ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସର ମଧ୍ୟ ଭାଗ ସୁଦ୍ଧା ସମସ୍ତ କରୋନା ସଂକ୍ରମିତ ଦେଶକୁ ପଛରେ ପକାଇ ଭାରତ ସର୍ବୋଚ୍ଚ ସ୍ପର୍ଶ କରିବ । ଏହାସହ ସେତେବେଳକୁ ଆଇସୋଲେସନ୍, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍ ଆଦି ଅଭାବ ପଡ଼ିପାରେ ବୋଲି ଏକ ମତ ପ୍ରକାଶ କରିଛନ୍ତି ‘ଆଇସିଏମ୍ଆର୍’ ଦ୍ବାରା ଗଠିତ ‘ଅପରେସନ୍ସ ରିସର୍ଚ ଗ୍ରୁପ୍’ର ଗବେଷକମାନେ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଆଠ ସପ୍ତାହ ଲକ୍ଡାଉନ୍ ଏବଂ ଦୃଢ଼ ଜନସ୍ବାସ୍ଥ୍ୟ ପଦକ୍ଷେପ ଯୋଗୁଁ ଏହି ମହାମାରୀର ଶୀର୍ଷକୁ ସ୍ପର୍ଶ କରିବାରେ ପ୍ରାୟ ୩୪ ରୁ ୭୬ ଦିନ ବିଳମ୍ବ ହୋଇଛି। ଏହି ଲକଡାଉନ ଯୋଗୁଁ ସଂକ୍ରମଣ ସଂଖ୍ୟା ମଧ୍ୟ ୬୯%ରୁ ୯୭% ହ୍ରାସ ପାଇଛି। ଏହାଦ୍ବାରା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ବଳ ଓ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ ଭାରତ ଅଧିକ ସମୟ ପାଇଛି।
ଏହି ଗବେଷଣା ଅନୁଯାୟୀ, ଭାରତରେ ଲକ୍ଡାଉନ୍ ୬୦% ଫଳପ୍ରଦ ହୋଇଛି। କଠୋର ଜନସ୍ବାସ୍ଥ୍ୟ ପଦକ୍ଷେପ ଯୋଗୁଁ ବନ୍ଦୋବସ୍ତ ହୋଇଥିବା ସାମଗ୍ରୀ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାହିଦା ମେଣ୍ଟାଇ ପାରେ। ଏହାପରେ, ୫. ୪ ମାସ ପାଇଁ ଆଇସୋଲେସନ୍ ବେଡ୍, ୪. ୬ ମାସ ପାଇଁ ଆଇସିୟୁ ବେଡ୍ ଏବଂ ୩.୯ ମାସ ପାଇଁ ଭେଣ୍ଟିଲେଟର୍ ଅଭାବ ଦେଖାଦେଇ ପାରେ ବୋଲି ସ୍ବାସ୍ଥ୍ୟ ଗବେଷକମାନେ ଆକଳନ କରିଛନ୍ତି।
କ୍ଡାଉନ୍ ସମୟରେ ସ୍ୱାବ ପରୀକ୍ଷା, ଚିକିତ୍ସା ଏବଂ ରୋଗୀମାନଙ୍କୁ ପୃଥକ୍ କରିବାକୁ ନିର୍ମିତ ହୋଇଥିବା ଅତିରିକ୍ତ ସାମର୍ଥ୍ୟ ଯୋଗୁଁ ଶୀର୍ଷସ୍ତର ସମୟରେ ସଂକ୍ରମଣ ୭୦% ଏବଂ ସଂକ୍ରମଣ ବୃଦ୍ଧି ପ୍ରାୟ ୭୨% ହ୍ରାସ ପାଇପାରେ।
ଏହା ବ୍ୟତିରେକେ, ଲକ୍ଡାଉନ ଯୋଗୁଁ କୋଭିଡ୍-୧୯ ମୃତ୍ୟୁହାର ମଧ୍ୟ ୬୦% ହ୍ରାସ ପାଇ ପାରିଛି।