Latest Odisha News

BREAKING NEWS

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ: ପ୍ରଦର୍ଶିତ ହେବ ୧୭ ଦେଶର ୪୮ ଚଳଚ୍ଚିତ୍ର

ଭୁବନେଶ୍ବର: ଇଡ୍‌କଲ ପ୍ରେକ୍ଷାଳୟରେ ଫେବୃଆରୀ ୮ ଓ ୯ ତାରିଖରେ ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ ବୋଲି ଜଣାପଡିଛି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ।

ଏଥି‌ରେ ଓଡ଼ିଆ ଓ ଓଡ଼ିଶା ସଂକ୍ରାନ୍ତ ୧୨ଟି ଚଳଚ୍ଚିତ୍ର ଦେଖିବାର ସୁ‌ଯୋଗ ମିଳିବ ।ପ୍ରାମାଣିକ ଚିତ୍ରରେ ଏସିଆ ପେସିଫିକ୍‌ ସ୍କ୍ରିନ୍‌ ପୁରସ୍କାର ଜିତିଥିବା ‘ଗୁରୁମୁଲ୍‌’ ଚଳଚ୍ଚିତ୍ରରୁ ଚଳଚ୍ଚିତ୍ର ପ୍ରଦର୍ଶନର ଶୁଭାରମ୍ଭ ହେବ।

ଅଷ୍ଟ୍ରେଲିଆର ପଲ୍‌ ଡେମିନ ୱିଲିୟମସଙ୍କ ଦ୍ବାରା ପ୍ରସ୍ତୁତ ଦୃଷ୍ଟିହୀନ ଜେ‌ଓଫ୍ରେ ଗୁରୁମୁଲ ୟୁନୁପିଙ୍ଗୁଙ୍କ ସଂଗୀତ ଯାତ୍ରାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ୮ ତାରିଖ ଦିନ ୧୧ଟାରେ ପ୍ରଦର୍ଶିତ ହେବା ସହ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହେବ।

ଏଥିସହ ଦର୍ଶକ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଶଙ୍କର ମହାଦେବନଙ୍କ ସଂଗୀତ ଜୀବନ ଆଧାରିତ ଚଳଚ୍ଚିତ୍ର ‘ଡିକୋଡିଙ୍ଗ ଶଙ୍କର’ ମଧ୍ୟ ଦେଖିବାର ସୁଯୋଗ ପାଇବେ ।

ଏହା ବ୍ୟତୀତ ଗୋଟିପୁଅ ଗୁରୁ ବୀରବର ସାହୁଙ୍କ ଉପରେ ନିର୍ମିତ ‘ଥ୍ରୋ ଦି ଆଇଜ୍‌ ଅଫ୍ ଆନ୍‌ ଆର୍ଟିଷ୍ଟ୍‌’, ମନୋରଂଜନ ବାଡ଼ତ୍ୟାଙ୍କ ନିର୍ମିତ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସମ୍ପର୍କିତ ଚଳଚ୍ଚିତ୍ର ‘ସାଣ୍ଡ୍‌ ସେଜ୍‌ ସମ୍‌ଥିଙ୍ଗ୍‌’, ଗୋଟିପୁଅ ନୃତ୍ୟ ଉପରେ ଆଧାରିତ ‘ସଖୀ ପିଲା’, ପୁରୀ ଓ ଭୁବନେଶ୍ବର ମନ୍ଦିରମାଳାକୁ ନେଇ ସିଦ୍ଧାର୍ଥ ଦାସଙ୍କ ନିର୍ମିତ ‘କ୍ରାଫ୍‌ଟସ ଆଣ୍ଡ୍‌ ଟେମ୍ପୁଲ୍‌ସ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ର ଟୁ ସାହିଯାତ’, ଓଡ଼ିଶାର ଢୋକ୍ରା କଳାକୁ ନେଇ ନିର୍ମିତ ‘ଲଷ୍ଟ୍‌ ଇଣ୍ଟୁ ଆର୍ଟ-ଢୋକ୍ରା’, ବାବାସାହେବ ଆମ୍ବେଦକରଙ୍କ ଜୀବନ ଓ ସଂଗୀତ ସମ୍ପର୍କକୁ ନେଇ ନିର୍ମିତ ଚର୍ଚ୍ଚିତ ଫିଲ୍ମମାନ ପ୍ରଦର୍ଶିତ ହେବ।

Leave A Reply

Your email address will not be published.