Latest Odisha News

BREAKING NEWS

ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି : ପ୍ରତିଭା ରାୟ

ପ୍ରତିଭା ରାୟ (୧୯୪୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ । ସେ ହିଁ ଓଡ଼ିଶାର ଏକମାତ୍ର ଶତକ-ସଂସ୍କରଣ ପୁସ୍ତକର ଲେଖିକା; ଯାହାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ନିକଟରେ ୧୦୦ତମ ସଂସ୍କରଣ ଛୁଇଁପାରିଛି । ସାମାନ୍ୟକଥନ, ଷଷ୍ଠସତୀ, ମୋକ୍ଷ, ଉଲ୍ଲଂଘନ, ନିବେଦନମିଦମ୍‍, ଗାନ୍ଧୀଙ୍କ ଗାଁ, ଝୋଟିପକା କାନ୍ଥ, ପ୍ରତିଭା କଥାକଳ୍ପ, ଶୈଳ ଶାୟିନୀ, ରାଧାର ବଂଶୀ, କାୟା ଆଦି ୨୬ଟି ଗଳ୍ପଗ୍ରନ ଏବଂ ଶିଳାପଦ୍ମ, ଆଦିଭୂମି, ମହାମୋହ, ମଗ୍ନମାଟି, ମହାରାଣୀ ପୁତ୍ର, ଶେଷଈଶ୍ୱର ଭଳି ଅନେକ ସଫଳ ଉପନ୍ୟାସ ରଚନାକରି ସେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ, ମୂର୍ତ୍ତିଦେବୀ, ଶାରଳା, ଜ୍ଞାନପୀଠ ଆଦି ବହୁ ଜାତୀୟ ସ୍ତରର ପୁରସ୍କାର ହାସଲ କରି ସେ ଓଡ଼ିଶାକୁ ଆଣିଦେଇଛନ୍ତି ଅଜସ୍ର ଗୌରବ ଓ ସମ୍ମାନ । ତାଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:

‘ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ
ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି’
ପ୍ରତିଭା ରାୟ

ଉପନ୍ୟାସ ପଢ଼ିଲେ ଖରାପ ହେଇଯାଆନ୍ତି ବୋଲି ଓଡ଼ିଶାରେ ଏକ ବହୁଳପ୍ରଚଳିତ ଧାରଣା ଥିବାବେଳେ ଆପଣ ଉପନ୍ୟାସକୁ କେଉଁ ସାହସରେ, କେମିତି ଓ କାହିଁକି ଆସିଲେ?

ଉପନ୍ୟାସ ପଢ଼ିବାର ଗୋଟିଏ ବୟସର ସୀମାରେଖା ଆମ ସମୟରେ ଟଣା ଯାଇଥିଲା – କେବଳ ପଢ଼ିବା ନୁହେଁ, ଲେଖିବା ମଧ୍ୟ ଖରାପ ଝିଅର ଲକ୍ଷଣ ବୋଲି ଧରାଯାଇଥିଲା । ମୋ ଗାଁ ଓ ମୋ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମଣିଷକୃତ ସାମାଜିକ ବୈଷମ୍ୟ ମତେ ଖୁବ୍ ଅଳ୍ପ ବୟସରୁ କବିତା ଲେଖାଇଥିଲା । ପଞ୍ଚମ ଶ୍ରେଣୀରେ ପଢ଼ିବାବେଳେ ମୁଁ କବିତା ଲେଖିଲି ଓ ବାପାଙ୍କୁ ଲୁଚେଇ ‘ପ୍ରଜାତନ୍ତ୍ର’ର ‘ମୀନାବଜାର’କୁ ପଠାଇବାର ସାହସ କଲି । ଷଷ୍ଠ ଶ୍ରେଣୀରେ ପଢ଼ିବାବେଳେ ମୁଁ ‘ମୀନାବଜାର’ରେ କବି ଭାବେ ପ୍ରକାଶିତ ହେଲି । କିନ୍ତୁ ମତେ ‘ଖରାପ ଝିଅ’ କହିବା ପରିବର୍ତ୍ତେ ବହୁତ ପ୍ରଶଂସା ମିଳିଲା । ମୋ ଭିତରେ ଉତ୍ସାହ ବଢ଼ିଲା। ଆମ ଭାଇ ଭଉଣୀ (ସାତ)ଙ୍କ ଭିତରେ ମୁଁ ସର୍ବଦା ଏକ ନିଆରା ରାସ୍ତାରେ ଚାଲୁଥିଲି । ମୁସଲମାନ ସାଙ୍ଗଙ୍କ ଘରେ ଓ ତଥାକଥିତ ଅସବର୍ଣ୍ଣ ସାଙ୍ଗଙ୍କ ଘରେ ଖାଇଦେଇ ଆସୁଥିଲି ଖାସ୍ ଏପରି ଏକ ସାମାଜିକ ବୈଷମ୍ୟର ପ୍ରତିବାଦରେ । ମୋ ଜେଜେମା’ (ଆଈ) ଦ୍ୱାରା ଦଣ୍ଡିତ ହେଉଥିଲି । ମାତ୍ର ମୋ ବାପା ଆଦୌ ବିରକ୍ତ ହେଉ ନ ଥିଲେ । ସେ ମଧ୍ୟ ଜାତିଧର୍ମର ଭେଦଭାବ ମାନୁ ନ ଥିଲେ । ଏମିତି ଛୋଟବେଳୁ ସାମାଜିକ ବିଭେଦର କାଇଦା କଟକଣା ମୁଁ ଭାଙ୍ଗି ଚାଲିଥିଲି ପିଲାଦିନୁ । ରେଭେନ୍ସା କଲେଜରେ ପଢ଼ିବା ବେଳକୁ ମୁଁ ପତ୍ରପତ୍ରିକାରେ କବି ଭାବରେ ପରିଚିତ ଥିଲି । ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଥିବାବେଳେ ମୋର କବିତା ‘ଝଙ୍କାର’ରେ ପ୍ରକାଶ ପାଇଲା ଓ ଗଳ୍ପ ‘ସମାଜ’ର ସାହିତ୍ୟ ପୃଷ୍ଠାରେ ପ୍ରକାଶ ପାଇଲା । ହଷ୍ଟେଲରେ ଷ୍ଟଡି ଆୱାରରେ ହିଁ ମତେ ବେଶି ଗଳ୍ପ, କବିତା ମାଡ଼ୁଥିଲା ଓ ମୁଁ ପାଠ ନ ପଢ଼ି ଲେଖାଲେଖି କରୁଥିଲି । ସେଥିପାଇଁ ସୁପରିନ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ନିୟମିତ ଭାବେ ଦଣ୍ଡିତ ହେଉଥିଲି । ଅଥଚ କଲେଜରେ କବିତା ପ୍ରତିଯୋଗିତାରେ ପୁରସ୍କୃତ ହେଲେ ସୁପରିନ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେଉଥିଲି ।

ତୃତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଥିବା ସମୟରେ କେଜାଣି କେଉଁ ସାହସରେ ମୋର ସେ ସମୟର ପ୍ରିୟ ସହପାଠିନୀ ଅଗସ୍ତୀ ମହାନ୍ତି (ସେତେବେଳେ ସେ ଖୁବ୍ ଭଲ କବିତା ଲେଖୁଥିଲା) ସହ ଆଲୋଚନା କରି ଦୁହେଁ ମିଶି ଏକ ଉପନ୍ୟାସ ଲେଖିଲୁ – ‘ଦୁଇଟି ଢେଉ’ । ୧୯/୨୦ ବର୍ଷ ବୟସ । ପୁଣି ଉପନ୍ୟାସ ଲେଖିବାର ଦୁଃସାହସ; କିନ୍ତୁ ଖୁବ୍ ଶୀଘ୍ର ଉପନ୍ୟାସ ଲେଖା ସରିଗଲା । ରବିବାସରୀୟ ସାହିତ୍ୟ ସଂସଦର ସଭାପତି ଶ୍ରୀ ରବିନାରାୟଣ ମହାପାତ୍ରଙ୍କ ଦ୍ୱାରା ସଂସଦ ତରଫରୁ ଛପା ହୋଇଗଲା । କିନ୍ତୁ ଉପନ୍ୟାସଟି ମୋ ହାତକୁ ଆସିବାବେଳକୁ ମୁଁ ବିବାହ କରି ଶାଶୂଘରେ ଥିଲି । ବିବାହର ତିନି ବର୍ଷରେ ତିନୋଟି ସନ୍ତାନର ଜନନୀ। କେଜାଣି କି ଅଭିମାନରେ ଲେଖାଲେଖି ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲି । ସାତ ବର୍ଷ ମୁଁ ଲେଖା ଛାଡ଼ି ଦେଇଥିଲି ଓ ଲେଖିକାଟିଏ ମୋ ଭିତରୁ ମରିଯାଇଛି ବୋଲି ମନକୁ ବୋଧ ଦେଇ ଚାଲିଥିଲି । ମାତ୍ର ମନ କ’ଣ ବୋଧ ମାନେ? ପୁଣି ସୃଜନଶୀଳ ମନ? ମୋ ବାପା ମୋ ପିଛାରେ ପଡ଼ିଥିଲେ । ମତେ ଲେଖାଇବା ପାଇଁ ମୋର ତିନି ଜଣ ବାନ୍ଧବୀଙ୍କ ଜୀବନ କାହାଣୀ ମୋ ଭିତରେ ଉପନ୍ୟାସର ଛାଞ୍ଚଟିଏ ହୋଇ ଅଲୋଡ଼ା ପଡ଼ିଥିଲା । ହଠାତ୍ ଦିନେ ସବୁ ଅଭିମାନ, ଡର, ଭୟକୁ ଅବଜ୍ଞା କରି ଉପନ୍ୟାସର ତିନି ଋତୁ ‘ବର୍ଷା ବସନ୍ତ ବୈଶାଖ’ ମୋ ହାତରେ କଲମ ଧରାଇଦେଲେ । କଲମରୁ ସ୍ୟାହି ଶୁଖି ନଥିଲା ଭାଗ୍ୟକୁ । ମାତ୍ର କି ଦୁଃସାହସ? ସାହିତ୍ୟ ଜଗତରେ ମୁଁ ତ ସେତେବେଳକୁ ଅଚିହ୍ନା ହୋଇସାରିଥିଲି । ପ୍ରକାଶକ କିଏ ଜଣା ନ ଥିଲା ଅଥଚ ବର୍ଷକ ଭିତରେ ଉପନ୍ୟାସ ଲେଖା ସରିଗଲା । ତାହା ହିଁ ଥିଲା ମୋ ପାଇଁ ବଡ଼ ଆଚିଭମେଣ୍ଟ । ନିଜକୁ ନିଜେ ସ୍ୱୀକୃତି ଦେଲି ଯେ ମୋର ଭାବ ଓ ଶବ୍ଦ ହଜିଯାଇ ନାହାନ୍ତି । ତେଣିକି ଉପନ୍ୟାସ ଛପା ହେଉ ବା ନ ହେଉ! ପୁଣି ଥରେ ନିଜକୁ ଲେଖିକାର ମାନପତ୍ରଟିଏ ନିଜେ ଦେଲି । ନିଜ ଲେଖା ଅଛପା ଉପନ୍ୟାସକୁ ଲୁଚେଇ ଲୁଚେଇ ପଢ଼ିଲି, ଯେମିତି ନବମ ଦଶମ ଶ୍ରେଣୀର ଛାତ୍ରୀ ପ୍ରତିଭା ଦାସ ଲୁଚେଇ ଲୁଚେଇ ପଢ଼ିଥିଲା ତିନୋଟି ଉପନ୍ୟାସ ‘ଅଦେଖା ହାତ’, ‘ଦେବଦାସ’ର ଓଡ଼ିଆ ଅନୁବାଦ ଓ ‘ଟମକକାଙ୍କ କୁଟୀର’ର ଓଡ଼ିଆ ଅନୁବାଦ । ପଢ଼ି କାନ୍ଦିଥିଲି । ଭାବୁଥିଲି ବୋଧହୁଏ ପ୍ରେମ, ସହାନୁଭୂତି ଓ କରୁଣାରୁ ନିର୍ଗତ ଲୁହରେ ହିଁ ଉପନ୍ୟାସ ଲେଖାଯାଏ ପରା!

ପ୍ରଥମ ଉପନ୍ୟାସର ପ୍ରକାଶନ କେବେ ହୋଇଥିଲା ଓ ସେତେବେଳର ପାଠକଙ୍କ ପ୍ରତିକ୍ରିୟା କିପରି ଥିଲା? ପ୍ରକାଶନରେ କିଛି ସମସ୍ୟା ଉପୁଜିଥିଲା କି? 

ପ୍ରଥମ ଉପନ୍ୟାସର ପ୍ରକାଶନ ସମୟ ୧୯୭୪ (ବର୍ଷା ବସନ୍ତ ବୈଶାଖ) । ପ୍ରକାଶନର ସମସ୍ୟା ତ ସର୍ବକାଳର ସମସ୍ୟା । ମୋର ଉପନ୍ୟାସଟି ଜଣେ ପ୍ରକାଶକଙ୍କ ପାଖରେ ବର୍ଷେ କାଳ ପଡ଼ି ରହିଲା । ମୋ ପାଖରେ ପାଣ୍ଡୁଲିପିର କପି ମଧ୍ୟ ନ ଥାଏ । ଆଉ ଥରେ ପଢ଼ି ଦେଖିବି କହି ଉପନ୍ୟାସ ଫେରାଇ ଆଣିଲି । ମୋ ସ୍ୱାମୀ କହିଲେ ଥାଉ କୌଣସି ପ୍ରକାଶକ ପାଖକୁ ଦଉଡ଼ିବା ମୋର ପସନ୍ଦ ନୁହେଁ । ନିଜ ଦରମା ଟଙ୍କାରେ ଉପନ୍ୟାସ ଛାପ । ଯଦି ଛପାଖର୍ଚ୍ଚ ଉଠିଗଲା ତେବେ ଦ୍ୱିତୀୟ ଉପନ୍ୟାସ ଲେଖିବ, ଛାପିବ, ନଚେତ୍ ନାହିଁ । ଆଘାତ ପାଇଥିଲି ନିଶ୍ଚୟ । କିନ୍ତୁ ଉପନ୍ୟାସ ନିଜ ଖର୍ଚ୍ଚରେ ଛାପିଥିଲି । ପୁଣି ବିକ୍ରୟ ତ ସେଇ ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କ ହାତରେ? ଚାଳିଶ ପ୍ରତିଶତ ଡିସ୍କାଉଣ୍ଟରେ ସେଇମାନଙ୍କୁ ପୁସ୍ତକ ଦିଆଗଲା ବାକିରେ । ଈଶ୍ୱରଙ୍କୁ ଡାକୁଥିଲି ଛପାଖର୍ଚ୍ଚ ମୋ ହାତକୁ ଆସୁ ବୋଲି । ଲାଭ କରିବାର ଲକ୍ଷ୍ୟ ନ ଥିଲା । କାରଣ ମୁଁ ତ ଲେଖିକା ଜୀବନ ବଞ୍ଚିବା ପାଇଁ ସ୍ୱପ୍ନ ଦେଖିଥିଲି । ପ୍ରକାଶକ ହେବାର ସ୍ୱପ୍ନ କେବେ ବି ନ ଥିଲା । ଏବେ ମଧ୍ୟ ନହିଁ । ବାଧ୍ୟରେ ପଡ଼ି ଛାପୁଛି ।


ପ୍ରଥମ ଉପନ୍ୟାସକୁ ନେଇ ଆପଣ କେତେ ସନ୍ତୁଷ୍ଟ ଥିଲେ?

ପ୍ରଥମ ଉପନ୍ୟାସ ପାଇଁ ପାଠକଙ୍କର ସ୍ନେହ ଆଦର ଆଗ୍ରହ ଆଶାତୀତ ଥିଲା । ପୁସ୍ତକ ବଜାରରୁ ବର୍ଷକ ଭିତରେ ସରିଗଲା । ପାଠକେ ପୁସ୍ତକ ଦୋକାନରେ ପ୍ରତିଭା ରାୟଙ୍କ ନୂଆ ଉପନ୍ୟାସ ଖୋଜିଲେ । ଏପରିକି ସାରଳା ଦାସଙ୍କ ଜନ୍ମସ୍ଥାନରେ ଏକ ସଭାରେ ‘ଜୀବନ ରଙ୍ଗ’ର ସମ୍ପାଦକ ମୋ ପରିଚୟ ଦେବାକୁ ଯାଇ କହିଥିଲେ “ବର୍ଷା ବସନ୍ତ ବୈଶାଖର ଲେଖିକା” ଅର୍ଥାତ୍ ପୁସ୍ତକଟି ସାଧାରଣ ପାଠକ ମହଲରେ ଚର୍ଚ୍ଚିତ ହୋଇଥିଲା ଏବଂ ମୁଁ ଆଉ ଏକ ଉପନ୍ୟାସ ଲେଖି ଛାପିଥିଲି ।

କିନ୍ତୁ ସତ କହୁଛି ମୁଁ ନିଜେ ସନ୍ତୁଷ୍ଟ ନ ଥିଲି ମୋର ଅଭିବ୍ୟକ୍ତିରେ । ଆଜି ମଧ୍ୟ ‘ବର୍ଷା ବସନ୍ତ ବୈଶାଖ’ର ପୁନଃମୁଦ୍ରଣ ଚାଲିଛି (୪୨ତମ ସଂସ୍କରଣ / ୧୦୦୦ ପ୍ରତିସଂସ୍କରଣ) କିନ୍ତୁ ମୁଁ ତାକୁ ମୋ ଉପନ୍ୟାସ ତାଲିକାରେ ଦେଖି ଆତ୍ମସନ୍ତୋଷ ପାଏ ନାହିଁ । ଅନାଡ଼ି ହାତରେ ଗାରେଇ ପକାଇଥିଲି ଅଥଚ ଏବେ ବି ପାଠକେ ଖୋଜୁଛନ୍ତି ଭାବି ପାଠକଙ୍କ ପ୍ରତି କୃତଜ୍ଞ ହୁଏ । ପ୍ରକୃତରେ ସେମାନଙ୍କ ଶ୍ରଦ୍ଧା ଯଦି ‘ବର୍ଷା ବସନ୍ତ ବୈଶାଖ’ ଉପନ୍ୟାସକୁ ମିଳି ନ ଥାନ୍ତା ମୁଁ ଆଉ କିପରି ବହି ଛାପିଥାନ୍ତି? ପ୍ରକାଶକ ତ ନୂଆ ଲେଖକଙ୍କ ପ୍ରତି ଚିରକାଳ ଅନୁଦାର ।

ଓଡ଼ିଶାରେ ଉପନ୍ୟାସ କଥା ଉଠିଲେ ‘ପ୍ରତିଭା ରାୟ’ଙ୍କ ନାମ ପ୍ରଥମେ ଆସେ ଓ ‘ପ୍ରତିଭା ରାୟ’ଙ୍କ ନାମ ଉଠିଲେ ‘ଯାଜ୍ଞସେନୀ’ ଉପନ୍ୟାସର ନାମ ପ୍ରଥମେ ଆସେ । ଆପଣଙ୍କର ମନେହୁଏକି ଆହୁରି ଅନେକ ଉଚ୍ଚକୋଟୀର ଉପନ୍ୟାସ ଆପଣଙ୍କର ଥିବାସତ୍ତ୍ୱେ ପାଠକେ ‘ଯାଜ୍ଞସେନୀ’ ପାଖରେ ଅଟକି ଯାଇଛନ୍ତି?

ଏତେ ଦିନ ପର୍ଯ୍ୟନ୍ତ ଯେଉଁ ଦୁଃଖ ଗୋପନରେ ଭୋଗୁଥିଲି ଆଜି ସେଇ କଥାଟି ଆପଣ ସମସ୍ତଙ୍କୁ ଜଣାଇଦେଲେ । କେମିତି ବୁଝିପାରିଲେ ଲେଖିକାର ଦୁଃଖ କୋଉଠି ଲୁଚି ରହିଥାଏ?

ଯାଜ୍ଞସେନୀର ସଫଳତା ଆପଣଙ୍କର ଅନ୍ୟସବୁ ଉପନ୍ୟାସକୁ ନମିଳିବା ପ୍ରସଙ୍ଗରେ ନିଜକୁ କିପରି ଦାୟୀ କରିବେ? ନା ପାଠକୀୟ ଉଦାସୀନତାକୁ ଦୋଷ ଦେବେ? ନା ଅନ୍ୟ କାହାକୁ? କୌଣସି ଜାତୀୟ ‘ପୁରସ୍କାର’ ଉପନ୍ୟାସର ସଫଳତାରେ ସହାୟକ ହୁଏ କି?

‘ଯାଜ୍ଞସେନୀ’ର ସଫଳତା ନିଶ୍ଚୟ ଆନନ୍ଦ ଦିଏ । ଲୋକପ୍ରିୟତା ସହ ଏହି ଉପନ୍ୟାସଟି ଦୁଇଟି ମର୍ଯ୍ୟାଦାଜନକ ପୁରସ୍କାର ପାଇଛି। ଶାରଳା ପୁରସ୍କାର (୧୯୯୦) ଓ ଭାରତୀୟ ଜ୍ଞାନପୀଠର ମୂର୍ତ୍ତିଦେବୀ ପୁରସ୍କାର (୧୯୯୧) । ଏ ପର୍ଯ୍ୟନ୍ତ ମୂର୍ତ୍ତିଦେବୀ ପୁରସ୍କାର ମିଳିଥିବା ପ୍ରଥମ ଉପନ୍ୟାସ ଓ ଏକମାତ୍ର ମହିଳା । ଅନ୍ୟାନ୍ୟ ଭାରତୀୟ ଭାଷାରେ ଅଧିକ ସଂସ୍କରଣ ମଧ୍ୟ ହୋଇଛି । ଇଂରାଜୀରେ ପ୍ରଥମ ବର୍ଷ ‘ରୂପା ଆଣ୍ଡ୍‍ କୋ’ର ବେଷ୍ଟ ସେଲର୍ ଉପନ୍ୟାସ । ଅନ୍ୟ ଉପନ୍ୟାସର ଆଦର ଅଛି, ମାତ୍ର ‘ଯାଜ୍ଞସେନୀ’ର ଲୋକପ୍ରିୟତାକୁ କେହି ଟପି ପାରି ନାହାନ୍ତି । ସେଥିପାଇଁ ନିଜକୁ ଦାୟୀ କରେ ନାହିଁ କେବେ । ବରଂ ପାଠକ ଓ ସମାଲୋଚକଙ୍କୁ ଦାୟୀ କରେ । ମୋର ଅନୁଭୂତି ଏଠାରେ ସମସ୍ତଙ୍କୁ ଜଣାଇବା ପାଇଁ ଚାହେଁ । ‘ମହାମୋହ’ ଅହଲ୍ୟାଙ୍କୁ କେନ୍ଦ୍ର କରି ଭାରତୀୟ ଭାଷାରେ ସର୍ବବୃହତ୍ ଓ ଏକ ଦାର୍ଶନିକ ମନୋବୈଜ୍ଞାନିକ ତଥା ଆଧୁନିକ ଦୃଷ୍ଟିକୋଣରୁ ଲିଖିତ ଉପନ୍ୟାସ ଭାବରେ ଭାରତୀୟ ସମାଲୋଚକ ଚର୍ଚ୍ଚା କରିଛନ୍ତି । ମାଲାୟାଲମ୍ ଭାଷାରେ ଏହି ଉପନ୍ୟାସ କେରଳର ସର୍ବଶ୍ରେଷ୍ଠ ପ୍ରକାଶକ ‘ଡି.ସି. ବୁକ୍‍ସ’ଙ୍କ ମଡର୍ଣ୍ଣ ଇଣ୍ଡିଆନ୍ କ୍ଲାସିକ୍ ସିରିଜରେ ପ୍ରକାଶିତ ହୋଇ ଅନେକ ସଂସ୍କରଣ ହୋଇଛି । ଅଥଚ ଜଣେ ବିଶିଷ୍ଟ ଓଡ଼ିଆ ପ୍ରଫେସର ତଥା ଆଲୋଚକ ମତେ କହିଲେ- ‘ଯାଜ୍ଞସେନୀ’ ଏକ ଆବେଗପ୍ରବଣ ଉପନ୍ୟାସ- “ସାଧାରଣ ପାଠକଙ୍କ ପାଇଁ ଉପଭୋଗ୍ୟ । କିନ୍ତୁ ‘ମହାମୋହ’ରେ ଏତେ ଦର୍ଶନ, ଏତେ ବୌଦ୍ଧିକତା ଓ ତତ୍ତ୍ୱ ଭର୍ତ୍ତି କରି କ’ଣ ପାଇଁ ଭାରି କରିଦେଲ? ସେ ଉପନ୍ୟାସ ପଢ଼ିଲେ ମୁଣ୍ଡ ଓଜନିଆ ହୋଇଯାଏ ।” ତେଣୁ ଲେଖକ ବିଚରା କରେ କ’ଣ? ସେ ତ ଲେଖିବାବେଳେ ତା’ ସମ୍ମୁଖରେ ପାଠକ ନ ଥାଏ ବା ସମାଲୋଚକ ନ ଥାଏ । ଥାଏ ତା’ର ଅବବୋଧ, ଉପଲବ୍ଧି, ଲେଖକୀୟ ସାମର୍ଥ୍ୟ । ଗୋଟିଏ ଲେଖକର ସବୁ ବହି ମଧ୍ୟ ଏକା ପରି ହେବା ଦେଖାଯାଏନି ।

କୌଣସି ପୁରସ୍କାର ଏକ କୃତିର ପ୍ରକୃତ ମୂଲ୍ୟାୟନ ନୁହେଁ । ଏହା ହେଉଛି ଏକ ମହାର୍ଘ ସ୍ୱୀକୃତ । ସବୁ ନୋବେଲ୍ ପୁରସ୍କାରପ୍ରାପ୍ତ ପୁସ୍ତକ ସଫଳ କୃତି ଭାବରେ ଗଣ୍ୟ ହୋଇନାହିଁ । ‘ଯାଜ୍ଞସେନୀ’ ଓଡ଼ିଆରେ ଶାରଳା ପୁରସ୍କାର ପାଇବା ବେଳକୁ ଓଡ଼ିଶାର ଘରେଘରେ ପହଂଚି ସାରିଥିଲା । ମୂର୍ତ୍ତିଦେବୀ ପୁରସ୍କାର ପାଇବା ବେଳକୁ ଭାରତ ଓ ଭାରତ ବାହାରେ ରହୁଥିବା ହିନ୍ଦୀ ପାଠକଙ୍କ ପାଖରେ ତଥା ଭାରତୀୟ ପାଠକଙ୍କ ପାଖରେ ଆଦୃତ ହୋଇସାରିଥିଲା । ତେଣୁ ପୁରସ୍କାର କୌଣସି କୃତିକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରେନାହିଁ । ବରଂ କୃତିର ସଫଳତା ପୁରସ୍କାର ଆଣିପାରେ ।


ଆପଣ ଅନ୍ୟ ଲେଖକଙ୍କ ଓଡ଼ିଆ ଉପନ୍ୟାସ ପଢ଼ିବାକୁ ଆଗ୍ରହ ରଖନ୍ତିକି? ଯଦି ହଁ, ଆପଣଙ୍କ ପ୍ରିୟ ଓଡ଼ିଆ ଔପନ୍ୟାସିକ ଓ ଉପନ୍ୟାସ ବିଷୟରେ ଅଳ୍ପରେ ସୂଚନା ଦେବେକି? ଉପନ୍ୟାସ ଲେଖିବାବେଳେ ସେମାନଙ୍କ ମଧ୍ୟରୁ କାହାର ଆଦର୍ଶ ଆପଣଙ୍କୁ ଉଦ୍‍ବୁଦ୍ଧ କରେ?

ଏବେ ଆଉ ଓଡ଼ିଆ ଉପନ୍ୟାସ ପଢ଼ି ମୋ ବସୟର ଲେଖିକା ଉଦ୍‍ବୁଦ୍ଧ ହେବା ଭଳି ଉପନ୍ୟାସ କାହିଁ? ତେଣୁ କାହାକୁ ପଢ଼ିବି? ହଁ, କାହ୍ନୁଚରଣ ଏକ ସମୟରେ, ସୁରେନ୍ଦ୍ର ମହାନ୍ତି ଓ ଗୋପୀନାଥ ମହାନ୍ତି ପରବର୍ତ୍ତୀ କାଳରେ ମୋର ଆଦର୍ଶ ଥିଲେ । କିନ୍ତୁ ଉପନ୍ୟାସ ଲେଖିବାବେଳେ ସେମାନଙ୍କଠାରୁ ଅପହଞ୍ଚ ଦୂରରେ ରହି ମୁଁ ମୋର ସ୍ରଷ୍ଟାମାନସ ସହ ଏକାଗ୍ରତାର ସହ ତପସ୍ୟାରେ ମଗ୍ନ ଥାଏ । ପ୍ରବୀଣମାନଙ୍କ ପରେ ସବୁକିଛି ଅଟକିଯାଏ ଭାବିବା ସକାରାତ୍ମକ ଚିନ୍ତାଧାରା ନୁହେଁ । ‘ବର୍ଷା ବସନ୍ତ ବୈଶାଖ’ ଇତ୍ୟାଦି ପାଞ୍ଚଟି ସାମାଜିକ ସମସ୍ୟାକୁ ନେଇ ମୋର ଆଦ୍ୟକାଳର ଉପନ୍ୟାସଗୁଡ଼ିକ ପଢ଼ି ପ୍ରବୀଣମାନେ କି ପ୍ରକାର ମନ୍ତବ୍ୟ ଦେଇଥିଲେ ଆପଣମାନେ ଜାଣନ୍ତି ନାହିଁ । ପ୍ରବୀଣମାନେ ଉଚ୍ଚପିଣ୍ଡାରେ ବସିଥିବାବେଳେ, ମୋର ପତର ପଡ଼ୁଥିଲା ଦାଣ୍ଡରେ – ରାସ୍ତା ଉପରେ । ଗାଁ ପଙ୍ଗତ ଯଦି ଦେଖିଥିବେ ମନେପକାନ୍ତୁ । ସେଇ ଅବସ୍ଥା ସହ ତୁଳନୀୟ ଥିଲା ମୋର ଅବସ୍ଥା । ମାତ୍ର ମୁଁ ଅବିଚଳ ଥିଲି ମୋ ଲକ୍ଷ୍ୟସାଧନ ପଥରେ । ମୋ ପାଇଁ ଲେଖିବା ଥିଲା ଏକ ସାଧନା । କାହାରି ମନ୍ତବ୍ୟ ମୋର ଦୃଢ଼ ମନୋବଳକୁ ଆହତ ମଧ୍ୟ କରୁ ନଥିଲା । ପ୍ରତିଟି ପ୍ରତିବନ୍ଧକ ଓ ପ୍ରତିକୂଳ ମନ୍ତବ୍ୟକୁ ମୁଁ ଆହ୍ୱାନ ଭାବରେ ଗ୍ରହଣ କରିଥିଲି । ‘ଆଦିଭୂମି’ ଉପନ୍ୟାସ ଲେଖିସାରିବା ପରେ ମଧ୍ୟ ଜଣେ ଓଡ଼ିଆ ପ୍ରଫେସର ସମାଲୋଚକ ‘ଓଡ଼ିଆ ଉପନ୍ୟାସର ଇତିହାସ’ରେ ପ୍ରତିଭା ରାୟ ନାମ ମଧ୍ୟ ଉଲ୍ଲେଖ କରି ନ ଥିଲେ । ଗଳ୍ପ ସମାଲୋଚନାରେ ତ ମୋ ନାମ ମଧ୍ୟ ପ୍ରାୟ ନଥାଏ (ଓଡ଼ିଶାରେ) କିନ୍ତୁ ମୁଁ ଆଦୌ କ୍ଷତିଗ୍ରସ୍ତ ହୁଏ ନାହିଁ । ବରଂ ମୁଁ ସେମାନଙ୍କ ପାଖରେ କୃତଜ୍ଞ ଯେ ସେମାନେ ମତେ ‘ଆହ୍ୱାନ’ ହିଁ ଦେଇ ଚାଲିଥିଲେ ।

ତରୁଣ ପିଢ଼ିର ଓଡ଼ିଆ ଔପନ୍ୟାସିକଙ୍କ ପାଖରେ କଣ ଅଭାବ ଦେଖୁଛନ୍ତି? ସେମାନଙ୍କ କାନ୍ଧରେ ଓଡ଼ିଆ ଉପନ୍ୟାସର ଭାର ଆଗକୁ ବଢ଼ିବାର ସଂଭାବନା ଦେଖୁଛନ୍ତି କି?

ନୂତନ, ତରୁଣ ପିଢ଼ିର ଔପନ୍ୟାସିକଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ । ମାତ୍ର ଉପନ୍ୟାସ ଲେଖିବା ପାଇଁ ଜୀବନାନୁଭୂତି, ଧୈର୍ଯ୍ୟ ଓ ସାଧନାର ଅଭାବ ରହୁଛି । ରାତାରାତି ଖ୍ୟାତି ଓ ପୁରସ୍କାର ଲକ୍ଷ୍ୟ ନେଇ ଲେଖିଲେ ଆଜିକାଲି ପୁରସ୍କାର ମିଳିପାରେ ମାତ୍ର ଭଲ ଉପନ୍ୟାସଟିଏ ଲେଖିହୁଏ ନାହିଁ । ମୁଁ ସବୁବେଳେ ନିଜକୁ କହେ – ‘ସିଦ୍ଧି ନୁହେଁ, ସାଧନା ହିଁ ମୋର ଲକ୍ଷ୍ୟ’ । ପ୍ରକୃତରେ ସିଦ୍ଧି ବା ଶୀର୍ଷସ୍ଥାନ ସାହିତ୍ୟରେ ନାହିଁ, ବିଜ୍ଞାନରେ ମଧ୍ୟ । କେଜାଣି ଯେଉଁଦିନ ବୈଜ୍ଞାନିକ ଜରା, ବ୍ୟାଧି ଓ ମୃତ୍ୟୁକୁ ରୋକିପାରିବ ସେଦିନ ତା’ର ସିଦ୍ଧି ଘୋଷଣା ହୋଇପାରେ!

ସରୋଜ! ତୁମ କାନ୍ଧରେ ଓଡ଼ିଆ ଉପନ୍ୟାସର ଭାର ଆଗକୁ ବଢ଼ିବାର ସମ୍ଭାବନା କାହିଁକି ନ ରହିବ? ତୁମ ପିଢ଼ିର ଆଉରି କେତେଜଣଙ୍କ ଉପରେ ମଧ୍ୟ ଆସ୍ଥା ରଖାଯାଇପାରେ । ଏବେ ତୁମମାନଙ୍କ ପାଇଁ ଯେତେ ସୁବିଧା – ଆମର ସେତିକି ସୁବିଧା ନ ଥିଲା । ୧୯୮୬ରେ ମୁଁ ବଣ୍ଡା ପାହାଡ଼କୁ ଯାଇ କାମ ଆରମ୍ଭ କରିବାବେଳେ ଜିପ୍ ରାସ୍ତା ମଧ୍ୟ ନ ଥିଲା । ଆଠ ବର୍ଷ ଧରି ମୁଁ ମଝିରେ ମଝିରେ ଯାଉଥିଲି । ୩୨ ଖଣ୍ଡ ଗାଁ ଚାଲି ଚାଲି ତଥ୍ୟ ସଂଗ୍ରହ କରିଥିଲି । ଅନ୍ତରଙ୍ଗ ଅନୁଭୂତିରୁ ଉପଲବ୍ଧି ହିଁ ଲେଖକକୁ ସୃଜନଶୀଳ କରାଏ । ବଣ୍ଡା ପାହାଡ଼କୁ ଏବେ ତ ଚମତ୍କାର ରାସ୍ତା ଫିଟିଗଲାଣି । ଏହା ଏକ ଉଦାହରଣ ମାତ୍ର ।

କ୍ଲାସିକ୍‍ ଉପନ୍ୟାସର ମାନଦଣ୍ଡ କଣ ହେବା ଉଚିତ୍‍ ବୋଲି ଭାବନ୍ତି?

କ୍ଲାସିକ୍ ଉପନ୍ୟାସର ମାନଦଣ୍ଡ ଏକ ଗଭୀର ଆଲୋଚନାର ବିଷୟବସ୍ତୁ । ତେବେ ଅଳ୍ପକେ କହିପାରେ- “କ୍ଲାସିକ୍ ଉପନ୍ୟାସର ପ୍ରଥମ ଗୁଣ ହେଲା ଏହା କାଳାତୀତ, ସ୍ଥାନାତୀତ ହେବ । ଅର୍ଥାତ୍ ଏହା ତାତ୍କାଳିକତାକୁ ଚିରାୟତ କରୁଥିବ । ଆଞ୍ଚଳିକତାକୁ ସାର୍ବଭୌମିକତାରେ ପରିଣତ କରୁଥିବ ।”

ଏହା ଏକ ବୃହତ୍ତର କଥାରୂପ, ଯେଉଁଥିରେ ସାର୍ବଜନୀନ ଆବେଦନ ଥିବ ମୁହୂର୍ତ୍ତକୁ ମହାକାଳରେ ପରିଣତ କରୁଥିବ । ଯେଉଁ କଥାରୂପରେ ଅତୀତ ଥିବ, ବର୍ତ୍ତମାନ ବା ସାମ୍ପ୍ରତିକ ଜୀବନଚକ୍ର ଅଛି ଓ ଭବିଷ୍ୟତ ବି ରହିବ । ଅର୍ଥାତ୍ ଯାହାକୁ ଜେଜେବାପା, ବାପା, ନାତି, ଅଣନାତି, ପଣନାତି ପଢ଼ି ଚାଲିବେ । ଏକଥା ବ୍ୟାସଦେବ ମଧ୍ୟ କହିଛନ୍ତି ମହାକାବ୍ୟ ସମ୍ପର୍କରେ । କ୍ଲାସିକ୍ ଉପନ୍ୟାସ ହେଉଛି ଗଦ୍ୟମହାକାବ୍ୟ ।

ଉପନ୍ୟାସ ହେଉଛି ମଡର୍ଣ୍ଣ ଏପିକ୍ । ମଣିଷର ଚିରନ୍ତନ ଆବେଗ ସହ ବାସ୍ତବତା ଓ କଳ୍ପନାର ଆତ୍ମିକ ମିଳନରେ ସ୍ୱକୀୟ ଆଙ୍ଗିକ ଓ ମୌଳିକ ଶୈଳୀର ଉତ୍କର୍ଷ ବିଶ୍ୱମାନସକୁ ମୁଗ୍ଧ, ବେଦନାର୍ଦ୍ର, ଆହ୍ଲାଦିତ ତଥା ସମୃଦ୍ଧ, ନୈତିକ ଓ ଉଦ୍ବୁଦ୍ଧ କରିପାରୁଥିବ କ୍ଲାସିକ୍ ଉପନ୍ୟାସ । ପଛକୁ ଫେରିଚାହିଁ ଅଗ୍ରଗତି କରିବାର ମାର୍ଗଦର୍ଶନ ଏଥିରେ କଳାତ୍ମକ ଭାବରେ ଥିବ- ସ୍ଲୋଗାନ୍ ଭାବରେ ନୁହେଁ । କ୍ରାନ୍ତି ଏଥିରେ ଧ୍ୱଂସାତ୍ମକ ନୁହେଁ ସର୍ଜନାତ୍ମକ । ଅନେକ ବିରୋଧାଭାସକୁ ଏକତି୍ରତ କରିବାର ପରାକାଷ୍ଠା ଏଥିରେ ଥିବ ।

ଯଦି ଆପଣଙ୍କୁ ୫ଟି ଓଡ଼ିଆ କ୍ଲାସିକ୍‍ ଉପନ୍ୟାସର ନାମ ଲେଖିବାକୁ କୁହାଯାଏ, କେଉଁଗୁଡ଼ିକୁ ଆପଣ ଅନ୍ତର୍ଭୁକ୍ତ କରିବେ?

୧. ଛମାଣ ଆଠଗୁଣ୍ଠ, ୨. ପରଜା, ୩. ଅମୃତର ସନ୍ତାନ, ୪. ବାଲିରାଜା, ୫. ନୀଳଶୈଳ / ମାଟିର ମଣିଷ ।

ଆପଣଙ୍କର ସ୍ୱପ୍ନର ଉପନ୍ୟାସ କଣ? ସେଥିପାଇଁ ଆପଣଙ୍କ ପ୍ରସ୍ତୁତି କେତେ ଦୂର ଯାଇଛି?

ପ୍ରିୟ ସରୋଜ! ତୁମେତ ଜଣେ ସ୍ରଷ୍ଟା । କେଉଁ ସୃଷ୍ଟି ଭଲା ଡ୍ରିମ ପ୍ରୋଜେକ୍ଟ ନୁହେଁ? ଗୋଟିଏ ଉପନ୍ୟାସ ଲେଖା ଚାଲିଥିବାବେଳେ ଆଉ ଗୋଟିଏ ଉପନ୍ୟାସର ସ୍ୱପ୍ନ ଦେଖିହୁଏ, ଲେଖିହୁଏ ନାହିଁ । ତେଣୁ ମୋର ପରବର୍ତ୍ତୀ ଡ୍ରିମ ପ୍ରୋଜେକ୍ଟର ରଫ୍ ସ୍କେଚ୍ ଆଙ୍କିଛି- ପୁଣି ସ୍ୱପ୍ନର ଚିତ୍ର, କଡ଼ ମୋଡ଼ିବା ବେଳକୁ ବଦଳି ଯାଉଛି । ସାମ୍ପ୍ରତିକ ବିଶ୍ୱପରିସ୍ଥିତିରେ କେବଳ ସ୍ରଷ୍ଟାମାନସ ନୁହେଁ, ବ୍ୟକ୍ତିମାନସ ମଧ୍ୟ ବିବ୍ରତ, ବେଦନାଗ୍ରସ୍ତ । ଆଖି କାନ୍ଦିଲେ ଅଶ୍ରୁ ଝରେ । ହୃଦୟ କାନ୍ଦିଲେ ରକ୍ତ ଝରେ । ଲୁହ ଓ ରକ୍ତ ଦୁହେଁ ଲବଣାକ୍ତ କିନ୍ତୁ ଲୁହରେ ରଙ୍ଗ ନଥାଏ- ରକ୍ତରେ ରଙ୍ଗ ଥାଏ । ଯେତେବେଳେ ହୃଦୟ ବିଶ୍ୱସ୍ତ କାନ୍ଦ କାନ୍ଦେ, ସେତିକିବେଳେ ରକ୍ତରେ ଲେଖାଯାଏ ଉପନ୍ୟାସ । କିନ୍ତୁ ସତ କହୁଛି, ନିଦ ନ ଭାଙ୍ଗିଲେ ମଧ୍ୟ ସ୍ୱପ୍ନଟିଏ ପୂରା ହୋଇପାରେ, କିନ୍ତୁ ଉପନ୍ୟାସଟିଏ ପୂରା ହେବା ପରେ ବି ସ୍ୱପ୍ନ ଅଧା ରହିଯାଏ । ଅର୍ଥାତ୍ ଡ୍ରିମ୍ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଆତ୍ମସନ୍ତୋଷ ମତେ ଦିଏ ନାହିଁ- ମତେ ଲାଗେ ମୋର ସବୁ ଉପନ୍ୟାସ ଅସମ୍ପୂର୍ଣ୍ଣ । ଯୋଉଠୁ ଛାଡ଼ିଲି ସେଇଠୁ ଆଉ କେହି ଲେଖିପାରେ । ଆତଙ୍କବାଦର ପର୍ବ ସାରା ବିଶ୍ୱରେ ପାଳିତ ହେବାବେଳେ ‘ସ୍ୱପ୍ନଭଙ୍ଗ’ର ରକ୍ତରଞ୍ଜିତ ଡ୍ରିମ ପ୍ରୋଜେକ୍ଟର ନକ୍ସାଟିଏ ଟାଣିଛି ମାତ୍ର- ନକ୍ସା ବଦଳିି ବି ଯାଇପାରେ ନିର୍ମାଣ ଅଧାରେ ।

ଓଡ଼ିଆରେ ଉପନ୍ୟାସ ଲେଖି ଜଣେ ଜୀବିକା ନିର୍ବାହ କରିବା ସଂଭବ କି? 

ଆଦୌ ନୁହେଁ, ଯଦି ଜଣେ ଲେଖକ ପ୍ରକାଶନ ବ୍ୟବସାୟ କରେ ଅର୍ଥାତ୍ ନିଜ ଲେଖା ସହ ଅନ୍ୟମାନଙ୍କ ଲେଖା, ପାଠ୍ୟପୁସ୍ତକ ବା ଟେଷ୍ଟ ପେପର ଛାପେ ତେବେ ଜୀବିକା ନିର୍ବାହ କରିପାରେ । କିନ୍ତୁ ଲେଖକୀୟ ଧ୍ୟାନମଗ୍ନତା ବାଧାପ୍ରାପ୍ତ ହେବ ଅନ୍ୟ ପୁସ୍ତକର ପ୍ରୁଫ୍ ଦେଖୁ ଦେଖୁ । ପ୍ରକାଶନ ଶିଳ୍ପର ମାନ କେତେ ଉନ୍ନତ ହେଲାଣି ସେକଥା ଆମର ତରୁଣ ପ୍ରକାଶକମାନେ ବାହାରକୁ ଯାଇ ଦେଖନ୍ତୁ – ଶିଖନ୍ତୁ, ଅଧ୍ୟୟନ କରନ୍ତୁ । ଏକ ପ୍ରକାଶନ ସଂସ୍ଥାରେ, ପୁସ୍ତକ ଚୟନ ପାଇଁ ରିଡର୍ ରିଭିୟୁଅର ଓ ନିର୍ଭୁଲ ପ୍ରକାଶନ ପାଇଁ ଉପଯୁକ୍ତ ପ୍ରୁଫ୍ ରିଡର୍, ଏଡିଟର ଇତ୍ୟାଦି ଏଠାରେ ଅଛନ୍ତି କି? ଏଠି ତ ଲେଖକ ନିଜେ ପ୍ରୁଫ୍ ଦେଖେ, କଭର ଡିଜାଇନ୍ ବି ଦେଖିପାରେ, ପ୍ରକାଶକୀୟ ମଧ୍ୟ ଲେଖକ ପ୍ରାୟ ଲେଖେ ।

ଓଡ଼ିଶାରେ ବହୁ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଥିବାବେଳେ ଆପଣଙ୍କ ବହିସବୁକୁ ନିଜକର୍ତ୍ତୃକ ‘ଆଦ୍ୟା ପ୍ରକାଶନୀ’ରେ ଛପାଇବା ପଛରେ କି ଉଦ୍ଦେଶ୍ୟ ରହିଛି? ଆର୍ଥିକ ଲାଭ ନା ଅନ୍ୟକିଛି?

ମୁଁ କାହିଁକି ‘ଆଦ୍ୟା ପ୍ରକାଶନୀ’ ପ୍ରତିଷ୍ଠା କଲି ତା’ର ସୂଚନା ଦେଇସାରିଛି । ମାତ୍ର ନିଜ ବହିର ପ୍ରକାଶନ ଦାୟିତ୍ୱ ବହନ କରିବାର ଇଚ୍ଛା ଆଦୌ କରିନଥିଲି । ତେଣୁ ମୋର ପାଞ୍ଚଟି ବହି ଆଦ୍ୟା ପ୍ରକାଶନୀ ପ୍ରକାଶ କରିବା ପରେ ମୋ ପାଖକୁ ଜଣେ ପ୍ରକାଶକ ଆସିବାରୁ ସବୁ ବହି ତାଙ୍କୁ ଦେଇଦେଲି । (ଅବଶ୍ୟ ଆଦ୍ୟା ପ୍ରକାଶନୀ ଖଣ୍ଡିଏ ଖଣ୍ଡିଏ ଛାପିବା ବନ୍ଦ କରିନଥାଏ ।)

ଯେତେବେଳେ ମୋର ବହି ଅଧିକ ବିକ୍ରୟ ହେଲା ସେତେବେଳେ ସମସ୍ୟା ଉପୁଜିଲା । ସେ କେବଳ ମୋର ଉପନ୍ୟାସସବୁ ଛାପୁଥିଲେ । ଗଳ୍ପ ସଂକଳନରେ ବିଶେଷ ଆଗ୍ରହୀ ନ ଥିଲେ । ଆଦ୍ୟା ପ୍ରକାଶନୀ ଗଳ୍ପ ଛାପୁଥିଲେ । ଏପରି ପରିସ୍ଥିତି ଉପୁଜିଲା, ଶେଷକୁ ସବୁ ପ୍ରକାଶିତ ବହି ତାଙ୍କଠୁ କିଣି ଆଣିବାକୁ ହେଲା । ଆଉ ଜଣେ ପ୍ରକାଶକ (ଲେଖକ) ଶୁକଦେବ ସାହୁଙ୍କ ‘ନାଳନ୍ଦା’ ପ୍ରକାଶନ ସଂସ୍ଥାକୁ ସବୁ ବହି ଦେଲି । ଶୁକବାବୁ ବଂଚିଥିବା ପର୍ଯ୍ୟନ୍ତ ମୁଁ ଥିଲି ନିରୋଳା ଲେଖିକା । କୋଉ ସଂସ୍କରଣରେ କେତେ ହଜାର ଛାପିଲେ ନ ପଚାରିଲେ ବି ଜଣାଉଥିଲେ । ନିୟମିତ ରୟାଲ୍ଟି ଚେକ୍ ଓ ଫଳ, ମିଠା ଧରି ନିଜେ ଆସୁଥିଲେ । ସେ ଥିଲେ ଜଣେ ସତ୍ ପ୍ରକାଶକ । ତାଙ୍କ ମୃତ୍ୟୁ ପରେ ଆରମ୍ଭ ହେଲା ସମସ୍ୟା । କିଛି ବର୍ଷ ସହ୍ୟ କଲି । ତା’ପରେ ସବୁ ବହି ଫେରାଇ ଆଣିବାକୁ ବାଧ୍ୟ ହେଲି । ଆଉ ଦୁଇଜଣ ପ୍ରକାଶକଙ୍କୁ ବହି ଦେଇ ବୁଝିଲି ଯେ ଓଡ଼ିଶାରେ ଲେଖକମାନେ ବହି ଲେଖିବେ, ପ୍ରକାଶକମାନେ ତାଙ୍କ ବହି ଛାପିଦେଇ ତାଙ୍କୁ କୃତଜ୍ଞ କରିବେ । ପୁଣି ରୟାଲ୍ଟିର ଲୋଭ କାହିଁକି? ଏମିତି ଧାରଣା ପ୍ରକାଶକଙ୍କର ବୋଲି ମୋର ଅନୁଭୂତି ଅଛି । ମୋର ବହିଗୁଡ଼ିକ ଏତେ ମାତ୍ରାରେ ବିକ୍ରୟ ହେଉଥିବା ସ୍ଥଳେ ମୁଁ ରୟାଲ୍ଟି ଛାଡ଼ିଦେବି କାହିଁକି? ଯଦି ପୁସ୍ତକ ବିକ୍ରୟ ହେଉଛି ତେବେ ରୟାଲ୍ଟି ପାଇବା ହେଉଛି ଲେଖକର ଅଧିକାର । ସେହି କାରଣରୁ ମୁଁ ବାଧ୍ୟ ହୋଇ ‘ଆଦ୍ୟା ପ୍ରକାଶନୀ’ ଦ୍ୱାରା ମୋର ସମସ୍ତ ବହି ଓ ମୋ ଝିଅ ଆଦ୍ୟାଶାର ଦୁଇ ତିନୋଟି ବହି ଛାପିଛି । ଆର୍ଥିକ ଲାଭ ଉଦ୍ଦେଶ୍ୟ ଥିଲେ ମୁଁ ଅନ୍ୟମାନଙ୍କ ବହି ମଧ୍ୟ ଛାପିଥାନ୍ତି । ଜଣେ ବେଷ୍ଟ ସେଲର୍ ଯଦି ମତେ ବହି ଛାପିବା ପାଇଁ ଦିଅନ୍ତି ତେବେ ମଧ୍ୟ ମୁଁ ଅନ୍ୟ ଲେଖକର ବହି ଛାପିବି ନାହିଁ । ମୁଁ ପ୍ରକାଶକ ନୁହେଁ, ମୁଁ ଜଣେ ଲେଖକ । ଲେଖକ ହୋଇ ବଂଚିରହିବା ପାଇଁ ମୁଁ ପ୍ରକାଶନ କରୁଛି । ‘ଆଦ୍ୟା ପ୍ରକାଶନୀ’ ମୋର ବ୍ୟବସାୟ ସଂସ୍ଥା ନୁହେଁ – ଏହା ମୋର ଜୀବନ ଓ ଆତ୍ମ ପ୍ରତିଷ୍ଠାର ପ୍ରାଣକେନ୍ଦ୍ର । ନିଜ ବହି ଛାପିବା ମଧ୍ୟ କମ୍ ଜଞ୍ଜାଳ ନୁହେଁ । ସୁରେନ୍ଦ୍ର ମହାନ୍ତି ଓ ଜୈନେନ୍ଦ୍ର (ହିନ୍ଦୀ) ନିଜ ବହି ଛାପୁଥିଲେ ।

 

ଓଡ଼ିଆ ଉପନ୍ୟାସ ଆବଶ୍ୟକତାଠାରୁ ଅଧିକ ଆଦର୍ଶବାଦୀ ଓ ସାମାଜିକ ବାସ୍ତବତା ନାଁରେ ଏକ ଉପରଠାଉରିଆ ସ୍ଲୋଗାନ୍‍ଧର୍ମୀ ଜୀବନବୋଧଦ୍ୱାରା ଆକ୍ରାନ୍ତ ବୋଲି ହେଉଥିବା ସମାଲୋଚନାକୁ ଆପଣ କେମିତି ଗ୍ରହଣ କରିବେ? ଆମ ସମୟର ଉପନ୍ୟାସ କଣ ଆମ ସମୟର କଥା କହେ?

କେଉଁ ଉପନ୍ୟାସ କଥା କହୁଛନ୍ତି ନାମ ଲେଖିଥିଲେ ଉତ୍ତର ଦେବା ସହଜ ହୋଇଥାନ୍ତା । ଉପନ୍ୟାସରେ ବାସ୍ତବ ଜୀବନର ଅନାଦର୍ଶ ଭିତରେ ଆଦର୍ଶ ତ ସଂକେତରେ ରହିବ । “ଲେଖକ ସତ୍ୟ (ବାସ୍ତବତା) ଶିବ (ମଙ୍ଗଳମୟ) ସୁନ୍ଦର (ନୈତିକତା, ଆହ୍ଲାଦ ଓ ଆନନ୍ଦ)ର ପୂଜାରୀ ନୁହେଁ କି? ଲେଖକ ବାସ୍ତବତାର ରୁକ୍ଷତା ଭିତରେ ଏକ ସୁନ୍ଦର ମାନବୀୟ ବିଶ୍ୱର ସ୍ୱପ୍ନ ତ ଦେଖେ। ତେବେ ସମ୍ପୂର୍ଣ୍ଣ କଳ୍ପନାଧର୍ମୀ ଫାଣ୍ଟାସି, ଚମତ୍କାରିତା ଓ ନୀତିବାଣୀ ଉଚ୍ଚମାନର ସାହିତ୍ୟ ନୁହେଁ ।”

ସମରସେଟ୍ ମମ୍ କହିଥିଲେ – ସାହିତ୍ୟ ଯେତେ ନୀତି ଓ ଆଦର୍ଶର କଥା କହିଲେ ମଧ୍ୟ ଯଦି ତାହା ଆନନ୍ଦଦାୟକ ଓ ବିଶ୍ୱସନୀୟ ନହେଲା ତାହା ଉଚ୍ଚମାନର ସାହିତ୍ୟ ନୁହେଁ । ଆଜି ମୋର ‘ମଗ୍ନମାଟି’ ଉପନ୍ୟାସର ହିନ୍ଦୀ ଅନୁବାଦର ଏଡିଟରଙ୍କ ସହ ଶେଷ ଦୁଇପୃଷ୍ଠା ସମ୍ପାଦନା କରିବା ସମୟରେ ମୁଁ ନିଜେ ପ୍ରଶ୍ନ କଲି – “ଏତେ ସବୁ ଆଦର୍ଶର କଥା ଅଯଥାରେ ଲେଖିଛି ବୋଲି ଭାବୁଛି।”

“କାହିଁକି ଏପରି ଭାବୁଛନ୍ତି? ମଶାଣୀ ମଝିରେ ମନ୍ଦିର ନିର୍ମାଣ କରିବା ତ ସବୁଠୁ ଶୁଭ ସଂସ୍କାର ।” ଜଣେ ସାହିତ୍ୟିକ ତ ସଂସ୍କାରକ।” ଏଡିଟର କହିଲେ ।

ମୁଁ ପ୍ରଶ୍ନ କଲି, “ବସୁମତୀପୁର” ଭଳି ଗ୍ରାମଟିଏ ନିର୍ମାଣ କରିବା କ’ଣ ସମ୍ଭବ, ଯେଉଁ ଗାଁରେ ଜାତି, ଧର୍ମ, ଓଡ଼ିଆ ବଙ୍ଗାଳୀ ମୁସଲମାନ, ହିନ୍ଦୁ ଇତ୍ୟାଦିଙ୍କର ଗୋଟିଏ ଜାତି ହେବ – ତାହା ହେବ ମଣିଷ ଜାତି? ସତରେ ଏମିତି ଗାଁଟିଏ ଏରସମାରେ ହୋଇପାରିଛି କି?”

“ନା, ସମ୍ଭବ ନୁହେଁ – ହୋଇନାହିଁ । ତା’ ବୋଲି କ’ଣ ସାହିତ୍ୟିକ ସଂସ୍କାରକର ଭୂମିକା ନେଇ ଏମିତି ଏକ ଗ୍ରାମର ସ୍ୱପ୍ନ ଦେଖିବ ନାହିଁ? ଆଜି ନ ହେଲେ କାଲି ଜାତିଭେଦ ଉଠି ଯାଇପାରେ – ସାହିତ୍ୟ ମାଧ୍ୟମରେ କେତେ କେତେ ସଂସ୍କାର ହୋଇଛି । ଉଦାହରଣ ସ୍ୱରୂପ ‘ଟମକକାଙ୍କ କୁଟୀର’ ଲେଖିଥିଲେ ଜଣେ ଲେଖିକା – ହାରିଏଟ୍ ଷ୍ଟୋ । ଖଣ୍ଡିଏ ବହି ତ ଆମେରିକାର ଘୃଣ୍ୟ ଦାସପ୍ରଥା ବିଲୋପ କରିଦେଲା!” ‘ମଗ୍ନମାଟି’ର ହିନ୍ଦୀ ଅନୁବାଦର ସମ୍ପାଦନା କରୁକରୁ ମହାଶୟ କହିଲେ ।

ଜଣେ ସଶ୍ରଦ୍ଧ ଔପନ୍ୟାସିକ ଭାବେ ଜୀବନ ବଂଚି ଆପଣ ସନ୍ତୁଷ୍ଟ କି? ଓଡ଼ିଆରେ ନଲେଖି ଇଂରାଜୀ ବା ଅନ୍ୟ ଭାଷାରେ ଲେଖିଥିଲେ ଅଧିକ ପ୍ରଚାରିତ ଓ ଯଶସ୍ୱୀ ହୋଇଥାନ୍ତେ ବୋଲି ଭାବନା ଆସେ କି କେବେ?

ମୁଁ ସନ୍ତୁଷ୍ଟ କେବଳ ନୁହେଁ ଈଶ୍ୱରଙ୍କ ପ୍ରତି ଓ ପାଠକଙ୍କ ନିକଟରେ କେତେ କୃତଜ୍ଞ ଭାଷାରେ ପ୍ରକାଶ କରିପାରିବିନି । ମତେ ଏପରି ଶ୍ରଦ୍ଧା ଓ ସମ୍ମାନ ମିଳେ ତାହା ପ୍ରକାଶ କରିବା ଏଠି ସମ୍ଭବ ନୁହେଁ । ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି ।

କେବେ ସ୍ୱପ୍ନରେ ବି ଭାବି ନାହିଁ ଯେ ଓଡ଼ିଆରେ ନ ଲେଖି ଇଂରାଜୀ ବା ଅନ୍ୟ ଭାଷାରେ ଲେଖିଥିଲେ ଭଲ ହୋଇଥାନ୍ତା । ହଁ ଏକଥା ନିଶ୍ଚୟ ଭାବେ ଯେ ମୋ ନିଜ ବହିଗୁଡ଼ିକ ମୁଁ ନିଜେ ଇଂରାଜୀରେ ଅନୁବାଦ କରିପାରୁଥିଲେ କେତେ ଭଲ ହୋଇଥାନ୍ତା? ପୁରସ୍କାର ବା ଖ୍ୟାତି ପାଇଁ ନୁହେଁ – ବିଶ୍ୱ ପାଠକ ପଢ଼ନ୍ତୁ ବୋଲି ଚାହେଁ । ମୋ ସାହିତ୍ୟ ଓ ସଂସ୍କୃତିକୁ ସବୁଠି ପହଞ୍ଚାଇବା ଲେଖକ ଚାହିଁବା ସ୍ୱାଭାବିକ ନୁହେଁ କି?

Leave A Reply

Your email address will not be published.