Latest Odisha News

BREAKING NEWS

ଗୋପାଳ ଚନ୍ଦ୍ର ପ୍ରହରାଜ

ଗୋପାଳ ଚନ୍ଦ୍ର ପ୍ରହରାଜ

(୧୮୭୪-୧୯୪୫)
କ୍ଷେତ୍ର: ଭାଷା-ସାହିତ୍ୟ (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣେତା)

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ସଂକଳକ ଭାବେ ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରାତଃସ୍ମରଣୀୟ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗାଁରେ ଏକ ଜମିଦାର ପରିବାରରେ ୯ ସେପ୍ଟେମ୍ବର ୧୮୭୪ ମସିହାରେ ତାଙ୍କର ଜନ୍ମ । ଗାଁ ମାଇନର୍‍ ସ୍କୁଲ୍, ରେଭେନ୍ସା କଲେଜିଏଟ୍ ସ୍କୁଲରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପରେ ରେଭେନ୍ସା କଲେଜରେ ଏଫ.ଏ. ଏବଂ କଲିକତାରେ ବି.ଏ. ଶେଷ କରିଥିଲେ ସେ । କଟକରେ ମଧୁସୂଦନ ଦାସଙ୍କ ସହଯୋଗୀ ଭାବେ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ । ପରେ ସ୍ୱାଧୀନ ଭାବେ ଜୀବିକା ନିର୍ବାହ କରିଥିଲେ । ବାପା ବୋଉଙ୍କର ଇଚ୍ଛା ଥିଲା ପୁଅ ହାକିମ ହେବ; ଏପରିକି ଗୋପାଳଙ୍କର ଇଚ୍ଛା ଥିଲା ରାଜନୀତି କରିବା ପାଇଁ, ମାତ୍ର ୟା ଭିତରୁ କିଛି ବି ହୋଇନଥିଲେ ସେ । ବରଂ କାହାଣୀ, ପ୍ରବନ୍ଧ, ରମ୍ୟରଚନା, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭାଷାଚର୍ଚ୍ଚା ଏବଂ ସମ୍ବାଦଧର୍ମୀ ରଚନାରେ ମନୋନିବେଶ କରି ଅଲକ୍ଷ୍ୟରେ ସାହିତ୍ୟ ଜଗତକୁ ପଶିଯାଇଥିଲେ । କବିତାରୁ ଆରମ୍ଭ ହୋଇଥିଲା ତାଙ୍କର ସୃଜନଯାତ୍ରା । ତେବେ ରମ୍ୟରଚନା କ୍ଷେତ୍ରରେ ତାଙ୍କର ବେଶ୍ କାଟତି ଥିଲା । ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇ ମାହାନ୍ତି ପାଞ୍ଜି’ ଆଦି ତାଙ୍କ ଉତ୍କର୍ଷର ପ୍ରମାଣ । ତେବେ ୧୯୧୩ରେ ସମଗ୍ର ଓଡ଼ିଶାର ଭାଷା, ସାହିତ୍ୟ, ଧର୍ମ, ଦର୍ଶନ, ବିଜ୍ଞାନ ଆଦିକୁ ଏକାଠି କରି ସେ ସଂକଳନ ଆରମ୍ଭ କଲେ ଏକ ଶବ୍ଦକୋଷର, ଯାହା ୧୯୩୦ ମସିହାରେ ପ୍ରଥମ ଖଣ୍ଡରେ ପ୍ରକାଶ ପାଇଲା ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଭାବେ । ଏହାର ସଂପୂର୍ଣ୍ଣ ଖଣ୍ଡର ପ୍ରକାଶନ ଶେଷ ହେବାକୁ ଲାଗିଥିଲା ଦଶ ବର୍ଷ । ହିନ୍ଦୀ, ବଙ୍ଗଳା, ଓଡ଼ିଆ ଓ ଇଂରାଜୀ– ଚାରିଟି ଲିପିରେ ସଂକଳିତ ଏହି ଶବ୍ଦକୋଷର ପୃଷ୍ଠା ସଂଖ୍ୟା ୯,୫୦୩ । ସାତଟି ଖଣ୍ଡରେ ପ୍ରକାଶିତ ଏହି ମହାଗ୍ରନ୍ଥରେ ସଂଯୋଜିତ ହୋଇଛି ଅନେକ ଗ୍ରାମୀଣ ଓ ଅଶ୍ଳୀଳ ଶବ୍ଦ । ଏବଂ ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି– ଜଣେ ଅଭିଧାନକାର ଶବ୍ଦର ସଂଗ୍ରାହକ ଓ ବ୍ୟାଖ୍ୟାକାର- ତାହା କଥିତ, ଲିଖିତ, ଶ୍ଳୀଳ, ଅଶ୍ଳୀଳ ଯାହା ହେଉ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବିଶାଳତା ଭିତରେ ବାସ୍ତବରେ ଲୁଚିରହିଛି ଓଡ଼ିଆ ଜାତିର ଅସ୍ମିତା । ଭାଷାକୋଷ ବ୍ୟତୀତ ବହୁ ପ୍ରବନ୍ଧ, ଜୀବନୀ, ଚିଠି, ସମୀକ୍ଷା, ମୁଖବନ୍ଧର ଲେଖକ ଓ ସଂକଳକ ଭାବେ ସେ ସୁପରିଚିତ । ନିଜ ଇଚ୍ଛାରେ ଜୀବନ ବଞ୍ଚିଥିବା ଓ ସମାଲୋଚନାକୁ ଖାତିର କରୁନଥିବା ଏହି ବିରଳ ପ୍ରତିଭା ୧୬ ମେ ୧୯୪୫ ମସିହାରେ ମାତ୍ର ୭୦ ବର୍ଷ ବୟସରେ ଆମ ଗହଣରୁ ବିଦାୟ ନେଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.