Latest Odisha News

BREAKING NEWS

କବିତା ଆମ ଚେତନାକୁ ଦୋହଲେଇ ଦିଏ : ସୂର୍ଯ୍ୟସ୍ନାତ ତ୍ରିପାଠୀ

କବିତା ସଂକଳନ ‘ଏ ସଂପର୍କ ଏମିତି’ ପାଇଁ ୨୦୧୭ ମସିହାର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା ସୂର୍ଯ୍ୟସ୍ନାତ ତ୍ରିପାଠୀ ଓଡ଼ିଆ କବିତାର ନୂଆ ପ୍ରତିଶ୍ର୍ରୁତି । ଜନ୍ମ: ୧୧ ଏପ୍ରିଲ ୧୯୯୧ । ସ୍ଥାୟୀ ଠିକଣା: ଶିଶୁଆ, ୪୨ ମୌଜା, କଟକ । ବର୍ତ୍ତମାନ ଠିକଣା: ସିଦ୍ଧେଶ୍ୱରପୁର, କଟକ । ଶିକ୍ଷା: ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଆଇଆଇଟି ହାଇଦ୍ରାବାଦରେ ପିଏଚଡି (୨୦୧୪ରୁ) । ହବି: ପଢ଼ିବା, ମିଉଜିକ୍‍ ଶୁଣିବା, ରୋଷେଇ, ଭ୍ରମଣ ଏବଂ ଲେଖିବା, ଗୀତ, ଚିତ୍ରନାଟ୍ୟ ଲେଖିବାରେ ଆଗ୍ରହ, ପୋଏଟ୍ରି ଏବଂ ଫିକ୍ସନ୍, ଥିଏଟର ପ୍ରତି ମଧ୍ୟ ରୁଚି ରହିଛି । ପ୍ରକାଶିତ କବିତା ପୁସ୍ତକ: ହଜାରେ ଜହ୍ନର ରାତି, ଏ ସମ୍ପର୍କ ଏମିତି, ଗଙ୍ଗଶିଉଳିର ଗପ, ଅବୁଝା ଅକୁହା, କନୁପ୍ରିୟା (ଅନୁବାଦ) । ନାଟକ: ବୋତଲ ଅର୍ଜ ହୈ । ସୂର୍ଯ୍ୟସ୍ନାତଙ୍କ ସହ ସରୋଜ ବଳଙ୍କ ଅଳ୍ପ ଆଳାପ:

କବିତା ଆମ ଚେତନାକୁ ଦୋହଲେଇ ଦିଏ : ସୂର୍ଯ୍ୟସ୍ନାତ ତ୍ରିପାଠୀ

ଜୀବନରେ କବିତାର ମୂଳଦୁଆ କେବେ, କେମିତି, କାହିଁକି ପଡ଼ିଥିଲା?

କବିତା ଓ ସାହିତ୍ୟ ପ୍ରତି ମୋର ଭଲପାଇବା ପିଲାବେଳୁ, ଆଉ ୟା’ର ମୂଳଦୁଆ ପଡ଼ିଥିଲା ଜହ୍ନମାମୁଁ ପଢ଼ାରୁ । ମୋ ବୋଉ ନିଜେ ଜଣେ ସାହିତ୍ୟ ଶିକ୍ଷିକା, ମୋ ବାପା ଜଣେ ଦର୍ଶନ ଶାସ୍ତ୍ରର ଅଧ୍ୟାପକ । ପିଲାବେଳୁ ସେମାନେ ମତେ ବହି ପଢ଼ିବା ପାଇଁ ଉତ୍ସାହିତ କରି ଆସିଛନ୍ତି, ଏବଂ ଧୀରେ ଧୀରେ ବହି ପଢ଼ିବା ମୋ ପାଇଁ ଏବେ ଗୋଟେ ନିଶା ପାଲଟି ଯାଇଛି । ସାହିତ୍ୟକୁ ଭଲପାଏ, କାରଣ ମୁଁ ବହୁତ ବହି ପଢେ଼, ବହିର ପୃଷ୍ଠାସବୁରେ ଜୀବନକୁ ଦେଖେ, ଅନୁଭବ କରେ, ଆଉ ତା’ ଭିତରେ ବହୁତ କିଛି ହଜିଲା ଜିନିଷ ଖୋଜିପାଏ । କ୍ରମଶଃ ଅନୁଭବ କଲି ଯେ ମନ କଥା କାହାକୁ କହିବା ଅପେକ୍ଷା କାଗଜ ଉପରେ ଲେଖିବା ସହଜ, ସାପ ବି ମରିଯାଏ ଆଉ ବାଡ଼ି ବି ଭାଙ୍ଗେନି । ସେଇଥିପାଇଁ ବୋଧେ ଲେଖିବା ଆରମ୍ଭ କରିଥିଲି ।

ବୃତ୍ତିରେ ଇଞ୍ଜିନିୟର ଅଥଚ ପ୍ରବୃତ୍ତିରେ କବି, ଏ ଦୁଇ ଜଣଙ୍କର କେମିତି ପଡେ଼?

ମୁଁ ଏଯାବତ ଇଞ୍ଜିନିୟରିଂ ପାଠ ପଢ଼ୁଛି, ଏଯାଏଁ ଆନୁଷ୍ଠାନିକ ଭାବେ କୌଣସି ବୃତ୍ତି ଗ୍ରହଣ କରିନି । ମୋ ଶିକ୍ଷାର ପରିସର ମତେ ଆଲୋକିତ କରେ, ମୋ ଚିନ୍ତାଧାରା, ଜୀବନବୋଧ, ସମ୍ବେଦନଶୀଳତା ଓ ମୋ ବିଚାର ଶକ୍ତିକୁ ପ୍ରଭାବିତ କରେ, ମାର୍ଜିତ କରେ । ବୋଧହୁଏ, ଏହାର ପ୍ରତିଫଳନ ମୋ ସାହିତ୍ୟରେ ବି ଦେଖିବାକୁ ମିଳେ । ମୋ କବିତା ସବୁ ଗୋଟେ ଗୋଟେ ଆଇନା, ଯୋଉଥିରେ ମୋ ଜୀବନାନୁଭବକୁ ସ୍ପଷ୍ଟ ଭାବେ ଦେଖିହୁଏ ଏବଂ ସେ ଜୀବନାନୁଭବ ମତେ ମୁଖ୍ୟତଃ ମୋ ଛାତ୍ର ଜୀବନରୁ ମିଳେ, ମୋ ବୃତ୍ତିରୁ ମିଳେ । ମୋ ମତରେ, ବୃତ୍ତି ଓ ସାହିତ୍ୟ ମୋ ଜୀବନରେ ହାତ ଧରାଧରି ହେଇ ବାଟ ଚାଲନ୍ତି ।

କବିତା ଲେଖିବାବେଳେ ସାମ୍ନାରେ କାହାକୁ ରଖନ୍ତି? କିଏ ଆପଣଙ୍କର ଆଦର୍ଶ?

ସେଭଳି କେବେ କାହାକୁ ସାମ୍ନାରେ ରଖି ମୁଁ କବିତା ଲେଖିନି । ତେବେ, ଏକଥା ଅସ୍ୱୀକାର କରିପାରିବିନି, ଯେ କେବେ କେମିତି କବିତାଟିଏ ଲେଖି ବସିଲାବେଳେ ମୋ ଅବଚେତନରେ ହିଁ ମତେ ଭଲ ଲାଗୁଥିବା କେହି ନା କେହି ସାହିତି୍ୟକଙ୍କ ଆଡ଼କୁ ମନ ଟାଣିହେଇ ଯାଇଛି । ସେମାନଙ୍କ ଭିତରେ ଗୁଲଜାର, ଧର୍ମବୀର ଭାରତୀ, ଅରୁଣ କୋଲଟକର, ସ୍ୱିସଲା ୱାଜିମ୍ବୋର୍ସ୍କା, ଜନ୍ ଏଲିୟା, ମିର୍ଜା ଗାଲିବ୍ ଫୈଜ୍, ଅମ୍ରିତା ପ୍ରିତମ୍, ସୁନୀଲ ପୃଷ୍ଟି, ସଚ୍ଚି ରାଉତରାୟ, ସୌରୀନ୍ଦ୍ର ବାରିକ ଆଦି ଅନ୍ୟତମ ।

କବିତା ଆପଣଙ୍କ ଜୀବନରେ କି ପ୍ରକାର ଚେତନାଗତ ପ୍ରଭାବ ପକାଏ?

କବିତା ଯେ କେବଳ ଆମ ଚେତନାକୁ ପ୍ରଭାବିତ କରେ ସେ କଥା ନୁହେଁ, କେବେ କେବେ କବିତା ଆମ ଚେତନାକୁ ଦୋହଲେଇ ଦିଏ । ମୁଁ ପଢ଼ିଥିବା ଅନେକ କବିତା ମତେ ବହୁତ ସମୟରେ ମୋ ନିଜଠୁ ଦୂରେଇ ଦେଇଛନ୍ତି ଯାହାର ଉତ୍ତର ଖୋଜିବାକୁ ଯାଇ ମୁଁ ବାରମ୍ବାର ଝୁଣ୍ଟିଛି ।

ସମସାମୟିକ କେଉଁ କବିମାନଙ୍କୁ ପଢ଼ିଲେ ଆପଣ ଉତ୍ସାହିତ ହୁଅନ୍ତି, କାହିଁକି?

ସମ୍ପ୍ରତି ଓଡ଼ିଆରେ କବିତା ଲେଖୁଥିବା ମୋ ସମସାମୟିକ ଏବଂ ମୋର ଅଗ୍ରଜ ଯେଉଁ କବିମାନଙ୍କ ଲେଖା ପଢ଼ିଲେ ମୁଁ ଉତ୍ସାହିତ ହୁଏ, ସେମାନଙ୍କ ମଧ୍ୟରୁ ସୁନୀଲ ପୃଷ୍ଟି, ଶକ୍ତି ମହାନ୍ତି, ଜ୍ଞାନୀ ଦେବାଶିଷ ମିଶ୍ର, ସରୋଜ ବଳ, ସତ୍ୟବାଦୀ ରାଉତ, ପ୍ରବାସିନୀ ମହାକୁଡ଼, ରତ୍ନମାଳା ସ୍ୱାଇଁ ଓ ପ୍ରଜ୍ଞାଶ୍ରୀ ରଥ ଅନ୍ୟତମ । ଯଦିଓ ଆହୁରି ଅନେକ ସାହିତ୍ୟିକଙ୍କ ଲେଖା ପଢ଼ି ମୁଁ ପ୍ରଭାବିତ ହୁଏ, ତେବେ ଏମାନଙ୍କ ସାହିତ୍ୟର ଆକର୍ଷଣ ନିଆରା । ପ୍ରତିଥର ଏମାନଙ୍କ କବିତା ପଢ଼ିଲେ କିଛି ଗୋଟେ ନୂଆ ଅନୁଭବ ମିଳେ, ଯାହା ଅନେକ ସମୟ ଧରି ଛାତିତଳେ ଗୁଣୁଗୁଣୁ ହେଉଥାଏ ।

ଲେଖକ ଉପରେ ପୁରସ୍କାରର କିଛି ନକାରାତ୍ମକ ପ୍ରଭାବ ଅଛି ବୋଲି ଭାବନ୍ତି କି?

ପୁରସ୍କାର ପ୍ରେରଣା ଦିଏ, ଯଦି ତାହା ବିନା କୌଣସି ତୋଷାମଦରେ ମିଳିଥାଏ । ତେବେ ହଁ, କେତେକ କ୍ଷେତ୍ରରେ ପୁରସ୍କାର ନୁହେଁ, ବରଂ ପୁରସ୍କାର ମିଳିବା ପରର ଘଟଣାଚକ୍ର ଜଣେ କବି ବା ଲେଖକ ଉପରେ କିଛି ନକାରାତ୍ମକ ପ୍ରଭାବ ପକେଇ ପାରନ୍ତି । ତେଣୁ ମୋ ମତରେ, ଜଣେ ସାହିତ୍ୟିକଙ୍କୁ ମିଳୁଥିବା ଯେକୌଣସି ପୁରସ୍କାର ପାଖରେ ସେ ଅଟକିଯିବା ଉଚିତ ନୁହେଁ ।

(ସୌଜନ୍ୟ: ସାମ୍ନା ୨୦୧୭)

Leave A Reply

Your email address will not be published.