Latest Odisha News

ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରି କରେ…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ:

ଉଦାସୀ ମୁଁ ବଇଁଶୀ ସୁର ମମ ଝରି
କିଛି ଗୀତର ସ୍ୱର ଓ ଗାୟନ ନିଜ ନିଜ ଭାଗ୍ୟ ନେଇ ଆସନ୍ତି । ସେହି ଭାଗ୍ୟକୁ ବଦଳାଇଦେବାର କ୍ଷମତା ନା ସଂଗୀତକାରଙ୍କର ଥାଏ ନା ଗାୟକ/ ଗାୟିକାଙ୍କର । ଯାହାର ଯାହା ଇଚ୍ଛାଥିଲେ ବି ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରେ । ତାହା ହୁଏତ ପରେ ଇତିହାସରେ ସୁନାର ଅକ୍ଷରରେ ଲେଖାହୁଏ ନହେଲେ କାଳ ଗର୍ଭରେ ଲୀନ ହୋଇଯାଏ । ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରଥମ ଚଳଚ୍ଚିତ୍ରର ଗୀତ ଗାୟକଙ୍କ ନିଜ ଇଚ୍ଛାରେ ହୋଇ ନ ଥିଲା କିନ୍ତୁ ତେବେ ବି ତାହା ସୁନା ଅକ୍ଷରରେ ଲେଖାହେଲା ଓ ଅନେକ ଶ୍ରୋତାଙ୍କ ପ୍ରିୟ ଗୀତ ଭାବରେ ଆଜି ମଧ୍ୟ ସ୍ମରଣୀୟ ।

ବେଦନା ସାଗର ତୀରେ

ପ୍ରଣବ ପଟ୍ଟନାୟକ ଯାହା କହିଥିଲେ

ମୁଁ କୁନ୍ଦନ ଲାଲ ସେହଗଲଙ୍କ ବଡ଼ ଫ୍ୟାନ୍ । ତାଙ୍କ ଗାୟନ ଶୈଳୀ ମୋତେ ଭଲ ଲାଗେ । ଗାୟକ ଜୀବନର ଆରମ୍ଭରେ ତାଙ୍କୁ ମୁଁ ଅନୁକରଣ କରୁଥିଲି । ସେହଗଲ ସାହେବଙ୍କ ସବୁ ଗୀତ ମୋତେ ଭଲ ଲାଗୁଥିଲା, ଆଜି ବି ଲାଗେ । ତେବେ ସେ ଗାଇଥିବା ଗୀତ ମଧ୍ୟରୁ ମୋର ପ୍ରିୟ ଗୀତ ଥିଲା ‘ବାବୁଲ ମୋରା’ । ସେହି ଗୀତକୁ ମୁଁ ଅନେକଥର ଗାଇଛି । ଯେତେବେଳେ ୧୯୫୫ ମସିହାରେ ମୁଁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେଲି, ମୋର ଗୀତରେ ସେହଗଲ ସାହେବଙ୍କ ଗାୟନ ଶୈଳୀକୁ ଆଣିଲି । ପଣ୍ଡିତ ଭୁବନେଶ୍ୱର ମିଶ୍ର ମୋର ସଂଗୀତ ଗୁରୁ । ସେ ତାଗିଦ୍ କଲେ, କହିଲେ ‘ପ୍ରଣବ ତମର କଣ୍ଠ ସ୍ୱତନ୍ତ୍ର, ତମେ ଆଉ କାହାର ଗାୟକୀ ନକଲ କରନାହିଁ’ । ମୁଁ ବୁଝିିଲି, ମୋର ସେହଗଲଙ୍କ ଶୈଳୀରେ ଗାଇବା ତାଙ୍କର ପସନ୍ଦ ନୁହେଁ । ସାର୍ଙ୍କ କଥା ମାନି ମୁଁ ଆଉ ସେହଗଲ ସାହେବଙ୍କ ଗାୟନ ଶୈଳୀକୁ ନକଲ କଲି ନାହିଁ । ଯେତେବେଳେ ଭୁବନେଶ୍ୱର ସାର୍ ସିନେମାରେ ପ୍ରଥମଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଲେ, ମୋତେ ଗାଇବା ପାଇଁ ଡାକିଲେ । ‘ମା’ ଚଳଚ୍ଚିତ୍ରରେ ଏକ ବିରହ ଗୀତ ମୁଁ ଗାଇବାର ଥିଲା । ସେତେବେଳେ କିନ୍ତୁ ସାର୍ ମୋତେ କହିଲେ ‘ପ୍ରଣବ! ତମେ ଏହି ଗୀତରେ ସେହଗଲଙ୍କ ଶୈଳୀ ଆଣିବ, ଗୀତ ଓ ସିଚୁଏସନ୍ ତାହା ଦରକାର କରୁଛିି’ । ବାସ୍! ତା’ପରେ ମୁଁ ମୋ ଜୀବନର ପ୍ରଥମ ଚଳଚ୍ଚିତ୍ର ଗୀତକୁ ସେହଗଲ୍ଙ୍କ ଶୈଳୀରେ ଗାଇଲି । ମୁଁ କିନ୍ତୁ ଏହାପରେ ସେ ଶୈଳୀକୁ ଅନ୍ୟ କେଉଁ ଗୀତରେ ଅନୁକରଣ କରିନାହିଁ । ସେ ଗୀତ ଥିଲା ‘ବେଦନା ସାଗର ତୀରେ’ । ହଁ, ଏହି ଚଳଚ୍ଚିତ୍ରରେ ପ୍ରଥମ କରି ଅକ୍ଷୟ ବି ଗାଇଥିଲା, ଖାଲି ଗାଇଥିଲା ନୁହଁ, ଗୀତ ବି ଲେଖିଥିଲା । ଅକ୍ଷୟ ଓ ମୁଁ ଏକାସହ ‘ମା’ ତଳଚ୍ଚିତ୍ରରୁ ପ୍ରଚ୍ଛଦ ଗାୟନ ଆରମ୍ଭ କଲୁ ।
ବେଦନା ସାଗର ତୀରେ
ବେଦନା ସାଗର ତୀରେ
ସାଗର ତୀରେ
ଉଦାସୀ ମୁଁ ବଇଁଶୀ ସୁର ମମ ଝରି
ଉଦାସୀ ମୁଁ ବଇଁଶୀ ସୁର ମମ ଝରି
ଅନ୍ତରେ ଆସେ ହାୟ
ବାରେ ବାରେ ଫେରି
ଉଦାସୀ ମୁଁ ବଇଁଶୀ
ଝରିଯାଏ ଯେ ଫୁଲ କିଏ ତା’ର ମୂଲ
ଦିଏ ଗୋ ଜଗତେ
ଜଳିଯାଏ ଯେ ଧୂପ ଅବଶେଷ ତା’ର
କିଏ ଗୋ ସାଇତେ
ଧୂପ ମୁଁ ଯାଇଛି ଜଳି
ଖୋଜି ସମବେଦନା
ହାରି ଦେଲି ସିନା
ଯା’ ଥିଲା ଜୀବନେ
ବେଳା ବୁକେ ଲହରୀ
ସବୁ ଦେଇ ହାରି ଫେରଇ ଯେସନେ
ନିରାଶେ ମୁଁ ଯିବି ଫେରି
ଗୀତ
ଗୁରୁକୃଷ୍ଣ ଗୋସ୍ୱାମୀ
ଗାୟନ
ପ୍ରଣବ କିଶୋର ପଟ୍ଟନାୟକ
ସଂଗୀତକାର
ଭୁବନେଶ୍ୱର ମିଶ୍ର
ଚଳଚ୍ଚିତ୍ର
ମା’ (୧୯୫୮)

(ପ୍ରଚ୍ଛଦ ଫଟୋ: ପ୍ରଣବ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି)

 

Leave A Reply

Your email address will not be published.