Latest Odisha News

BREAKING NEWS

ଝାଡ଼ଖଣ୍ଡରେ ଜମୁଛି ପ୍ରଚାର; ମୁହାଁମୁହିଁ ହେଲେ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀ !

ଋାଞ୍ଚି: ଆସନ୍ତା ୧୨ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଦଳର ପ୍ରଚାର କାର୍ଯ୍ୟ ଜୋରଦାର୍ ଜାରି ରହିଛି । ସୋମବାର ଦିନ ଝାଡ଼ଖଣ୍ଡର ଭିନ୍ନ ଭିନ୍ନ ନିର୍ବାଚନୀ ସଭାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ-ଜେଏମଏମ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦମଦାର୍ ପ୍ରଚାର କରିଛନ୍ତି । ଝାଡ଼ଖଣ୍ଡର ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀର ଜନସଭାରେ ମୁହାଁମୁହିଁ ହୋଇଛନ୍ତି ମୋଦୀ ଓ ରାହୁଲ ଗାନ୍ଧୀ । ପରସ୍ପରକୁ ସମାଲୋଚନା କରି ଜନ ସମର୍ଥନ ଲୋଡ଼ିବାରେ ଲାଗିଛନ୍ତି ଦୁଇଦଳର ପ୍ରମୁଖ ନେତା ।

ହଜାରିବାଗଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ କଂଗ୍ରେସକୁ କଟାକ୍ଷ କରି କହିଥିବା ବେଳେ ରାହୁଲ ଗାନ୍ଧୀ ବଡ଼କାଗାଓଁଠାରେ ଅନୁଷ୍ଠିତ ଏକ ବିଶାଳ ଜନସଭାରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପଛପଟ କବାଟ ଦେଇ ଚୋରିଚାରି କରି ସରକାର ଗଢୁଥିବା କଂଗ୍ରେସ ଦଳକୁ କର୍ଣ୍ଣାଟକରେ ଜନସାଧାରଣ ଉଚିତ ଜବାବ ଦେଇଛନ୍ତି ।

ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ମଧ୍ୟ ମୋଦୀ ସରକାରକୁ ଛାଡ଼ି ନାହାନ୍ତି । ସେ ତାଙ୍କ ଭାଷଣରେ କହିଛନ୍ତି ଯେ, ଦେଶରେ କେବଳ ୧୫ଜଣ ପୁଞ୍ଜିପତିଙ୍କ ଲାଗି କେବଳ କେନ୍ଦ୍ରରେ ସରକାର ଚାଲୁଛି । ଯେଉଁଠି ଦେଖ ମୋଦୀ ହି ମୋଦୀ ।

ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜାରି ରହିବ । ଏହାପରେ ପ୍ରଚାର କାର୍ଯ୍ୟ ସବୁଦଳ ଗୁଡ଼ିକ ପକ୍ଷରୁ ବନ୍ଦ ରହିବ । ଆଜି ମଙ୍ଗଳବାର ଦିନ ମଧ୍ୟ କଂଗ୍ରେସ, ବିଜେପି ଓ ଜେଏମଏମ ପକ୍ଷରୁ ଜୋରଦାର୍ ନିର୍ବାଚନୀ ସଭା ଅନୁଷ୍ଠିତ ହେଉଛି ।

ଡ଼ିସେମ୍ବର ୧୨ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୧୭ଟି ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ । ନଭେମ୍ବର ୩୦ରେ ୧୩ଟି ଏବଂ ଡ଼ିସେମ୍ବର ୭ ତାରିଖରେ ୨୦ଟି ଆସନରେ ଯଥାକ୍ରମେ ୧ମ ପର୍ଯ୍ୟାୟ ଓ ୨ୟ ପର୍ଯ୍ୟାୟ ମତଦାନ ହୋଇସାରିଛି ।

Leave A Reply

Your email address will not be published.