Latest Odisha News

BREAKING NEWS

ପ୍ରକୃତିର ଅପୂର୍ବ ସମାହାର; ସାତକୋଶିଆ ଗଣ୍ଡ

ଭୁବନେଶ୍ୱର: ମହାନଦୀର ନୀଳ ଜଳରାଶି ଓ ଘଞ୍ଚ ଜଙ୍ଗଲର ପ୍ରାକୃତିକ ସୌର୍ନ୍ଦ୍ୟକୁ ଉପଭୋଗ କରିବାକୁ କିଏବା ନଚାହେଁ । ପର୍ଯ୍ୟଟନ ମାନଚିତ୍ରରେ ଏଭଳି ଅନେକ ସ୍ଥାନ ରହିଥିଲେ ମଧ୍ୟ ଓଡିଶାର ନୟାଗଡ ଜିଲ୍ଲାରେ ଥିବା ସାତକୋଶିଆ ଗଣ୍ଡ ଅନ୍ୟତମ ।

ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ଆଶ୍ୱସ୍ତୀ ପାଇବା ଲାଗି ଦୂରଦୂରାନ୍ତରୁ ପର୍ଯ୍ୟଟକ ଟାଣି ହୋଇଆସିଥାନ୍ତି ସାତକୋଶିଆ ଗଣ୍ଡର ବିସ୍ତୃତ ନୀଳ ଜଳରାଶି ଓ ଚୀର ସବୁଜ ଜୈବ ବିବିଧତା ଦେଖିବା ଲାଗି ।

ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସାତକୋଶିଆ ସ୍ୟାଣ୍ଡ ରିଜର୍ଟରେ ନିର୍ମିତ ହୋଇଥିବା ନେଚର କ୍ୟାମ୍ପ ଆଗନ୍ତୁକମାନଙ୍କ ରହିବାର ମଧ୍ୟ ସୁବିଧା ଯୋଗାଇଥାଏ । ରହଣୀ ଲାଗି ପର୍ଯ୍ୟଟକମାନଙ୍କୁ ପାଇଁ ରହିଛି ୧୦ରୁ ଅଧିକ ସୁବ୍ୟବସ୍ଥିତ ଟେଣ୍ଟ, ଯେଉଁଥିରେ ଉତ୍ତମ ଶଯ୍ୟା ସହ ସୋଲାର ଆକାଉଣ୍ଟର ମଧ୍ୟ ବ୍ୟବସ୍ଥା ରହିଛି ।

ଶୀତ ଋତୁ ତଥା ଅକ୍ଟୋବରରୁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଏହିସ୍ଥାନ ଖୋଲା ରହିଥାଏ । ଖାସକରି ଡିସେମ୍ବର ଓ ଜାନୁଆରୀ ମାସରେ ପର୍ଯ୍ୟଟକମାନଙ୍କର ଅଧିକ ଭିଡ ଜମିଥାଏ।

ଓଡିଶା ସରକାରଙ୍କ ପର୍ଯ୍ୟଟନ ୱେବସାଇଟରୁ ଆପଣ ଏଥିପାଇଁ ବୁକିଂ କରିପାରିବେ । ଏହାର ଏଣ୍ଟ୍ରି ସମୟ ୧୨ଟା ହୋଇଥିବା ବେଳେ ତା’ ପରଦିନ ୧୦ଟା ସୁଦ୍ଧା ଚେକ୍‌ଆଉଟ୍ କରିବାକୁ ପଡିଥାଏ ।

ଏହି ରିଜର୍ଟର ପ୍ରବେଶ ପଥରେ ଥିବା ସୁଉଚ୍ଚ ବାଉଁଶ ଗଛକୁ ଦେଖିଲେ ଲାଗେ, ସତେ ଯେପରି ସେମାନେ ଆଗନ୍ତୁକମାନଙ୍କୁ ସ୍ୱାଗତ କରୁଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଦ୍ୱିପ୍ରହର ଖାଇବା ଭାବେ ପରଷି ଦିଆଯାଇଥାଏ । ଦ୍ୱିପ୍ରହର ଖାଦ୍ୟରେ ଭାତ, ଡାଲି, ଆଳୁ ଚୋଖା, ମାଛ ତରକାରୀ ସାଙ୍ଗକୁ ଆଉ କେତେ କଣ ପରଷି ଦିଆଯାଇଥାଏ ପର୍ଯ୍ୟଟକଙ୍କ ଥାଳିରେ।

ଏଠାରେ ପହଞ୍ଚିବାପରେ ମହାନଦୀର ଅପରୂପ ସୌନ୍ଦର୍ଯ୍ୟ ପୂରାପୂରି ବିମୋହିତ କରିଥାଏ । ପରବର୍ତ୍ତୀ ସମୟରେ ବୋଟ ରାଇଡିଂ ତଥା ନୌକା ବିହାର ପାଇଁ ଗାଇଡ୍ ନେଇଥାନ୍ତି, ଯେଉଁଥିରେ ବିଭିନ୍ନ ପ୍ରଜାତିର କୁମ୍ଭୀର ସାଙ୍ଗକୁ ଡଙ୍ଗାରେ ବସି ପକ୍ଷୀମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ପ୍ରାୟ ୪୫ମି. ଯାଏଁ ଏହି ବୋଟିଂ ହୋଇଥାଏ ।

ପରବର୍ତ୍ତୀ ସମୟରେ ତଥା ସନ୍ଧ୍ୟା ବେଳେ ଲୋକନୃତ୍ୟ ତଥା ସଙ୍ଗୀତ ମଧ୍ୟ ଦେଖିବାକୁ ମିଳିଥାଏ । ସେହିପରି ସନ୍ଧ୍ୟାରେ ଗରମାଗରମ ପକୁଡି ସହ ଚା’ ମଧ୍ୟ ଦିଆଯାଇଥାଏ । ଆମିଷ ଖାଇବାକୁ ଚାହୁଁଥିବା ପର୍ଯ୍ୟଟକ ବରାଦ ଦେଲେ ସେମାନଙ୍କ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ସେହିପରି ରାତି ବେଳକୁ ନଦୀର ଶୁଖିଲା ବାଲି ମଧ୍ୟରେ ବୋନ ଫାୟାର୍ ବା କ୍ୟାମ୍ପ ଫାୟାରର ଆୟୋଜନ କରାଯାଇଥାଏ । ଶୀତୁଆ ରାତିରେ ଯାହାର ଚାରିପଟେ ଅତ୍ୟନ୍ତ ମନ୍ତ୍ରମୁଗ୍ଧ ହୋଇ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ନାଚି ଗାଇ ମଉଜ କରିଥାନ୍ତି ।

ଦ୍ୱିତୀୟ ଦିନ:
ତା’ ପରଦିନ ସକାଳୁ ଗରମାଗରମ ଚା’ ପିଇ ଗାଇଡଙ୍କ ସହ ସମସ୍ତେ ବାହାରି ପଡନ୍ତି ନେଚର ୱାକ୍ ପାଇଁ । ରାସ୍ତା ତଥା ଜଙ୍ଗଲ ମଧ୍ୟରେ ଚାଲି ଚଳାଲି ଗଲାବେଳେ ଗାଇଡ ନିଜ ଅନୁଭୂତି ବଖାଣିବା ସହ ଗଛ ଡାଳରେ ଲୁଚି ବସିଥିବା କିଛି ପକ୍ଷୀଙ୍କୁ ମଧ୍ୟ ଦେଖାଇଥାନ୍ତି । ଏପରିକି ବେଳେ ଜଙ୍ଗଲୀ ପେଚାକୁ ମଧ୍ୟ ଦେଖିବାକୁ ମିଳିଥାଏ ।

କିପରି ଯିବେ- ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ସାତକୋଶିଆର ଦୂରତା ୧୨୫ କିମି. ରହିଛି । କାରରେ ଗଲେ ପ୍ରାୟ ସାଢେ ୩ଘଣ୍ଟା ସମୟ ଲାଗିଥାଏ ।

ନୟାଗଡରୁ ଭାୟା ଗଣିଆ ଓ ଛାମୁଣ୍ଡିଆ ଦେଇ ଗଲେ ପ୍ରାୟ ୧ ଘଣ୍ଟା ସମୟ ଲାଗିଥାଏ ।

କଟକରୁ ଭାୟା ଆଠଗଡ, ନରସିଂହପୁର, ସିଦ୍ଧମୂଳ, ଗଣଆ ଓ ଛାମୁଣ୍ଡିଆ ଦେଇ ଗଲେ ପାଖାପାଖି ୩ ଘଣ୍ଟା ସମୟ ଲାଗିଥାଏ ।

Leave A Reply

Your email address will not be published.