Latest Odisha News

BREAKING NEWS

ମରିନାହିଁ ମାନବିକତା, ଦୁର୍ଘଟଣାରେ ଗୁରୁତର ପୋଲିସ ଅଧିକାରୀଙ୍କ ଜୀବନ ବଞ୍ଚାଇଲେ ଯୁବକ

ଭୁବନେଶ୍ୱର :ଶନିବାର, ସମୟ ଦିନ ୧୦ଟା ୩୦ ।  ପଳାଶୁଣୀ ଓଭରବ୍ରିଜ ଉପରେ ଗାଡି ରଖି ଠିଆ ହୋଇଥାନ୍ତି ଅଙ୍କିତ ମହନ୍ତି ଓ ତାଙ୍କ ବନ୍ଧୁ । ହଠାତ୍ ଜୋରରେ ଏକ ଶଦ୍ଦ ଶୁଣି ଦେଖିଲା ବେଳକୁ ରାସ୍ତାରେ ଜଣେ ପୋଲିସ ଅଧିକାରୀ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ଏକ ଅଜଣା କାର ତାଙ୍କୁ ପଛରୁ ଧକ୍କା ଦେଇ ଚାଲିଯାଇଥାଏ । ଦୌଡି ଗଲେ ଅଙ୍କିତ ଓ ତାଙ୍କ ବନ୍ଧୁ । ପୋଲିସ ଅଧିକାରୀ ଜଣଙ୍କ ଗୁଲାମ ଅଲ୍ଲୀ ଓ ସେ କଟକ ଜିଆରପିରେ କାମ କରନ୍ତି ବୋଲି ଜଣାପଡିଥିଲା ।

ସେତେବେଳକୁ ଗୁଲାମଙ୍କ ନାକରୁ ରକ୍ତସ୍ରାବ ବନ୍ଦ ହେଉ ନ ଥାଏ । ଆଖପାଖରେ ଥିବା ସମସ୍ତେ ଦେଖୁଥାନ୍ତି । କିନ୍ତୁ କେହି କିଛି କରୁ ନ ଥାନ୍ତି । ଅଙ୍କିତ ଆଉ ବିଳମ୍ବ ନ କରି ତାଙ୍କୁ ନିଜ କାରରେ ତାଙ୍କୁ ନେଇଗଲେ ଏକ ଘରୋଇ ଡାକ୍ତରଖାନାକୁ ।

ସେଠାରେ ଚିକିତ୍ସା ପରେ ଆହତ ପୋଲିସ ଅଧିକାରୀ ଗୁଲାମ ଅଲ୍ଲୀ ବିପଦମୁକ୍ତ ଥିବା ଡାକ୍ତର କହିଲେ । ଡାକ୍ତରଙ୍କ କହିବାନୁସାରେ ଆଉ କିଛି ସମୟ ବିଳମ୍ବ ହୋଇଥିଲେ ଅସୁବିଧା ହୋଇଥାନ୍ତା ।

ଚିକିତ୍ସା ଆରମ୍ଭ ହେବା ପରେ ଅଙ୍କିତ ୧୦୦କୁ ଫୋନ କରି ଏସବୁ ଜଣାଇଲେ । ସ୍ଥାନୀୟ ପୋଲିସ ପହଞ୍ଚି ଅଙ୍କିତ ଓ ତାଙ୍କ ବନ୍ଧୁଙ୍କର ବୟାନ ରେକର୍ଡ କରିଛି । ଅଙ୍କିତଙ୍କ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଏ ନେଇ ଅଙ୍କିତ କହିଛନ୍ତି ‘ପୋଲିସମାନେ ଆମକୁ ୩୬୫ ଦିନ ଯାକ ସେବା ଯୋଗାଇ ଆସୁଛନ୍ତି । ଆଜି ମୁଁ ତାଙ୍କୁ ସାହାଯ୍ୟ କରିପାରିଥିବାରୁ ମତେ ବହୁତ ଖୁସି ଲାଗୁଛି । ’

ଅଙ୍କିତ ପେସାରେ ଜଣେ ଇଂଜିନିଅରି । ଭୁବନେଶ୍ୱରର ଏକ ଘରୋଇ କମ୍ପାନିରେ ସେ କାମ କରନ୍ତି । ଏହି ଘଟଣା ପରେ ଗୁଲାମଙ୍କ ପରିବାର ଲୋକ ମଧ୍ୟ ତାଙ୍କ ସହ କଥା ହୋଇଛନ୍ତି । ସେମାନେ ଅଙ୍କିତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.