Latest Odisha News

BREAKING NEWS

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସ୍ଥାନାନ୍ତରୀତ

ଭୁବନେଶ୍ୱର: ରାଜଧାନୀ ଗଜପତି ନଗରସ୍ଥିତ ଆପୋଲୋ ହସ୍ପିଟାଲରେ ଶନିବାର ସକାଳେ ୫ମ ମହଲାରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ସମସ୍ତ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଶନିବାର ଦିନ ପ୍ରାୟ ୧୧ଟା ସମୟରେ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଥିବାର ପ୍ରଥମେ କିଛି ଆଟେଣ୍ଡାଣ୍ଟ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।

ଏହି ଘଟଣା ସମ୍ପର୍କରେ ଜାଣି ୨ଟି ଦମକଳ ବାହିନୀ ଗାଡ଼ି ଡ଼ାକ୍ତରଖାନାର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ ବିଭାଗର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ନିଆଁ ଆୟତ୍ତ ହୋଇଛି ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ୫ମ ମହଲାରେ ଥିବା ବ୍ୟାଟେରୀ ରୁମ ମଧ୍ୟରେ ସର୍ଟ ସର୍କିଟ ଯୋଗୁ ଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ଘଟିନାହିଁ କିମ୍ବା ଏଥିରେ କୌଣସି ବ୍ୟକ୍ତି କିମ୍ବା ରୋଗୀ ଆହତ ହୋଇନାହାନ୍ତି । ତୁରନ୍ତ ନିଆଁ ନିର୍ବାପିତ୍ତ ହେବା ଯୋଗୁଁ ସେପରି କିଛି କ୍ଷୟକ୍ଷତି ମଧ୍ୟ ଘଟିନଥିବା ପ୍ରକାଶ ।

“ଆମେ ଜରୁରୀକାଳୀନ ଦ୍ୱାର ଦେଇ ରୋଗୀମାନଙ୍କୁ ବାହାରକୁ ନିଷ୍କାସିତ କରିଦେଇଥିଲୁ । ସେଥିମଧ୍ୟରୁ ଡ଼ାକ୍ତରଖାନାରେ ପୂର୍ବରୁ ଚିକିତ୍ସିତ ହେଉଥିବା ୨୧ ଜଣ ରୋଗୀଙ୍କୁ ଅନ୍ୟ ଘରୋଇ ଡ଼ାକ୍ତରଖାନାର ଆଇସିୟୁରେ ଚିକିତ୍ସା ନିମନ୍ତେ ପଠାଇ ଦେଇଛୁ । ୫ମ ମହଲାରେ ଧୁଆଁ ନିଷ୍କାସିତ ହେବା ଲାଗି କୌଣସି ବାଟ ନଥିବା ଯୋଗୁଁ ଝରକା କାଚ ଭାଙ୍ଗି ଆମେ ଧୁଆଁ ନିଷ୍କାସନ କରିଥିଲୁ,”ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଏ ସମ୍ପର୍କରେ ପୋଲିସ କମିଶନର୍ କହିଛନ୍ତି, ଆପୋଲୋ ହସ୍ପିଟାଲର କର୍ତ୍ତୃପକ୍ଷ ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରି କହିବେ । ହସ୍ପିଟାଲର ଅଗ୍ନିଶମ ନିର୍ବାପକ ପଦ୍ଧତି ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ପୋଲିସ ତାହାକୁ ଯାଞ୍ଚ କରିବ । “ଆମେ ପ୍ରଥମେ ଯାଞ୍ଚ କରିବୁ କି ହସ୍ପିଟାଲରେ ନିୟମିତ ରୂପେ ଫାୟାର୍ ଅଡ଼ିଟ୍ ହେଉଛି କି ନାହିଁ, ” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.