ଯବନ କଣ୍ଠରୁ ମହାପ୍ରଭୁ ଶୁଣିଲେ ଗୀତଗୋବିନ୍ଦର ଅଷ୍ଟପଦୀ !

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ନେଇ ଭକ୍ତବୃନ୍ଦଙ୍କର ଅନେକ ଅନୁଭୂତି ରହିଛି । ଅନେକ ହୃଦୟସ୍ପର୍ଶୀ ଆଧ୍ୟାତ୍ମିକ ଅନୁଭୂତି ଜନମାନସରେ ଆଦୃତି ଲାଭ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀ ଶ୍ରୀକ୍ଷେତ୍ର ଧାମରେ ଲୀଳାବିତାନ କରୁଛନ୍ତି । ତାଙ୍କର ଲୀଳା ଅବର୍ଣ୍ଣନୀୟ, ଅମୃତମୟ ଓ ଅତୁଳନୀୟ । ନୀଳାଚଳ ନିବାସୀ ସେହି ଦାରୁବ୍ରହ୍ମ ରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଲାଭ କରିଥିବା ଅନେକ ଭକ୍ତ ନିଜର ଭକ୍ତି ଭାବନାକୁ ପ୍ରକାଶ କରିବା ଦ୍ୱାରା ଏହା ଜନଶୃତି ପାଲଟିଯାଇଛି ।

ଶ୍ରୀଜଗନ୍ନାଥ ହେଲେ ପରମ କାରୁଣିକ, ସେ ଭକ୍ତର ଭାବଧାରାରେ ବନ୍ଧା । ସେ ଅନ୍ତର୍ଯ୍ୟାମୀ ସେ ଭାବଗ୍ରାହୀ । ନିମିଷକ ମଧ୍ୟରେ ଭକ୍ତର ଭାବନା ରାଜ୍ୟରେ ପ୍ରବେଶ କରିପାରିଥାଆନ୍ତି ମହାପ୍ରଭୁ । ଭକ୍ତର ଭକ୍ତିଭରାର ଅନ୍ତରକୁ ମୂହୁର୍ତ୍ତକ ମଧ୍ୟରେ ଜାଣିପାରନ୍ତି ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କର ପରମ ଭକ୍ତ ଶ୍ରୀଜୟଦେବଙ୍କ କୃତ ଗୀତଗୋବିନ୍ଦ ସର୍ବତ୍ର ବେଶ୍ ଜଣାଶୁଣା । ଗୀତଗୋବିନ୍ଦ ମଧ୍ୟ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ । କୁହାଯାଏ ଏବଂ ପ୍ରମାଣ ମଧ୍ୟ ରହିଛି ଗୀତଗୋବିନ୍ଦ ଅଷ୍ଟପଦୀ ଯେଉଁଠି ଭକ୍ତିର ସହିତ ବୋଲାଯାଇଥାଏ ଏହା ଶୁଣିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ଉପସ୍ଥିତ ହୋଇଯାଇଥାଆନ୍ତି । ମହାପ୍ରଭୁଙ୍କର ଅନେକ ଭକ୍ତ ଗୀତଗୋବିନ୍ଦ ଗାଇବା ବେଳେ କିପରି ଶ୍ରୀଜଗନ୍ନାଥ ଉପସ୍ଥିତ ହୋଇଛନ୍ତି ପରବର୍ତ୍ତୀ ସମୟରେ ତାହାର ସୁନ୍ଦର ବର୍ଣ୍ଣନା ମଧ୍ୟ କରିଛନ୍ତି । ଯବନ କଣ୍ଠରୁ ମଧ୍ୟ ମହାପ୍ରଭୁ ଗୀତଗୋବିନ୍ଦ ଶୁଣିବାକୁ ଉପସ୍ଥିତ ହୋଇଛନ୍ତି ।

ଅନ୍ୟ ଏକ ରାଜ୍ୟରେ ଜଣେ ବ୍ରାହ୍ମଣ ବ୍ୟକ୍ତି ପୁରୀ ଶ୍ରୀମନ୍ଦିରରୁ ଫେରିବା ପରେ ନିଜ ଘରେ ପ୍ରତିଦିନ ସ୍ନାନ ପରେ ମହାପ୍ରଭୁଙ୍କ ଆଗରେ ଗୀତଗୋବିନ୍ଦ ଗାଉଥିଲେ । ବ୍ରାହ୍ମଣଙ୍କ ଘର ଉପରେ ଅନ୍ୟଜଣେ ଜବନ ବ୍ୟକ୍ତି ରହୁଥିଲେ । ବ୍ରାହ୍ମଣଙ୍କ ଉଚ୍ଚାଟ ସ୍ୱରରେ ସୁନ୍ଦର ଗୀତଗୋବିନ୍ଦ ଗାୟନକୁ କାନପାରି ଶୁଣନ୍ତି ଯବନ । ତାଙ୍କୁ ଏହି ଗୀତଗୋବିନ୍ଦ ଏତେମାତ୍ରାରେ ଭଲ ଲାଗିଲା ଯେ ଶୁଣି ଶୁଣି ଗୀତଗୋବିନ୍ଦ ମନେ ରଖିଦେଲେ । ନିଜେ ମଧ୍ୟ ନିଜ ଘର ଭିତରେ ଗୀତ ଗୋବିନ୍ଦ ଗାଇ ଉଠନ୍ତି ଯବନ ବ୍ୟକ୍ତି ଜଣକ । ତାଙ୍କର ଖୁବ୍ ଇଚ୍ଛା ହେଲା ବ୍ରାହ୍ମଣ ଜଣକ ଯେପରି ବସି ଠାକୁରଙ୍କ ସାମ୍ନାରେ ଗୀତ ଗାଉଛନ୍ତି ସେ ଟିକେ ବୋଲନ୍ତେ । ବ୍ରାହ୍ମଣଙ୍କୁ ଏକଥା କହନ୍ତେ ସେ ଯବନଙ୍କୁ ଅନେକ ପରାମର୍ଶ ଦେଲେ । ଗୀତ ଗାଇବାର ସମସ୍ତ ପଦ୍ଧତି ମଧ୍ୟ ଯବନଙ୍କୁ ଜଣାଇଦେଲେ ବ୍ରାହ୍ମଣ ଜଣକ । ଗୀତଗୋବିନ୍ଦର ଅଷ୍ଟପଦୀ ବୋଲା ହେବା ମାତ୍ରେ ଶ୍ରୀଜଗନ୍ନାଥ ସେଠାରେ କିପରି ଉପସ୍ଥିତ ହୋଇଯାଆନ୍ତି ଏବଂ ତାଙ୍କ ଲାଗି ସାମ୍ନାରେ ଏକ ଆସନ ମଧ୍ୟ କିପରି ବିଛାଇ ରଖିବାକୁ ପଡ଼ିଥାଏ ତାହା ମଧ୍ୟ ବତାଇ ଦେଲେ । ଯାହାଦ୍ୱାରା କି ଭଗବାନ ସେହି ଆସନରେ ବସି ଗୀତ ଗୋବିନ୍ଦ ଆରାମରେ ଶୁଣିପାରିବେ ।

ଯବନ ସବୁଦିନ ଘୋଡ଼ାରେ ଚଢି ନିଜ କାମରେ ଯାଆନ୍ତି । ଥରେ ଘୋଡ଼ାରେ ବସିଥିବା ବେଳେ ଯବନ ଗୀତ ଗୋବିନ୍ଦ ଗାଇବାକୁ ଇଚ୍ଛା କଲେ । ମାତ୍ର ଆସନ ବିଛାଇବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥାଆନ୍ତି । ଧିରେ ଧିରେ ଗୀତଗୋବିନ୍ଦର ଅଷ୍ଟପଦୀ ଗାଇବାକୁ ଲାଗିଲେ ଯବନ । ଘୋଡ଼ା ଉପରେ ବସି ଗୀତଗୋବିନ୍ଦ ଗାଉଥାଆନ୍ତି । ଘୋଡ଼ା ଆଗେ ଆଗେ ପଛୁଆ ହୋଇ ଗୀତ ଗୋବିନ୍ଦ ଶୁଣିବାକୁ ମହାପ୍ରଭୁ ଦୌଡ଼ିବାକୁ ଲାଗିଲେ ।

ଅଧିକ ପଢନ୍ତୁ: ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ଅନେକ ସମୟ ଧରି ଯବନ ଜଣକ ମହାପ୍ରଭୁଙ୍କର ରୁଣୁଝୁଣୁ ଶବ୍ଦ ଶୁଣିବାକୁ ପାଇଲେ । ଘୋଡ଼ାରୁ ଓହ୍ଲାଇପଡ଼ି ଅଟକି ଯିବା ମାତ୍ରେ ଯବନ ଜଣକ ମହାପ୍ରଭୁଙ୍କ ଶ୍ୟାମଳରୂପକୁ ଦେଖିବାକୁ ପାଇଲେ । ମହାପ୍ରଭୁଙ୍କ ପାଦପଦ୍ମରେ ପ୍ରଣିପାତ କଲେ ଭକ୍ତ ଯବନ ।

ଯବନ ଜଣକ ଆସନ ବିଛାଇ ନଥିବାରୁ ନିଜକୁ ଧିକ୍କାର ମନେକଲେ । କ୍ଷମା ମାଗିଲେ ଯବନ । ମହାପ୍ରଭୁ ମୁଚୁକୁନ୍ଦ ହସ ହସି କହିଲେ “ଆରେ ତୁ’ ସିନା ଆସନ ବିଛାଇବାକୁ ଭୁଲିଗଲୁ, ମାତ୍ର ମୁଁ କ’ଣ ଗୀତଗୋବିନ୍ଦ ଶୁଣିବାକୁ ଭୁଲି ଯିବି? ”

ମହାପ୍ରଭୁଙ୍କର ଏହି ଅମୃତ ଦର୍ଶନ ପାଇବା ପରେ ତହିଁ ପରଦିନଠୁ ଯବନ ଜଣକ ମହାପ୍ରଭୁଙ୍କୁ ଧ୍ୟାନ କରିବା ସହିତ ପୂଜା କରିବାକୁ ଲାଗିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଚାହାନ୍ତି ନିଷ୍କପଟ ଭକ୍ତର ହୃଦୟ କନ୍ଦରରୁ ଟିକେ ଭକ୍ତିଭାବ । ସେହି ଭକ୍ତିରେ ହିଁ ଭଗବାନ ଓ ଭକ୍ତ ବନ୍ଧା ହୋଇଯାଆନ୍ତି । ଆତ୍ମା ଓ ପରମାତ୍ମାର ମିଳନ ହେବାରେ ଭକ୍ତିଭାବ ହିଁ ଚମତ୍କାର ଯୋଗସୂତ୍ର ସୃଷ୍ଟି କରିଥାଏ । ମଣିଷ ପରମାତ୍ମାଙ୍କୁ ଚିହ୍ନି ପାରିବା ସହିତ ଆଧ୍ୟାତ୍ମିକତାର ଫଲଗୁରେ ମହାସ୍ନାନ କରି ନିଜକୁ ଧନ୍ୟ ମନେକରିଥାଏ ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.