Latest Odisha News

ଜୁନ୍‌୧ରୁ ଗଡିବ ୨ଶହ ଟ୍ରେନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ପୁଣି ଥରେ ଭାରତୀୟ ରେଳବାଇର ୨୦୦ଟି ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମେ ୨୧ ସକାଳ ୧୦ଟାରୁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଏହି ଟ୍ରେନ୍ ଗୁଡିକର ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

– ଟ୍ରେନ୍‌ରେ ଯାତ୍ରା କରିବା ପାଇଁ କେବଳ ଆଇଆରସିଟିସିର ୱେବସାଇଟରୁ ହିଁ ଟିକେଟ୍ ବୁକିଂ ହୋଇପାରିବ । କୌଣସି କାଉଣ୍ଟରରୁ ଟିକେଟ୍ ମିଳିବ ନାହିଁ ।
– ଅଗ୍ରିମ ସଂରକ୍ଷଣ ଅବଧି (ଏଆରପି) ସର୍ବାଧିକ ୩୦ ଦିନର ହେବ । ଅର୍ଥାତ ଏହି ୨୦୦ ଟ୍ରେନ୍ ପାଇଁ ଯାତ୍ରୀ ଟିକେଟ୍ ବୁକିଂ ଯାତ୍ରାର ୩୦ ଦିନ ପୂର୍ବରୁ କିମ୍ବା ୩୦ ଦିନ ଭିତରେ କରିପାରିବେ ।
– ଜଇଉ ଓ ୱେଟିଂ ଟିକେଟ୍ ବର୍ତ୍ତମାନର ନିୟମ ଅନୁସାରେ ହିଁ ଦିଆଯିବ । ୱେଟିଂ ଟିକେଟ୍ ଥିବା ଯାତ୍ରୀଙ୍କୁ ଟ୍ରେନରେ ଚଢିବାକୁ ଅନୁମତି ଦିଆଯିବ ନାହିଁ । ନିୟମ ଅନୁସାରେ ଏସି-୧ରେ ୨୦,ଏସି୨ରେ ୫୦,ଏସି ୩ରେ ୧୦୦ ଓ ସ୍ଲିପର କୋଚରେ ୨୦୦ ୱେଟିଂ ଟିକେଟ୍ ବୁକ୍ କରାଯାଇ ପାରିବ।
– ଯାତ୍ରା କାଳରେ କୌଣସି ଯାତ୍ରୀଙ୍କୁ ଅସଂରକ୍ଷିତ ଟିକେଟ୍ ଜାରି କରାଯିବ ନାହିଁ କିମ୍ବା ଅନ୍ୟ କୌଣସି ଟିକେଟ୍ ଦିଆଯିବ ନାହିଁ । ଅର୍ଥାତ୍ ଟିଟିଇ ଯାତ୍ରା କାଳରେ କାହାରିକି ଟିକେଟ୍ ଦେଇ ପାରିବେ ନାହିଁ । ଏହି ଟ୍ରେନ୍ ଗୁଡିକ ପାଇଁ କୌଣସି ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ବୁକିଂର ଅନୁମତି ନାହିଁ।
– ଟ୍ରେନ୍ ଯାତ୍ରା ଆରମ୍ଭ କରିବାର ଅତିକମରେ ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟକୁ ପ୍ରସ୍ତୁତ କରାଯିବ । ଦ୍ୱିତୀୟ ଚାର୍ଟକୁ ଯାତ୍ରାର ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ । ପ୍ରଥମ ଓ ଦ୍ୱିତୀୟ ଚାର୍ଟ ପ୍ରସ୍ତୁତ ପୂର୍ବରୁ କେବଳ ଅନଲାଇନ୍ ଟିକେଟ୍ ବୁକିଂର ଅନୁମତି ରହିବ ।
– କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀ ଷ୍ଟେଶନରେ ପ୍ରବେଶ କରିପାରିବେ । ଯାତ୍ରୀଙ୍କ ମେଡିକାଲ ଯାଂଚ୍ ଅନିବାର‌୍ୟ୍ୟ । ସୁସ୍ଥ ଯାତ୍ରୀଙ୍କୁ ହିଁ ଯାତ୍ରା ଅନୁମତି ମିଳିବ ।
– ଷ୍ଟେଶନରେ ପ୍ରବେଶ ଓ ଯାତ୍ରା କାଳରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ଯାତ୍ରୀଙ୍କୁ ସେହି ରାଜ୍ୟର ସ୍ୱାସ୍ଥ୍ୟ ପ୍ରୋଟୋକଲ ମାନିବାକୁ ପଡିବ ।
– ଷ୍ଟେଶନରେ ଥର୍ମାଲ ସ୍କ୍ରିନିଂ ସୁବିଧା ରହିବ । ଯାତ୍ରୀ ଟ୍ରେନ୍ ଛାଡିବାର ଅତିକମରେ ୯୦ ମିନିଟ୍ ପୂର୍ବରୁ ଷ୍ଟେଶନରେ ପହଂଚିବେ । ଅସୁସ୍ଥ ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ । ଷ୍ଟେଶନ ଓ ଟ୍ରେନରେ ସାମାଜିକ ଦୂରତାକୁ ପାଳନ କରାଯିବ ।

Leave A Reply

Your email address will not be published.