Latest Odisha News

ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଓଡ଼ିଶା, ନବୀନ ସରକାରଙ୍କ ଅଭିନନ୍ଦନୀୟ ଭୂମିକା

ଦୂରଦର୍ଶୀ ତଥା ପ୍ରଗତିଶୀଳ ଚିନ୍ତାଧାରା ନବୀନବାବୁଙ୍କ ଶାସନର ବଡ଼ ଲକ୍ଷଣ ବୋଲି ନିସଙ୍କୋଚରେ କୁହାଯାଇପାରିବ| ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଙ୍ଘୀୟ ବିଚାରକୁ ସଠିକ୍ ଭାବେ ପ୍ରୟୋଗକରିବା ହେଉ ଏବଂ  ଅସ୍ବଛଳବର୍ଗର ଜୀବନଜୀବୀକାକୁ ସୁନିଶ୍ଚିତକରିବା କିମ୍ବା ବିପର୍ଯ୍ୟୟକୁ ପରିଚାଳନାକରିବା ଭଳି ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉ, ସବୁ ପ୍ରମୁଖ ଦିଗକୁ ଏକ ଲୋକାଭିମୁଖୀ ପ୍ରଶାସନିକ ଦିଶା ପ୍ରଦାନକରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେ ଦେଶର ଅନ୍ୟ ରାଜ୍ୟଶାସନର ମୁରବିମାନଙ୍କ ଠାରୁ ଆଗୁଆ ଏହା ବାରମ୍ବାର ପ୍ରମାଣିତ ହୋଇଛି|

କୋଭିଡ-୧୯ ପରି ଏକ ମହାମାରୀକୁ ଲକ୍ଷଣୀୟ ଭାବେ ନିୟନ୍ତ୍ରିତକରିବା ସହିତ ନୂତନ ଏବଂ ଯଥାର୍ଥ ଆଭିମୁଖ୍ୟ ପ୍ରଦାନକରି ସେ ଏହି କୁଶଳତାକୁ ଆହୁରି ଦୃଢ଼ ରୂପେ ସାବ୍ୟସ୍ତ କରିଛନ୍ତି| ଏକ ଅଦୃଶ୍ୟ ଭୂତାଣୁ ଦ୍ବାରା ଆରମ୍ଭ ହୋଇଥିବା ନରସଂହାରର ଭୟାବହତାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ଜାତୀୟ ନିଷ୍ପତ୍ତିର ଅଂଶୀଦାର ହିସାବରେ ପ୍ରତିଷେଧମୂଳକ ଲକ୍ ଡାଉନ୍ କୁ ଅତ୍ୟନ୍ତ କଠୋର ଭାବେ କାର୍ଯ୍ୟକାରୀ କରି ଉଚ୍ଚପ୍ରଶଂସିତ ହୋଇଥିଲା ବେଳେ ଅବରୋଧ ସମୟକୁ ଆଗୁଆ ବଢ଼ାଇ ବୈଜ୍ଞାନିକ ଦୂରଦର୍ଶୀତାର ପରିଚୟ ଦେଇଥିଲେ|

ଏବେ ସରକାରଙ୍କ ଆଉ କେତେକ ସମୟୋପଯୋଗୀ ପଦକ୍ଷେପ ରାଷ୍ଟ୍ରୀୟ ଦୃଶ୍ୟପଟ୍ଟରେ ବେଶ୍ ପ୍ରଭାବ ସୃଷ୍ଟିକରିଛି| ଜୀବନକୁ ବିପନ୍ନକରି କୋଭିଡ ରୋଗୀଙ୍କ ଚିକିତ୍ସାରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ଉପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଆକ୍ରମଣ ତଥା ଦୁର୍ବ୍ୟବହାର ଏବଂ ତାମିଲନାଡୁରେ କରୋନା ସଂକ୍ରମଣରେ ମୃତ ଡାକ୍ତରଙ୍କ ଅନ୍ତିମସଂସ୍କାରକୁ ବିରୋଧ ଘଟଣାର ସମ୍ବାଦ ପାଇବା ମାତ୍ରେ ଓଡ଼ିଶା ସରକାର ସେମାନଙ୍କ ସମ୍ମାନ ଓ ସୁରକ୍ଷା ସକାଶେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି| କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ଏହି ଘୋଷଣା ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଦିଗରେ ଏକ ତ୍ବରିତ ପଦକ୍ଷେପ|

ଏହି ବିଶେଷ ଘୋଷଣାରେ ସରକାର ସମସ୍ତ ସ୍ବାସ୍ଥ୍ୟବିଶେଷଜ୍ଞ ଓ ସହାୟକ କର୍ମୀମାନଙ୍କୁ ସମ୍ମୁଖ ରଣାଙ୍ଗନରେ ସଂଗ୍ରାମରତ ଯୋଦ୍ଧାଙ୍କ ସହ ତୁଳନା କରିଛନ୍ତି| ସେମାନଙ୍କ ବିରୁଦ୍ଧରେ କୌଣସି ଆଚରଣ ରାଜ୍ୟ ଶାସନର ବିରୋଧ ରୂପେ ବିବେଚିତ ହେବ ଏବଂ ବ୍ୟକ୍ତିଙ୍କୁ ‌ଏନ୍ଏସ୍‌ଏ ବା ଜାତୀୟ ସୁରକ୍ଷା ଆଇନ ବଳରେ ଗିରଫ କରାଯିବ| ଏହାବ୍ୟତୀତ ସରକାରୀ ଓ ଘରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସାରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ମଧ୍ୟରୁ କେହି ସଂକ୍ରମଣରେ ପ୍ରାଣ ହରାଇଲେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନକରାଯିବ|

ପୁନଶ୍ଚ ଏପରି ମାନବୀୟ ସଂଗ୍ରାମରେ ପ୍ରାଣପାତ କରିଥିବା ବ୍ୟକ୍ତି ସରକାରୀ ଚାକିରୀରେ ଥିଲେ ସେମାନଙ୍କ ପରିବାରକୁ ଉକ୍ତବ୍ୟକ୍ତିଙ୍କ ଚାକିରୀକାଳ ଶେଷ ପର୍ଯ୍ୟନ୍ତ ପ୍ରାପ୍ୟ ବେତନ ଦିଆଯିବ| ସେମାନଙ୍କୁ ଶହୀଦର ମାନ୍ୟତା ଦିଆଯିବା ସହିତ ଅନ୍ତିମକ୍ରିୟାକୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ କରାଯିବ ଏବଂ ସେମାନଙ୍କୁ ସେମାନଙ୍କ ଅବର୍ତ୍ତମାନରେ ରାଷ୍ଟ୍ରୀୟ ଦିବସରେ ସମ୍ମାନିତ କରାଯିବ| କୌଣସି ରାଜ୍ୟ ଏଭଳି ପଦକ୍ଷେପ ସମ୍ପର୍କରେ ଚିନ୍ତାକରିବା ପୂର୍ବରୁ ଓଡ଼ିଶାର ଏହି ନିଷ୍ପତ୍ତି ଅତ୍ୟନ୍ତ ଦୂରଦୃଷ୍ଟିସମ୍ପନ୍ନ|

ଏବେ ଏହି ପୃଷ୍ଠଭୂମିରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ତୁଳନାକରିବା ଅତ୍ୟନ୍ତ ଯଥାର୍ଥ ମନେହେବ| ଦେଶର ବିଭିନ୍ନ ରାଜ୍ୟରେ ଯଥା: ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ତାମିଲନାଡୁରେ ସ୍ବାସ୍ଥ୍ୟବିଶେଷଜ୍ଞ, କର୍ମୀ ତଥା ପୋଲିସଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବା ପରେ ଡାକ୍ତର, ନର୍ସ ଏବଂ ସହାୟକ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ୍(ଆଇଏମ୍‌ଏ) ଉଦବେଗ ପ୍ରକାଶକରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଜରୁରୀ ଚିଠି ଲେଖିଥିଲା| ଏହା ପୂର୍ବରୁ ଦିଲ୍ଲୀ ଏଆଇଆଇଏମ୍‌ଏସ୍ ର ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ମଧ୍ୟ ଅନୁରୂପ ପତ୍ର ଦେଇ ‘ହେଲଥ୍ ସର୍ଭିସେସ ପର୍ସୋନେଲ୍ ଆଣ୍ଡ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ’ କାର୍ଯ୍ୟକାରୀକରିବାକୁ ଅନୁରୋଧ କରିଥିଲା|

ମାତ୍ର ଏସମ୍ପର୍କରେ ସଙ୍ଘଗୁଡ଼ିକ ସହ ତୁରନ୍ତ ଆଲୋଚନା ଓ ଜରୁରୀ ବାସ୍ତବ ପଦକ୍ଷେପ ଲାଗି ନିଷ୍ପତ୍ତି ନେବାରେ ବିଳମ୍ବ ହେବାରୁ ଆଇଏମ୍‌ଏ ମନ୍ତ୍ରଣାଳୟକୁ ସ୍ପଷ୍ଟ ଜଣାଇଦେଇଥିଲା ଯେ, ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ନିମନ୍ତେ ଏକ କେନ୍ଦ୍ରୀୟ ଆଇନ ଆଣିବା ଉଚିତ| ଅନ୍ୟଥା ସଙ୍ଗଠନର ସଦସ୍ୟମାନେ ହ୍ବାଇଟ୍ ଆଲର୍ଟ ମୁତାବକ ଏପ୍ରିଲ ୨୨ ରାତି ୯ଟାରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ ଆରମ୍ଭ କରିବେ ଏବଂ ପରଦିନ ୨୩ ତାରିଖରେ କଳାବ୍ୟାଜ ବାନ୍ଧି କଳାଦିବସ ପାଳନ କରିବେ| ଏପରି ଚେତାବନୀ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଇଏମ୍‌ଏ ସହ ଆଲୋଚନା କରି ସାରା ଦେଶରେ ଡାକ୍ତର ଓ ସ୍ବାସ୍ଥ୍ୟ ସହାୟକମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ| ଫଳରେ ଅପ୍ରୀତିକର ପରିସ୍ଥିତି ଟଳିଯାଇଛି| ମାତ୍ର ଆର୍ଥିକ ସହାୟତା କ୍ଷେତ୍ରରେ କେନ୍ଦ୍ର ଏବେ ବି ଓଡ଼ିଶା ସରକାରଙ୍କ ପଛରେ ଅଛି| କାରଣ କେବଳ ଡାକ୍ତରମାନଙ୍କ ସମ୍ଭାବିତ ମୃତ୍ୟୁରେ ୫୦ଲକ୍ଷ ଟଙ୍କାର ବୀମା ସହାୟତା ଘୋଷଣା ହୋଇଛି|

କୋଭିଡ ମୁକାବିଲା ପାଇଁ ଓଡ଼ିଶା ତୃଣମୂଳ ସ୍ତରରେ ଆଉଏକ ଅଭନବ ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଛି, ଯାହା ଅନ୍ୟରାଜ୍ୟ ଶାସନ ଲାଗି ଜରୁରୀ ପରିସ୍ଥିତିରେ କରଣୀୟ| ଏହି ମର୍ମରେ ବୁଧବାର ମୁଖ୍ୟମନ୍ତ୍ରୀ ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସ କରିଥିଲେ| ବର୍ତ୍ତମାନ ଓଡ଼ିଶାର ହଜାରହଜାର ଶ୍ରମଜୀବୀ ଦୀର୍ଘଦିନ ଧରି ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଝାଡ଼ଖଣ୍ଡ, ଦିଲ୍ଲୀ, ହରିଆନା, ତେଲେଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଲକ୍ ଡାଉନ୍ ଲାଗି ଦୀର୍ଘଦିନ ଧରି ଅଟକିରହିବା ପରେ ଏବେ ଓଡ଼ିଶା ଭିତରକୁ ବିଭିନ୍ନ ବାଟଦେଇ ପ୍ରବେଶ କରୁଛନ୍ତି, ଯାହା ଆମ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି| ସେମାନଙ୍କ ମଧ୍ୟରୁ ଅନେକ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ଆସିବା ବାଟରେ ଓ ଘରେ ପହଞ୍ଚିବା ପରେ ପରିବାର ଓ ଚଳପ୍ରଚଳ ହେଉଥିବା ସ୍ଥାନଗୁଡ଼ିକରେ ଲୋକଙ୍କୁ ସଂକ୍ରମିତ କରିଥିବା ତଥ୍ୟ ହସ୍ତଗତ ହୋଇଛି| ରାଜ୍ୟରେ ୭୪ଜଣ ପଜିଟିଭଙ୍କ ମଧ୍ୟରୁ ୨୪ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାପଡ଼ିଛି| ଯଦି ଏହି ବହିରାଗତ ମାଇଗ୍ରାଣ୍ଟ ଶ୍ରମଜୀବୀମାନଙ୍କ ସଠିକ୍ ତଥ୍ୟ ସଂଗ୍ରହ କରାନଯିବ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଯିବ|

ଏହାକୁ ଦୃଷ୍ଟିରେ ରଖି ସରପଞ୍ଚମାନଙ୍କୁ କଲେକ୍ଟର କ୍ଷମତା ଅର୍ପଣ କରାଯାଇଛି| ସେମାନେ ମାଇଗ୍ରାଣ୍ଟ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ସହିତ କୋଭିଡ ପରୀକ୍ଷା, ପଞ୍ଚାୟତର କ୍ବାରାଣ୍ଟାଇନରେ ସେମାନଙ୍କ ରହଣି, ଚିକିତ୍ସା ବ୍ୟବସ୍ଥାର ତଦାରଖ ଓ ସଂଯୋଜନା କରିବେ| ଏଥିପାଇଁ  ସେମାନଙ୍କୁ ଆଇନଗତ କ୍ଷମତା ପ୍ରଦାନକରିବା ନିହାତି ଦରକାର|

ଏକ ଅସାଧାରଣ ପରିସ୍ଥିତିରେ ଅସାଧାରଣ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସୂଚାଇ ଦେଇ ସେ ଏହି ପ୍ରାବଧାନ କରିଛନ୍ତି| ଏହି ନିଷ୍ପତ୍ତି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଓ ସଂକ୍ରାମକ ରୋଗ ଆଇନ ୧୮୯୭ ତଥା ଓଡ଼ିଶା କୋଭିଡ ରେଗୁଲେସନ୍-୨୦୨୦ ଅନୁଯାୟୀ କରାଯାଇଛି|

ଆମ ରାଜ୍ୟର ଫେରନ୍ତାମାନଙ୍କୁ ଉପଯୁକ୍ତ ଭାବେ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି| ଏଭଳି ଭବିଷ୍ୟଦୃଷ୍ଟି ଆମ ରାଜ୍ୟ ଓ ଦେଶ ଲାଗି ଯେ ଅତୀବ ଗୁରୁତ୍ତ୍ବପୂର୍ଣ୍ଣ ସେଥିରେ ସନ୍ଦେହ ନାହିଁ|

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.