ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ ।

“ ନୀଳାଦ୍ରି ମହୋଦୟ ” ର ସଂଗୃହିତ …
ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍ ।
ତଦାଶ୍ରାବଣମାସସ୍ୟ ଶୁକ୍ଳେଽପି ହରିବାସରେ ।।
ହରେଃ ଶୟନଯାତ୍ରାୟାଃ ବିଧିଃ କାର‌୍ୟ୍ୟୋ ନ ସଂଶୟଃ ।”

ହେ ରାଜା ! ଚତୁର୍ମାସ୍ୟ ମଧ୍ୟରେ ଯଦି କୌଣସି ମାସର ବୃଦ୍ଧି ଦ୍ଵାରା ମଳମାସ ପଡ଼େ, ତେବେ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କର ଶୟନଯାତ୍ରା ଅନୁଷ୍ଠାନ କରାଇବ। ଏଥିରେ କୌଣସି ସନ୍ଦେହ ନାହିଁ ।
ହରିଶୟନ ଏକାଦଶୀଠାରୁ ଠାକୁର ୪ମାସ ଶୟନ କରିଥା’ନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ । ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳନ କରାଯାଏ । ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ୪ ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ । ଏହି ସମୟରେ ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି । ଆଜି ଠାରୁ ୪ ମାସ ପର‌୍ୟ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହେବ ନାହିଁ ।

ଶାସ୍ତ୍ରାନୁଯାୟୀ, ଏହି ସମୟ ମଧ୍ୟରେ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ନିଜ ପିଠରେ ଅବସ୍ଥାନ ପୂର୍ବକ ସମସ୍ତ ପ୍ରକାର ଯାତ୍ରା ନିଷିଦ୍ଧ ହୋଇଥାଏ । ନଚେତ୍ ବିଶ୍ୱ ସମାଜ ପ୍ରତି ଘୋର ବିପତ୍ତି ସୃଷ୍ଟିର ସମ୍ଭାବନା ଦେଖାଦେଇଥାଏ । ଅନ୍ୟ ସମସ୍ତ ଏକାଦଶୀ ପରି ଏହି ଏକାଦଶୀ ନୀତି ପାଳନ କରାଯାଇଥାଏ ।

ମହାପ୍ରଭୁଙ୍କ ଶୟନ ନୀତି –
ହରିଶୟନ ଏକାଦଶୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ୩ଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି । ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ଶ୍ରୀନାରାୟଣ ଏହି ତିନି ଶ୍ରୀବିଗ୍ରହ ମାନଙ୍କଙ୍କୁ ବିଜେ ଶ୍ରୀଅଙ୍ଗ ଲାଗି ହେଲେ ତିନି ଜଣ ପୂଜାପଣ୍ଡା ମହାସ୍ନାନ ପୂଜା ବଢ଼ିଇଥାନ୍ତି । ଏହି ଦିନ ରାତ୍ରିରେ ଦୁଇଥର ବଡ଼ ସିଂହାର ବେଶ ଓ ଭୋଗ ହୋଇଥାଏ । ପ୍ରଥମେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ । ଏହି ବିଶେଷ ନୀତିରେ ଭଣ୍ଡାର ମେକାପ, ପାଳିଅ ପଢିଆରି, ତଳୁଚ୍ଛ ମହାପାତ୍ର, ପ୍ରଧାନୀ, ଘଣ୍ଟୁଆ, ଛତାର, ପୂଜାପଣ୍ଡା, କାହାଳିଆ, କୋଠ ସୁଆଁସିଆ, ତାଟ ଦରଜି, ମୁଦିରସ୍ତ, ତଢା଼ଉ କରଣ ପ୍ରମୁଖ ସେବକ ଅଂଶ ଗ୍ରହଣ କରିଥାନ୍ତି । ଶ୍ରୀଜୀଉ ସର୍ବାଙ୍ଗ ଲାଗି ନୂଆ ପତନି ଓ ମାଳଫୁଲ ଲାଗି ବେଶ ହୋଇଥାଏ। ଏହାପରେ ପାଣି ପଡି ଟେରା ବନ୍ଧାଯିବା ପରେ ଘଣ୍ଟ, ଛତ୍ର, କାହାଳି ସହ ବଲ୍ଲଭ ବଡ଼ସିଂହାର ହୋଇଥାଏ । ଏହା ଷୋଡଶ ଉପଚାର ବିଧିରେ ଅନୁଷ୍ଠିତ ହୋଇଥାଏ ।

ଭୋଗ ସରି କର୍ପୂର ଆଳତି ବଢିଲେ ଶୟନ ପ୍ରତିମା ମାନେ ହସ୍ତରେ ବିଜେ ହୋଇ ସାତ ପାହାଚ ଓ ଜଗମୋହନ ଦେଇ ଭଣ୍ଡାର ଘର ନିକଟରେ ପହଂଚିଥାନ୍ତି । ଶୟନ ଘରେ କୋଠ ସୁଆଁସିଆ ଦେଇଥିବା ପେଡାତାଟ ଏବଂ ଦର୍ଜି ସେବାୟତ ଦେଇଥିବା ଶେଜ ଓ ମାଣ୍ଡିରେ ଶୟନ ଠାକୁରଙ୍କୁ ଶୟନ କରାଯାଏ । ଏହାପରେ ମୁଦିରସ୍ତ ସେବାୟତ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି ଓ ସାତକାଳୀ ସଞ୍ଜବତୀ, ଦୁର୍ବାକ୍ଷାତ ବନ୍ଦାପନା ଇତ୍ୟାଦି କରିବା ପରେ ପେଡା ବନ୍ଦ କରି ତହିଁ ଉପରେ ଖୋଳ ପକାନ୍ତି । ଏହି ନୀତି ସମାପ୍ତ ପରେ ସଂପୃକ୍ତ ସେବାୟତମାନେ ବାହାରକୁ ଆସିବା ପରେ ତଢ଼ାଉକରଣ ସେବକ ଶୟନ ଘର ଦ୍ଵାରକୁ ମୁଦ ଦେଇଥାନ୍ତି ।

ଯେଉଁମାନେ ବର୍ଷରେ ୧୨/୨୪ ଟି ଏକାଦଶୀ ପାଳନ କରୁଥିଲେ, ସେମାନେ କ୍ରମଶଃ ଏକାଦଶୀ ପାଳନ କରିବେ । ଯେଉଁମାନେ କେବଳ ୪ ଟି ବଡ ଏକାଦଶୀ ପାଳନ କରୁଥିଲେ, ସେମାନେ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଛାଡି ଶ୍ରାବଣ ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ ଭାବରେ ଗ୍ରହଣ କରି ପାଳନ କରିଥାନ୍ତି ।

”ଫୁଲ୍ଲାରବିନ୍ଦ ବଦନଂ ପୀତ ନିର୍ମଳବାସସଂ,
ପଙ୍କଜ ଆସନ ମଧ୍ୟସ୍ଥଂ ଶୁଦ୍ଧ ଜମ୍ବୁ ନଦଃଶପ୍ରଭମ୍।
କେୟୁରକଟକେପତ ହାରକୁଣ୍ଡଳମଣ୍ଡିତଂ,
ଶଙ୍କ ଚକ୍ର ଗଦାସ୍ମେରଂ ମୁକୁଟ ଉଜ୍ଜଳ ଭାସିତଂ।
ସୋହଂ ଅସ୍ମିତ ଭେଦେନ ଚିନ୍ତୟେ ପୁରୁଷୋତ୍ତମଂ।।”

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.