Latest Odisha News

BREAKING NEWS

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ।
ଏହି ପଂଚାୟତର ବନ୍ଧମୁଣ୍ଡି, ଅସ୍ତଗଡିଆ, ଗଡିଘାଟି, ବ୍ରହ୍ମପୁରା ଆଦି ଗାଁର ଅଧିକାଂଶ ପରିବାର କୈବର୍ତ୍ତ ବା ଧୀବର ସମ୍ପ୍ରଦାୟର । ପାଖ ଦେଇ ବହିଯାଇଥିବା ସୁବର୍ଣ୍ଣରେଖା ନଦୀରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । ଏଥି ସହ ଚାଷବାସରୁ ମଧ୍ୟ ଅଳ୍ପ କିଛି ଆୟ ହୋଇଥାଏ । କିନ୍ତୁ ଯେଉଁ ନଦୀ ବର୍ଷ ବର୍ଷ ଧରି ରୋଜଗାରର ପନ୍ଥା ଯୋଗାଇ ଦେଉଥିଲା ତାହା ପାଲଟିଲା ଦଃୁଖର କାରଣ । ଧୀରେ ଧୀରେ ନଦୀରେ ପାଣି କମ୍ ହୋଇଆସିବାରୁ ଲୋକେ ଆଉ ମାଛ ମାରିପାରିଲେ ନାହିଁ । ରୋଜଗାର କମ୍ ହେବାକୁ ଲାଗିଲା । ଦିନ ଆସିଲା ସବୁ ପରିବାର ପାଇଁ ଦିନକୁ ଦି ମୁଠା ଖାଇବା ଯୋଗାଡିବା ବି ସମ୍ଭବ ହେଲାନି ।

ଏହି ସମୟରେ ସ୍ଥାନୀୟ ଅଂଚଳର ତମ୍ବାଖୁରୀ ଗାାଁରେ ଉନ୍ନୟନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ କରିଥିବା ଜଣେ ମହିଳା ରଶ୍ମି ମହାନ୍ତି ଏକ ଅଭିନବ ଉପାୟ ଚିନ୍ତା କଲେ । ମୁଢି ପାଇଁ ପ୍ରସିଦ୍ଧ ବାରିପଦାର ଏହି ଅଂଚଳର ମୁଢିକୁ ନେଇ କିପରି ଆୟର ପନ୍ଥା କରିହେବ ସେ ନେଇ ଯୋଜନା ହେଲା । ୨୦୦୨ ମସିହାରେ ଆଖପାଖ ଗାାଁର ୧୪ଜଣ ମହିଳାଙ୍କୁ ନେଇ ଗଠିତ ହେଲା ମୟୁରଭଂଜ ମହିଳା ସଂଘ । ଘରେ ପାରମ୍ପରିକ ପଦ୍ଧତିରେ ମାଟି ହାଣ୍ଡିରେ ମୁଢି ଭାଜି ପ୍ୟାକିଂ କରି ବିକ୍ରି କରିବା ଆରମ୍ଭ କଲେ । ଲୋକମାନଙ୍କ ଆଦର ବଢିବା ସହିତ ଏଥିରେ ଭଲ ଦି ପଇସା ରୋଜଗାର ବି ହେଲା । ଲୋକମୁଖରେ ପ୍ରଶଂସା ଓ ପ୍ରସାର ହେବା ସହିତ ଧୀରେ ଧୀରେ ଅଧିକ ମହିଳାମାନେ ଏଥିରେ ଯୋଗଦେଲେ ଏବଂ ଏହାର କଳେବର ବଢିବାରେ ଲାଗିଲା । ଏବେ ପ୍ରାୟ ୨୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୧୩୦ ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତିି । ପ୍ରତିଦିନ ମହିଳାମାନେ ଘରେ ହାଣ୍ଡିଭଜା ମୁଢି ପ୍ରସ୍ତୁତ କରି ସଂଘ କାର୍ଯ୍ୟାଳୟରେ ଜମା କରନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ମୁଢି ଭାଜିବା ପାଇଁ ହାନିକାରକ ୟୁରିଆ କିମ୍ବା ସୋଢାର ଆଦୌ ବ୍ୟବହାର ନହୋଇ ସମ୍ପୂର୍ଣ୍ଣ ପାରମ୍ପରିକ ପଦ୍ଧତିରେ ମାଟି ହାଣ୍ଡିରେ ମୁଢି ଭଜା ହୋଇଥାଏ । ଆଜିକାଲି ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଅପମିଶ୍ରଣର ମାତ୍ରା ବଢି ଚାଲିଥିବା ବେଳେ ଏହି ମୁଢିର ଗୁଣବତ୍ତା ବଜାୟ ରଖିବା ନେଇ ବିଶେଷ ଧ୍ୟାନ ଦିଆଯାଉଛି । ଖାସ୍ ସେଇଥିପାଇଁ ଲୋକେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି ।

ସୁନ୍ଦର ଭାବେ ପ୍ୟାକେଜିଂ ପରେ ‘ବାରିପଦାର ଗରମ ମୁଢି ଖାଇବାକୁ ଭାରି ମଜା’ ଟ୍ୟାଗ୍ ଲାଇନ ଲେଖାଥିବା ପ୍ୟାକେଟ ପ୍ରସ୍ତୁତ ହେବା ପରେ ଏହାକୁ ରାଜ୍ୟର ବିଭିନ୍ନ ସହର ତଥା ମୁମ୍ବାଇ ସମେତ ଦେଶର ବିଭିନ୍ନ ସହରକୁ ପଠାଯାଉଛି ।

ଓଡିଆ ଘରେ ମୁଢିର ବେଶ୍ ଚାହିଦା ରହିଥାଏ । ବିଶେଷ କରି ବାରିପଦାର ପ୍ରସିଦ୍ଧ ମୁଢି ମାଂସ କଥା ତ କହିଲେ ପାଟିରୁ ଲାଳ ବାହାରିଆସେ । ତା ସହିତ ହାଣ୍ଡି ଭଜା ମୁଢିର ସ୍ୱାଦ ଟିକେ ନିଆରା । ଏସବୁକୁ ନଜରରେ ରଖି ସଂଘ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ମୁସୁମୁସିଆ ମୁଢି ପ୍ୟାକେଟ ଶୁଖିଲା ସୂବର୍ଣ୍ଣରେଖା ଦେଖି ଏକଦା ହତୋତ୍ସାହିତ ହୋଇପଡ଼ିଥିବା ଧୀବର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିପାରିଛି । ମନଖୁସିରେ ସେମାନେ କରୁଥିବା କାର୍ଯ୍ୟରୁ ରୋଜଗାର କରି ପରିବାର ଚଳାଇବା ସହ ଭବିଷ୍ୟତ ପାଇଁ କିଛି ସଂଚୟ ମଧ୍ୟ କରିିପାରୁଛନ୍ତି ।

Leave A Reply

Your email address will not be published.