୋଗ ହେଲେ ସଠିକ୍ ଔଷଧ ସେବନ କରି ଲୋକେ ଭଲ ହୋଇଯାଉଛନ୍ତି, କିନ୍ତୁ ବିଷାଦ ରୋଗପାଇଁ କୌଣସି ଔଷଧ ନାହିଁ । ନିଜ ମନକୁ ନିଜେ ବୁଝାଇବା ହିଁ ବିଷାଦ ରୋଗ ନିରାକରଣର ନିଦାନ ।
ପଶ୍ଚିମ ଦେଶମାନଙ୍କରେ ବିଷାଦ ଓ ମାନସିକ ଅସ୍ଥିରତା ଭିଷଣ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ମଣିଷ ପାଗଳ ଭଳି ସୁଖ ଖୋଜୁଛି । ସଭ୍ୟତ ଓ ବିଜ୍ଞାନର ଯେତେ ଉନ୍ନତି ହେଉଛି, ମଣିଷ ସେତେ ବିଷାଦଗ୍ରସ୍ତ ହେବାରେ ଲାଗିଛି । ପ୍ରତ୍ୟେକ ମଣିଷ ଯାହା ଖୋଜୁଛି – ତାହା ପାଇବା କଷ୍ଟକର । ଖୋଜି ଖୋଜି ନୟାନ୍ତ ହୋଇ ବିଷାଦ ରୋଗରେ ଆକ୍ରାନ୍ତ ହେଉଛି । ଏହି ବିଷାଦରୁ ମୁକୁଳିବା ପାଇଁ ଯିଏ ଯାହା ଆଶାର ଆଲୋକ ଦେଖାଇଲା, ସେହି ମରିଚିକା ପଛେ ପଛେ ଧାଇଁବାରେ ଲାଗିଛି ।
ଏହି ବିଶ୍ୱରେ ପ୍ରତ୍ୟେକ ମଣିଷ ଯେଭଳି ବିଷାଦ ରୋଗରେ ଆକ୍ରାନ୍ତ, ସେଇଭଳି ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ଆକ୍ରାନ୍ତ । ଏହି ବିଷାଦ ରୋଗରୁ ମୁକ୍ତି ପାଇବାପାଇଁ ବହୁ ଦାର୍ଶନିକ ଅନେକ ବିକଳ୍ପ ତତ୍ୱ ବାହାର କରିଛନ୍ତି, ହେଲେ ସେ ତତ୍ୱକୁ କାର୍ଯ୍ୟରେ ପରିଣତ କରିବାକୁ ମଣିଷ ସଂପୂର୍ଣ୍ଣ ଚେଷ୍ଟା କରୁନି, ଯାହାଫଳରେ ବିଷାଦଗ୍ରସ୍ତ ହୋଇ ହାଃହୁତାଶରେ ଜୀବନ କଟାଉଛି । ଏହି ବିଷାଦ ରୋଗକୁ ଭଲ କରିବାପାଇଁ ସଂପୂର୍ଣ୍ଣ ସୂତ୍ର କିଏ ବାହାର କରିବ? ତାହା ଅପେକ୍ଷାରେ ମାନବଜାତି ଚାହିଁରହିଛି । ଚାହିଁ ଚାହିଁ ଆଖି ପାଣି ଆଖିରେ ମରିବ ସିନା – ବିଷାଦ ରୋଗରୁ ମୁକ୍ତି ପାଇବ ନାହିଁ । ପୃଥିବୀରେ କୌଣସି ଶକ୍ତି ନାହିଁ – ତୁମକୁ ବିଷାଦଗ୍ରସ୍ତ କରିବ; କେବଳ ନିଜେ ନିଜକୁ ହିଁ ବିଷାଦଗ୍ରସ୍ତ କରିଥାଉଁ ଆମେମାନେ । ଏହା ହେଉଛି ଏକ ମହୌଷଧିମୟ ଅର୍ନ୍ତବାଣୀ – ଯାହା ମନେରଖିଲେ ବିଷାଦ ବ୍ୟାଧିର ସଂକ୍ରମଣରୁ ଆମେ ନିସ୍ତରି ଯାଇପାରିବା ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.