Latest Odisha News

BREAKING NEWS

ଭଦ୍ରକରେ ଚାଞ୍ଚଲ୍ୟ: ଧରାପଡ଼ିଲେ ୧୨୬ଟି ନାଗସାପଙ୍କ ୫ଟି ‘ନାଗ-ନାଗୁଣୀ’ ମା’ବାପା

ଭଦ୍ରକ: ଦୁଇଦିନ ପୂର୍ବରୁ ଶତାଧିକ ସାପ ଯେଉଁ ସ୍ଥାନରୁ ଧରାପଡ଼ିଥିଲେ ସେହି ସ୍ଥାନରୁ କିଛି ଘଣ୍ଟା ପରେ ପୁଣି ଧରାପଡ଼ିଛନ୍ତି ବିଷଧର ୫ଟି ନାଗନାଗୁଣୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର ପାଇକସାହିରେ ବିଜୟ ଭୁୟାଁଙ୍କ ଘର ମଧ୍ୟରୁ ଉଦ୍ଧାର କରାଯାଇଥିଲା ଶତାଧିକ ନାଗସାପ । ତେବେ ଆଜି ସେହି ଘର ନିକଟରୁ ଭଦ୍ରକର ସ୍ନେକ୍ ହେଲପର୍ ମିର୍ଜା ମହମ୍ମଦ ଆରିଫ ୫ଟି ବିରାଟ ବିଷଧର ନାଗନାଗୁଣୀଙ୍କୁ ଉଦ୍ଧାର କରିଛନ୍ତି ।

ଦୁଇ ଦିନ ପୂର୍ବରୁ ବିଜୟଙ୍କ ଘରେ ପରିବାର ଲୋକ ଅନ୍ଧାରରେ ସାଲୁବାଲୁ ହେଉଥିବା ନାଗସାପଙ୍କୁ ମାଡ଼ି ଦେଇଥିଲେ । ଲାଇଟ୍ ଜଳାଇବାରୁ ଶହେରୁ ଅଧିକ ନାଗସାପଙ୍କୁ ଦେଖିପାରିଥିଲେ ବିଜୟ ଭୁୟାଁ । ଭଦ୍ରକର ଜଣାଶୁଣା ସ୍ନେକ ହେଲପର୍ ମିର୍ଜା ମହମ୍ମଦ ଆରିଫ ଆସି ସେହି ସାପ ଗୁଡ଼ିକୁ ଉଦ୍ଧାର କରି ବନ୍ୟଜନ୍ତୁ ସଂରକ୍ଷଣ ବିଭାଗକୁ ହସ୍ତାନ୍ତର କରିଥିଲେ । ଉଦ୍ଧାର ହୋଇଥିବା ୧୨୬ଟି ନାଗସାପ ଛୁଆଙ୍କୁ ହଦଗଡ଼ ଜଙ୍ଗଲରେ ଛାଡ଼ିଦିଆଯାଇଥିଲା ।


ତେବେ ଗତକାଲି ରାତିରେ ବିଜୟଙ୍କ ଘର ମଧ୍ୟରେ ପୁଣି ୪/୫ଟି ବିରାଟକାୟ ନାଗସାପ ଚଲାବୁଲା କରୁଥିବା ବେଳେ ସ୍ପେକ୍ ହେଲପର୍ ମିର୍ଜାଙ୍କୁ ଡ଼ାକିଥିଲେ । ତେବେ ଆଜି ମିର୍ଜା ଆଜି ବିଜୟଙ୍କ ଘରକୁ ଯାଇ ଆଖପାଖରେ ନାଗ-ନାଗୁଣୀ ମାନଙ୍କର ସନ୍ଧାନ କରିଥିଲେ । ଦୀର୍ଘ ୩ ଘଣ୍ଟା ପରେ ୫ଟି ବିରାଟ ନାଗସାପ ଉଦ୍ଧାର କରାଯାଇଥିଲା ।

ଏବେ ଗ୍ରାମବାସୀ ଆଶ୍ୱସ୍ଥ ହେବା ସହିତ ବିଜୟ ଭୁୟାଁଙ୍କ ଘରେ ସାପ ରହୁଥିବା ଯୋଗୁଁ ଭୟ ଦୂର ହୋଇଛି । ଏହି ୨/୩ ଦିନ ମଧ୍ୟରେ ବିଜୟଙ୍କ ଘରୁ ପ୍ରାୟ ୧୩୧ଟି ନାଗସାପ ଧରାପଡ଼ିଲେଣି । ଆଜି ଉଦ୍ଧାର ହୋଇଥିବା ୫ଟି ନାଗସାପଙ୍କୁ ହଦଗଡ଼ ଜଙ୍ଗଲରେ ଛଡ଼ାଯିବାର ଯୋଜନା ରହିଛି ।

ସ୍ନେକ ହେଲପର୍ ମିର୍ଜାଙ୍କ କହିବାନୁଯାୟୀ, ବର୍ଷା ସମୟରେ ସାପମାନେ ଅଣ୍ଡାରୁ ବାହାରିଥାଆନ୍ତି । ପାଣି ପବନ ଯୋଗୁଁ ମଧ୍ୟ ସାପମାନେ ରହିବାକୁ ନିରାପଦ ଯାଗା ଖୋଜିଥାଆନ୍ତି । ତେଣୁ ଏହି ସମୟରେ ସାପ ଇତସ୍ତତଃ ବୁଲାବୁଲି କରିବାର ଦେଖାଯାଇଥାଏ । ସାପକୁ ମାଡ଼ିଦେଲେ ସାପ କ୍ରୋଧିତ ହୋଇ କାମୁଡ଼ି ଦେଇଥାଏ, ଏହି ସମୟରେ ବିଶେଷରୂପେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଭଦ୍ରକର ଜଣାଶୁଣା ସାପ ଉଦ୍ଧାରକାରୀ ମିର୍ଜା ମହମ୍ମଦ ଆରିଫ ।

Leave A Reply

Your email address will not be published.