Latest Odisha News

BREAKING NEWS

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର

କେଦାର ମିଶ୍ର

ଯାହା ସହଜରେ ବୁଝି ହୋଇଯାଏ ତାହା ସବୁବେଳେ କବିତା ହୁଏ ନାହିଁ । କବିତା ବେଳେବେଳେ ସନ୍ଧ୍ୟାର ରାଗ ପରି । ଅନେକାଂଶରେ ଝାପ୍ସା ଝାପ୍ସା । ଟିକିଏ ଛାଇ ଓ ଆଲୁଅର ମିଶାମିଶି ଅନୁଭବ । ସେଠି ଯାହା ଦିଶେ, ତାହା ଦୃଶ୍ୟ ନୁହେଁ । ଦୃଶ୍ୟ ବାହାରେ ଆହୁରି ଅନେକ ଦୃଶ୍ୟ ଥାଏ । ଦୃଶ୍ୟ ଓ ଆର ଦୃଶ୍ୟର ଖେଳକୁ କବିତା ବୋଲି କୁହାଯାଇପାରେ । ତେବେ ସବୁବେଳେ କବିତାରେ ଆର ଦୃଶ୍ୟର ଅନୁଭବ ଆସେ ନାହିଁ । ଆର ଦୃଶ୍ୟର ଅନୁଭବ ଦେବାକୁ ହେଲେ କବିକୁ ସ୍ବୟଂ ଆର ଦୃଶ୍ୟର ଅଂଶୀଦାର ହେବାକୁ ପେଡ଼ । କବି ଯାହା ଲେଖେ ତାକୁ ପାଠକ ଚଟ କିନା ବୁଝିଯିବ ବୋଲି ଭାବିନେଲେ ଉଭୟ କବିତା ଓ ଗ୍ରାହକତାର ମୃତ୍ୟୁ ଘଟେ । କବିକୁ ପଢିବା ପାଇଁ ଯେତିକି ଅନୁରାଗ ଦରକାର, କବିତାକୁ ବୁଝିବା ଲାଗି ସେତିକି ପ୍ରଜ୍ଞାର ମଧ୍ୟ ଆବଶ୍ୟକତା ରହିଛି । ସହଜରେ ବୁଝି ହେଇଯାଉଥିବା କବିତାରେ ହୁଏତ ଗୀତର ଧର୍ମ ଥାଇପାରେ । ସେ କବିତାର ଆବେଦନ ନିଆରା । ତାହା ବୋଲି ସେଇଟା ହିଁ କବିତା, ଅନ୍ୟ କିଛି କବିତା ନୁହେଁ, ସେକଥା କହିହେବ ନାହିଁ । ଭାବି ଦେଖନ୍ତୁ ତ କବି ଗୋଟେ ଗାଈର ବର୍ଣ୍ଣନା କରୁଛନ୍ତି । ସାଧାରଣ ଭାବରେ ରଚନା ଲେଖିଲାବେଳେ ହୁଏତ କହିହେବ ଗାଈ ଗୋଟେ ଗୃହପାଳିତ ପଶୁ । ତା’ର ଚାରୋଟି ଗୋଡ଼, ଗୋଟିଏ ଲାଞ୍ଜ, ଦୁଇଟି ଆଖି, ଦୁଇଟି କାନ ଇତ୍ୟାଦି । ରଚନା ଲେଖିବା ସହଜ କଥା । ସେଇ ଗାଈକୁ ନେଇ ଯେତେବେଳେ ପର୍ଶୁରାମ ବିହାରୀ କବିତା ଲେଖନ୍ତି, ସେ କ’ଣ କହନ୍ତି, ଆସନ୍ତୁ ଦେଖିବା –
କପିଳା ବୋଲିଣ ଗାଈ ସେ ସଦା ସର୍ବଦା ଯୁବା
ଷଡମୁଖ ତିନି ଲୋଚନ ଏକପାଦରେ ଉଭା।

କପିଳା ବୋଲିଣ ଗାଈ ସେ, ଅଦ୍ଭୁତ ସେ ଗାଈ
ତା’ର ଛଅଟି ମୁଖ, ତିନି ଲୋଚନ ଓ ଗୋଟିଏ ବୋଲି ପାଦ ।
କଳ୍ପନା କରି ହେଉଛି ଗୋଟେ ଗାଈର ଚେହେରା କେମିତି । ଗୋଟିଏ ମୁହଁରେ ଅଧା ଆଖି ଏବଂ ସମୁଦାୟ ଦେହଟି ଗୋଟିଏ ପାଦରେ ଭରା ଦେଇ ରହିଛି ।
ପୁଣି କବି କହୁଛନ୍ତି –
ଭଲା ବିପରୀତ ଗାଈ ସେ, ଲାଞ୍ଜ ବାଟେ ଚରଇ
ମୁଖ ବାଟେ ମଳ ଯେ ଚକ୍ଷୁ ବାଟେ ପ୍ରସଇ ।

ବଡ଼ ଅଦ୍ଭୁତ ପରିକଳ୍ପନା । ଏହାକୁ ନେଇ କେତେ ଭେଦ ଗଢା ହୋଇଛି । କିଏ କହେ ସେ ଗାଈଟି ଭିତରେ ଜୀବ ଓ ପରମର ଖେଳା ଚାଲିଛି । ଷଡମୁଖ ହୁଏତ ଷଡରିପୁ ହୋଇପାରେ । କେହି କେହି କହନ୍ତି ପାଞ୍ଚଟି ଇନ୍ଦ୍ରିୟ ଓ ମନ ମିଶି ଛଅଟି ମୁଖ । ଯେତେ ପାଠକ ସେତେ ବିଚାର । ଯେତେ ପଢାଳି ସେତେ ପ୍ରକାର ତର୍ଜମା । କବି ଲେଖିଦେଲେ ତାଙ୍କ କାମ ସରିଲା । ତାକୁ ପଢି କିଏ କେତେ ତତ୍ତ୍ବ ନିର୍ମାଣ କଲେ । ଏଇଟା ହେଉଛି ଭାରତୀୟ କବିତାର ନିଆରାପଣ । କବିତା କେବଳ ଗୋଟିଏ ପକ୍ଷର ଆଲୋକ ଦେଖାଏ ନାହିଁ । ସବୁ ପକ୍ଷର ଆଲୋକ କବିତାରେ ଏକାକାର । ତତ୍ତ୍ବ ଓ ତା’ର ତର୍ଜମା କବିତାରେ ସବୁବେଳେ ହେଇଛି ଏବଂ ହେବ । ତାକୁ ବାଟ କାଟି ଆମେ ଯାଇ ପାରିବା ନାହିଁ । ଗୋଟିଏ କବିତା ଯାହା ଲେଖେ, ତା’ର ପରବର୍ତ୍ତୀ କବି ଜଣକ ସେହି କବିତାରୁ ଆଉ ଏକ ଅର୍ଥ ନିଗାଡ଼ି ଆଣି ପାରେ । ଆଉ ଏକ ଉଦାହରଣ ଦିଆଯାଇପାରେ ।

କବି ମାର୍କଣ୍ଡ ଦାସ । ତାଙ୍କର ପ୍ରସିଦ୍ଧ କବିତା ଭିତରେ ‘କେଶବ କୋଇଲି’ । କବିତାଟି ଓଡ଼ିଶାର ଜନଜୀବନରେ ବେଶ୍ ପରିଚିତ । କୋଇଲି ଲୋ କେଶବ ଯେ ମଥୁରାକୁ ଗଲା । କାହା ବୋଲେ ଗଲା ପୁତ୍ର ବାହୁଡ଼ି ନୋଇଲା । ଅତି ସରଳ ଓ ମାର୍ମିକ ବର୍ଣ୍ଣନା । ମା’ ଯଶୋଦା କୃଷ୍ଣଙ୍କ ବିଚ୍ଛେଦରେ ନିଜର ମର୍ମବେଦନା ପ୍ରକାଶ କରୁଛନ୍ତି । ଏତେ ସରଳ କବିତା ଭିତରେ ଜୀବ ପରମର କେତେ ଗୂଢ ଅର୍ଥ ଅଛି ଓ ତା’ରି ଭିତରେ ପରସ୍ତ ପରସ୍ତ ତତ୍ତ୍ବର ବଚନିକା ଲୁଚି ରହିଛି, ଏକଥା ଆମେ ଜାଣିଥିଲୁ କି ? ଏହି କବିତାକୁ ନେଇ ତାଙ୍କର ପରବର୍ତ୍ତୀ ପିଢିର କବି ଜଗନ୍ନାଥ ଦାସ (ସେ ଭାଗବତକାର ଜଗନ୍ନାଥ ଦାସ କି ନୁହନ୍ତି, ତାକୁ ନେଇ ବିବାଦ ରହିଛି) ଲେଖିଲେ – ‘ଅର୍ଥ’ କୋଇଲି’ । ମାର୍କଣ୍ଡ ଦାସଙ୍କ ପ୍ରତ୍ୟେକ ପଦକୁ ନେଇ ନୂଆ ଏକ ତତ୍ତ୍ବର ବଖାଣ କଲେ ଜଗନ୍ନାଥ ଦାସ । କବିତାର ପାଠକ ଭାବରେ ତାଙ୍କୁ ଯଶୋଦାଙ୍କର ମର୍ମବେଦନା ତୁଳନାରେ କବିତାର ପ୍ରତିଟି ଚିତ୍ରରେ ନୂଆ ଏକ ରହସ୍ୟ ଦୃଶ୍ୟମାନ ହେଲା । ଏଥିର ପ୍ରମାଣିତ ହୁଏ ଆମ କବିତା ପରମ୍ପରାରେ ଆବିଷ୍କାରର ମଞ୍ଜିଟି କ’ଣ ? ପ୍ରତି କବିତା ପ୍ରତି ପାଠକ ପାଖରେ ନୂଆ ହେବାକୁ ବାଧ୍ୟ ।

ପ୍ରତି କବିତା ଗୋଟିଏ ସମୟରେ ଗୋଟିଏ ଅର୍ଥ ବହନ କରେ ନାହିଁ ।
ପ୍ରତି କବିତା ନିଜ ସମୟ ଓ ସମୟ ବାହାରେ ଆଉ ଏକ ଅର୍ଥର ପ୍ରତିଶ୍ରୁତି ବହନ କରିଥାଏ ।
ପ୍ରତି କବିତା ନିଜ ସରଳତା ଭିତରେ ଜଟିଳ ଅର୍ଥର ସୂତ୍ରମାନଙ୍କୁ ଆତ୍ମସ୍ଥ କରି ରଖିଥାଏ ।
ପ୍ରତି କବିତାରେ କବି କେବଳ ଜଣେ କବି ନୁହେଁ । ଗୋଟିଏ କବିତାକୁ ବହୁ ବାଗରେ, ବହୁ ଅର୍ଥରେ ଓ ବହୁ ଭାବରେ ପଢାଯାଇପାରେ ।

ତେଣୁ କବିତାକୁ ଏକମୁଖୀ ଓ ଏକଦେଶୀ ବୋଲି କହିବା ଆଦୌ ଉଚିତ୍ ହେବ ନାହିଁ ।

Leave A Reply

Your email address will not be published.